ଧର୍ମନଗରୀ ଅଯୋଧ୍ୟାରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ଯୋଗୀ, କରିବେ ଭୂମିପୂଜନ ପ୍ରସ୍ତୁତିର ସମୀକ୍ଷା
Advertisement

ଧର୍ମନଗରୀ ଅଯୋଧ୍ୟାରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ଯୋଗୀ, କରିବେ ଭୂମିପୂଜନ ପ୍ରସ୍ତୁତିର ସମୀକ୍ଷା

ଅଯୋଧ୍ୟାରେ ପହଞ୍ଚିବା ପରେ ରାମ ମନ୍ଦିର ନିର୍ମାଣ ଲାଗି ଆୟୋଜିତ ହେବାକୁ ଥିବା ଭୂମି ପୂଜନ ଲାଗି ପ୍ରସ୍ତୁତି କିପରି ଚାଲିଛି ତାହାର ସମୀକ୍ଷା କରିଛନ୍ତି ୟୁପି ସିଏମ ଯୋଗୀ। 

ଧର୍ମନଗରୀ ଅଯୋଧ୍ୟାରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ଯୋଗୀ, କରିବେ ଭୂମିପୂଜନ ପ୍ରସ୍ତୁତିର ସମୀକ୍ଷା

ଅଯୋଧ୍ୟା: ଶନିବାର(ଜୁଲାଇ ୨୫, ୨୦୨୦) ଧର୍ମ ନଗରୀ ଅଯୋଧ୍ୟାରେ ପହଞ୍ଚିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଚଳିତ ବର୍ଷ ଅଗଷ୍ଟ ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଯୋଧ୍ୟା ଗସ୍ତ ପୂର୍ବରୁ ସେଠାରେ ହେବାକୁ ଥିବା ଭୂମି ପୂଜନ କାର୍ଯ୍ୟକ୍ରମ ଲାଗି ପ୍ରସ୍ତୁତି କିପରି ରହିଛି ସେ ନେଇ ସମୀକ୍ଷା କରିବେ ସିଏମ ଯୋଗୀ । ଗସ୍ତ ଅବସରରେ ଅଯୋଧ୍ୟା ସହ ଜଡିତ ସାଧୁସାନ୍ଥଙ୍କୁ ମଧ୍ୟ ଭେଟିବେ ସେ। 

ଧର୍ମ ନଗରୀ ଅଯୋଧ୍ୟାରେ ନିର୍ମିତ ହେବାକୁ ଭବ୍ୟ ରାମ ମନ୍ଦିର ନିର୍ମାଣ ଲାଗି ହେବାକୁ ଯାଉଥିବା ଭୂମି ପୂଜନ କାର୍ଯ୍ୟକ୍ରମକୁ ସ୍ମରଣୀୟ କରିବା ଲାଗି ସ୍ୱତନ୍ତ୍ର ପ୍ରସ୍ତୁତି ଚାଲିଛି । ପ୍ରାୟ ୫୦୦ ବର୍ଷ ପରେ ରାମ ଭକ୍ତଙ୍କ ଇଚ୍ଛା ପୂରଣ ହେବାକୁ ଯାଉଛି।

ଅଯୋଧ୍ୟା ଗସ୍ତ ସମୟରେ ସିଏମ ଯୋଗୀ ରାମ ମନ୍ଦିର କମ୍ପ୍ଲେକ୍ସ ଯାଞ୍ଚ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ପୂର୍ବରୁ ସେ କୌଣସି ଅଭାବ ଛାଡିବାକୁ ଚାହୁଁନାହାଁନ୍ତି। ଅଗଷ୍ଟ ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଶ୍ରୀରାମ ଜନ୍ମଭୂମି ଅଯୋଧ୍ୟାରେ ନିର୍ମିତ ହେବାକୁ ଥିବା ମନ୍ଦିରର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ। ଏଥିପାଇଁ ୫ ଜଣ ପଣ୍ଡିତଙ୍କୁ ବନାରସରୁ ଅଯୋଧ୍ୟା ଯାତ୍ରା କରୁଛନ୍ତି। ସେହି ପଣ୍ଡିତଙ୍କ ତତ୍ତ୍ୱାବଧାନରେ ରାମ ମନ୍ଦିରର ଭୁମି ପୂଜନ କରାଯିବ । 

ଭୂମି ପୂଜନ କାର୍ଯ୍ୟକ୍ରମରେ ଯୋଗ ଦେବା ଲାଗି ବନାରସରୁ ଅଯୋଧ୍ୟା ଆସୁଥିବା ୫ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ୩ ଜ୍ୟୋତିଷ ଏବଂ ୩ ସାଧୁ ସାମିଲ ଅଛନ୍ତି । ସେମାନେ ଅଗଷ୍ଟ ୪ ତାରିଖରେ ଅଯୋଧ୍ୟାରେ ପହଞ୍ଚିବେ । ସେମାନେ ବନାରସସ୍ଥିତ କାଶୀ ବିଶ୍ୱନାଥ ମନ୍ଦିରରୁ ବାବା ବିଶ୍ୱନାଥଙ୍କ ଶିବଲିଙ୍ଗ ସ୍ପର୍ଶ ହୋଇଥିବା ଶ୍ରୀରାମ ଲିଖିତ ୫ଟି ରୂପା ନିର୍ମିତ ବିଲ୍ୱପତ୍ର ଏବଂ ଗଙ୍ଗା ନଦୀରୁ ମାଟି ସହ ଅଯୋଧ୍ୟା ଗସ୍ତରେ ଆସିବେ ।

