ଜମ୍ମୁ କାଶ୍ମୀରରେ ବିଜେପି ନେତାଙ୍କୁ ହତ୍ୟା, ଫୋନ କରି ପଚାରି ବୁଝିଲେ ପ୍ରଧାନମନ୍ତ୍ରୀ
Advertisement

ଜମ୍ମୁ କାଶ୍ମୀରରେ ବିଜେପି ନେତାଙ୍କୁ ହତ୍ୟା, ଫୋନ କରି ପଚାରି ବୁଝିଲେ ପ୍ରଧାନମନ୍ତ୍ରୀ

ଜମ୍ମୁ କାଶ୍ମୀରର ବାନ୍ଦୀପୋରାରେ ବିଜେପି ନେତା ୱସୀମ ବାରୀଙ୍କୁ ହତ୍ୟା କରାଯାଇଛି । ଆତଙ୍କବାଦୀମାନେ ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି । 

ଫାଇଲ ଫଟୋ

ଶ୍ରୀନଗର: ଜମ୍ମୁ କାଶ୍ମୀରର ବାନ୍ଦୀପୋରାରେ ବିଜେପି ନେତା ୱସୀମ ବାରୀଙ୍କୁ ହତ୍ୟା କରାଯାଇଛି । ଆତଙ୍କବାଦୀମାନେ ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି । କେବଳ ୱସୀମ କାହିଁକି, ତାଙ୍କ ପିତା ଏବଂ ଭାଇ ମଧ୍ୟ ଗୁଳିମାଡ଼ର ଶୀକାର ହୋଇଥିଲେ । ମେଡିକାଲରେ ସେମାନଙ୍କ ମଧ୍ୟ ମୃତ୍ୟୁ ହୋଇଛି । ତେବେ ୱସୀମ ବାରୀଙ୍କ ମୃତ୍ୟୁକୁ ନେଇ ଦୁଃଖପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ । ସେ ଏନେଇ ପଚାରି ବୁଝିଥିବା ବିଜେପି ନେତା ଜିତେନ୍ଦ୍ର ସିଂହ ସୂଚନା ଦେଇଛନ୍ତି । 

ସେହିପରି ନ୍ୟାସନାଲ କନଫରେନ୍ସ ନେତା ଉମର ଅବଦୁଲ୍ଲା ମଧ୍ୟ ୱସୀମଙ୍କ ଉପରେ ହୋଇଥିବା ଆତଙ୍କୀ ହମଲାକୁ ନିନ୍ଦା କରିଛନ୍ତି । ନିଜ ଟ୍ୱିଟରରେ ଉମର ଅବଦୁଲ୍ଲା କହିଛନ୍ତି, ''ବୁଧବାର ସନ୍ଧ୍ୟାରେ ବାନ୍ଦିପୋରାରେ ବିଜେପି ନେତା ଏବଂ ତାଙ୍କ ପିତାଙ୍କ ଉପରେ ହୋଇଥିବା ଆତଙ୍କୀ ହମଲା ବିଷୟରେ ଜାଣି ମୁଁ ଦୁଃଖପ୍ରକାଶ କରୁଛି । ମୁଁ ଏହି ଘଟଣାର କଡ଼ା ନିନ୍ଦା କରୁଛି । ଏହି ସମୟରେ ମୋର ସମବେଦନା ତାଙ୍କ ପରିବାର ପ୍ରତି ରହିଛି ।''

ସେହିପରି ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା କହିଛନ୍ତି, ''ଆମେ ବାନ୍ଦିପୋରାରେ ଶେଖ ୱସୀମ ବାରୀ, ତାଙ୍କ ପିତା ଓ ଭାଇଙ୍କୁ ହରାଇଛୁ । ଦଳ ପାଇଁ ଏହା ବହୁତ ବଡ଼ କ୍ଷତି । ମୋ ସମ୍ବେଦନା ସେମାନଙ୍କ ପରିବାର ପ୍ରତି ରହିଛି । ଦଳ ତାଙ୍କ ପରିବାର ସହ ଏବେ ଅଛି । ତେବେ ମୁଁ ସୁନିଶ୍ଚିତ କରୁଛି ଯେ, ସେମାନଙ୍କ ବଳିଦାନ ବ୍ୟର୍ଥ ଯିବନାହିଁ ।''

କହିରଖୁଛୁ, ଗତକାଲି ରାତି ୯ଟା ବେଳକୁ ଏହି ହମଲା କରିଥିଲେ ଆତଙ୍କବାଦୀ । ୱସୀମ ବାରୀ ନିଜ ଦୋକାନ ବାହାରେ ଥିବା ବେଳେ ତାଙ୍କ ଉପରେ ଗୁଳିମାଡ଼ ହୋଇଥିଲା । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଗୁଳିମାଡ଼ରେ ଗୁରୁତର ଆହତ ହୋଇଥିବା ୱସୀମଙ୍କ ପିତା ଓ ଭାଇଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଉଭୟଙ୍କ ମୃତ୍ୟୁ ହୋଇଥିଲା ।