ଲକ୍ଷ୍ନୌ: ଭୟଙ୍କର ରୂପ ନେଲାଣି ମହାମାରୀର ଦ୍ୱିତୀୟ ଲହରୀ। କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ୬ ଦିନିଆ ଲକଡାଉନ ଘୋଷଣା କରିଛନ୍ତି। ସପେଟେ ଉତ୍ତର ପ୍ରଦେଶରେ ବି ସ୍ଥିତି ସାଙ୍ଘାତିକ ହେଲଣି। ଯାହାକୁ ଦୃଷ୍ଟିରେ ରଖି ରାଜଧାନୀ ଲକ୍ଷ୍ନୌ ସମେତ ରାଜ୍ୟର ୫ଟି ସହରରେ ଲକଡାଉନ ଘୋଷଣା କରିବାକୁ ଯୋଗୀ ସରକାରଙ୍କୁ ଆଲ୍ଲାବାଦ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।


COMMERCIAL BREAK
SCROLL TO CONTINUE READING

ସୋମବାର ଦିନ ଆହ୍ଲାବାଦ ହାଇକୋର୍ଟ (Allahabad High Court), ଉତ୍ତର ପ୍ରଦେଶର (Uttar Pradesh) କୋରୋନା ସ୍ଥିତିକୁ ନେଇ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଏପ୍ରିଲ୍ ୨୬ ପର୍ଯ୍ୟନ୍ତ ରାଜ୍ୟର ପାଞ୍ଚଟି ସହରରେ ଲକଡାଉନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଅଜିତ କୁମାର ଏବଂ ସିଦ୍ଧାର୍ଥ ବର୍ମାଙ୍କ ବେଞ୍ଚ ଯୋଗୀ ସରକାରଙ୍କୁ କାଠଗଡାକୁ ଟାଣିଛନ୍ତି। ସମୟ ଥାଉ ଥାଉ ସରକାର ଯଦି କୌଣସି ପଦକ୍ଷେପ ଗ୍ରହଣ ନ କରନ୍ତି ତେବେ ଚିକିତ୍ସା ବ୍ୟବସ୍ଥା ଭୁଶୁଡି ପଡିବ ବୋଲି କହିଛନ୍ତି।


Also Read: ଉପାୟ ଶୂନ୍ୟ କେଜ୍ରିୱାଲ; ଦିଲ୍ଲୀରେ ଲାଗିବ ୬ ଦିନିଆ ଲକଡାଉନ୍


କୋର୍ଟ କହିଛନ୍ତି ଯେ, ରାଜ୍ୟ ମୁଖ୍ୟମନ୍ତ୍ରୀ (Yogi Adityanath) ରାଜଧାନୀ ଲକ୍ଷ୍ନୋରେ ଆଇସୋଲେସନରେ ଅଛନ୍ତି। କେବଳ VIPଙ୍କୁ ଉପଯୁକ୍ତ ଚିକିତ୍ସା ମିଳିଛି। ସରକାରୀ ଡାକ୍ତରଖାନା ଗୁଡିକର ICUରେ କେବଳେ VIPଙ୍କ ସୁପାରିଶ ଅନୁଯାୟୀ ରୋଗୀଙ୍କୁ ଭର୍ତ୍ତି କରାଯାଉଛି। ଏପରିକି Remdesivire ନାମକ ଜୀବନ ରକ୍ଷାକାରୀ ଔଷଧ ଯୋଗାଣରେ ମଧ୍ୟ VIP ସୁପାରିଶରେ ଦିଆଯାଉଛି। ଯେକୌଣସି ସଭ୍ୟ ସମାଜରେ ଯଦି ଜନସ୍ୱାସ୍ଥ୍ୟ ବ୍ୟବସ୍ଥା ଆହ୍ୱାନ ଗୁଡିକ ପୂରଣ କରିବାରେ ଆସକ୍ଷମ ଓ ଔଷଧ ଅଭାବରୁ ଲୋକେ ମରିଯାଆନ୍ତି, ଏହାର ଅର୍ଥ କୌଣସି ଉପଯୁକ୍ତ ବିକାଶ ହୋଇନାହିଁ।


