ପାକିସ୍ତାନ କରାଚାରେ ହୋଇଥିବା ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି ବେଲୁଚିସ୍ତାନ ଲିବରେସନ୍ ଆର୍ମି |
Trending Photos
ଇସଲାମାବାଦ: ପାକିସ୍ତାନର ଆର୍ଥିକ ରାଜଧାନୀ କରାଚିସ୍ଥିତି ଷ୍ଟକ୍ ଏକ୍ସଚେଞ୍ଜରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପାଇଁ ସୋମବାର ନିଜକୁ ଦାୟୀ କରିଛି ବେଲୁଚିସ୍ତାନ ଲିବରେସନ୍ ଆର୍ମି-ବିଏଲଏ(Baluchistan Liberation Army-BLA)| ଏନେଇ ମିଳିଥିବା ସୂଚନା ଅନୁସାରେ ବନ୍ଧୁକଧାରୀ ଆକ୍ରମଣ ସମୟରେ ଏକ କଳା କାରରେ ଆସିବା ସହ ପାର୍କିଂ ଅଞ୍ଚଳରେ ପହଞ୍ଚିବାରେ ସଫଳ ହୋଇଥିଲେ |
ଏହା ପରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା | ଗୁଳିମାଡ ଆରମ୍ଭ ହେବା ପରେ ଅଧିକାରୀ ଏବଂ ବ୍ୟବସାୟୀ ସେଠାରୁ ଖସି ପଳାଇ ନିଜର ଜୀବନ ରକ୍ଷା କରିଥିଲେ | ପ୍ରାୟ ଏକ ଘଣ୍ଟା ଧରି ଚାଲିଥିବା ଗୁଳି ବିନିମୟରେ ସମସ୍ତ ୪ ବନ୍ଧୁକଧାରୀଙ୍କ ମୃତ୍ୟୁ ହୋଇଥିଲା |
ଏନେଇ କରାଚୀ ଷ୍ଟକ ଏକ୍ସଚେଞ୍ଜର ଜଣେ ନିର୍ଦ୍ଦେଶକ ଗଣମାଧ୍ୟମରେ ବିବୃତ୍ତି ରଖି କହିଛନ୍ତି, ମୁଖ୍ୟ ଫାଟକରେ ୨ ଆତଙ୍କବାଦୀ ନିହତ ହୋଇଥିବାବେଳେ, ତୃତୀୟ ଆତଙ୍କୀ କେନ୍ଦ୍ରୀୟ ଦ୍ୱାରରେ ଏବଂ ଚତୁର୍ଥ ଷ୍ଟକ ଏକ୍ସଚେଞ୍ଜ ବିଲଡିଂର ମୁଖ୍ୟ ପ୍ରବେଶ ପଥରେ ପ୍ରାଣ ହରାଇଥିଲା | ଆକ୍ରମଣର କିଛି ଘଣ୍ଟା ପରେ ବାଲୁଚିସ୍ତାନ ଲିବରେସନ୍ ଆର୍ମି ଏହି ଆକ୍ରମଣ ପାଇଁ ଦାୟୀ ବୋଲି ଦାବି କରିଛି | ଏହି ଗୋଷ୍ଠୀ ଦୀର୍ଘ ଦିନ ଧରି ସ୍ୱତନ୍ତ୍ର ବେଲୁଚିସ୍ତାନ ଗଠନ କରିବାକୁ ଦାବି କରି ଆସୁଛି |
ଏହି ଗୋଷ୍ଠୀ ପାକିସ୍ତାନରେ ଚୀନ ପକ୍ଷରୁ କରାଯାଉଥିବା ପୁଞ୍ଜି ନିବେଶକୁ ଟାର୍ଗେଟ କରି ୨୦୧୮ ବର୍ଷରେ କରାଚିସ୍ଥିତ ଚୀନ ବାଣିଜ୍ୟକ ଦୂତାବାସ ଉପରେ ଆକ୍ରମଣ କରିବାକୁ ଯୋଜନା କରିଥିଲା | ଚୀନ ଦ୍ୱାରା ଆର୍ଥିକ ଅନୁଦାନ ପ୍ରାପ୍ତ ଗ୍ୱାଦାରସ୍ଥିତ ଏକ ପାଞ୍ଚ ତାରକା ହୋଟେଲ ଉପରେ ଆକ୍ରମଣ କରିଥିଲା ବେଲୁଚିସ୍ତାନ ଲିବରେସନ୍ ଆର୍ମି | ପାକିସ୍ତାନୀ ଷ୍ଟକ୍ ଏକ୍ସଚେଞ୍ଜ ଉପରେ ହୋଇଥିବା ଆକ୍ରମଣ ମଧ୍ୟ ଚୀନ ନିବେଶକୁ କରି କରାଯାଇଛି |
ଗତବର୍ଷ ଚୀନ ନିବେଶକ ପାକିସ୍ତାନୀ ଷ୍ଟକ ବଜାରରେ ଦୁଇ ବିଲିୟନ ଡଲାର ପର୍ଯ୍ୟନ୍ତ ନିବେଶ କରିବାକୁ ଚିନ୍ତା କରିଥିଲେ | ଚୀନ ପକ୍ଷରୁ ପାକିସ୍ତାନରେ କାର୍ଯ୍ୟକାରୀ କରାଯାଉଥିବା ବେଲ୍ଟ ଆଣ୍ଡ ରୋଡ୍ ପଦକ୍ଷେପକୁ ତୀବ୍ର ବିରୋଧ କରୁଛି ବିଏଲଏ | ଏହା ସହ ବେଲୁଚିସ୍ତାନରେ ପୁଞ୍ଜି ବିନିଯୋଗ କରିବାକୁ ନେଇ ଚୀନକୁ ଟାର୍ଗେଟ କରିଛି ଏହି ସଙ୍ଗଠନ | ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବା ଦିନ ଠାରୁ ବେଲୁଚିସ୍ତାନ ଉପରେ ସମଗ୍ର ବିଶ୍ୱର ନଜର ରହିଛି |
ପ୍ରାକୃତିକ ସମ୍ପଦରେ ସବୁଠାରୁ ଧନୀ ହୋଇଥିଲେ ମଧ୍ୟ ବେଲୁଚିସ୍ତାନର ଉପଯୁକ୍ତ ବିକାଶ ହୋଇ ପାରିନାହିଁ | ଏହାକୁ ପାକିସ୍ତାନ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେଲ ରଖିବା ସହ ଏଠାରେ ସ୍ୱତନ୍ତ୍ର ବେଲୁଚିସ୍ତାନ ରାଷ୍ଟ୍ର ଗଠନ କରିବାକୁ ଚାଲିଥିବା ଆନ୍ଦୋଳନ ବିରୋଧରେ ଦମନମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ପାକିସ୍ତାନ ସେନା |