Al-Aqsa Mosque: ଅଲ ଅକ୍ସା ମସଜିଦ ଆକ୍ରମଣକୁ ନେଇ ତେଜିଲା ବିବାଦ, ଯୁଦ୍ଧ ଆଡକୁ ମୁହାଁଉଛି ପରିସ୍ଥିତି
Advertisement

Al-Aqsa Mosque: ଅଲ ଅକ୍ସା ମସଜିଦ ଆକ୍ରମଣକୁ ନେଇ ତେଜିଲା ବିବାଦ, ଯୁଦ୍ଧ ଆଡକୁ ମୁହାଁଉଛି ପରିସ୍ଥିତି

Al Aqsa Mosque Attack: ଇସଲାମ ଧର୍ମର ତୃତୀୟ ପବିତ୍ର ମସଜିଦ କୁହାଯାଉଥିବା ଅଲ-ଅକ୍ସା ମସଜିଦକୁ କାହିଁକି ନିୟନ୍ତ୍ରଣରେ ରଖିବାକୁ ଚାହୁଁଛି ବିଶ୍ୱର ଏକମାତ୍ର ଇହୁଦୀ ଦେଶ ଇସ୍ରାଏଲ। ଏହି ମସଜିଦକୁ ନେଇ କ'ଣ ରହିଛି ବିବାଦ? କ'ଣ ରହିଛି ଏହା ପଛରେ ଇତିହାସ?   

Al-Aqsa Mosque: ଅଲ ଅକ୍ସା ମସଜିଦ ଆକ୍ରମଣକୁ ନେଇ ତେଜିଲା ବିବାଦ, ଯୁଦ୍ଧ ଆଡକୁ ମୁହାଁଉଛି ପରିସ୍ଥିତି

Al-Aqsa Mosque Significance: ରମଜାନ ମାସରେ ପୁଣି ଥରେ ଚର୍ଚ୍ଚାକୁ ଆସିଛି ପବିତ୍ର ନଗରୀ ଜେରୁଜେଲମ ଠାରେ ଅବସ୍ଥିତ ଅଲ ଅକ୍ସା ମସଜିଦ। ପ୍ରାୟ ୨ ବର୍ଷ ପୂର୍ବେ ଏହି ମସଜିଦ ପରିସରରେ ଇସ୍ରାଏଲ ପୋଲିସ ପ୍ରବେଶ କରିବାକୁ ନେଇ ସୃଷ୍ଟି ହୋଇଥିବା ସଂଘର୍ଷ ସମଗ୍ର ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଜେରୁଜେଲମସ୍ଥିତ ଅଲ-ଆକସା ମସଜିଦ ଭିତରେ ପ୍ରବେଶ କରିବାକୁ ନେଇ ପାଲେଷ୍ଟାଇନ ମାଟିରେ ସକ୍ରିୟ ରହିଥିବା ଆତଙ୍କବାଦୀ ସଙ୍ଗଠନ ହମାସ ଏବଂ ଇସ୍ରାଏଲ। ଗତ ୨୦୨୧ ମେ ମାସରେ ଇସ୍ରାଏଲ ସେନା ଏବଂ ହମାସ ଗୋଷ୍ଠୀ ମଧ୍ୟରେ ସଂଘର୍ଷରେ କମ୍ପି ଉଠିଥିଲା ଜେରୁଜେଲମ ସହର ସମେତ ଗାଜା ଷ୍ଟ୍ରିପ୍।  

ଏବେ ଆମେ ପୁଣି ଥରେ ଆପଣଙ୍କୁ ସେହି ଯୁଦ୍ଧ ବିଷୟରେ ପୁଣି ଥରେ କହୁଛୁ। କାରଣ ରମଜାନ ମାସରେ ଅଲ ଅକ୍ସା ମସଜିଦ ପରିସରରେ ସଂଘର୍ଷ ହେବାକୁ ନେଇ ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ଉପୁଜିଛି। ହେଲେ ଇସ୍ରାଏଲ-ପାଲେଷ୍ଟାଇନ ମଧ୍ୟରେ ଜାରି ରହିଥିବା ସଂଘର୍ଷ ବର୍ଷେ କିମ୍ବା ଦୁଇ ବର୍ଷର ଘଟଣା ନୁହେଁ। ଅଲ-ଅକ୍ସା ମସଜିଦ ଉପରେ ନିୟନ୍ତ୍ରଣକୁ ନେଇ ମୁସଲିମ ଦେଶଙ୍କ ସହ ଇହୁଦୀ ଦେଶ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଗ୍ରାମ ୧୦୦ ବର୍ଷରୁ ଅଧିକ ପୁରୁଣା। ପ୍ରତିବର୍ଷ ରମଜାନ ଅବସରରେ ଇହୁଦୀ ଏବଂ ମୁସଲମାନଙ୍କ ମଧ୍ୟରେ ରହିଥିବା ଐତିହାସିକ ଶତ୍ରୁତା ତେଜି ଉଠିଥାଏ। ଯାହାର କେନ୍ଦ୍ରସ୍ଥଳରେ ଅଲ-ଆକସା ମସଜିଦ ରହିଥାଏ।  

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଇସଲାମ ଧର୍ମର ତୃତୀୟ ପବିତ୍ର ମସଜିଦ କୁହାଯାଉଥିବା ଅଲ-ଅକ୍ସା ମସଜିଦକୁ କାହିଁକି ନିୟନ୍ତ୍ରଣରେ ରଖିବାକୁ ଚାହୁଁଛି ବିଶ୍ୱର ଏକମାତ୍ର ଇହୁଦୀ ଦେଶ ଇସ୍ରାଏଲ। ଏହି ମସଜିଦକୁ ନେଇ କ'ଣ ରହିଛି ବିବାଦ? କ'ଣ ରହିଛି ଏହା ପଛରେ ଇତିହାସ?   

ଗତ ଅପ୍ରେଲ୍ ୫ ତାରିଖ ସକାଳେ ପ୍ରାୟ ୨୦ ହଜାର ଲୋକ ଜେରୁସେଲମ ସହର ଠାରେ ଅବସ୍ଥିତ ଅଲ-ଅକ୍ସା ମସଜିଦ ଠାରେ ନମାଜ ପଢିବା ପାଇଁ ଏକତ୍ରୀତ ହୋଇଥିଲେ। ନିୟମ ଅନୁଯାୟୀ ନମାଜ ପଢାଯିବା ପରେ ମସଜିଦ ପରିସରରେ କାହାକୁ ରହିବାକୁ ଅନୁମତି ଦିଆଯାଇନଥିଲା। ହେଲେ ଶହ ଶହ ଲୋକ ମସଜିଦ ଭିତରୁ ବାହାରକୁ ବାହାରି ନଥିଲେ।

ଏଭଳି ପରିସ୍ଥିତିରେ ସୁରକ୍ଷା ଏଜେନ୍ସି ମସଜିଦ ଭିତରେ ରହିଥିବା ଲୋକଙ୍କୁ ବାହାର କରିବା ପାଇଁ ଚଢାଉ କରିଥିଲେ। ହେଲେ ଚଢାଉ ଆରମ୍ଭ ହୋଇଯିବା ପରେ ମସଜିଦ ଭିତରେ ରହିଥିବା କିଛି ଲୋକ ପଥର ମାଡ଼ କରିବା ଆରମ୍ଭ କରିଥିଲେ। ମସଜିଦ ଭିତରେ ପୋଲିସ ରକେଟ ଏବଂ ଗ୍ରେନେଡ ଫିଙ୍ଗିଥିବାର ନ୍ୟୁଜ ଚ୍ୟାନେଲ ଅଲ ଜଜୀରା ଦାବି କରିଛି। ପୋଲିସ ଏହି ଘଟଣାରେ ପ୍ରାୟ ୩୫୦ ଲୋକଙ୍କୁ ଗିରଫ କରିଥିଲା।

ଏନେଇ ଇସ୍ରାଏଲ୍ ପୋଲିସ୍ ପକ୍ଷରୁ ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି ଯେ ମୁଖା ପିନ୍ଧିଥିବା କିଛି ବ୍ୟକ୍ତି ମସଜିଦ ଭିତରେ ବାଣ, ବାଡି ଏବଂ ପଥର ନେଇ ଯାଇଥିବାର ଖବର ମିଳିଥିଲା। ସେଥିପାଇଁ ସେଠାରେ ଚଢାଉ କରାଯାଇଥିଲା। ଏହି କାର୍ଯ୍ୟାନୁଷ୍ଠାନ ପରେ ପାଲେଷ୍ଟାଇନ ପକ୍ଷରୁ ପୁଣି ଥରେ ଇସ୍ରାଏଲ ଉପରକୁ ରକେଟ୍ ମାଡ଼ କରାଯାଇଥିଲା। ଏହାର ଜବାବରେ ଇସ୍ରାଏଲ ମଧ୍ୟ ପାଲେଷ୍ଟାଇନ ଉପରେ ବୋମାମାଡ଼ କରିଥିଲା। ସେବେଠାରୁ ଇସ୍ରାଏଲ-ପାଲେଷ୍ଟାଇନ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ଉପୁଜିଛି। 