କୋର୍ଟ ପୁଣି କହିଛନ୍ତି ଯେ, ବର୍ତ୍ତମାନର ବିଶୃଙ୍ଖଳିତ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଯେଉଁମାନେ ଶାସନ ଦାୟୀତ୍ୱରେ ଅଛନ୍ତି ସେମାନଙ୍କୁ ଦାୟୀ କରାଯିବ। ଗଣତନ୍ତ୍ରର ଅର୍ଥ ହେଉଛି ଜନତାଙ୍କ ସରକାର ଓ ଜନତାଙ୍କ ପାଇଁ ସରକାର। ଏହି ମହାମାରୀ ସମୟରେ ଯଦି ଗୋଟିଏ ଲୋକପ୍ରିୟ ସରକାର ନିଜ ଜନସାଧାରଣଙ୍କ ଗତିବିଧି ଉପରେ ନଜର ନ ରଖେ, ତେବେ ଆମେ ନିରବ ଦର୍ଶକ ହୋଇ ରହିପାରିବୁ ନାହିଁ। ଏହି ମୂହୁର୍ତ୍ତର ସର୍ବୋଚ୍ଚ ପ୍ରାଥମିକତା ହେଉଛି ଲୋକଙ୍କ ସୁରକ୍ଷା ଏବଂ ଚିକିତ୍ସା ସେବା ଯୋଗାଇବା।


Also Read: ନାଇଡୁପଲ୍ଲି ବିସ୍ଫୋରଣ ଘଟଣା: ବେଆଇନ ଭାବେ ଗଚ୍ଛିତ ଥିଲା ବିସ୍ଫୋରକ, ଜଣେ ଗିରଫ


ତେବେ ଆଲ୍ଲାବାଦ ହାଇକୋର୍ଟ, ପ୍ରୟାଗରାଜ, ଲକ୍ଷ୍ନୌ, ବାରଣାସୀ, କାନପୁର ଓ ଗୋରଖପୁରରେ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଲକଡାଉନ୍ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେପଟେ କିନ୍ତୁ ସମ୍ପୂର୍ଣ୍ଣ ଲକଡାଉନ (Lockdown) ଲଗାଇବାକୁ ଯୋଗୀ ସରକାର ସଫା ସଫା ମନା କରିଦେଇଛନ୍ତି। ସମ୍ପୂର୍ଣ୍ଣ ଲକଡାଉନ୍ ହେଲେ ସ୍ଥିତି ସମ୍ଭାଳିବା ମୁସ୍କିଲ ହେଇ ଯିବ ବୋଲି ସରକାଙ୍କ ପକ୍ଷରୁ ସଫେଇ ଦିଆଯାଇଛି।


ଅନ୍ୟପଟେ ଲକ୍ଷ୍ନୌରେ ଅକ୍ସିଜେନ ସିଲିଣ୍ଡର ଭର୍ତ୍ତି କରିବାକୁ ସୋମବାର ଲୋକଙ୍କ ଲମ୍ବା ଲାଇନ ଲାଗିଥିଲା। ହସ୍ପିଟାଲର ଅକ୍ସିଜେନ୍ ପ୍ଲାଣ୍ଟ ଫାଟକ ବାହାରେ ସିଲିଣ୍ଡର ଧରି କୋରୋନା ରୋଗୀଙ୍କ ସମ୍ପର୍କୀୟମାନେ ଘଣ୍ଟା ଘଣ୍ଟା ସମୟ ଅପେକ୍ଷା କରି ରହିଥିଲେ। ଅକ୍ସିଜେନ୍ ଅଭାବରୁ ଅନେକ ରୋଗୀଙ୍କ ଦେହାନ୍ତ ହେଉଥିବାଖବର ମଧ୍ୟ ସାମନାକୁ ଆସୁଛି। ସେପଟେ ଆସନ୍ତା ସପ୍ତାହକ ମଧ୍ୟରେ ରାଜ୍ୟରେ ୩ଟି ଅକ୍ସିଜେନ୍ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ ବୋଲି କୋରୋନାରେ ଆକ୍ରାନ୍ତ ହୋଇଥିବା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି।