ବିକାଶର ଖୋଳପା ଭିତରେ ବଢୁଛି ବେକାରୀ ସଂଖ୍ୟା
Advertisement
Article Detail0/zeeodisha/odisha1298523

ବିକାଶର ଖୋଳପା ଭିତରେ ବଢୁଛି ବେକାରୀ ସଂଖ୍ୟା

ପାରାଦୀପର ସ୍ବତନ୍ତ୍ର କର୍ମ ନିୟୋଜନ କାର୍ଯ୍ୟାଳୟ କେବଳ ନାମକୁମାତ୍ର ହେଉଛି ନିଯୁକ୍ତି ମେଳା,  ଓଆରଭି (ଓଡ଼ିଶା ରିଜର୍ଭେସନ୍ ଭ୍ୟାକେନ୍ସି ) ଆଇନ ୧୯୫୯ ଅନୁଯାୟୀ ପ୍ରତ୍ୟେକ ଶିଳ୍ପ ସଂସ୍ଥା ଓ ସରକାରୀ ଉଦ୍ୟୋଗ ତାଙ୍କର ନିଯୁକ୍ତି ବେଳେ ନିୟୋଜନ କାର୍ଯ୍ୟାଳୟକୁ ଆବେଦନ କରିବା କଥା । ନିଯୁକ୍ତି କ୍ଷେତ୍ରରେ ୧ମରୁ ୪ର୍ଥ ଶ୍ରେଣୀ କର୍ମଚାରୀ ନିୟୋଜନ ପାଇଁ ପ୍ରତିଶତ ଧାର୍ଯ୍ୟ କରାଯାଇଛି ।

ବିକାଶର ଖୋଳପା ଭିତରେ ବଢୁଛି ବେକାରୀ ସଂଖ୍ୟା

ପାରାଦୀପ: ବିକାଶର ଖୋଳପା ଭିତରେ ବଢୁଛି ବେକାରୀ ସଂଖ୍ୟା। ଏ ହେଉଛି ପାରାଦୀପର ଯୁବବର୍ଗଙ୍କ ଚିତ୍ର। ବନ୍ଦର ସହର ପାରାଦୀପରେ ଗଢିଉଠିଛି ଅନେକ ଛୋଟବଡ଼ ଶିଳ୍ପାନୁଷ୍ଠାନ। ରାତି ପାହିଲେ ଚାକିରି ଅନ୍ୱେଷଣରେ ଅନେକ ଯୁବକଯୁବତୀ ପାରାଦୀପରେ ପାଦ ରଖନ୍ତି। ଛୋଟଛୋଟ ଶିଳ୍ପାନୁଷ୍ଠାନକୁ ବାଦ୍ ଦେଲେ ଜଗତ୍‌ସିଂହପୁର ଜିଲାର ୧୫ଟି ବୃହତ୍ ଶିଳ୍ପ ପାରାଦୀପ ସହରରେ ରହିଛି। ଏହା ବ୍ୟତୀତ ଶତାଧିକ କ୍ଷୁଦ୍ରଶିଳ୍ପ , ଠିକା ସଂସ୍ଥା , ପାରାଦୀପ ବନ୍ଦର , ଭାରତୀୟ ତୈଳ ନିଗମର ତୈଳ ବିଶୋଧନାଗାର ଆଦି ରହିଛି । କିନ୍ତୁ ନିଯୁକ୍ତି ସୁଯୋଗ ଗତ ୫ବର୍ଷ ମଧ୍ୟରେ ପାରାଦୀପରେ  ଆଦୌ ନାହିଁ ବୋଲି ସରକାରୀ ଭାବେ ଜଣାପଡିଛି, ପାରାଦୀପରେ ରହିଛି ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର କର୍ମ ନିୟୋଜନ କାର୍ଯ୍ୟାଳୟ।

ଏହି ସରକାରୀ କାର୍ଯ୍ୟାଳୟ ସୀମା ମଧ୍ୟରେ ପାରାଦୀପ ପୌରାଞ୍ଚଳ ସମେତ କୁଜଙ୍ଗ,ଏରସମା ଓ ତିର୍ତ୍ତୋଲ ବ୍ଲକ ରହିଛି । ଏହିସବୁ ଅଞ୍ଚଳର ବେକାର ଯୁବତୀ ଯୁବକମାନେ ନିଯୁକ୍ତି ନିମନ୍ତେ ନିୟୋଜନ କାର୍ଯ୍ୟାଳୟରେ ନାମ ପଞ୍ଜୀକରଣ କରିଥାନ୍ତି । ଉକ୍ତ କାର୍ଯ୍ୟାଳୟର ରିପୋର୍ଟ ଅନୁସାରେ ଗତ ୫ ବର୍ଷରେ ଏଠାରେ ୪ହଜାର ୫୮୧ ଜଣ ନାମ ପଞ୍ଜୀକରଣ କରିଛନ୍ତି । ୨୦୧୭ରେ ୧ହଜାର ୫୮୩ , ୨୦୧୮ରେ ୧ହଜାର ୨୧୮ , ୨୦୧୯ରେ ୯୯୫ , ୨୦୨୦ରେ ୩୦୭ , ୨୦୨୧ରେ ୩୫୪ ଓ ୨୦୨୨ ଜୁଲାଇ ସୁଧା ସୁଦ୍ଧା ୧୩୧ ଜଣ ନାମ ପଞ୍ଜିକରଣ କରିଥିବା ଜଣାପଡିଛି। 

