#INDvsAUS : କେବଳ ଟି-୨୦ ନୁହେଁ, ଟେଷ୍ଟ ସିରିଜ୍ ବି ଜିତିବ ଟିମ୍ ଇଣ୍ଡିଆ !
ଏବେ ଟେଷ୍ଟରେ ମଧ୍ୟ ଭାରତ ଏହି ଫର୍ମକୁ ଦୋହରାଇ ବିଜୟ ହାସଲ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ଚାଲନ୍ତୁ ନଜର ପକାଇବା ଭାରତ ସପକ୍ଷରେ କ`ଣ କ`ଣ ରହିଛି।
ସୁନନ୍ଦନ ମିଶ୍ର, ନୂଆଦିଲ୍ଲୀ: ସିଡନୀରେ ଦ୍ୱିତୀୟ ଟି-୨୦ରେ ଦମଦାର୍ ବିଜୟ ସହ ଟିମ୍ ଇଣ୍ଡିଆ ଟି-୨୦ ସିରିଜକୁ କବଜା କରିଛି। ଟି-୨୦ରେ ଦିନିକିଆ ପରାଜୟର ପ୍ରତିଶୋଧ ନେଇଛି ବିରାଟ ବାହିନୀ। ରବିବାର ଦ୍ୱିତୀୟ ଟି-୨୦ରେ ୬ ୱିକେଟରେ କଙ୍ଗାରୁ ଦଳକୁ ଟିମ ଇଣ୍ଡିଆ ପରାସ୍ତ କରିଛି। ତେବେ କେବଳ ଟି-୨୦ ନୁହେଁ ଆଗକୁ ହେବାକୁ ଥିବା ଟେଷ୍ଟ ସିରିଜ୍ ମଧ୍ୟ ଟିମ୍ ଇଣ୍ଡିଆ ବିଜୟୀ ହେବାର ଆଭାସ ମିଳି ସାରିଛି ।
ଦିନିକିଆ ସିରିଜ (ODI series)ରେ ଭାରତ (Team India) ର ପ୍ରଦର୍ଶନ ବ୍ୟାଟିଂରେ ଭଲ ରହିଥିବାବେଳେ ବୋଲର ନିରାଶ କରିଥିଲେ। ଫଳରେ ଭାରତ ହାତରୁ ଦିନିକିଆରେ ସିରିଜ ଖସି ଯାଇଥିଲା। କିନ୍ତୁ ପ୍ରଥମ ଟି-୨୦ (T20) ରେ ଭାରତୀୟ ବୋଲରମାନେ ଚମତ୍କାର ପ୍ରଦର୍ଶନ କରିଥିବାବେଳେ, ଦ୍ୱିତୀୟ ଟି-୨୦ରେ ବ୍ୟାଟ୍ସମାନେ ଦମଦାର ବ୍ୟାଟିଂ କରି ଭାରତର ବିଜୟ ଗାଥା ଲେଖିଥିଲେ। ଏବେ ଟେଷ୍ଟରେ ମଧ୍ୟ ଭାରତ ଏହି ଫର୍ମକୁ ଦୋହରାଇ ବିଜୟ ହାସଲ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ଚାଲନ୍ତୁ ନଜର ପକାଇବା ଭାରତ ସପକ୍ଷରେ କ'ଣ କ'ଣ ରହିଛି।
Also Read: ମ୍ୟାଚ୍ ଭିତରେ କାହିଁକି ଅଦାନୀକୁ ବିରୋଧ ?
