ଜନତାଙ୍କ ଲାଗି ବୋଝ ନୁହେଁ କୃଷି ସେସ, ଚାଷୀଙ୍କୁ ମିଳିବ ଫାଇଦା
ବଜେଟରେ କୃଷି ଉପରେ ଅଧିକ ଧ୍ୟାନ ଦିଆଯାଇଛି।
ନୂଆଦିଲ୍ଲୀ: କୋରୋନା ସଂକଟ ମଧ୍ୟରେ ୨୦୨୧-୨୨ ଆର୍ଥିକ ବର୍ଷ ଲାଗି ସଂସଦରେ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏଥର କୃଷି କ୍ଷେତ୍ରରେ ସେସ୍ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି। ଯାହାକୁ ନେଇ ଏବେ ଅନେକ ଚର୍ଚ୍ଚା ଆରମ୍ଭ ହୋଇଗଲାଣି।
ଗୋଟିଏ ପଟେ ନୂଆ କୃଷି ଆଇନକୁ ବିରୋଧ କରି ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସୀମାରେ ପ୍ରାୟ ୨ ମାସରୁ ଉର୍ଦ୍ଧ୍ୱ ସମୟ ଧରି ଆନ୍ଦୋଳନ କରୁଛନ୍ତି ବିଭିନ୍ନ କୃଷକ ସଙ୍ଗଠନ। ଅନ୍ୟପଟେ କୃଷକଙ୍କୁ ସମୃଦ୍ଧ ସଶକ୍ତ ସହିତ ସେମାନଙ୍କ ଆୟତକୁ ଦ୍ୱିଗୁଣିତ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି କେନ୍ଦ୍ର ସରକାର।
ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଅର୍ଥମନ୍ତ୍ରୀ କହିଛନ୍ତି ଏଥର କୃଷି କ୍ଷେତ୍ରରେ ସେସ୍ (Agriculture Cess) ବ୍ୟବସ୍ଥା ଲାଗୁ ହୋଇଛି। ଏହାର ପ୍ରଭାବ ଜନତାଙ୍କ ଉପରେ ପଡିବ ନାହିଁ। ଏହା ଦ୍ୱାରା ଲୋକଙ୍କ ଉପରେ କୌଣସି ଅତିରିକ୍ତ ବ୍ୟୟ ଭାର ପଡିବ ନାହିଁ। ବଜେଟରେ କୃଷି ଉପରେ ଅଧିକ ଧ୍ୟାନ ଦିଆଯାଇଛି। କୃଷକଙ୍କ ଆୟ ବୃଦ୍ଧି କରିବା ଉପରେ ଗୁରୁତ୍ୱ ଦିଆଯାଇଛି।
Also Read: Defence Budget 2021: ଲଗାତାର ଭାବେ ୭ମ ଥର ପାଇଁ ବଢିଲା ପ୍ରତିରକ୍ଷା ବ୍ୟୟ ଭାର
ଚଳିତ ୨୦୨୧-୨୨ ଆର୍ଥିକ ବର୍ଷରେ ଆଗତ ହୋଇଥିବା ବଜେଟରେ କୃଷକଙ୍କୁ ଖୁସି କରିବା ଲାଗି ପ୍ରୟାସ କରିଛନ୍ତି କେନ୍ଦ୍ର ସରକାର। ଏପରିକି ଦେଶର ଚାଷୀକୂଳକୁ ଖୁସି କରିବା ଲାଗି ଏଗ୍ରି ଫଣ୍ଡ (Agri Fund) ବାବଦରେ ଘୋଷଣା କରାଯାଇଛି। କୃଷି କ୍ଷେତ୍ରକୁ ମଜବୁତ କରିବା ଲାଗି କେତେକ ଦ୍ରବ୍ୟ ଉପରେ ଅତିରିକ୍ତ ସେସ୍ (Extra Cess) ଲଗାଯାଇଛି।
