ଆସନ୍ତା ୨୦ ପର୍ଯ୍ୟନ୍ତ ବନ୍ଦ ରହିବ ସମ୍ବଲପୁର ବିଶ୍ୱବିଦ୍ୟାଳୟ
Advertisement

ଆସନ୍ତା ୨୦ ପର୍ଯ୍ୟନ୍ତ ବନ୍ଦ ରହିବ ସମ୍ବଲପୁର ବିଶ୍ୱବିଦ୍ୟାଳୟ

 ଏପରି ପରିସ୍ଥିତିରେ କୌଣସି କର୍ମଚାରୀ ହେଡ କ୍ୱାର୍ଟର ଛାଡ଼ି ଯାଇପାରିବେ ନାହିଁ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି । 

ଫାଇଲ ଫଟୋ

ଅଜୟ କୁମାର ନାଥ, ସମ୍ବଲପୁର: ବଢ଼ିଲା ସମ୍ବଲପୁର ବିଶ୍ୱବିଦ୍ୟାଳୟର ସଟଡାଉନ ଅବଧି । ସମ୍ବଲପୁର  ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟର ମଧ୍ୟ ସଟଡାଉନ୍ ଅବଧିକୁ ବୃଦ୍ଧି କରାଯାଇଛି । ସମ୍ବଲପୁର ଓ ବୁର୍ଲା ସହରରେ କୋଭିଡର ସ୍ଥାନୀୟ ସଂକ୍ରମଣ ବଢ଼ୁଥିବାରୁ ଏପରି ନିଷ୍ପତ୍ତି ନେଇଛନ୍ତି କର୍ତ୍ତୃପକ୍ଷ । 

ଚଳିତ ମାସ ୧୮ ତାରିଖ ପର୍ଯ୍ୟନ୍ତ ବୁର୍ଲା ଭିସୁଟ୍ ବା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟର ସଟଡାଉନ ରହିବ । ପୂର୍ବରୁ ଏହି ବିଶ୍ୱବିଦ୍ୟାଳୟରେ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଚଳିତ ମାସ ୧୩ ଯାଏ ସଟଡାଉନ ଘୋଷଣା କରାଯାଇଥିଲା ।  ତେବେ ଭିସୁଟରେ କୋରୋନା ରୋଗୀ ଚିହ୍ନଟ ଓ ତାଙ୍କ ସଂସ୍ପର୍ଷରେ ଆଉ କିଛି ଆସିଥିବାରୁ  ସଟଡାଉନ ଅବଧିକୁ ବୃଦ୍ଧି କରିଛନ୍ତି କର୍ତ୍ତୃପକ୍ଷ ।

ସେହିପରି ବୁର୍ଲାରେ କୋରୋନା ସ୍ଥିତିକୁ ଦେଖି ସମ୍ବଲପୁର ବିଶ୍ୱବିଦ୍ୟାଳୟର ସଟଡାଉନ ଅବଧିକୁ ମଧ୍ୟ କର୍ତ୍ତୃପକ୍ଷ ବଢ଼ାଇ ଦେଇଛନ୍ତି । ଜୁଲାଇ ୧୪ରୁ ୨୦ ପର୍ଯ୍ୟନ୍ତ ୭ ଦିନ ଧରି ବନ୍ଦ ରହିବ ବିଶ୍ୱବିଦ୍ୟାଳୟ । ଆଜିଠାରୁ ୭ ଦିନ ଯାଏ ବିଶ୍ୱବିଦ୍ୟାଳୟ ବନ୍ଦ ରହିବା ସାଙ୍ଗକୁ କୌଣସି କର୍ମଚାରୀ ବି ଅଫିସ ଆସିବେ ନାହିଁ ବୋଲି କଡ଼ା ନିର୍ଦ୍ଦେଶନାମା ଜାରି କରାଯାଇଛି । ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି ସମ୍ବଲପୁର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ । ଏହାସହ କର୍ମଚାରୀମାନେ ଘରେ ଥାଇ ଯେତିକି ସମ୍ଭବ ସେତିକି କାମ କରିବାକୁ କୁହାଯାଇଛି । ସମସ୍ତ କର୍ମଚାରୀଙ୍କୁ ନିଜର ମୋବାଇଲ ଫୋନ୍ ଅନ୍ ରଖିବାକୁ କୁହାଯାଇଛି । 

ତେବେ ଏପରି ପରିସ୍ଥିତିରେ କୌଣସି କର୍ମଚାରୀ ହେଡ କ୍ୱାର୍ଟର ଛାଡ଼ି ଯାଇପାରିବେ ନାହିଁ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି ।