ସୁନନ୍ଦନ ମିଶ୍ର, ନୂଆଦିଲ୍ଲୀ: ବର୍ଷ ୨୦୨୦ ସରୁ ସରୁ ଭାରତୀୟ କ୍ରିକେଟପ୍ରେମୀଙ୍କୁ ଏକ ମିଶ୍ରିତ ଅନୁଭୂତି ଦେଇଯାଇଛି। ଅଷ୍ଟ୍ରେଲିଆ ଗସ୍ତରେ ଥିବା ଟିମ୍ ଇଣ୍ଡିଆ ଆଡିଲେଡରେ ଖେଳାଯାଇଥିବା ବର୍ଡର ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟ ମ୍ୟାଚରେ ଅତି ଶୋଚନୀୟ ପରାଜୟ ଲାଭ କରିଥିଲା। ଦ୍ୱିତୀୟ ଇନିଂସରେ ବିରାଟ ବାହୀନି ମାତ୍ର ୩୬ ରନରେ ଅଲଆଉଟ୍ ହେବା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଥିଲା। କ୍ରିକେଟପ୍ରେମୀ ନିରାଶ ହୋଇ ସିରିଜ୍ ବିଜୟ ଆଶା ଛାଡ଼ି ଦେଇଥିଲେ। କିନ୍ତୁ ମେଲବୋର୍ଣ୍ଣରେ ବକ୍ସିଂ ଡେ' ଟେଷ୍ଟରେ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଦଳ ଯେମିତି ପ୍ରତ୍ୟାବର୍ତ୍ତନ କଲା, ତାହା ପୁଣି ଥରେ ଭାରତୀୟ କ୍ରିକେଟପ୍ରେମୀଙ୍କ ମନରେ ଜୋସ୍ ଭରି ଦେଇଛି।


COMMERCIAL BREAK
SCROLL TO CONTINUE READING

ମେଲବୋର୍ଣ୍ଣରେ ବକ୍ସିଂ ଡେ' ଟେଷ୍ଟ ବିଜୟ ପରେ ଲାଗୁଛି ବୋଧ ହୁଏ ସିଡନୀର ତୃତୀୟ ଟେଷ୍ଟରେ ମଧ୍ୟ ଟିମ୍ ଇଣ୍ଡିଆ (Team India) କଙ୍ଗାରୁ ଦଳ (Austalia Cricket Team) କୁ ମାତ୍ ଦେବାକୁ ସକ୍ଷମ ହେବ। କିନ୍ତୁ ଆଡିଲେଡରେ ସାଙ୍ଘାତିକ ପରାଜୟ ପରେ ଟିମ୍ କେମିତି ମେଲବୋର୍ଣ୍ଣରେ ପ୍ରତ୍ୟାବର୍ତ୍ତନ କଲା? ଏତେ ବଡ଼ ପରାଜୟ ଦଳର ମନୋବଳକୁ ଦୋହଲାଇ ଦେଇଥିବ ନିଶ୍ଚୟ। କିନ୍ତୁ ଦଳ ପ୍ରତ୍ୟାବର୍ତ୍ତନ କରି ବିଜୟୀ ହେବା ଅନେକ କାହାଣୀ କହୁଛି। ଆଉ ସେ କାହାଣୀକୁ ସମସ୍ତଙ୍କ ଆଗରେ ରଖିଛନ୍ତି ଦଳର ପ୍ରମୁଖ ସ୍ପିନ୍ ବୋଲର୍ ରବିଚନ୍ଦ୍ରନ୍ ଅଶ୍ୱିନ୍ (Ravichandran Ashwin)। 


Also Read: IPL-2022ରେ ୧୦ ଟିମ୍, ଅଲମ୍ପିକରେ ସାମିଲ ହେବ କ୍ରିକେଟ!


BCCI ର ଅଫିସିଆଲ୍ ୱେବସାଇଟ୍ bcci.tvରେ ଦେଇଥିବା ଏକ ସାକ୍ଷାତକାରରେ ଅଶ୍ୱିନ୍ ପୂରା ଘଟଣାକ୍ରମ ଓ ଅଭିଜ୍ଞତାକୁ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି, "ଆମେ ଆଡିଲେଡ୍ (ADELAIDE) ପରାଜୟକୁ ଯେତେ ଶୀଘ୍ର ସମ୍ଭବ ଭୁଲିବାକୁ ଚେଷ୍ଟା କରିଥିଲୁ। ଯାହା ଆମ ପାଇଁ ବରଦାନ ସାବସ୍ତ୍ୟ ହେଲା। ଆଡିଲେଡରେ ଦଳର ବ୍ୟାଟିଂ ଦ୍ୱିତୀୟ ଇନିଂସରେ ଏକଦମ୍ ଭୁଷୁଡ଼ି ପଡ଼ିଥିଲା, ଏଥିରେ କୌଣସି ଦ୍ୱିମତ ନାହିଁ। ନିଜ ଭୁଲକୁ ସବୁ ବ୍ୟାଟ୍ସମ୍ୟାନ୍ ହୃଦୟଙ୍ଗମ କରିଥିଲେ। କିନ୍ତୁ ସେ ପରାଜୟ ବିଷୟରେ ଅତ୍ୟଧିକ ଚିନ୍ତା କରି ଆମେ ନିଜକୁ ଭାରାକ୍ରାନ୍ତ କରିବାକୁ ଚାହୁଁ ନଥିଲୁ। ଆଗକୁ ଆହୁରି ୩ ମ୍ୟାଚ୍ ଥିଲା ଓ ଆମର ଲକ୍ଷ୍ୟ ଥିଲା ପ୍ରତ୍ୟାବର୍ତ୍ତନ କରିବା। ବିରାଟ କୋହଲିଙ୍କୁ ପ୍ରଥମ ମ୍ୟାଚ୍ ପରେ ହରାଇବା ଆମ ପାଇଁ କଠିନ ନିଷ୍ପତ୍ତି ଥିଲା ଓ ତାଙ୍କ ବିନା ଜିତିବା ଏକ ବଡ଼ ଚ୍ୟାଲେଞ୍ଜ ବି ଥିଲା। କିନ୍ତୁ ସବୁ ଖେଳାଳି ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରି ଦଳକୁ ବିଜୟୀ କରାଇଲେ, ଯାହା ଦଳର ମାନସିକତାକୁ ଦର୍ଶାଉଛି।"


Also Read: ଚେତନ ଶର୍ମା BCCIର ମୁଖ୍ୟ ଚୟନକର୍ତ୍ତା, ଦେବାଶିଷ ମହାନ୍ତିଙ୍କୁ ବି ଦାୟିତ୍ୱ


 


କେବଳ ଏତିକି ନୁହେଁ, ଅଶ୍ୱିନ ନିଜ ସାକ୍ଷାତକାରରେ ଦଳର ନୂଆ ଅଧିନାୟକ ଆଜିଙ୍କ୍ୟ ରାହାଣେ (Ajinkya Rahane) ଙ୍କୁ ମଧ୍ୟ ଭୂରି ଭୂରି ପ୍ରଶଂସା କରିଥିଲେ। ଅଶ୍ୱିନ୍ କହିଥିଲେ, "ଜିଙ୍କସଙ୍କ ଧୈର୍ଯ୍ୟ ଏବଂ ତାଙ୍କ ଶାନ୍ତ ଚରିତ୍ର ଦଳକୁ ଫାଇଦା ଦେଲା ନିଶ୍ଚୟ। ପ୍ରଥମ ଇନିଂସରେ ତାଙ୍କର ଶତକ ମୋ ପାଇଁ ଖୁବ୍ ସ୍ୱତନ୍ତ୍ର। ଆମେ ସମସ୍ତେ ଏବେ କିଛି ବର୍ଷ ହେଲାଣି ଲଗାତାର କ୍ରିକେଟ୍ ଖେଳୁଛୁ। ମୁଁ ଅନେକ ସ୍ପେଶାଲ୍ ଇନିଂସ ଦେଖିଛି। କିନ୍ତୁ ଜିଙ୍କସଙ୍କ ଇନିଂସ ସେସବୁ ମଧ୍ୟରୁ ଅନ୍ୟତମ ସ୍ୱତନ୍ତ୍ର ଇନିଂସ। ବିରାଟ (Virat Kohli) ଙ୍କ ଅନୁପସ୍ଥିତିରେ ଦଳକୁ ସମ୍ଭାଳିବା, ସମସ୍ତଙ୍କୁ ନିଜ ନିଜର ଟ୍ୟାଲେଣ୍ଟ ସୋ'କେସ୍ କରିବାକୁ ପର୍ଯ୍ୟାପ୍ତ ସୁଯୋଗ ଦେବା ଏବଂ ଆଗରେ ରହି ଉଦାହରଣ ସାଜି ଦଳର ନେତୃତ୍ୱ ନେବା ରାହାଣେଙ୍କ ଦୃଢ଼ ବ୍ୟକ୍ତିତ୍ୱକୁ ଦର୍ଶାଉଛି। ଦଳ ଉପରେ ଆମର ବିଶ୍ୱାସ ରହିଛି। ଆଗକୁ ବି ବିଜୟ ଧାରା ଜାରି ରହିବ।"


ତେବେ କେବଳ ଅଶ୍ୱୀନ ନୁହନ୍ତି ଚେତେଶ୍ୱର ପୂଜାରା ମଧ୍ୟ ଆଜିଙ୍କ୍ୟ ରାହାଣେଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି। ଦଳରେ ଏକ ସକାରାତ୍ମକ ଉର୍ଜା ଏବେ ଦେଖିବାକୁ ମିଳୁଛି। ବର୍ତ୍ତମାନ ଦଳର ସ୍ଥିତି ଦେଖିଲେ ଲାଗୁଛି ଅଷ୍ଟ୍ରେଲିଆ (Australia) କୁ ସିଡନୀ (Sydney)ରେ ପ୍ରତ୍ୟାବର୍ତ୍ତନ କରିବାକୁ ହେଲେ ପ୍ରଚୁର ପରିଶ୍ରମ କରିବାକୁ ପଡ଼ିବ।