କୋରୋନା ରୋଗୀଙ୍କ ଚିକିତ୍ସା ପାଇଁ ପ୍ରସ୍ତୁତ ହୋଇଥିବା ହୋଟେଲରେ ଅଗ୍ନିକାଣ୍ଡ, ୭ ଆକ୍ରାନ୍ତଙ୍କ ମୃତ୍ୟୁ
Advertisement
Article Detail0/zeeodisha/odisha725580

କୋରୋନା ରୋଗୀଙ୍କ ଚିକିତ୍ସା ପାଇଁ ପ୍ରସ୍ତୁତ ହୋଇଥିବା ହୋଟେଲରେ ଅଗ୍ନିକାଣ୍ଡ, ୭ ଆକ୍ରାନ୍ତଙ୍କ ମୃତ୍ୟୁ

ଘଟଣା ସମ୍ପର୍କରେ ସବିଶେଷ ରିପୋର୍ଟ ମାଗିଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ୱାଇଏସ ଜଗମୋହନ ରେଡ୍ଡୀ । 

ଫଟୋ ସୌଜନ୍ୟ: ଏଏନଆଇ

ଅମରାବତୀ: ଆନ୍ଧ୍ରପ୍ରଦେଶ ବିଜୟୱାଡ଼ାର ଏକ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ୭ କୋରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । ସେହିପରି ୨୦ରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଯାହା ଜଣାପଡ଼ିଛି, କୋରୋନା ରୋଗୀଙ୍କ ଚିକିତ୍ସା ପାଇଁ ଏହି ହୋଟେଲକୁ କୋଭିଡ କେୟାର ସେଣ୍ଟର ଭାବେ ପ୍ରସ୍ତୁତ କରାଯାଇଥିଲା । ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଘଟଣା ସମ୍ପର୍କରେ ସବିଶେଷ ରିପୋର୍ଟ ମାଗିଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ୱାଇଏସ ଜଗମୋହନ ରେଡ୍ଡୀ । 

କୁହାଯାଉଛି, ଆଜି(ରରିବାର) ସକାଳୁ ଏହି ଅଗ୍ନିକାଣ୍ଡ ହୋଇଥିଲା ।  କୋଭିଡ କେୟାର ସେଣ୍ଟର ଭାବେ ପ୍ରସ୍ତୁତ ହୋଇଥିବା ଏହି ହୋଟେଲରେ ୩୦ କୋରୋନା ଆକ୍ରାନ୍ତ ଚିକିତ୍ସିତ ହୋଇଥିଲେ । ତେବେ କୌଣସି କାରଣରୁ ହୋଟେଲର ଏକ ରୁମରେ ନିଆଁ ଲାଗିଯାଇଥିଲା । ଆଉ ଏହା କ୍ଷଣକ ମଧ୍ୟରେ ବ୍ୟାପି ଯାଇଥିଲା । ଅଗ୍ନିକାଣ୍ଡ ସମୟରେ ସ୍ଥିତି ଏତେ ଭୟଙ୍କର ଥିଲା ଯେ, ସମସ୍ତ କୋରୋନା ଆକ୍ରାନ୍ତଙ୍କୁ ସେଠାରୁ ସୁରକ୍ଷିତ ଉଦ୍ଧାର କରିବା ସମ୍ଭବ ହୋଇନଥିଲା । 

ତେବେ ଅଗ୍ନିଶମ ବିଭାଗର କର୍ମଚାରୀ ବେଶ କିଛି ସମୟର ଉଦ୍ୟପ ପରେ ନିଆଁକୁ ଆୟତ୍ତ କରିଥିବା ଜଣାପଡ଼ିଛି । ସେହିପରି ଅନେକ କୋରୋନା ଆକ୍ରାନ୍ତଙ୍କୁ ଉଦ୍ଧାର ମଧ୍ୟ କରାଯାଇଛି । ୭ କୋରୋନା ରୋଗୀଙ୍କ ମୃତ୍ୟୁ ହୋଇଥିବା ଗୋଟିଏ ପ୍ରକାର ସ୍ପଷ୍ଟ ହୋଇଛି । ଅନ୍ୟ ଆହତ ରୋଗୀଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । 

ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, ଏହି ଅଗ୍ନିକାଣ୍ଡରେ ୧୫ରୁ ୨୦ ଜଣ ଆକ୍ରାନ୍ତ ଆହତ ମଧ୍ୟ ହୋଇଛନ୍ତି । ସମସ୍ତଙ୍କୁ ଚିକିତ୍ସା ପାଇଁ ଅନ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏମାନଙ୍କୁ ମଧ୍ୟରୁ ୨ରୁ ୩ ଜଣଙ୍କ ଅବସ୍ଥା ଗମ୍ଭୀର ରହିଛି । 

କହିରଖୁଛୁ, ଗତ ଅଗଷ୍ଟ ୬ ତାରିଖରେ ଅହମ୍ମଦାବାଦରେ ମଧ୍ୟ ଏପରି ଏକ ଘଟଣା ଦେଖିବାକୁ ମିଳିଥିଲା । କୋରୋନା ଆକ୍ରାନ୍ତ ଚିକିତ୍ସିତ ହେଉଥିବା ଏକ ଡାକ୍ତରଖାନାରେ ଅଗ୍ନିକାଣ୍ଡ ହୋଇଥିଲା । ଫଳରେ ୮ କୋରୋନା ରୋଗୀଙ୍କ ମୃତ୍ୟୁ ହୋଇଥିଲା । ଗୁଜୁରାଟ ପରେ ଏବେ ଆନ୍ଧ୍ରପ୍ରଦେଶରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଛି ।