ହିଂସାରେ ବିବ୍ରତ ରାଜସ୍ଥାନ : ଯୋଧପୁର ପରେ ଭିଲୱାଡ଼ାରେ ହିଂସା ଯୋଗୁଁ ଇଣ୍ଟରନେଟ ସେବା ବନ୍ଦ
Advertisement
Article Detail0/zeeodisha/odisha1175159

ହିଂସାରେ ବିବ୍ରତ ରାଜସ୍ଥାନ : ଯୋଧପୁର ପରେ ଭିଲୱାଡ଼ାରେ ହିଂସା ଯୋଗୁଁ ଇଣ୍ଟରନେଟ ସେବା ବନ୍ଦ

ରାଜସ୍ଥାନର ଭିଲଓ୍ବାଡା଼ରେ ସାମ୍ପ୍ରଦାୟିକ ହିଂସା ପରେ ବନ୍ଦ ରହିଛି ଇଣ୍ଟରନେଟ ସେବା। ସୁରକ୍ଷାବ୍ୟବସ୍ଥା ଗ୍ରହଣ ପୂର୍ବକ ବ୍ୟାପକ ପୋଲିସ ମୁତୟନ। ଗତକାଲି ରାତିରେ ଦୁଇ ଜଣ ସ୍ଥାନୀୟ ଯୁବକଙ୍କୁ ଆକ୍ରମଣ ପରେ ଗାଡି ପୋଡି ଦେଇଥିଲେ ଦୁର୍ବୃତ୍ତ।

ହିଂସାରେ ବିବ୍ରତ ରାଜସ୍ଥାନ : ଯୋଧପୁର ପରେ ଭିଲୱାଡ଼ାରେ  ହିଂସା ଯୋଗୁଁ ଇଣ୍ଟରନେଟ ସେବା ବନ୍ଦ

ଜୟପୁର: ରାଜସ୍ଥାନରେ ପ୍ରଶମିତ ହେଉନି  ସାମ୍ପ୍ରଦାୟିକ ହିଂସା (communal clash)। କରୌଲୀ ଓ ଯୋଧପୁର ପରେ ଗତକାଲି ଭିଲଓ୍ବାଡା (Bhilwara) ରେ ମଧ୍ୟ ଦେଖିବାକୁ ମିଳିଥିଲା  ସାମ୍ପ୍ରଦାୟିକ ହିଂସାକାଣ୍ଡ (Communal Clash)। ଦୁଇଜଣ ସ୍ଥାନୀୟ ଯୁବକଙ୍କୁ ଦୁର୍ବୃତ୍ତ ମାନେ ଆକ୍ରମଣ କରିବା ସହ ବାଇକ ଜାଳିଦେବା ପରେ ସ୍ଥାନୀୟ ଅଞ୍ଚଳରେ ଦେଖିବାକୁ ମିଳିଥିଲା ବ୍ୟାପକ ଉତ୍ତେଜନା । ତେବେ ଏହି ଘଟଣାକୁ ଗମ୍ଭୀରତାର ସହ ନେଇଛି ରାଜସ୍ଥାନ ପୋଲିସ । ଘଟଣାର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ଶୁକ୍ରବାର ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବାକୁ ସ୍ଥଗିତ ରଖାଯାଇଛି । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ସ୍ଥାନୀୟ ଜିଲ୍ଲାପାଳ ଆଶିଷ ମୋଦି, ଜିଲ୍ଲା ପୋଲିସ ଅଧୀକ୍ଷକ ଆଦର୍ଶ ସିଦ୍ଧୁ ଗତକାଲି ମଧ୍ୟରାତ୍ରିରେ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ସ୍ଥିତି ସାମାନ୍ୟ ଶାନ୍ତ ପଡିଥିଲା । ଏସପି ଆଦର୍ଶ ସିଦ୍ଧୁ କହିଛନ୍ତି ପୋଲିସ ଟିମ ଘଟଣାର ତଦନ୍ତ ଆରମ୍ଭ କରିବା ସହ କିଛି ଲୋକଙ୍କୁ ମଧ୍ୟ ଅଟକ  ରଖିଛି। ଘଟଣାରେ ଯେ କେହି ବି ସମ୍ପୃକ୍ତ ଥିବ ତାକୁ ତୁରନ୍ତ ତାଙ୍କୁ ଗିରଫ କରାଯିବ ବୋଲି ଏସପି ସୂଚନା ଦେଇଛନ୍ତି ।

ତେବେ ଇଦ୍-ଉଲ୍-ଫିତର ଉତ୍ସବ ଅବସରରେ ରାଜସ୍ଥାନର ଯୋଧପୁରରେ ଏକ ସାମ୍ପ୍ରଦାୟିକ ହିଂସା ହେବାପରେ ପରେ ଭିଲୱାଡ଼ାରେ ମଧ୍ୟ ଗତ ବୁଧବାର ରାତିରେ ହିଂସା ସଂଗଠିତ ହୋଇଛି। ମିଳିଥିବା ରିପୋର୍ଟ ଅନୁଯାୟୀ, ଗତକାଲି ରାତିରେ ଭିଲୱାରାର ସାନଗାନେର (Sanganer)ଅଞ୍ଚଳରେ ଏହି ହିଂସା  ଘଟଣାର ସୂତ୍ରପାତ ହୋଇଥିଲା। ​​ଯେଉଁଥିରେ ଦୁଇଜଣ ବ୍ୟକ୍ତି ଖାଦ୍ୟ ଖାଉଥିବା ସମୟରେ କିଛି ଅଜ୍ଞାତ ବ୍ୟକ୍ତିଙ୍କ ସୋମାନଙ୍କ ଉପରେ ଆକ୍ରମଣ କରିଥିଲେ। ଏମିତିକି ସେମାନଙ୍କ ବାଇକ୍ ରେ  ମଧ୍ୟ ନିଆଁ ଲଗେଇଦେଇଥିଲେ। ଭିଲୱାଡ଼ା ଜିଲ୍ଲାପାଳ ଆଶିଷ ମୋଦୀ (Bhilwara Collector Ashish Modi) ଙ୍କ ଅନୁଯାୟୀ ଗତକାଲି ରାତିରେ ହିଁ ଏହି ମାମଲାର ତଦନ୍ତ ଆରମ୍ଭ କରାଯାଇଥିଲା। ସେ ଆହୁରି ମଧ୍ୟ କହିଛନ୍ତି, "ଆମେ ନିକଟସ୍ଥ ସିସିଟିଭି ଫୁଟେଜ୍ ମଧ୍ୟ ଯାଞ୍ଚ କରୁଛୁ। ଜଣେ ବ୍ୟକ୍ତି ସାମାନ୍ୟ ଆଘାତ ପାଇଥିବା ବେଳେ ଅନ୍ୟ ଜଣଙ୍କ ମୁଣ୍ଡରେ ଆଘାତ ଲାଗିଛି ଏବଂ ସ୍ଥିର ଅବସ୍ଥାରେ ଅଛି। ମୁଁ ଗୁଜବ ପ୍ରତି ଧ୍ୟାନ ନଦେବା ଏବଂ ଶାନ୍ତି ବଜାୟ ରଖିବା ପାଇଁ ଲୋକଙ୍କୁ ନିବେଦନ କରୁଛି। "

ଭିଲଓ୍ବାଡା ଜିଲ୍ଲାର ଉପକଣ୍ଠ ସାନଗାନେରରେ ଦୁଇ ଜଣ ସ୍ଥାନୀୟ ଯୁବକଙ୍କୁ ଏକାଧିକ ମୁଖାପିନ୍ଧା ଅଜଣା ଦୁର୍ବୃତ୍ତ ଆକ୍ରମଣ କରିବା ସହ ସେମାନଙ୍କ ଗାଡି ପୋଡି ଦେଇଥିବେବେଳେ ଉଭୟ ଆହତ ଯୁବକଙ୍କୁ ସ୍ଥାନୀୟ ମହାତ୍ମା ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣା ପ୍ରଘଟ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣକୁ ଆଣିଥିବାବେଳେ ତଦନ୍ତ ମଧ୍ୟ ଆରମ୍ଭ କରିଥିଲା। ଅନ୍ୟପଟେ କୌଣସି ଅପ୍ରୀତିକର ସ୍ଥିତି ଏଡାଇବା ପାଇଁ ଇଣ୍ଡରନେଟ ସେବାକୁ ମଧ୍ୟ ୨୪ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି। ସମଗ୍ର ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ଏବେ ବଢାଇ ଦିଆଯାଇଛି। ଏହି ସମୟରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତଙ୍କ ନିର୍ବାଚନମଣ୍ଡଳୀ ଯୋଧପୁରରେ ଇଦ୍ ପୂର୍ବରୁ ପତାକା ଉତ୍ତୋଳନକୁ ନେଇ ସାମ୍ପ୍ରଦାୟିକ ସଂଘର୍ଷ ଘଟଣାରେ ଏପର୍ଯ୍ୟନ୍ତ ୧୪୧ ଜଣଙ୍କୁ ଗିରଫ କରାଯାଇଛି। ପରିସ୍ଥିତି ନିୟନ୍ତ୍ରଣରେ ଥିବାବେଳେ ଆଉ କୌଣସି ନୂଆ ଘଟଣା ସୃଷ୍ଟି ହୋଇନାହିଁ ବୋଲି ପୋଲିସ କହିଛି। ଆଇନ ଶୃଙ୍ଖଳା ରକ୍ଷା ପାଇଁ ପାଖାପାଖି ୧ ହଜାର ପୋଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଯୋଧପୁର ଘଟଣାରେ ୧୨  ଏଫଆଇଆର ପଞ୍ଜୀକୃତ କରାଯାଇଛି। ଯେଉଁଥିରୁ ପୋଲିସ ଚାରିଟି ଏଫ୍ଆଇଆର୍ ପଞ୍ଜିକୃତ କରିଥିବାବେଳେ ଆଠଟି ଏଫ୍ଆଇଆର୍ ସାଧାରଣ ଲୋକଙ୍କ ଦ୍ୱାରା ଦାଖଲ କରାଯାଇଛି।