ଚଳିତ ବଜେଟରେ କୃଷକଙ୍କ ଲାଗି ଘୋଷଣା କରାଯାଇଥିବା ଏଗ୍ରି ଫଣ୍ଡ ଭରିବା ପାଇଁ ଅନେକ ଦ୍ରବ୍ୟ ଉପରେ ଏଗ୍ରି ସେସ୍ (Agri Cess) ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି। ଏହା ମାଧ୍ୟମରେ ପାଣ୍ଠି ଯୋଗାଡ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଯାହା ଦ୍ୱାରା ଅସୁବିଧା ସମୟରେ କୃଷକଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ।
ପେଟ୍ରୋଲ ଡିଜେଲ ଉପରେ ଭାରୀମାତ୍ରା ସେସ୍ ଲାଗୁ କରାଯାଇଛି। ଏନେଇ ସରକାରଙ୍କ ପକ୍ଷରୁ କୁହାଯାଇଛି ଏହା ସାଧାରଣ ଲୋକଙ୍କ ଉପରେ ପ୍ରଭାବ ପକାଇବ ନାହିଁ। ବିଶେଷଜ୍ଞ କହିଛନ୍ତି ଅଶୋଧିତ ତୈଳ ମୂଲ୍ୟ ହ୍ରାସ କାରଣରୁ ଏହାର ଫଇଦା ତୈଳ କମ୍ପାନୀକୁ ମିଳୁଛି। ସରକାର ସେଠାରୁ ପୁଞ୍ଜି ସଂଗ୍ରହ ଟଙ୍କା ବ୍ୟବସ୍ଥା କରୁଛନ୍ତି ହେଲେ ଏହା କେତେ ଦିନ ପର୍ଯ୍ୟନ୍ତ ଏହାର ଗ୍ରାହକଙ୍କ ଉପରେ ପଡିବ ନାହିଁ ତାହା ଦେଖିବାକୁ ବାକି ରହିଲା।
Also Read: Budget 2021: ଏଥର ୧୩୭ ପ୍ରତିଶତ ବଢିଲା ସ୍ୱାସ୍ଥ୍ୟ ବଜେଟ
ସେସ କ'ଣ?
ସେସ୍ ହେଉଛି ଏକ ଅତିରିକ୍ତ କର ବ୍ୟବସ୍ଥା। ଯାହା ସାଧାରଣ ନାଗରିକ ପଇଠ କରିଥାନ୍ତି। ଏହାକୁ ମୌଳିକ କର ସହିତ ମିଶାଇ ଆଦାୟ କରାଯାଇଥାଏ। କର ଓ ସେସ୍ ମଧ୍ୟରେ ଏକ ବଡ ଫରକ ରହିଛି। ଉଦାହରଣ ସ୍ୱରୂପ ଆୟ କର (Income Tax) କନସୋଲିଡେଟେଡ୍ ଫଣ୍ଡ୍ ଅଫ ଇଣ୍ଡିଆ () ସଂସ୍ଥାକୁ ରଖାଯାଇଥାଏ। ଠିକ ସେହି ପରି ଭାବେ କୌଣସି ସେସ୍ ଆଦାୟ କରାଯିବା ପରେ କନସୋଲିଡେଟେଡ୍ ଫଣ୍ଡ୍ ଅଫ ଇଣ୍ଡିଆକୁ ଯାଇଥାଏ।
ସରକାର କରକୁ ନିଜ ଇଚ୍ଛା ଅନୁସାରେ ବିଭିନ୍ନ କାର୍ଯ୍ୟରେ ଖର୍ଚ୍ଚ କରି ପାରୁଥିବା ବେଳେ ସେସ୍ରୁ ସଂଗୃହିତ ଅର୍ଥକୁ ଖର୍ଚ୍ଚ କରିବା ପାଇଁ ପାର୍ଲିଆମେଣ୍ଟର ଅନୁମୋଦନ ଆବଶ୍ୟକ କରିଥାନ୍ତି। କରକୁ କୌଣସି କାର୍ଯ୍ୟ ପାଇଁ ଖର୍ଚ୍ଚ କରାଯାଇ ପାରୁଥିବା ବେଳେ ସେସ ନିର୍ଦ୍ଧିଷ୍ଟ କାର୍ଯ୍ୟ ପାଇଁ ଖର୍ଚ୍ଚ କରାଯାଏ। ସରକାର ବିଭିନ୍ନ ସମୟରେ ବିଭିନ୍ନ ପ୍ରକାରର ସେସ ଲାଗୁ କରିଥାନ୍ତି।
ଉଦାହରଣ ସ୍ୱରୂପ ଶିକ୍ଷା ସେସ୍, ସ୍ୱାସ୍ଥ୍ୟ ସେସ୍, ରାସ୍ତା ସେସ୍, ଇନ୍ଧନ ସେସ୍, ସ୍ୱଚ୍ଛ ଶକ୍ତି ସେସ୍, କୃଷି କଲ୍ୟାଣ ସେସ୍ ଏବଂ ସ୍ୱଚ୍ଛ ଭାରତ ସେସ୍ ଇଦ୍ୟାଦି।
କୃଷି ସେସରୁ କ'ଣ ଲାଭ ମିଳିବ?
