Odisha News: ମାଙ୍କଡ଼ର ମୃତ୍ୟୁ ପରେ ଲଣ୍ତା ହେବା ସହ ଦଶାହ ପାଳିଲେ ଗ୍ରାମବାସୀ, ଦେଲେ ଅଶ୍ରୁଳ ବିଦାୟ
Advertisement

Odisha News: ମାଙ୍କଡ଼ର ମୃତ୍ୟୁ ପରେ ଲଣ୍ତା ହେବା ସହ ଦଶାହ ପାଳିଲେ ଗ୍ରାମବାସୀ, ଦେଲେ ଅଶ୍ରୁଳ ବିଦାୟ

Odisha News:  ମଣିଷଙ୍କ ପରି ମାଙ୍କଡ଼ର ଦଶ ପାଳିଲେ ଗାଁ ଲୋକେ । ଭୋଜି ଭାତ ସହ ସହ ଦେଲେ ବିଦାୟ । ଏଭିଳି ଏକ ଘଟଣା ବାଲେଶ୍ବର ଜିଲ୍ଲାରେ ଦେଖିବାକୁ ମିଳିଛି ।

ସୌ(ସୋସିଆଲ ମିଡିଆ)

Odisha News: ସାଧାରଣତଃ ମଣିଷ ମରିବା ପରେ ପରିବାର, ବନ୍ଧୁ ଓ ପରିଜନ ଦଶ କ୍ରିୟା କରିଥାଆନ୍ତି । କିନ୍ତୁ ନିକଟରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି ଏଠାରେ ମାଙ୍କଡ଼ର ମୃତ୍ୟୁ ପରେ ଏକାଦଶାହ ପାଳିଛନ୍ତି ଗାଁ ଲୋକେ । ଭୋଜିଭାତ ସହ ମାଙ୍କଡ଼କୁ ଅନ୍ତିମ ବିଦାୟ ଦେଇଥିଲେ ଗାଁ ଲୋକେ । ଝାଞ୍ଜ, ମୃଦଙ୍ଗ ବଜାଇ ମାଙ୍କଡ଼ର ବେକରେ ଫୁଲମାଳ ପକାଇ ନିଆଯାଇଥିଲା ଶ୍ମଶାନ । ମଣିଷ ହୋଇନଥିଲେ ମଧ୍ଯ ମଣିଷଙ୍କ ଅନ୍ତିମ ଯାତ୍ରା ପରି ମୃତଦେହ ବୋହନେଇଥିଲେ ଗ୍ରାମବାସୀ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲାରେ ।