ସାରା ବିଶ୍ୱରେ ଜେରୁସେଲମ ହେଉଛି ଏକ ମାତ୍ର ସହର ଯେଉଁଠାରେ ବିଶ୍ୱର ତିନୋଟି ପ୍ରମୁଖ ଆବ୍ରାହମ ଧର୍ମ ଯାଥା ଇହୁଦୀ, ଖ୍ରୀଷ୍ଟିଆନ ଏବଂ ଇସଲାମ ଧର୍ମର ପବିତ୍ର ଧାର୍ମିକ ସ୍ଥଳ ରହିଥିବାର ଦାବି କରାଯାଉଛି। ଏହି ତିନୋଟି ଧର୍ମକୁ ଅବ୍ରହାମ ଧର୍ମ "ଇବ୍ରାହିମ" ନାମକ ମହାପୁରୁଷଙ୍କୁ ଇଶ୍ବରଙ୍କ ପୈଗମ୍ବର ଅର୍ଥାତ ଭବିଷ୍ୟ‌ଦ୍‌ବକ୍ତା ଭାବରେ ବିବେଚନା କରନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଇବ୍ରାହିମ ନାମକ ଶଦ୍ଦକୁ ଇହୁଦୀ, ଖ୍ରୀଷ୍ଟିଆନ ଏବଂ ଇସଲାମ ଧର୍ମରେ ବ୍ୟବହାର କରାଯାଉଥିବାର ଦେଖିବାକୁ ମିଳିଥାଏ। ଏହି ୩ ଧର୍ମର ଧର୍ମାବଲମ୍ବୀ କେବଳ ଜଣେ ମାତ୍ର ଭଗବାନଙ୍କ ଉପରେ ବିଶ୍ୱାସ କରିଥାନ୍ତି। ଯେଉଁଥିପାଇଁ ଆବ୍ରାହମ ଧର୍ମକୁ ଏକଶ୍ୱରବାଦୀ ଧର୍ମ ମଧ୍ୟ କୁହାଯାଏ।

ସାଉଦି ଆରବ ସ୍ଥିତ ମକ୍କା ଏବଂ ମଦିନା ମସଜିଦ ପରେ ଜେରୁସେଲମ ସହରରେ ଅବସ୍ଥିତ ଅଲ-ଅକ୍ସା ମସଜିଦ ଇସଲାମ ଧର୍ମରେ ତୃତୀୟ ପବିତ୍ର ସ୍ଥାନ ଭାବରେ ପରିଗଣିତ ହୋଇଥାଏ। ଖ୍ରୀଷ୍ଟ୍ରୀୟ ଧର୍ମଗ୍ରନ୍ଥ ବାଇବେଲ ଅନୁଯାୟୀ ରାଜା ସୋଲୋମନ ୧୦୦୦ ଖ୍ରୀଷ୍ଟପୂର୍ବରେ ଜେରୁସେଲମ ସହରରେ ଇହୁଦୀ ଧର୍ମାବଲମ୍ବୀଙ୍କ ଲାଗି ଦୁଇଟି ମନ୍ଦିର ନିର୍ମାଣ କରିଥିଲେ। ଏହି ମନ୍ଦିର "ଟେମ୍ପୁଲ ମାଉଣ୍ଟ" ନାମରେ ମଧ୍ୟ ଜଣାଶୁଣା। ହେଲେ ବର୍ତ୍ତମାନ ଏହାର କେବଳ ଗୋଟିଏ କାନ୍ଥ ବାକି ରହିଛି। ଯାହାକୁ "ୱେଷ୍ଟ ୱାଲ୍" କୁହାଯାଏ। ପଥରରେ ନିର୍ମିତ ଏହି କାନ୍ଥ ଇହୁଦୀ ଧର୍ମାବଲମ୍ବୀଙ୍କ ପାଇଁ ସବୁଠାରୁ ପବିତ୍ର ସ୍ଥାନ ଭାବରେ ପରିଗଣିତ ହୋଇଥାଏ। ବେବିଲୋନ ଠାରୁ ନେଇ ରୋମାନ ସାମ୍ରାଜ୍ୟ ପକ୍ଷରୁ ଅତୀତରେ ଏହି ମନ୍ଦିରକୁ ଅନେକ ଥର ଭଙ୍ଗାଯାଇଛି।