ଫର୍ମରେ ବୋଲର୍ ଓ ବ୍ୟାଟ୍ସମ୍ୟାନ୍ -
ଭାରତୀୟ ବୋଲର୍ ଧୀରେ ଧୀରେ ଫର୍ମକୁ ଫେରୁଛନ୍ତି। ଟି. ନଟରାଜନ୍ (T Natrajan) ଓ ୱାଶିଂଟନଙ୍କ ଭଳି ଯୁବ ବୋଲର ବେଶ୍ ପ୍ରଭାବିତ କରିଛନ୍ତି । ପ୍ରଥମ ଟି-୨୦ରେ ୟୁଯୁବେନ୍ଦ୍ର ଚହଲ ଚମତ୍କାର ପ୍ରଦର୍ଶନ କରି ମ୍ୟାଚ୍ ବିଜୟୀ ବୋଲିଂ କରିଥିଲେ। ମହମ୍ମଦ ସାମି ଦ୍ୱିତୀୟ ଟି-୨୦ରେ ବିଶ୍ରାମ ନେଇଛନ୍ତି। ଯଶପ୍ରୀତ୍ ବୁମରା ମଧ୍ୟ ଟି-୨୦ ସିରିଜରେ ପଡ଼ିଆକୁ ଓହ୍ଲାଇ ନାହାନ୍ତି। ଏଣୁ ଟିମ୍ ଇଣ୍ଡିଆର ଏହି ଦୁଇ ଷ୍ଟ୍ରାଇକ୍ ବୋଲରଙ୍କୁ ପର୍ଯ୍ୟାପ୍ତ ବିଶ୍ରାମ ମିଳିସାରିଛି। ସେମାନେ ଅଷ୍ଟ୍ରେଲିଆ (Australia) ପିଚ୍ ସହ ଅଭ୍ୟସ୍ତ ବି ହୋଇସାରିଛନ୍ତି। ଏଣୁ ଟେଷ୍ଟ (Test cricket) ରେ ସେମାନଙ୍କ ଠାରୁ ଭଲ ବୋଲିଂର ଆଶା କରାଯାଇପାରେ। କେ.ଏଲ୍. ରାହୁଲ୍, ଶିଖର ଧୱନ୍, ବିରାଟ କୋହଲି (Virart Kohli), ହାର୍ଦ୍ଦିକ ପାଣ୍ଡ୍ୟା ଏବେ ଶାନଦାର୍ ଫର୍ମରେ ଅଛନ୍ତି। ଯାହାର ଫାଇଦା ଟେଷ୍ଟ ସିରିଜରେ ମଧ୍ୟ ଟିମ୍ ଇଣ୍ଡିଆକୁ ମିଳିବ।
କଟ୍ ଓ ପୁଲ୍ ଭଲ ଖେଳୁଛନ୍ତି ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ୍ -
ଅଷ୍ଟ୍ରେଲିଆରେ ସେ ବ୍ୟାଟ୍ସମ୍ୟାନ୍ ଭଲ ପ୍ରଦର୍ଶନ କରେ, ଯିଏ ସର୍ଟ ଅଫ୍ ଲେନ୍ଥ ବଲରେ ଭଳ କଟ୍ ଓ ପୁଲ୍ ମାରିବାକୁ ସକ୍ଷମ। ଏବେ ଭାରତ ପାଇଁ ଖେଳୁଥିବା ଅଧିକାଂଶ ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ୍ (Batsman) କଟ୍ ଓ ପୁଲ୍ ମାରିବାରେ ମାହିର୍। ଉଭୟ ଦିନିକିଆ ଓ ଟେଷ୍ଟ ସିରିଜରେ ଆମେ ଦେଖିଲେ କି ଟିମ୍ ଇଣ୍ଡିଆର ବ୍ୟାଟ୍ସମ୍ୟାନ୍ ଭଲ ଭାବେ ଅଷ୍ଟ୍ରେଲିଆ ୱିକେଟରେ କଟ୍ ଓ ପୁଲ୍ ମାରି ପାରୁଛନ୍ତି। ଯାହା ଟେଷ୍ଟ ସିରିଜରେ ଭାରତକୁ ଫାଇଦା ଦେବ।
Also Read: #INDvsAUS: ଧୋକାବାଜି କରି ଜିତିଛି ଅଷ୍ଟ୍ରେଲିଆ !
ଫର୍ମରେ କୋହଲି, ପାଣ୍ଡ୍ୟା ଓ ଧୱନ୍ -
ବିରାଟ କୋହଲି ଫର୍ମକୁ ଫେରିବା ଟିମ୍ ଇଣ୍ଡିଆ ପାଇଁ ସବୁଠୁ ଆଶ୍ୱସ୍ତିର ବିଷୟ। ଯଦିଓ କୋହଲି କେବଳ ପ୍ରଥମ ଟେଷ୍ଟ ଖେଳିବା ପରେ ଭାରତ ଫେରିଆସିବେ। ତଥାପି ବି ପ୍ରଥମ ଟେଷ୍ଟରେ ତାଙ୍କ ପ୍ରଦର୍ଶନ ଭାରତ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ। ଶିଖର ଧୱନ୍ ବି ଫର୍ମରେ ଅଛନ୍ତି ଓ ହାର୍ଦ୍ଦିକ ପାଣ୍ଡ୍ୟା ଏବେ ତାଙ୍କ କ୍ୟାରିଅରର ସବୁଠୁ ଭଲ ସମୟ ଦେଇ ଗତି କରୁଛନ୍ତି। ଏଣୁ ଏମାନଙ୍କ ଫର୍ମକୁ ଆସିବା ଟେଷ୍ଟ ସିରିଜରେ ଭାରତର ବିଜୟ ଗାଥା ଲେଖିବାରେ ବେଶ୍ ସହାୟକ ହୋଇପାରେ।
ଅଷ୍ଟ୍ରେଲିଆ ପାଣିପାଗ ଓ ୱିକେଟ୍ ସହ ଅଭ୍ୟସ୍ତ -
ଭାରତୀୟ ଟିମ୍ ଅଧିକାଂଶ ଖେଳାଳି ଦୁବାଇ ଓ ସାରଜାରେ IPL ଖେଳିବା ପରେ ଅଷ୍ଟ୍ରେଲିଆ ଗସ୍ତରେ ଆସିଛନ୍ତି। ଦୁବାଇର ଲୋ ଏଣ୍ଡ ସ୍ଲୋ ୱିକେଟ ସହ ଅଭ୍ୟସ୍ତ ଏହି ଖେଳାଳିଙ୍କୁ ଦିନିକିଆରେ ଅଷ୍ଟ୍ରେଲିଆ ପିଚକୁ ବୁଝିବାକୁ ନାକେଦମ୍ ହେବାକୁ ପଡ଼ିଥିଲା। କିନ୍ତୁ ସମୟ ବିତିବା ସହ ଏହି ଖେଳାଳିମାନେ ଏବେ ଅଷ୍ଟ୍ରେଲିଆ ୱିକେଟ୍ ସହ ବେଶ୍ ପରିଚିତ ହୋଇ ସାରିଲେଣି। ଏହାର ଫାଇଦା ଭାରତକୁ ଟେଷ୍ଟ ସିରିଜରେ ମିଳିବ।
Also Read: #INDvsAUS: ବଞ୍ଚିଲା ସମ୍ମାନ, ୧୩ ରନରେ ଜିତିଲା ଭାରତ
ପୂର୍ବ ରେକର୍ଡ ଭାରତ ସପକ୍ଷରେ -
ଅଷ୍ଟ୍ରେଲିଆର ଡାଉନ୍ ଅଣ୍ଡର (down order) ରେ ଭାରତର ପୂର୍ବ ପ୍ରଦର୍ଶନ ସେତେ କିଛି ଖାସ୍ ରହୁ ନଥିଲା। କିନ୍ତୁ ୨୦୦୭-୦୮ ପରଠାରୁ ଭାରତ ଅଷ୍ଟ୍ରେଲିଆରେ ଜିତିବା ଆରମ୍ଭ କରିଛି। ୨୦୧୮-୧୯ରେ ଶେଷ ଥର ପାଇଁ ଭାରତ ଅଷ୍ଟ୍ରେଲିଆ ଗସ୍ତରେ ଯାଇଥିଲା। ସେଠାରେ ଟି-୨୦ ସିରିଜ୍ ଡ୍ର କରିବା ସହ ଉଭୟ ଦିନିକିଆ ଓ ଟେଷ୍ଟ ସିରିଜରେ ବିଜୟ ହାସଲ କରିଥିଲା। ଚଳିତ ଗସ୍ତରେ ଦଳ ଦିନିକିଆରେ ପରାଜିତ ହୋଇଛି କିନ୍ତୁ ଟି-୨୦ ସିରିଜ୍ ନିଜ ନାଁରେ କରିଛି। ଏଣୁ ପୂର୍ବ ରେକର୍ଡକୁ ଦେଖି ଭାରତୀୟ ଖେଳାଳିଙ୍କ ମନୋବଳ ଏବେ ଦୃଢ଼ ନିଶ୍ଚୟ ହୋଇଥିବ।
ଅଷ୍ଟ୍ରେଲିଆ ପାଇଁ ଆହତ ସମସ୍ୟା -
ଦିନିକିଆ ଓ ଟି-୨୦ ସିରିଜରେ ଏକାଧିକ ଅଷ୍ଟ୍ରେଲିଆ ଖେଳାଳି ଆହତ ହୋଇଛନ୍ତି। ଡେଭିଡ୍ ୱାର୍ଣ୍ଣର୍ (David Warner) ବ୍ୟକ୍ତିଗତ ସମସ୍ୟା ପାଇଁ ଟି-୨୦ ସିରିଜ୍ ଖେଳି ନାହାନ୍ତି। ସେପଟେ ଆରୋନ୍ ପିଞ୍ଚ୍, ଜୋସ୍ ହାଜେଲଉଡଙ୍କ ଭଳି ଖେଳାଳି ମଧ୍ୟ ଆହତ ସମସ୍ୟା ମଧ୍ୟରେ ଗତି କରୁଛନ୍ତି। ଦଳର ମୁଖ୍ୟ ଷ୍ଟ୍ରାଇକ୍ ବୋଲର୍ ମିଚେର୍ ଷ୍ଟାର୍କ ନିଜର ବ୍ୟକ୍ତିଗତ କାରଣ ପାଇଁ ଟିମ୍ ସହ ଏବେ ନାହାନ୍ତି। ଟେଷ୍ଟ ସିରିଜ୍ ଖେଳିବେ କି ନାହିଁ କିଛି ସ୍ପଷ୍ଟ ଚିତ୍ର ନାହିଁ। ଆଉ ଏସବୁ ଫ୍ୟାକ୍ଟରକୁ ଦେଖିଲେ ଭାରତର ବିଜୟ ସମ୍ଭାବନା ଅଧିକ ରହିଥିବା କଥାକୁ ଏଡ଼ାଇ ଦିଆଯାଇ ନପାରେ।