ଟ୍ରାକ୍ଟର ରାଲି ପାଇଁ ଦିଲ୍ଲୀ ପୋଲିସର ଗାଇଡଲାଇନ୍ସ ଜାରି, ଜାଣନ୍ତୁ କ`ଣ ରହିଛି ସର୍ତ୍ତ
ନୂଆ କୃଷି ଆଇନ ବିରୁଦ୍ଧରେ ପ୍ରାୟ ୬୦ ଦିନ ଧରି ଆନ୍ଦୋଳନ ଚଳାଇଥିବା କୃଷକଙ୍କ ପକ୍ଷରୁ ୭୨ତମ ସାଧାରଣତନ୍ତ୍ର ଦିବସ ଅବସରରେ ଟ୍ରାକ୍ଟର ରାଲି କରିବାକୁ ଘୋଷଣା କରାଯାଇଛି।
ନୂଆଦିଲ୍ଲୀ: କୃଷି ଆଇନ ୨୦୨୦ ବିରୁଦ୍ଧରେ ପ୍ରାୟ ୨ ମାସରୁ ଉର୍ଦ୍ଧ୍ୱ ସମୟ ଧରି ଆନ୍ଦୋଳନ ଚଳାଇଥିବା କୃଷକ ୭୨ତମ ସାଧାରଣତନ୍ତ୍ର ଦିବସ ଅବସରରେ ଟ୍ରାକ୍ଟର ରାଲି କରିବାକୁ ଘୋଷଣା କରିଛନ୍ତି। ଏନେଇ ସେମାନଙ୍କୁ ଦିଲ୍ଲୀ ପୋଲିସ ପକ୍ଷରୁ ସର୍ତ୍ତମୂଳକ ମଞ୍ଜୁରୀ ମିଳିଛି। ଏହି ରାଲି ପାଇଁ ପୋଲିସ ପକ୍ଷରୁ ଗାଇଡଲାଇନ୍ସ ଜାରି ହୋଇଛି।
ଟ୍ରାକ୍ଟର ରାଲି ଲାଗି ଜାରି ହୋଇଥିବା ଗାଇଡଲାଇନ୍ସ
ରାଲି ଆରମ୍ଭରେ କୃଷକ ନେତାଙ୍କ ଗାଡି ରହିବ ଏବଂ କୌଣସି ଟ୍ରାକ୍ଟର ଏହା ଠାରୁ ଆଗରେ ଯିବେ ନାହିଁ।
କୌଣସି ଗାଡି ରାଲି ଲାଗି ଧାର୍ଯ୍ୟ ହୋଇଥିବା ରୁଟ୍ ଠାରୁ ବାହାରକୁ ଯିବ ନାହିଁ। ଯଦି କେହି ଏହି ନିୟମ ଭାଙ୍ଗନ୍ତି ତାହେଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ୟୁନାଇଟେଡ୍ କିସାନ୍ ମୋର୍ଚ୍ଚା ନେଇଥିବା ନିଷ୍ପତ୍ତି ଅନୁସାରେ କୌଣସି ଗାଡି ରାସ୍ତାରେ ନନ୍ ଷ୍ଟପ୍ ଚାଲିବ। ଯଦି କେହି ଏଥିରେ ବାଧା ପହଞ୍ଚାନ୍ତି ତେହେଲେୃ ସ୍ୱେଚ୍ଛାସେବକ ସେମାନଙ୍କୁ ହଟାଇବେ
ଗୋଟିଏ ଗାଡିରେ ଡ୍ରାଇଭର ସମେତ ସର୍ବାଧିକ ୫ ଜଣ ଲୋକ ରହିବେ। କେହି ବୋନେଟ୍, ବମ୍ପର କିମ୍ବା ଛାତ ଉପରେ ବସିବେ ନାହିଁ।
ରାଲି ସମୟରେ ସମସ୍ତ ଟ୍ରାକ୍ଟର ଗୋଟିଏ ଧାଡିରେ ଚାଲିବେ। ରାଲି ସମୟରେ କେହି ପ୍ରତିଯୋଗିତାରେ ଭାଗ ନେଇଥିବା ଭଳି ଢଙ୍ଗରେ ଗାଡି ଚଲାଇ ପାରିବେ ନାହିଁ।
ଟ୍ରାକ୍ଟର ରାଲିରେ କୌଣସି ଡକାବାଜି ଯନ୍ତ୍ର କିମ୍ବା ମାଦକ ଦ୍ରବ୍ୟ ବ୍ୟବହାର କରାଯିବ ନାହିଁ।
ଗଣତନ୍ତ୍ର ଦିବସର ଶୋଭା ବଢାଯିବ ସହ ଲୋକଙ୍କ ହୃଦୟ ଜିତାଯିବ। ମହିଳା, ପୋଲିସ୍ ଯବାନ ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ସମ୍ମାନ ସହିତ ବ୍ୟବହାର କରିବାକୁ ନିର୍ଦ୍ଦେଶ ଜାରି ହୋଇଛି।
