କେରଳକୁ ଡେଇଁଲା ହିଜାବ ନିଆଁ ! ସ୍କୁଲରେ ଛାତ୍ରୀଙ୍କୁ ମିଳିଲାନି ପ୍ରବେଶ ଅନୁମତି, ବଢ଼ିଲା ବିବାଦ
Advertisement
Article Detail0/zeeodisha/odisha1370468

କେରଳକୁ ଡେଇଁଲା ହିଜାବ ନିଆଁ ! ସ୍କୁଲରେ ଛାତ୍ରୀଙ୍କୁ ମିଳିଲାନି ପ୍ରବେଶ ଅନୁମତି, ବଢ଼ିଲା ବିବାଦ

Hijab Case:  କେରଳର କୋଝିକୋଡେରେ ହିଜାବ ପିନ୍ଧିଥିବା ଜଣେ ଯୁକ୍ତ ଦୁଇ ଛାତ୍ରୀଙ୍କୁ ମିଳିନଥିଲା ସ୍କୁଲରେ ପ୍ରବେଶ ଅନୁମତି । ଏହାକୁ ନେଇ କେରଳରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ ହୋଇଛି । ଏପଟେ ସୁପ୍ରିମକୋର୍ଟରେ ହିଜାବ ମାମଲାର ଶୁଣାଣି ଶେଷ ହୋଇଥିଲେ ବି ରାୟ ସଂରକ୍ଷିତ ରଖିଛନ୍ତି ସର୍ବୋଚ୍ଚ କୋର୍ଟ । ଭାରତରେ ହିଜାବ ସମର୍ଥନରେ ଆନ୍ଦୋଳନ ତେଜୁଥିବାବେଳେ ବିଦେଶରେ ହିଜାବ ବିରୋଧରେ ସ୍ୱର ଉଠାଉଛନ୍ତି ମହିଳା । 

କେରଳକୁ ଡେଇଁଲା ହିଜାବ ନିଆଁ ! ସ୍କୁଲରେ ଛାତ୍ରୀଙ୍କୁ ମିଳିଲାନି ପ୍ରବେଶ ଅନୁମତି, ବଢ଼ିଲା ବିବାଦ

Hijab Case: କର୍ଣ୍ଣାଟକ ପରେ କେରଳକୁ ଡେଇଁଲା ହିଜାବ ନିଆଁ । ହିଜାବ ମାମଲାରେ ସୁପ୍ରିମକୋର୍ଟ ରାୟ ସଂରକ୍ଷିତ ରଖିଥିବାବେଳେ ବିଭିନ୍ନ ସ୍ଥାନରେ ହିଜାବକୁ ନେଇ ବିବାଦ ବଢିଛି । କେରଳର କୋଝିକୋଡେରେ ହିଜାବ ପିନ୍ଧିଥିବା ଜଣେ ଯୁକ୍ତ ଦୁଇ ଛାତ୍ରୀଙ୍କୁ ସ୍କୁଲରେ ପ୍ରବେଶ ପାଇଁ ଅନୁମତି ନ ମିଳିବାରୁ ପ୍ରତିବାଦରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ ହୋଇଛି । 

କୋଝିକୋଡ଼େ ମହିଳା ଉଚ୍ଚମାଧ୍ୟମିକ ସ୍କୁଲ୍ ସମ୍ମୁଖରେ ଭାରତୀୟ ଇସଲାମିକ ଛାତ୍ର ସଂଗଠନ ଓ ମୁସଲିମ ଛାତ୍ର ସଂଘ ପକ୍ଷରୁ ତୀବ୍ର ବିରୋଧ ପ୍ରଦର୍ଶନ ହୋଇଛି । ସ୍କୁଲରେ ଏପରି ଘଟଣା ଘଟିଥିବାରୁ ମୁସଲିମ ଛାତ୍ର ସଂଗଠନ ସ୍କୁଲ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି । ଏପରିକି ସ୍କୁଲ କର୍ତ୍ତୃପକ୍ଷ ଅସାମ୍ବିଧାନିକ ପଦକ୍ଷେପ ନେଉଥିବାରୁ ସ୍କୁଲ୍‌ ଅନୁମୋଦନ ବାତିଲ୍ କରିବାକୁ ଶିକ୍ଷା ବିଭାଗକୁ ଅନୁରୋଧ କରିଛି ସଂଗଠନ। 

ସେପଟେ ସୁପ୍ରିମକୋର୍ଟରେ ହିଜାବ ମାମଲାର ଶୁଣାଣି ଗତ ୨୨ ତାରିଖରେ ଶେଷ ହୋଇଥିବାବେଳେ ରାୟ ସଂରକ୍ଷିତ ରଖିଛନ୍ତି କୋର୍ଟ। କର୍ଣ୍ଣାଟକ ହିଜାବ ବିବାଦ ମାମଲାରେ ସେପ୍ଟମ୍ବର ୧୨ରୁ ଶୁଣାଣି ଆରମ୍ଭ ହୋଇଥିଲା । ୧୦ ଦିନ ଧରି ସୁପ୍ରିମକୋର୍ଟରେ ଉଭୟ ପକ୍ଷ ଯୁକ୍ତି ଉପସ୍ଥାପନ କରିଥିଲେ । ଶୁଣାଣି କାଳରେ ହିଜାବ ସମର୍ଥନରେ ୨୦ରୁ ଅଧିକ ଓକିଲ, କର୍ଣ୍ଣାଟକ ସରକାର ଯୁକ୍ତି ରଖିଥିଲେ । ଏହାସହିତ ସ୍କୁଲ ଓ କଲେଜ ଶିକ୍ଷକ, ଅଧ୍ୟାପକଙ୍କ ପକ୍ଷରୁ ମଧ୍ୟ ଯୁକ୍ତି ଉପସ୍ଥାପିତ ହୋଇଥିଲା । ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ହେମନ୍ତ ଗୁପ୍ତା ଓ ଜଷ୍ଟିସ୍ ସୁଧାଂଶୁ ଧୂଲିଆଙ୍କ ଖଣ୍ଡପୀଠ, ମାମଲାର ଶୁଣାଣି ଶେଷ କରିଥିବାବେଳେ ରାୟ ସଂରକ୍ଷିତ ରଖିଥିଲେ ।  

କର୍ଣ୍ଣାଟକ ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ମୁସଲିମ ସଂଗଠନ । କର୍ଣ୍ଣାଟକ ହାଇକୋର୍ଟ ମାର୍ଚ୍ଚ ୧୫ ତାରିଖରେ ମୁସଲିମ୍ ମହିଳା ହିଜାବ ପିନ୍ଧିବା ଇସଲାମ ଅନିବାର୍ଯ୍ୟ ଅଂଶ ନୁହେଁ ବୋଲି ରାୟ ଶୁଣାଇଥିଲେ । ଏହାସହିତ ସ୍କୁଲ କଲେଜରେ ୟୁନିଫର୍ମ ନିୟମ ପାଳନ ପାଇଁ ହାଇକୋର୍ଟ ରାୟ ଶୁଣାଇଥିଲେ । ସେପଟେ ହାଇକୋର୍ଟଙ୍କ ରାୟକୁ ଚାଲେଞ୍ଜ କରି ଆବେଦନକାରୀ ସୁପ୍ରମକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ହିଜାବ ପିନ୍ଧିବା ମୁସଲିମ ଝିଅମାନଙ୍କର ଅଧିକାର ବୋଲି ମୁସଲିମ ସଂଗଠନ ଦାବି କରିଥିଲା । 

କର୍ଣ୍ଣାଟକର ଉଡୁପି ସ୍ଥିତ ସରକାରୀ ପିୟୁ କଲେଜରେ ହିଜାବ୍ ପରିହିତା ଛାତ୍ରୀଙ୍କ ପ୍ରବେଶ ଉପରେ କଟକଣା ଲଗାଯିବା ପରେ ଏହାକୁ ନେଇ ବିବାଦ ବୃଦ୍ଧି ପାଇଥିଲା । ହିଜାବ ଉପରେ କଟକଣା ଯୋଗୁଁ ଏପର୍ଯ୍ୟନ୍ତ କର୍ଣ୍ଣାଟକରେ ୧୭ ହଜାର ଛାତ୍ରୀ ସ୍କୁଲ ଛାଡିଥିବା ସମର୍ଥକ ଗୋଷ୍ଠୀ ଦାବି କରିଛନ୍ତି । 

ଭାରତରେ ହିଜାବ ପିନ୍ଧିବା ସପକ୍ଷରେ ଆନ୍ଦୋଳନ ହେଉଥିବାବେଳେ ଇରାନ୍‌ ସମେତ ବିଭିନ୍ନ ମୁସଲିମବହୁଳ ଦେଶରେ ହିଜାବରୁ ନାରୀକୁ ମୁକ୍ତ କରିବା ପାଇଁ ଆନ୍ଦୋଳନ ଜୋରଦାର ହୋଇଛି । ଇରାନରେ ହିଜାବ ପିନ୍ଧି ନଥିବାରୁ ମଶା ଅମିନୀ ନାମକ ଜଣେ ୨୨ ବର୍ଷୀୟା ଯୁବତୀଙ୍କୁ ଇରାନ ମୋରାଲିଟି ପୋଲିସ ଅଟକ ରଖିଥିଲା। ଜେଲରେ ଅମିନୀଙ୍କ ମୃତ୍ୟୁ ପରେ ଗତ ସପ୍ତାହେ ଧରି ଦେଶର ବିଭିନ୍ନ ସ୍ଥାନରେ ହିଜାବ ବିରୋଧରେ ମହିଳାମାନେ ପ୍ରଦର୍ଶନ ଜାରି ରଖିଛନ୍ତି । ହିଜାବରୁ ନାରୀକୁ ମୁକ୍ତି କରିବାକୁ ମହିଳାମାନେ ଦାବି କରଛନ୍ତି । 

ଏପରିକି ଆନ୍ଦୋଳନକୁ ଚପାଇବା ପାଇଁ ଇରାନ ସେନା ବିକ୍ଷୋଭକାରୀଙ୍କ ଉପରେ ଗୁଳିମାଡ଼ କରୁଥିବା ଦେଖିବାକୁ ମିଳିଛି । ହିଜାବ ବିରୋଧୀ ଆନ୍ଦୋଳନ ନେତୃତ୍ୱ ନେଉଥିବା ୨୦ ବର୍ଷୀୟା ଯୁବତୀ ହଦୀସ ନଜାଫିଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ସୁରକ୍ଷାବାହିନୀ ତାଙ୍କ ଉପରକୁ ୬ ରାଉଣ୍ଡ ଗୁଳି ଚଳାଇଥିଲା । 

ଆନ୍ଦୋଳନକୁ ଦବାଇବା ଲାଗି ହ୍ୱାଟସଆପ ଓ ଇନଷ୍ଟାଗ୍ରାମ ସେବା ଉପରେ କଟକଣା ଲଗାଯାଇଛି । ଇରାନରେ ଗତ ୧୦ ଦିନ ମଧ୍ୟରେ ହିଜାବ ବିରୋଧୀ ଆନ୍ଦୋଳନରେ ପ୍ରାୟ ୭୬ ଜଣ ପ୍ରାଣ ହରାଇଛନ୍ତି । ଏହାସହିତ ୭୦୦ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି । ଇରାନ ପରେ ଅନେକ ଦେଶର ମହିଳା ହିଜାବ ବିରୋଧରେ ସ୍ୱର ତୀବ୍ର କରୁଛନ୍ତି । ଅନେକ ଦେଶର ମହିଳା ସୋସିଆଲ ମିଡିଆରେ ଇରାନୀୟ ମହିଳାଙ୍କୁ ସମର୍ଥନ କରୁଛନ୍ତି । କାନାଡା, ଲଣ୍ଡନ ଏବଂ ପ୍ୟାରିସ ପରି ୟୁରୋପୀୟ ସହରରେ ମଧ୍ୟ ହିଜାବ ବିରୋଧୀ ଆନ୍ଦୋଳନ ବଢ଼ିବାରେ ଲାଗିଛି । ସର୍ବସାଧାରଣରେ ଆନ୍ଦୋଳନକାରୀ ମହିଳା ହିଜାବ ପୋଡିବା ସହ ନିଜର କେଶ କାଟି ପ୍ରତିବାଦ କରୁଛନ୍ତି ।