ଗାନ୍ଧୀଙ୍କ ଦେଶରେ ଗାନ୍ଧୀଙ୍କ ବିଚାରର ହତ୍ୟା !
Advertisement
Article Detail0/zeeodisha/odisha758370

ଗାନ୍ଧୀଙ୍କ ଦେଶରେ ଗାନ୍ଧୀଙ୍କ ବିଚାରର ହତ୍ୟା !

ପ୍ରତିବର୍ଷ ଅକ୍ଟୋବର ୨ରେ ଦେଶବ୍ୟାପୀ ପାଳନ ହେଉଛି ଗାନ୍ଧୀ ଜୟନ୍ତୀ । ଏହି ଦିନକୁ ଜାତୀୟ ଛୁଟି ଦିନ ଭାବେ ମଧ୍ୟ ଭାରତ ସରକାର ଘୋଷଣା କରିଛନ୍ତି । ସେପଟେ ଜାତିସଙ୍ଘ ସାଧରଣ ପରିଷଦର ଅନୁମୋଦନ କ୍ରମେ ୨୦୦୭ରୁ ମହାତ୍ମା ଗାନ୍ଧୀଙ୍କ ଜନ୍ମ ଦିନକୁ ଅନ୍ତର୍ଜାତୀୟ ଅହିଂସା ଦିବସ ଭାବେ ମଧ୍ୟ ପାଳିତ ହେଉଛି ।

ଗାନ୍ଧୀଙ୍କ ଦେଶରେ ଗାନ୍ଧୀଙ୍କ ବିଚାରର ହତ୍ୟା !

ଶଙ୍କର୍ଷଣ ବାଘ, ନୂଆଦିଲ୍ଲୀ: ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୧ତମ ଜନ୍ମ ଜୟନ୍ତୀ । ଏହି ଅବସରରେ ରାଜଘାଟରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଆଉ ଟ୍ୱିଟ କରି ଗାନ୍ଧୀଙ୍କ ବିଚାର ଓ ଦେଶ ପ୍ରତିଥିବା ଅବଦାନକୁ ମନେ ପକାଇଛନ୍ତି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଅନେକ ନାମିଦାମି ବ୍ୟକ୍ତିବିଶେଷ ।

ପ୍ରତିବର୍ଷ ଅକ୍ଟୋବର ୨ରେ ଦେଶବ୍ୟାପୀ ପାଳନ ହେଉଛି ଗାନ୍ଧୀ ଜୟନ୍ତୀ । ଏହି ଦିନକୁ ଜାତୀୟ ଛୁଟି ଦିନ ଭାବେ ମଧ୍ୟ ଭାରତ ସରକାର ଘୋଷଣା କରିଛନ୍ତି । ସେପଟେ ଜାତିସଙ୍ଘ ସାଧରଣ ପରିଷଦର ଅନୁମୋଦନ କ୍ରମେ ୨୦୦୭ରୁ ମହାତ୍ମା ଗାନ୍ଧୀଙ୍କ ଜନ୍ମ ଦିନକୁ ଅନ୍ତର୍ଜାତୀୟ ଅହିଂସା ଦିବସ ଭାବେ ମଧ୍ୟ ପାଳିତ ହେଉଛି ।

ତେବେ ମହାତ୍ମା ଗାନ୍ଧୀଙ୍କ ଜନ୍ମ ଦିନ ଏବେ କେବଳ ଗୋଟିଏ ଛୁଟିରେ ସିମିତ ରଖିଛି । ଲୋକେ ଗାନ୍ଧୀଙ୍କ ଚିନ୍ତାଧାରା ଓ ବିଚାରକୁ ଭୁଲି ଗଲେଣି। ମୋହନ ଦାସ କରମଚାନ୍ଦ ଗାନ୍ଧୀ ପରାଧିନ ଭାରତରେ ଯେଉଁ ସ୍ୱପ୍ନ ଦେଖିଥିଲେ ତାହା ଆଜି ଚୁରମାର ହୋଇଯାଇଛି । ସେ ସବୁବେଳେ ଭାରତରେ ରାମ ରାଜ୍ୟର କଳ୍ପନା କରୁଥିଲେ। କିନ୍ତୁ ବର୍ତ୍ତମାନ ସ୍ଥିତିରେ ଆମେ ଓଲଟା ଦେଖିବାକୁ ପାଉଛୁ ।

ଅଧିକ ପଢ଼ନ୍ତୁ:-ଜାଣନ୍ତୁ ଆସାମର SI ଭର୍ତ୍ତି ପେପର ଲିକ୍ ମାମଲା କ’ଣ ? ଯେଉଁଥିରେ ଗିରଫ ହେଲେ ବିଜେପି ନେତା