ଏହା ବ୍ୟତୀତ ଖ୍ରୀଷ୍ଟୀୟ ଧର୍ମଗ୍ରନ୍ଥ ବାଇବେଲ ଅନୁଯାୟୀ ଯୀଶୁ ଖ୍ରୀଷ୍ଟ ପବିତ୍ର ନଗରୀ ଜେରୁସେଲମ ଠାରେ ନିଜର ଧର୍ମ ଉପଦେଶ ଦେଇଥିଲେ। ଜେରୁସେଲମ ସହରରେ ତାଙ୍କୁ ଯୀଶୁଙ୍କୁ କ୍ରୁଶବିଦ୍ଧ କରାଯାଇଥିଲେ। କ୍ରୁଶବିଦ୍ଧ ହେବା ପରେ ଯୀଶୁ ପୁଣି ଥରେ ଜେରୁସେଲମ ସହରରେ ଆବିର୍ଭାବ ହୋଇଥିବାର କୁହାଯାଏ। ଜେରୁସେଲମ ସହରର ମଧ୍ୟଭାଗରେ "ପୁରାତନ ସହର" ନାମରେ ଜଣାଶୁଣା ପ୍ରାଚୀନ ସ୍ଥାନ ରହିଛି। ଏହି ସ୍ଥାନରେ ଅଲ ଅକ୍ସା ମସଜିଦ ବ୍ୟତୀତ, ଖ୍ରୀଷ୍ଟିଆନ ଅଧ୍ୟୁଷିତ ଅଞ୍ଚଳରେ "ଦି ଚର୍ଚ୍ଚ ଅଫ୍ ଦି ହୋଲି ସେପଲକର" ରହିଛି। ଏପରି ପରିସ୍ଥିତିରେ ତିନି ପ୍ରମୁଖ ଆବ୍ରାହମ ଧର୍ମ ଯଥା ଇହୁଦୀ, ଖ୍ରୀଷ୍ଟିଆନ ଏବଂ ଇସଲାମ ଜେରୁସେଲମ ସହର ଉପରେ ନିଜର ଅଧିକାର ରହିଥିବାର ଦାବି କରିଥାନ୍ତି। 

କାହିଁକି ବାରମ୍ବାର ବିବାଦର କେନ୍ଦ୍ରସ୍ଥଳରେ ପରିଣତ ହେଉଛି ଅଲ-ଅକ୍ସା ମସଜିଦ? ଏହି ବିବାଦ ପଛରେ ଅନେକ କାରଣ ରହିଛି। ଅଲ ଅକ୍ସା ମସଜିଦକୁ ନେଇ ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଚାଲିଥିବା ବିବାଦ ପଛରେ ତିନୋଟି ପ୍ରମୁଖ କାରଣ ରହିଛି।

ଇହୁଦୀ ଧର୍ମାବଲମ୍ବୀଙ୍କ ପାଇଁ ସବୁଠାରୁ ପବିତ୍ର ସ୍ଥାନ "ଟେମ୍ପୁଲ ମାଉଣ୍ଟ" ଏବଂ ଇସଲାମ ଧର୍ମର ତୃତୀୟ ପବିତ୍ର ମସଜିଦ ଅଲ ଅକ୍ସା ମସଜିଦ ଏବଂ "ଡୋମ ଅଫ୍ ଦି ରୋକ୍" ସମାନ ପରିସରରରେ ଅବସ୍ଥିତ ରହିଛି। ଅର୍ଥାତ ଉଭୟ ଧର୍ମର ଧାର୍ମିକ ସ୍ଥଳ ପରସ୍ପର ସହ ଏକ ପ୍ରକାର ସଂଯୁକ୍ତ ହୋଇ ରହିଥିବାର କୁହାଯାଏ। ହେଲେ ତଥାପି "ଟେମ୍ପୁଲ ମାଉଣ୍ଟ" ଅବଶିଷ୍ଟାଂଶ ଭାବରେ କେବଳ ଗୋଟିଏ କାନ୍ଥ ବାକି ରହିଛି। ଯାହାକୁ "ୱେଷ୍ଟର୍ଣ୍ଣ ୱାଲ" ବୋଲି କୁହାଯାଏ। ସେଥିପାଇଁ ଏହି ସ୍ଥାନକୁ ନେଇ ଉଭୟ ଇହୁଦୀ ଏବଂ ମୁସଲମାନଙ୍କ ମଧ୍ୟରେ ବିବାଦ ଜାରି ରହିଛି।

୧୯୬୭ ମସିହା ଜୁନ ମାସରେ ହୋଇଥିବା ଇତିହାସ ପ୍ରସିଦ୍ଧ ୬ ଦିନିଆ ଯୁଦ୍ଧ ପରେ ଏହି ବିବାଦ ଆହୁରି ବଢି ଯାଇଥିଲା। ଏହାର କାରଣ ହେଉଛି ଏହି ଯୁଦ୍ଧରେ ଇସ୍ରାଏଲ୍ ଗାଜା ଷ୍ଟ୍ରିପ୍ ଏବଂ ୱେଷ୍ଟ ବ୍ୟାଙ୍କ ଅଞ୍ଚଳକୁ ସମ୍ପୂର୍ଣ୍ଣ ଭାବେ ଦଖଲକୁ ନେଇଯାଇଥିଲା। ୧୯୬୭ ଇସ୍ରାଏଲ-ଆରବ ଯୁଦ୍ଧ ପୂର୍ବରୁ ୱେଷ୍ଟ ବ୍ୟାଙ୍କ ଅଞ୍ଚଳ ଜୋର୍ଡାନର ଅଧୀନରେ ରହିଥିଲା। ହେଲେ ପରେ ଜୋର୍ଡାନ ଏବଂ ଇସ୍ରାଏଲ ମଧ୍ୟରେ ଏକ ଚୁକ୍ତି ହୋଇଥିଲା। ଯେଉଁଥିରେ ନିଷ୍ପତ୍ତି ନିଆଯାଇଥିଲା ଯେ ଅଲ-ଅକ୍ସା ମସଜିଦ ସହ ଜଡ଼ିତ ଆଭ୍ୟନ୍ତରୀଣ ପ୍ରସଙ୍ଗ ଜୋର୍ଡାନସ୍ଥିତ ଇସଲାମିକ ଟ୍ରଷ୍ଟ ୱାକଫ ଦ୍ୱାରା ନିୟନ୍ତ୍ରିତ ହେବ। ଅନ୍ୟପଟେ ଇସ୍ରାଏଲ ପାଖରେ ମସଜିଦ ବାହାର ଅଞ୍ଚଳର ସୁରକ୍ଷା ଦାୟିତ୍ୱ ରହିବ। ଏଭଳି ପରିସ୍ଥିତିରେ ଅନେକ ଥର ଇସ୍ରାଏଲ ପୋଲିସ ସୁରକ୍ଷାଗତ କାରଣରୁ ଅଲ ଅକ୍ସା ମସଜିଦ ମଧ୍ୟରେ ପ୍ରବେଶ କରିଥାଏ। ଯେଉଁ କାରଣରୁ ଯୁଦ୍ଧ ଭଳି ପରିସ୍ଥିତି ଉପୁଜିଥାଏ। 

ଜୋର୍ଡାନ ଏବଂ ଇସ୍ରାଏଲ ମଧ୍ୟରେ ହୋଇଥିବା ଚୁକ୍ତିରେ ଏକଥାକୁ ନେଇ ସହମତି ହୋଇଥିଲା ଯେ ଅଣ-ମୁସଲମାନଙ୍କୁ ମସଜିଦ ଭିତରେ ପ୍ରବେଶ ଅନୁମତି ଦିଆଯିବ। ହେଲେ ସେଠାରେ ସେମାନଙ୍କୁ ପ୍ରାର୍ଥନା କରିବାକୁ ଅନୁମତି ଦିଆଯିବ ନାହିଁ। ହେଲେ ଏହା ସତ୍ତ୍ୱେ ଇହୁଦୀ ବେଳେବେଳେ ପ୍ରାର୍ଥନା କରିବା ପାଇଁ ମସଜିଦ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରିଥାନ୍ତି। ଯାହାଦ୍ୱାରା ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥାଏ।