ଝାରୁସୁଗୁଡା: ବିବାହ ଉତ୍ସବ ପାଇଁ ପରିବାର ଓ  ବନ୍ଧୁବାନ୍ଧବଙ୍କ ଉତ୍ସାହ ଭରି ରହିଥିଲା। ରାଜ୍ୟ ସରକାରଙ୍କର ନିର୍ଦ୍ଦେଶ ଅନୁଯାୟୀ ସ୍ୱଳ୍ପ ଲୋକଙ୍କର ଉପସ୍ଥିତିରେ ବିବାହ ହବ। ତେଣୁ ସେହି ସ୍ୱଳ୍ପ ଲୋକଙ୍କର ଲିଷ୍ଟ ମଧ୍ୟ ପ୍ରସ୍ତୁତ ହୋଇଥିଲା। ତେବେ, ନିୟତିର ନିର୍ଦ୍ଦେଶ ଥିଲା ଅଲଗା। ଯେଉଁଦିନ ଗାଁରୁ ବର ବେଶରେ ବାହାରିଥାନ୍ତେ, ସେହିଦିନ ହିଁ ଯୁବ ଶିକ୍ଷକ ନେପାଳ ପ୍ରଧାନଙ୍କ ବିୟୋଗ ଘଟିଛି। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଝାରସୁଗୁଡ଼ା ଜିଲ୍ଲା ୧୯ଖଣ୍ଡ ମୌଜାର କଣ୍ଢେଇକେଲା ଗ୍ରାମରେ। ଗାଁରେ ଖେଳି ଯାଇଛି ଶୋକର ଛାୟା। 


COMMERCIAL BREAK
SCROLL TO CONTINUE READING

ଶନିବାର ବର ହୋଇ ଯାଇଥାନ୍ତେ, କିନ୍ତୁ ଘରକୁ ଶବ ହୋଇ ଫେରିଲେ କଣ୍ଡେଇକେଳାର ନେପାଳ ପ୍ରଧାନ। ଏମିତି ଏକ ହୃଦୟ ବିଦାରକ ଘଟଣା ଘଟିଛି ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଳକ ୧୯ ଖଣ୍ଡ ମୌଜା ଜଣ୍ଢେଇକେଲା ଗ୍ରାମରେ। ଯୁବ ଶିକ୍ଷକ ନେପାଳ ପ୍ରଧାନ ନିଜ ବାହାଘର ଦିନ ଆଖୁ ବୁଜିଛନ୍ତି। ନେପାଳଙ୍କ ମୃତ୍ୟୁକୁ ପରିବାର ଲୋକେ ସହଜରେଗ୍ରହଣ କରି ପାରୁନଥିବା ବେଳେ ଏହି ଖବର ସମସ୍ତଙ୍କୁ ହତବାକ କରି ଦେଇଛି। ନେପାଳଙ୍କ ବାହାଘର ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ୍ ଛତାଦେଇ ଗ୍ରାମରେ ସ୍ଥିର ହୋଇଥିଲା। ଶନିବାର ସେ ବରବେଶରେ ସଜ୍ଜିତ ହୋଇ କନ୍ୟାଘରକୁ ଯାଇଥାନ୍ତେ। ହେଲେ ଦଇବ ସହିଲାନାହିଁ। କନ୍ୟାଘରକୁ ବରବେଶରେ ଯିବା ପରିବର୍ତ୍ତେ ତାଙ୍କ ମୃତ ଶରୀର କୋକେଇରେ ଶ୍ମଶାନକୁ ଗଲା। 


Also Read: ରାଜଧାନୀରେ ରାଜ୍ୟର ପ୍ରଥମ Black Fungus ରୋଗୀ ଚିହ୍ନଟ


ତିନି ଚାରି ଦିନ ପୂର୍ବରୁ ନେପାଳ ଅସୁସ୍ଥ ଅନୁଭବ କରୁଥିଲେ। ନେପାଳଙ୍କର କୋଭିଡ଼ ଲକ୍ଷଣ ଥିବାରୁ ସେ ଆଣ୍ଟିଜେନ ଟେଷ୍ଟ ମଧ୍ୟ କରାଇଥିଲେ। ହେଲେ  ରିପୋର୍ଟ ନେଗେଟିଭ ଆସିଥିଲା। ୭ ତାରିଖ ଶୁକ୍ରବାର ସଂଧ୍ୟାରେ ହଠାତ୍ ତାଙ୍କର ଅବସ୍ଥା ଗୁରୁତର ହୋଇପଡିଥିଲା। ପରିବାର ଲୋକେ ପ୍ରଥମେ ତାଙ୍କୁ ଝାରସୁଗୁଡ଼ାର ଏକ ଘରୋଇ ହସ୍ପିଟାଲ ଓ ପରେ ସେଠାରୁ ବୁର୍ଲାକୁ ସ୍ଥାନାନ୍ତର କରିଥିଲେ। ବୁର୍ଲାରେ ତାଙ୍କୁ ICUରେ ରଖିବା ପରେ ବରଗଡ଼ ବିକାଶ ହସ୍ପିଟାଲକୁ ନେଇଥିଲେ। ହେଲେ ମଲ୍ଟି ଅର୍ଗାନ ଡ୍ୟାମେଜ ଯୋଗୁଁ ହଠାତ୍ ନେପାଳଙ୍କ ମୃତ୍ୟୁ ହୋଇଥିବା ଡାକ୍ତର କହିଥିବା ପରିବାର ଲୋକେ କହିଛନ୍ତି। 