ପରେଡ ସମୟରେ ରାସ୍ତାରେ ଆବର୍ଜନା ନକାଇବା ଲାଗି କୁହାଯାଇଛି। ଅଳିଆ ପାଇଁ ପୃଥକ ଭାବରେ ଏକ ବ୍ୟାଗ ରଖିବାକୁ କୁହାଯାଇଛି।
ଏନେଇ ଦିଲ୍ଲୀ ପୋଲିସ ପକ୍ଷରୁ ରବିବାର କୁହାଯାଇଛି କୃଷକ ସଙ୍ଗଠନ ସହ କଥାବାର୍ତ୍ତା ହେବା ପରେ ସାଧାରଣତନ୍ତ୍ର ଦିବସରେ ଆୟୋଜିତ ହେବାକୁ ଥିବା ଟ୍ରାକ୍ଟର ରାଲି ଲାଗି ୩ଟି ରୁଟ ସ୍ଥିର କରାଯାଇଛି। ଆନ୍ଦୋଳନରତ କୃଷକଙ୍କ ପକ୍ଷରୁ ହେବାକୁ ଥିବା ପ୍ରଥମ ରାଲି ଦିଲ୍ଲୀ ସିଂଘୁ ବର୍ଡର ଠାରୁ କେଏମପି ଏକ୍ସପ୍ରେସ ୱେ ପର୍ଯ୍ୟନ୍ତ ହେବ। ପୁଣି ସେଠାରୁ କୃଷକ ରାଲି ଆରମ୍ଭ କରିଥିବା ସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିବେ। ମୋଟ ୬୨-୬୩ କିଲୋମିଟର ଦୂରତା ପର୍ଯ୍ୟନ୍ତ ହେବାକୁ ଥିବା ଏହି ରାଲି ସଞ୍ଜୟ ଗାନ୍ଧୀ ଟ୍ରାନ୍ସପୋର୍ଟ ନଗର, କଞ୍ଜାବଲା, ବୱନା, ଚଣ୍ଡି ବର୍ଡର ପର୍ଯ୍ୟନ୍ତ ଯିବ।
Also Read: କୃଷକ ଆନ୍ଦୋଳନ: ଆସନ୍ତା ୨୬ରେ ଟ୍ରାକ୍ଟର ରାଲି, ଓହରିବାକୁ ନାରାଜ କୃଷକ
କୃଷକଙ୍କ ଦ୍ୱିତୀୟ ରାଲି ଟିକରି ବର୍ଡର ଠାରୁ ବାହାରି ୱେଷ୍ଟର୍ଣ୍ଣ ପେରିଫେରିୟାଲ ଏକ୍ସପ୍ରେସ ୱେ (Western Peripheral Express Way) ପର୍ଯ୍ୟନ୍ତ ହେବ। ଏହି ରୁଟର ଲମ୍ବା ହେଉଛି ୬୩ କିଲୋମିଟର। ନାଗଲୋଇ, ନଜଫଗଡ, ଜାଡୌଦା ମଧ୍ୟରେ ଦ୍ୱିତୀୟ ରାଲି ଅନୁଷ୍ଠିତ ହେବ। ତୃତୀୟ ରାଲି ଗାଜିପୁର ଠାରେ ଆୟୋଜିତ ହେବ। ଏ ରୁଟର ଦୂରତା ହେଉଛି ୪୬ କିଲୋମିଟର। ଏହି ରାଲି ଅପ୍ସରା ବର୍ଡର, ହାପୁଡ ରୋଡ, କେଜିଟି ଏକ୍ସପ୍ରେସ ୱେ ମଧ୍ୟରେ ହେବ।
Also Read: Farmer Protest: ଆସନ୍ତାକାଲି ପୁଣି ଥରେ ଆଲୋଚନା
ନୂଆ କୃଷି ଆଇନ ବିରୁଦ୍ଧରେ ପ୍ରାୟ ୬୦ ଦିନ ଧରି ବିଭିନ୍ନ ରାଜ୍ୟର କୃଷକଙ୍କ ପକ୍ଷରୁ ଆନ୍ଦୋଳନ ଜାରି ରହିଛି। ଆନ୍ଦୋଳନରତ କୃଷକଙ୍କ ଦାବି ହେଉଛି ସର୍ବନିମ୍ନ ସହାୟକ ମୂଲ୍ୟ-ଏମଏସପି (Minimum Support Price-MSP) ଆଇନଗତ ଗ୍ୟାରେଣ୍ଟି ଦେବା ଏବଂ ୩ଟି ନୂତନ କୃଷି ଆଇନକୁ ରଦ୍ଦ କରିବାକୁ କୃଷକ ଦାବି କରିଛନ୍ତି।