ମହାତ୍ମା ଗାନ୍ଧୀଙ୍କୁ ଅହିଂସାର ପୂଜାରୀ ବୋଲି କୁହାଯାଏ। ଆଉ ସେ ଏହି ନୀତିକୁ ଅକ୍ଷରେ ଅକ୍ଷରେ ପାଳନ କରୁଥିଲେ । ଗାନ୍ଧୀଙ୍କ ବିଚାରରେ ଅନୁପ୍ରାଣିତ ହେଉଥିବା ଅନେକ ବ୍ୟକ୍ତି ନୋବେଲ ପୁରସ୍କାର ମଧ୍ୟ ପାଇଛନ୍ତି । ଆବ୍ରାହମ ଲିଙ୍କନଙ୍କଠୁ ଆରମ୍ଭ କରି କୈଳାସ ସତ୍ୟାର୍ଥିଙ୍କ ପର୍ଯ୍ୟନ୍ତ ସମସ୍ତେ ଗାନ୍ଧୀଙ୍କୁ ନିଜ ଗୁରୁଭାବେ ଆଦରି ନେଇଥିଲେ ।

ସେପଟେ କିନ୍ତୁ ଗତ କିଛି ଦଶନ୍ଧି ହେବ ଗାନ୍ଧୀଙ୍କ ଦେଶ ଏହି ଭାରତ ମାଟିରେ ଲଗାତାର ହିଂସା, ଅପରାଧ ଓ ଭ୍ରଷ୍ଟାଚାର ବଢିବାରେ ଲାଗିଛି । ସବୁବେଳେ ଦଙ୍ଗା, ହତ୍ୟା, ଦୁଷ୍କର୍ମ, ଚୋରି-ଡକାୟତି ପରି ମାମଲା ସାମନାକୁ ଆସୁଛି। ସେପଟେ ଏକାଧିକ ସର୍ଭେ ରିପୋର୍ଟ ଅନୁଯାୟୀ ଭାରତରେ ଅପରାଧ ମଧ୍ୟ ବୃଦ୍ଧି ପାଉଛି। ମହିଳା, ଶିଶୁ ଓ ପର୍ଯ୍ୟଟକଙ୍କ ସୁରକ୍ଷାରେ ବି ଆମେ ବିଫଳ ।

କେବଳ ସେତିକି ନୁହେଁ। ଯେଉଁ ପଛୁଆ ଦଳିତ ବର୍ଗଙ୍କୁ ସମାଜର ମୁଖ୍ୟସ୍ରୋତକୁ ଆଣିବା ପାଇଁ ଗାନ୍ଧି ଚେଷ୍ଟା କରିଥିଲେ, ସେମାନେ ଆଜି ବି ନିଷ୍ପେଷିତ । ଜାତିଭେଦ ଦୂର କରିବା ଉଦ୍ଦେଶ୍ୟରେ ସେ ଦଳିତଙ୍କୁ ଭଗବାନଙ୍କ ସନ୍ତାନ ବା ହରିଜନର ଆକ୍ଷା ଦେଇଥିଲେ । କିନ୍ତୁ ଆଜି ବି ସେମାନେ ଭେଦଭାବର ଶିକାର ହେଉଛନ୍ତି। ବିଭନ୍ନ ସ୍ଥାନରେ ପଛୁଆ ବର୍ଗଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ବି ଦିଆ ଯାଉଛି। ଏହି ପରିପେକ୍ଷୀରେ ଗାନ୍ଧୀଙ୍କ ଜନ୍ମ ଦିନ ପାଳନର କୌଣସି ମହତ୍ୱ ରହୁନାହିଁ ।

ଯଦିଓ ସେ ଭାରତରେ ଜନ୍ମ ଗ୍ରହଣ କରିଥିଲେ, କିନ୍ତୁ ଆଜି ତାଙ୍କୁ ସମଗ୍ର ବିଶ୍ୱ ସମ୍ମାନ ଜଣାଉଛି । ଅହିଂସା ପରାୟଣ ତଥା ଗାନ୍ଧୀବାଦୀ ନେତା ତାଙ୍କୁ ନିଜର ଆଦର୍ଶ ଭାବେ ବାଛି ନେଇଛନ୍ତି । କିନ୍ତୁ ଭାରତରେ ମହାତ୍ମା ଗାନ୍ଧୀ ଏବେ ଅବହେଳିତ । ତାଙ୍କର ସଜ୍ଞା 'ଗାନ୍ଧୀ' କେବଳ ଗୋଟିଏ ରାଜନୈତିକ ଦଳର ପରିଚୟ ହୋଇ ରହିଯାଇଛି ।