ନେପାଳଙ୍କ ବାପା ବୃଷଭଙ୍କ କିଛି ବର୍ଷ ପୂର୍ବରୁ ମୃତ୍ୟୁ ହୋଇ ସାରିଛି। ନେପାଳ ୬ ଜଣ ଭାଇ ଭଉଣୀ ମଧ୍ୟରେ ଛୋଟ ଥିଲେ। ଘରର ଏକମାତ୍ର ରୋଜଗାରିଆ ସଦସ୍ୟ। ଜଣେ ଛାତ୍ରବତ୍ସଳ ଶିକ୍ଷକ ସହ ମେଳାପି, ସାମାଜିକ ଓ ଖେଳ ସଂଗଠକ ଭାବରେ ଅଞ୍ଚଳରେ ଖୁବ୍ ଜଣାଶୁଣା ଥିଲେ ନେପାଳ। ତାଙ୍କ ବିୟୋଗରେ ୧୯ ଖଣ୍ଡ ମୌଜାରେ ଶୋକର ଛାୟା ଖେଳିଯାଇଛି। ବାସ୍ତବରେ ନେପାଲ ପ୍ରଧାନ ମଧ୍ୟ କରୋନା ଯୋଦ୍ଧା ଥିଲେ, କାରଣ ସେ ମଧ୍ୟ ସୀମାନ୍ତରେ ଡ୍ୟୁଟି କରୁଥଲେ। ତାଙ୍କର ମୃତ୍ୟୁ ପୂର୍ବ ଦିନ ଗୁଡିକରେ ସରକାରୀ କାର୍ଯ୍ୟରେ ବ୍ୟସ୍ତ ଥିଲେ, ବିଶେଷ କରି କୋଭିଡ଼ ରୋକିବା ପାଇଁ। ଯଦିଓ ତାଙ୍କର ଆଣ୍ଟିଜେନ ଟେଷ୍ଟରେ ନେଗେଟିଭ ଆସିଥିଲା ତେବେ ସ୍ଥାନୀୟ ଲୋକ ଏପରି ହଠାତ୍ ମୃତ୍ୟୁକୁ ଗ୍ରହଣ କରି ପାରୁନାହାନ୍ତି। 


Also Read: ଛଅ ଦିନ ପରେ ୧୦ ହଜାର ତଳେ ରାଜ୍ୟର କୋରୋନା ଗ୍ରାଫ୍
 
କୋରୋନାର ପ୍ରଥମ ଲହର ତୁଳନାରେ ଦ୍ଵିତୀୟ ଲହର ଅତ୍ୟନ୍ତ ବିପଦଜନକ ହୋଇଛି। ଏଥିରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମଧ୍ୟ ଗୁରୁ ଦାୟିତ୍ୱ ଦିଆଯାଇଛି। ହେଲେ କୋଭିଡ ଡ଼୍ୟୁଟି କରୁଥିବା ବେଳେ ଆବଶ୍ୟକ ଅସ୍ତ୍ର ଶସ୍ତ୍ର ଯଥା PPE କିଟ, ଭେକ୍ସିନ ଏବଂ ଅନ୍ୟାନ୍ୟ କୋଭିଡ ଅତ୍ୟାବଶ୍ୟକ ସାମଗ୍ରୀ ଅନେକ ସମୟରେ ଶିକ୍ଷକଙ୍କୁ ମିଳିପାରିନାହିଁ। ସେମାନେ ବିନା ଅସ୍ତ୍ରଶସ୍ତ୍ରରେ ସାଜିଛନ୍ତି କୋଭିଡ ୱାରୀୟର ଯାହାଙ୍କୁ ଆବଶ୍ୟକ ସାମଗ୍ରୀ ଯୋଗାଇବା ମଧ୍ୟ ସରକାରଙ୍କର ଦାୟିତ୍ୱ ନୁହଁ କି?