ସାମ୍ପ୍ରତିକ ସ୍ଥିତିରେ ଦେଶରେ କୋରୋନା ପ୍ରକୋପ ଜାରି ରହିଥିବା ବେଳେ ସାମାଜିକ ଦୂରତା ରକ୍ଷା ନିୟମ ପାଳନ କରି  ଭୂମି ପୂଜନ କାର୍ଯ୍ୟକ୍ରମ ଆୟୋଜନ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ଏହା ସହିତ ମଠ ମନ୍ଦିରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯିବା ସହ ଘରେ ଦୀପ ଜଳାଇ ଏହାକୁ ସ୍ୱାଗତ କରାଯିବ । ଏହା ସହିତ ସରଯୁ ନଦୀ କୂଳରେ ଭବ୍ୟ ମହାଆରତୀ କରାଯିବାର ରହିଛି । ରାମ ମନ୍ଦିର ଭୂମି ପୂଜନ ଅବସରରେ କୌଣସି ସାମୂହିକ କାର୍ଯ୍ୟକ୍ରମର ଆୟୋଜନ କରିବାକୁ ବାରଣ କରାଯାଇଛି । ଅଗଷ୍ଟ ୫ ତାରିଖରେ ହେବାକୁ ଯାଉଥିବା ଭୂମି ପୂଜନ କାର୍ଯ୍ୟକ୍ରମ ରେ ଦୀପାବଳୀର ଝଲକ ଦେଖିବାକୁ ମିଳିପାରେ।

କାଶୀ ବିଦ୍ୟା ପରିଷଦର ମନ୍ତ୍ରୀ ପ୍ରଫେସର ରାମନାରାୟଣ ଦ୍ୱିବେଦୀ କହିଛନ୍ତି, ଶ୍ରୀ କାଶୀବିଶ୍ୱନାଥ ବିଲ୍ୱପତ୍ର ଅଧିକ ପସନ୍ଦ କରନ୍ତି। ଏହି କାରଣରୁ କାଶୀଙ୍କ ରୂପା ବିଲ୍ୱ ପତ୍ର ଅର୍ଥାତ ବେଲ ପତ୍ର ଅଯୋଧ୍ୟାକୁ ନିଆଯାଉଛି। ରୂପା ଚିଠିରେ ଜୟ ଶ୍ରୀ ରାମ ଲେଖି ବାବା ବିଶ୍ୱନାଥଙ୍କୁ ସ୍ପର୍ଶ କରି ଭୂମି ପୂଜନ କାର୍ଯ୍ୟକ୍ରମରେ ସାମିଲ କରାଯିବ । ଯଦି ଭଗବାନ ଶିବଙ୍କ ଦ୍ୱାରା ଉତ୍ସର୍ଗୀକୃତ ବେଲପତ୍ର  ଶ୍ରୀରାମଙ୍କ ମନ୍ଦିରକୁ ଯାଏ, ଏହି ମନ୍ଦିରର ମହାନତା ବୃଦ୍ଧି ପାଇବ। ଏହା ସହିତ ମନ୍ଦିର ନିର୍ମାଣରେ କୌଣସି ପ୍ରକାର ବିଶୃଙ୍ଖଳା ହେବ ନାହିଁ ।

କାଶୀରୁ ରୂପା ବେଲ ପତ୍ର ବ୍ୟତୀତ ଚନ୍ଦନ କାଠ, ଗଙ୍ଗା ନଦୀର ମାଟି ମଧ୍ୟ ଅଯୋଧ୍ୟାକୁ ନିଆଯାଇପାରେ। ଏନେଇ ପଣ୍ଡିତଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ଶିଳାନ୍ୟାସ ସମୟରେ ଗଙ୍ଗା ନଦୀର ମାଟି ଅନ୍ତର୍ଭୂକ୍ତ କରାଯାଉ। ହେଲେ ଏହା ଉପରେ ଏବେ ବିଚାରବିମର୍ଶ କରାଯାଉଛି।ଅନ୍ୟପଟେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ କୁହାଯାଇଛି ସମଗ୍ର ଦେଶ ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀଙ୍କୁ ଅପେକ୍ଷା କରିଛି ଏବଂ ତାଙ୍କ ନେତୃତ୍ୱରେ ଶ୍ରୀ ରାମ ମନ୍ଦିରର ଭୂମି ପୂଜନ ହେବ। ଅଯୋଧ୍ୟା ବାସିନ୍ଦା ଏହି ଶୁଭ ଦିନକୁ ଏକ ପର୍ବ ଭାବରେ ପାଳନ କରିବାକୁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି ।