ମହାମେଣ୍ଟକୁ ଲାଗିପାରେ ଝଟକା, ବିହାର ନିର୍ବାଚନରେ ଏକାକୀ ଲଢିପାରେ କଂଗ୍ରେସ
Advertisement
Article Detail0/zeeodisha/odisha756218

ମହାମେଣ୍ଟକୁ ଲାଗିପାରେ ଝଟକା, ବିହାର ନିର୍ବାଚନରେ ଏକାକୀ ଲଢିପାରେ କଂଗ୍ରେସ

ଆସନ ଭାଗବଣ୍ଟାକୁ ନେଇ ମହାମେଣ୍ଟରେ ବର୍ତ୍ତମାନ ଛକାପଞ୍ଝା ଜାରି ରହିଛି । ଏଥର ଅଧିକ ଆସନ ହାତେଇବାକୁ ଚାହୁଁଛି କଂଗ୍ରେସ । ଏପରିକି ମେଣ୍ଟର ନେତୃତ୍ୱ ନେଉଥିବା ଆରଜେଡି ସମ୍ମୁଖରେ ଏହି ପ୍ରସ୍ତାବ ରଖିଛି ଦଳ । ଏନେଇ କଂଗ୍ରେସ ପକ୍ଷରୁ କୁହାଯାଇଛି ଦଳକୁ ଆରଏଲଏସପି କିମ୍ବା ହାମ ଭଳି ଦବାଇ ରଖାଯାଇ ପାରିବ ନାହିଁ ।

ମହାମେଣ୍ଟକୁ ଲାଗିପାରେ ଝଟକା, ବିହାର ନିର୍ବାଚନରେ ଏକାକୀ ଲଢିପାରେ କଂଗ୍ରେସ

ପାଟନା: ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ହେବାକୁ ଯାଉଛି ବିହାର ବିଧାନସଭା ନିର୍ବାଚନ (Bihar Assembly Poll 2020)। ଏଥିଲାଗି ସମୟ ଦିନକୁ ଦିନ ନିକଟତର ହେଉଥିବା ବେଳେ ଆସନ ଭାଗବଣ୍ଟାକୁ ନେଇ ବିଭିନ୍ନ ମେଣ୍ଟରେ ସାମିଲ ଥିବା ଅଂଶୀଦାର ଦଳଙ୍କ ମଧ୍ୟରେ ଛକାପଞ୍ଝା ଜାରି ରହିଛି । ଏଥରର ନିର୍ବାଚନରେ ମହାମେଣ୍ଟ (Grand Alliance) ଓ ଏନଡିଏ (NDA) ମଧ୍ୟରେ ଦ୍ୱିକୋଣୀୟ ମୁକାବିଲା ଦେଖିବାକୁ ମିଳିପାରେ ।
  
ମହାମେଣ୍ଟରେ ସାମିଲ ଥିବା ଦଳ ହେଉଛନ୍ତି ରାଷ୍ଟ୍ରୀୟ ଜନତା ଦଳ-ଆରଜେଡି (RJD-Rastriya Janata Dal), କଂଗ୍ରେସ (Congress), ବିକାଶଶୀଳ ଇନସାନ ପାର୍ଟି-ଭିଆଇପି (VIP-Vikassheel Insaan Party)। ପୂର୍ବରୁ ଏଥିରେ ସାମିଲ ଥିବା ହିନ୍ଦୁସ୍ତାନୀ ଆୱାମୀ ମୋର୍ଚ୍ଚା-ହାମ (Hindustani Awam Morcha-HAM), ରାଷ୍ଟ୍ରୀୟ ଲୋକସମତା ପାର୍ଟି-ଆରଏଲଏସପି (Rashtriya Lok Samta Party) ଏବେ ମହାମେଣ୍ଟ ଛାଡି ଏବେ ଏନଡିଏ ମୁହାଁ ହୋଇଛନ୍ତି ।

ସେହିପରି ଏନଡିଏ ମେଣ୍ଟରେ ସାମିଲ ଥିବା ଦଳ ହେଉଛନ୍ତି ଜନତାଦଳ ୟୁନାଇଟେଡ-ଜେଡିୟୁ (Janata Dal United-JDU), ଭାରତୀୟ ଜନତା ପାର୍ଟି-ବିଜେପି (BJP-Bharatiya Janata Party), ଲୋକ ଜନଶକ୍ତି ପାର୍ଟି-ଏଲଜେପି (LJP-Lok Janashakti Party)।

ଆସନ ଭାଗବଣ୍ଟାକୁ ନେଇ ମହାମେଣ୍ଟରେ ବର୍ତ୍ତମାନ ଛକାପଞ୍ଝା ଜାରି ରହିଛି । ଏଥର ଅଧିକ ଆସନ ହାତେଇବାକୁ ଚାହୁଁଛି କଂଗ୍ରେସ । ଏପରିକି ମେଣ୍ଟର ନେତୃତ୍ୱ ନେଉଥିବା ଆରଜେଡି ସମ୍ମୁଖରେ ଏହି ପ୍ରସ୍ତାବ ରଖିଛି ଦଳ । ଏନେଇ କଂଗ୍ରେସ ପକ୍ଷରୁ କୁହାଯାଇଛି ଦଳକୁ ଆରଏଲଏସପି କିମ୍ବା ହାମ ଭଳି ଦବାଇ ରଖାଯାଇ ପାରିବ ନାହିଁ ।
 
