ଗଜପତି: ଆନ୍ଧ୍ର-ଓଡ଼ିଶା ସୀମା ବିବାଦରେ ଆନ୍ଧ୍ର ମନ୍ତ୍ରୀଙ୍କ ଗୁଣ୍ଡାରାଜ୍ ପରେ   ମାଣିକପାଟଣା ଗ୍ରାମରେ ଅପ୍ରିତିକର ପରିସ୍ଥିତି ଉପଜିଛି। ସେଥିରେ ସ୍ଥାନୀୟ ଆଦିବାସୀ ଅତିଷ୍ଠ ହେଲେଣି। କିନ୍ତୁ ଗଜପତି ଜିଲ୍ଲା ପ୍ରଶାସନର ଗତିବିଧିକୁ ଲକ୍ଷ୍ୟ କଲେ ସ୍ଥାଣୁତା ପରିଲକ୍ଷିତ ହେଉଛି। ପ୍ରଶାସନ କେବଳ ଅଞ୍ଚଳର ଉନ୍ନୟନ କାର୍ଯ୍ୟକ୍ରମ ଜାରି ରହିଛି, ସରକାରୀ ନିର୍ଦ୍ଦେଶ କ୍ରମେ ପଦକ୍ଷେପ ନିଆଯାଉଥିବା କହି ଚୁପ ବସିଛି। ସେପଟେ ଗଙ୍ଗାବାଡ ପଞ୍ଚାୟତବାସୀ ସୁରକ୍ଷା ଯୋଗାଇ ଦେବା ଦାବିରେ ପ୍ରଶାସନରଦ୍ବାରସ୍ଥ ହୋଇଛନ୍ତି। 


COMMERCIAL BREAK
SCROLL TO CONTINUE READING

ଜିଲ୍ଲାରେ ସୀମା ବିବାଦ କିଛି ନୁଆଁ କଥା ନୁହେଁ, ହେଲେ ଏବେ ଆନ୍ଧ୍ର ମନ୍ତ୍ରୀଙ୍କ ଦାଦାଗିରି ପରେ ସୀମାରେ ଆନ୍ଧ୍ର ପୋଲିସର ପଇନ୍ତରା ମାରୁଛି। ସ୍ଥାନୀୟ ଜନପ୍ରତିନିଧିଙ୍କୁ ମିଥ୍ୟା ମାମଲାରେ ଜଡିତ କରିବା ଇତ୍ୟାଦିକୁ ଦେଖିଲେ ପଞ୍ଚାୟତବାସୀ ଏକ ପ୍ରକାର ଭୟରେ ଜୀବନ ବିତାଉଛନ୍ତି। ପ୍ରଶାସନ ପାଖରେ ଆଜିକୁ ତିନି ଦଶନ୍ଧିରୁ ଅଧିକ ସମୟ ହେଲାଣି ସ୍ଥାନୀୟ ବାସିନ୍ଦା ମୌଳିକ ଆବଶ୍ୟକତା ପୂରଣ ପାଇଁ ଦାବି କରି ଆସୁଥିଲେ। କିନ୍ତୁ ଲୋକଙ୍କୁ ଆନ୍ଧ୍ର ପ୍ରଲୋଭନ ଦେଖାଇ ନିଜ ଆଡକୁ ଆକୃଷ୍ଟ କରୁଥିଲା। ହେଲେ ଅଞ୍ଚଳକୁ ଏବେ ନିଜର ବୋଲି ଦାବି କରି ଅଧିକାର ଜାହିର କଲାଣି।


Also Read: ଦରିଆ ପାରିରେ ଦାଦନଙ୍କୁ ଅକଥନୀୟ ନିର୍ଯାତନା


ମାଣିକପାଟଣା ଭଳି ସେହି ଅଞ୍ଚଳର ଅନ୍ୟ ସାତଟି ଗ୍ରାମ ଚମ୍ପାପୁର, ବୁରୁସିଂ, ଅମାରିଂ, ମାଧିଆଖୋଲ, ଆଖଡା, ଗୁଡୁଖୁଡିରେ ମଧ୍ୟ ଆନ୍ଧ୍ର ନିଜ ସ୍ଥିତି ଜାହିର କରିବାକୁ ଯାଉଛି। ସେପଟେ କିନ୍ତୁ ପ୍ରଶାସନର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁନାହିଁ! ବର୍ତ୍ତମାନ ଆନ୍ଧ୍ରର ଦାଦାଗିରି ଆଗରେ ଓଡିଶାର ଲୋକେ ଅସହାୟ ହୋଇ ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି। ସୋମବାର ଗଙ୍ଗାବାଡର ପୂର୍ବତନ ସରପଞ୍ଚ ହରିବନ୍ଧୁ କାର୍ଯୀ ମିଥ୍ୟା ମାମଲାରେ ଛନ୍ଦି ହୋଇ ପଞ୍ଚାୟତ ଲୋକଙ୍କ ସହ ମିଶି ନିଜର ଏବଂ ପଞ୍ଚାୟତବାସୀଙ୍କ ସୁରକ୍ଷା ଦାବିରେ ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି।



"ଅତିରିକ୍ତ ଜିଲ୍ଲାପାଳଙ୍କ ସହ ଆଲୋଚନା କଲୁ କିନ୍ତୁ ଜିଲ୍ଲାପାଳ ସାକ୍ଷାତ ପାଇଁ ଏବେ ପର୍ଯ୍ୟନ୍ତ ସୁଯୋଗ ଦେଇନାହାନ୍ତି। ଦାବି ପୂରଣ ନହେଲେ ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପରିବାର ଓ ପଞ୍ଚାୟତ ବାସୀନ୍ଦାଙ୍କ ଅନସନରେ ବସିବାକୁ ନିଷ୍ପତ୍ତି ନେଇଛୁ।" ବୋଲି  ଗଙ୍ଗାବାଡର ପୂର୍ବତନ ସରପଞ୍ଚ ହରିବନ୍ଧୁ କାର୍ଯୀ କହିଛନ୍ତି।


Also Read: ବିଜେପି ତଥ୍ୟରେ ନବୀନଙ୍କ ସ୍ୱାସ୍ଥ୍ୟ ସେବାର ନଗ୍ନ ଚିତ୍ର


ସେପଟେ ଲୋକଙ୍କ ସମସ୍ୟାକୁ ନେଇ ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି,  "ଉନ୍ନୟନମୂଳକ କାର୍ଯ୍ୟ ହାତକୁ ନିଆଯାଇଛି। ସେଠାକାର ମୌଳିକ ସମସ୍ୟାର ସମାଧାନ କରାଯିବ।" କିନ୍ତୁ ଆନ୍ଧ୍ର ମନ୍ତ୍ରୀଙ୍କ ଦାଦାଗିରି ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗକୁ ଏଡାଇ ଗଣମାଧ୍ୟମ ଆଗରେ କେବଳ ସରକାରୀ ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ କରାଯାଉଥିବା ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି । ଏସମ୍ପର୍କରେ ଜିଲ୍ଲାପାଳ ମଧ୍ୟ ଗଣମାଧ୍ୟମରେ କୌଣସି ପ୍ରତିକ୍ରିୟା ରଖୁନାହାନ୍ତି।


ଆନ୍ଧ୍ର ନିଜର ସ୍ଥିତି ଜାହିର କରି ସୀମାନ୍ତ ଅଞ୍ଚଳରେ ଗୁଣ୍ଡାରାଜ ଚଳାଇଛି। କିନ୍ତୁ ଓଡିଶା ପ୍ରଶାସନ ଚେଇଁ ଶୋଇଛି! ତେବେ ଆଉ କେତେ ଅଞ୍ଚଳକୁ ନିଜ ଦଖଲକୁ ନେବା ପରେ ପ୍ରଶାସନର ନିଦ ଭାଙ୍ଗିବ ତାକୁ ଅପେକ୍ଷା।