କୃଷି ସେସରୁ ପ୍ରାପ୍ତ ଅର୍ଥକୁ କୃଷି ଭିତ୍ତିଭୂମି ମଜବୁତ କରିବା ପାଇଁ ଖର୍ଚ୍ଚ କରାଯାଏ। ଶସ୍ୟ ଖରିଦ କରିବା, APMC ଗୁଡିକୁ ଉନ୍ନତ କରିବା, ଭଣ୍ଡାରଣ କ୍ଷମତା ବଢାଇବା, ଶୀତଳ ଭଣ୍ଡାର ଚେନକୁ ବଢାଇବା ପାଇଁ ଏହି ଅର୍ଥକୁ ଖର୍ଚ୍ଚ କରାଯାଇପାରିବ। APMC ଗୁଡିକ ପାଖାପାଖି ୧ ଟ୍ରିଲିୟନ ଟଙ୍କାର ଆଗ୍ରିକଲଚର ଇନଫ୍ରାଷ୍ଟ୍ରକଚର୍ ଫଣ୍ଡର ସୁବିଧା ପାଇବେ।
ଏହା ଛଡା, ଖାଦ୍ୟ ସବସିଡି ପାଇଁ ଅର୍ଥ ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କୁ ଋଣ ପାଇଁ ବାରମ୍ବାର ନ୍ୟାସନାଲ ସ୍ମଲ ସ୍କେଲ ଫଣ୍ଡ (NSSF-) ଉପରେ ନିର୍ଭରଶୀଳ ହେବାକୁ ପଡିବ ନାହିଁ। NSSF ବଦଳରେ ସରକାର କୃଷି ସେସରୁ ମିଳିଥିବା ଅର୍ଥକୁ ଖାଦ୍ୟ ସବସିଡି ପାଇଁ ବ୍ୟବହାର କରିପାରିବେ। ଏଠାରେ ଉଲ୍ଲେଖଯୋଗ୍ୟ କ୍ରମବର୍ଦ୍ଧିଷ୍ଣୁ ଖାଦ୍ୟ ସବସିଡି ପାଇଁ NSSF ପ୍ରମୁଖ ଭୂମିକା ଗ୍ରହଣ କରେ।
କିନ୍ତୁ ମାର୍ଚ୍ଚ ୩୧, ୨୦୨୦ ସୁଦ୍ଧା NSSFର ଋଣ ପରିମାଣ ୨ ଲକ୍ଷ ୫୦ କୋଟି ଟଙ୍କାରେ ପହଞ୍ଚିଥିବାରୁ ଏହା ସରକାରଙ୍କୁ ଋଣ ଦେବାକୁ ଏକ ପ୍ରକାର ଅସମର୍ଥ। ପରିଶେଷରେ ଗରିବ କୃଷି କଲ୍ୟାଣ ଯୋଜନା, ପ୍ରଧାନମନ୍ତ୍ରୀ କୃଷକ ଯୋଜନା ଭଳି କଲ୍ୟାଣକାରୀ ଯୋଜନା ଗୁଡିକ କୃଷି ସେସରୁ ଶକ୍ତି ପାଇବା ସହ ଗ୍ରାମ୍ୟ ଭିତ୍ତିଭୂମିର ମଧ୍ୟ ବିକାଶ ହେବ।
Also Read: Budget 2021: ଜାଣନ୍ତୁ କ'ଣ ହେଲା ଶସ୍ତା ଆଉ ମହଙ୍ଗା
ଦ୍ରବ୍ୟ ଲାଗୁ ହୋଇଥିବା ସେସ ପରିମାଣ
ଡିଜେଲ: ଲିଟର ପିଛା ୪ ଟଙ୍କା
ପେଟ୍ରୋଲ: ଲିଟର ପିଛା ୨.୫ ଟଙ୍କା
ମଟର: ୪୦ ପ୍ରତିଶତ
କାବୁଲି ବୁଟ: ୩୦ ପ୍ରତିଶତ
ସେଉ: ୩୫ ପ୍ରତିଶତ
ଆଲକୋହଲ: ୧୦୦ ପ୍ରତିଶତ
କୋଇଲା, ଲିଗଇନାଇଟ୍: ୧.୫ ପ୍ରତିଶତ
କପା: ୧୦ ପ୍ରତିଶତ