ସୂଚନା ଅନୁସାରେ, ବାଲେଶ୍ବର ଜିଲ୍ଲା ରେମୁଣା ବ୍ଲକ ଅନ୍ତର୍ଗତ ଜାଗୁଳି ଗାଁରେ ଗତ ୧୩ ତାରିଖ ଦିନ ଏକ ଟ୍ରାନ୍ସଫର୍ମର ଉପରକୁ ମାଙ୍କଡ଼ଟି ଚଢିଯାଇଥିଲା । ଫଳରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ତାର ମୃତ୍ୟୁ ହୋଇଥିଲା । ଗାଁରେ ମୃତ ମାଙ୍କଡ଼ିଟି ସମସ୍ତର ପ୍ରିୟ ଥିଲା । ଗାଁ ଲୋକଙ୍କ ସହ ବସିବା ସହ ସେମାନଙ୍କ ହାତରୁ ଖାଦ୍ୟ ମଧ୍ଯ ଖାଉଥିଲା । ତେବେ ମାଙ୍କଡ଼ର ମୃତ୍ୟୁରେ ଭାଙ୍ଗି ପଡ଼ିଥିଲେ ଗ୍ରାମବାସୀ । ଗାଁ ଲୋକଙ୍କ କହିବା ଅନୁଯାୟୀ, ମାଙ୍କଡ଼ଟି କିଛି ବର୍ଷ ହେବ ଗାଁରେ ରହିଆସୁଥିଲା । ଲୋକଙ୍କ ସହ ଭଲରେ ମିଶିବା ସହ ସେମାନେ ଯାହା ଦେଉଥିଲେ ତାହା ଖାଇ ସେ ବଞ୍ଚୁଥିଲା । କେବେହେଲେ ସେ କାହାକୁ କ୍ଷତି ପହଞ୍ଚାଇ ନଥିଲା । ତେବେ ଦୁର୍ଭାଗ୍ୟବଶତଃ ମାଙ୍କଡ଼ଟି ବିଦ୍ୟୁତ୍ ଆଘାତରେ ପ୍ରାଣ ହରାଇଥିଲା। ମାଙ୍କଡ଼ ପ୍ରତି ଲୋକଙ୍କ ଆଦର ଓ ଭଲ ପାଇବା ଥିବାରୁ ତାହାର ମୃତ୍ୟୁରେ ଭାଙ୍ଗି ପଡ଼ିଥିଲେ ଗ୍ରାମବାସୀ । ମାଙ୍କଡ଼ଟିର ସ୍ମୃତି ଉଦ୍ଦେଶ୍ୟରେ ଗାଁ ଲୋକେ ପାଳନ କରିଥିଲେ ଶୁଦ୍ଧିକ୍ରିୟା । ହିନ୍ଦୁ ରୀତିନୀତି ଅନୁୟାୟୀ, ସ୍ଥାନୀୟ ଲୋକେ ବାଜା ବଜାଇ ମାଙ୍କଡ଼ର ଶବଯାତ୍ରା କରିଥିଲେ । ଏହି ସମୟରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । ପରେ ମାଟିରେ ମାଙ୍କଡ଼ର ମୃତଦେହକୁ ପୋତା ଯାଇଥିଲା । ୧୦ମ ଓ ୧୧ତମ ଦିନରେ ଗାଁ ଲୋକେ ଏକାଠି ହୋଇ ଭୋଜିଭାତର ଆୟୋଜନ କରିଥିଲେ । ଗାଁ ଲୋକେ କହିଥିଲେ ଯେ ମାଙ୍କଡ଼କୁ ମନେ ପକାଇବା ପାଇଁ ଆମେ ଆଜି ଏଠାରେ ଏକାଠି ହୋଇଛୁ। ମାଙ୍କଡ଼ର ମୃତ୍ୟରେ ସମସ୍ତେ ବହୁତ ଦୁଃଖୀ ଅଛନ୍ତି କାରଣ ଏହା ବହୁତ ଯନ୍ତ୍ରଣାଦାୟକ ମୃତ୍ୟୁ ଥିଲା।

ଘରର କୌଣସି ସଦସ୍ୟଙ୍କ ମୃତ୍ୟୁ ହେଲେ ଯେପରି ଦଶ ପାଳନ କରାଯାଇଥାଏ ସେହିପରି ଗାଁର କିଛି ଲୋକ ମଧ୍ଯ ସାକାନ୍ନ ପାଳିଥିଲେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଗାଁର ପ୍ରାୟ ୧୫ ଜଣ ଲୋକେ ଲଣ୍ତା ମଧ୍ଯ ହୋଇଥିଲେ । ଖାଲି ଏତିକି ନୁହେଁ ମାଙ୍କଡ଼ର ଏକାଦାଶାହ ପାଇଁ ନିମନ୍ତ୍ରଣପତ୍ର ମଧ୍ଯ ଛପା ଯାଇଥିଲା । ଏକାଦାଶାହ ଦିନ ପୂରା ପଞ୍ଚାୟତର ଲୋକେ ପ୍ରସାଦ ସେବନ କରି ମାଙ୍କଡ଼ ଆତ୍ମାର ସଦଗତି କାମନା କରିଥିଲେ । ମାଙ୍କଡ଼ର ସ୍ମୃତି ଉଦ୍ଦେଶ୍ୟରେ ନାମ ସଂକୀର୍ତକ କରାଯାଇଥିଲା । ତେବେ ପଶୁଟିର ମୃତ୍ୟୁରେ ଏପରି ଏକ ଭାବପୂର୍ଣ୍ଣ ବିଦାୟ ଦେଇଥିଲେ ଗ୍ରାମବାସୀ । ତେବେ ଏହି ଚିତ୍ର ଦେଖିଲେ ସମାଜରେ ଆଜି ବି ମଣିଷପଣିଆ ବଞ୍ଚିରହିଥିବା ଉଦାହରଣ ଦେଖିବାକୁ ମିଳିଛି ।

ଏହାମଧ୍ଯ ପଢନ୍ତୁ-Encounter: ଗର୍ଜିଲା କମିଶନରେଟ ପୋଲିସ ବନ୍ଧୁକ ,ରାଜଧାନୀରେ କୁଖ୍ୟାତ ଅପରାଧୀ ଜିତେନ୍ଦ୍ର ପଲେଇକୁ ଏନକାଉଣ୍ଟର