ନିର୍ବାଚନର ଅବ୍ୟବହିତ ପୂର୍ବରୁ ୨ ଦିନିଆ ବିହାର ଗସ୍ତରେ ଆସିଥିବା କଂଗ୍ରେସ ସ୍କ୍ରିନିଂ କମିଟି ଅଧ୍ୟକ୍ଷ (Congress Screening Committee) ଅବିନାଶ ପାଣ୍ଡେଙ୍କ ବୟାନ ପରେ କଂଗ୍ରେସର ଆଭମୁଖ୍ୟ ସ୍ପଷ୍ଟ ହେବାରେ ଲାଗିଛି । 
ଚଳିତ ନିର୍ବାଚନକୁ ନେଇ ସେ ଦଳର ବିଧାୟକ, ପୂର୍ବତନ ବିଧାୟକ, ସାଂସଦ, ପୂର୍ବତନ ସାଂସଦ, ବିଧାନ ପରିଷଦ ସଦସ୍ୟ-ଏମଏଲସି (Member of Legislative Council), ପୂର୍ବତନ ଏମଏଲସି, ଦଳୀୟ ସଙ୍ଗଠନ ଦାୟିତ୍ୱରେ ଥିବା ନେତାଙ୍କ ସହ ଚର୍ଚ୍ଚା କରି ସେମାନଙ୍କର ମତାମତ ନେଉଛନ୍ତି ।    
 
ଚଳିତ ବିହାର ବିଧାନସଭା ନିର୍ବାଚନ ଉପରେ ମତ ରଖି ସେ କହିଛନ୍ତି ରାଜ୍ୟର ସମସ୍ତ ୨୪୩ଟି ଆସନରେ ନିର୍ବାଚନୀ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରାଯାଇଛି । ଏପରିକି ଦଳର ସମସ୍ତ ଜିଲ୍ଲା ସଭାପତିଙ୍କ ମତାମତ ନିଆଯାଇଛି । ଦଳ ଦୁଇଟି ବିକଳ୍ପ ଉପରେ ଗୁରୁତ୍ୱ ଦେଉଛି । ଗୋଟିଏ ହେଉଛି ଏକୁଟିଆ ନିର୍ବାଚନ ଲଢିବା ଅନ୍ୟଟି ମହାଗଠବନ୍ଧନରେ ଅଂଶୀଦାର ହୋଇ ପ୍ରତିଦ୍ୱନ୍ଦିତା କରିବା । ୧୦ ବର୍ଷ ଗଠବନ୍ଧନରେ ରହି ନିର୍ବାଚନୀ ଫଳାଫଳକୁ ଦେଖିଛୁ । ଦଳ ଏବେ ନିଜ ଶକ୍ତି ବଳରେ ନିର୍ବାଚନ ଲଢିବ । ନିର୍ବାଚନ ପୂର୍ବରୁ ଦଳୀୟ ନେତା, କର୍ମୀ, ସମର୍ଥକଙ୍କ ପକ୍ଷରୁ ମିଳିଥିବା ମତାମତ ଅନୁସାରେ ଯଦି ଦଳ ମହାମେଣ୍ଟରେ ରହିବାକୁ ଚାହେଁ ତାହେଲେ ଅଧିକ ଆସନ ଆଣୁ ଅଥବା ଏକୁଟିଆ ନିର୍ବାଚନ ଲଢୁ ।  

ମହାମେଣ୍ଟରେ ରହି କଂଗ୍ରେସ ଏଥର ୮୦ଟି ଆସନରେ ପ୍ରତିଦ୍ୱନ୍ଦିତା କରିବାକୁ ଚାହୁଁଛି । ଅନ୍ୟପଟେ ମହାମେଣ୍ଟର ନେତୃତ୍ୱ ନେଉଥିବା ଆରଜେଡି, ଏ ବାବଦରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିନାହିଁ । ପୂର୍ବରୁ କଂଗ୍ରେସ ନେତା ନିଖିଲ କୁମାର କହିଥିଲ ଦଳକୁ ଏଥର ମହାଗଠବନ୍ଧନରେ ଅଧିକ ଆସନ ମିଳିବା ଦରକାର । ଏଥିଲାଗି ଆରଜେଡି ସହିତ ବୁଝାମଣା କରିବା ଦରକାର । ଦଳ ଏଥର ମେଣ୍ଟରୁ ସମ୍ମାନ ଜନକ ଆସନ ଚାହୁଁଛି । 

ମହାଗଠବନ୍ଧନର ସୃଷ୍ଟି ହୋଇଥିବା ସ୍ଥିତି ଲାଗି ଆରଜେଡିର ନେତୃତ୍ୱ ନେଉଥିବା ତେଜସ୍ୱୀ ଯାଦବଙ୍କୁ ଟାର୍ଗେଟ କରିଛି ଏନଡିଏ । ଏପରିକି ମେଣ୍ଟ ପକ୍ଷରୁ କୁହାଯାଇଛି ତାଙ୍କର ନେତୃତ୍ୱକୁ ଗ୍ରହଣ କରିବା ଲାଗି କେହି ଚାହୁଁନାହାଁନ୍ତି । ବର୍ତ୍ତମାନ କଂଗ୍ରେସ ଆରେଜଡି ଉପରେ ଚାପ ପକାଇ ଅଧିକ ଆସନ ହାତେଇବାକୁ ମସୁଧା କରିଛି । ଅନ୍ୟପଟେ ଆରଜେଡି ଏହା ଉପରେ ପଦକ୍ଷେପ କ'ଣ ନେଉଛି ତାହା ଦେଖିବାକୁ ବାକି ରହିଲା ।