ତେବେ ପାରାଦୀପର ସ୍ବତନ୍ତ୍ର କର୍ମ ନିୟୋଜନ କାର୍ଯ୍ୟାଳୟ କେବଳ ନାମକୁମାତ୍ର ହେଉଛି ନିଯୁକ୍ତି ମେଳା,  ଓଆରଭି (ଓଡ଼ିଶା ରିଜର୍ଭେସନ୍ ଭ୍ୟାକେନ୍ସି ) ଆଇନ ୧୯୫୯ ଅନୁଯାୟୀ ପ୍ରତ୍ୟେକ ଶିଳ୍ପ ସଂସ୍ଥା ଓ ସରକାରୀ ଉଦ୍ୟୋଗ ତାଙ୍କର ନିଯୁକ୍ତି ବେଳେ ନିୟୋଜନ କାର୍ଯ୍ୟାଳୟକୁ ଆବେଦନ କରିବା କଥା । ନିଯୁକ୍ତି କ୍ଷେତ୍ରରେ ୧ମରୁ ୪ର୍ଥ ଶ୍ରେଣୀ କର୍ମଚାରୀ ନିୟୋଜନ ପାଇଁ ପ୍ରତିଶତ ଧାର୍ଯ୍ୟ କରାଯାଇଛି ।

ଯେମିତି ତୃତୀୟ , ଚତୁର୍ଥ ଶ୍ରେଣୀ କର୍ମଚାରୀ କ୍ଷେତ୍ରରେ ୯୦ ପ୍ରତିଶତ , ପ୍ରଥମ ଏବଂ ଦ୍ଵିତୀୟ ଶ୍ରେଣୀ ପଦବୀ ପାଇଁ ସେମିତି ନିୟମ ରହିଛି। କିନ୍ତୁ ଉକ୍ତ ନିୟମ କେବେ କାର୍ଯ୍ୟକାରୀ ହେବାର ଦୃଷ୍ଟାନ୍ତ ନାହିଁ ବୋଲି ଅଭିଯୋଗ ହୁଏ । ଏତଦ୍‌ବ୍ୟତୀତ କେଉଁ ଶିଳ୍ପ ସଂସ୍ଥାର କେତେ କର୍ମଚାରୀ ଅଛନ୍ତି, ତା’ର ସବିଶେଷ ବିବରଣୀ ପ୍ରତିବର୍ଷ ଉକ୍ତ ବିଭାଗ ପାଖରେ ସୂଚନା ଦେବା କଥା । ତା’ମଧ୍ଯ ହେଉ ନ ଥିବା ଜଣାପଡ଼ିଛି, ପାରାଦୀପର ଯେତେବେଳେ କେଉଁଠି ନିଯୁକ୍ତି ସୁଯୋଗ ସୃଷ୍ଟି ହୁଏ , ସେତେବେଳେ କେଉଁ ରାଜନେତା ହେଉ କିମ୍ବା ଶ୍ରମିକ ନେତା ଅଥବା ଯେଉଁ ନେତାଙ୍କ ପତିଆରା ଅଧିକ ଥିବ ତାଙ୍କ ପିଲା ନିଯୁକ୍ତି କ୍ଷେତ୍ରରେ ଅଧିକ ସୁଯୋଗ ପାଇଥା'ନ୍ତି ।

ଏହାର ସୁଯୋଗ ନେଇ କେତେଜଣ ନେତାଙ୍କ ଅନୁଗତମାନେ ଚାକିରି ନାମରେ ଅର୍ଥ ଆଦାୟ କରୁଛନ୍ତି । ଏହା ସତ୍ତ୍ଵେ ନିୟୋଜନ କାର୍ଯ୍ୟାଳୟ ପକ୍ଷରୁ ସେପରି କୌଣସି ପଦକ୍ଷେପ ନିଆଯାଉ ନାହିଁ। ଯାହା ଫଳରେ ସ୍ଥାନୀୟ ବେକାର ଯୁବକଯୁବତୀ ମାନେ ନିଯୁକ୍ତି ପାଇଁ ଦୌଡ଼ୁଛନ୍ତି ହେଲେ ନିଯୁକ୍ତି ମିଳି ପାରୁନି। ଅପରପକ୍ଷେ ପ୍ରଶାସନ ବେଳେବେଳେ କିଛି ସ୍ଥାନରେ ନିଯୁକ୍ତି ମେଳା କରୁଛନ୍ତି । ଏହାବାଦ୍ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ମଧ୍ୟ ହେଉଛି । ସେସବୁ କେବଳ ନାମକୁମାତ୍ର। 

ଅଧିକ ପଢନ୍ତୁ: କୋରୋନାରେ ଗୁରୁତର ହୋଇପଡ଼ିଥିଲେ କିମ ଜୋନ ଉଙ୍ଗ, ପାଇଛନ୍ତି ନୂଆ ଜୀବନ

ଅଧିକ ପଢନ୍ତୁ: ଶୀଘ୍ର ଏକାଠି ନଜର ଆସିବେ ପିଏମ ମୋଦି-ପାକ୍ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