ଏବେ ଏଲଏସି ଅଞ୍ଚଳରେ ଚୀନକୁ ଜବାବ ଦେବାକୁ ପ୍ରସ୍ତୁତ ହେଉଛି ଭାରତୀୟ ସେନାରେ ସାମିଲ ହୋଇଥିବା ତୋପ ହ୍ୱିଜର |
Trending Photos
ନୂଆଦିଲ୍ଲୀ: ପୂର୍ବ ଲଦାଖର ଗଲୱାନ ଉପତ୍ୟାକାରେ ହୋଇଥିବା ସାମରିକ ସଂଘର୍ଷ ପରେ ଏବେ ସତର୍କ ହୋଇଉଠିଛି | ପ୍ରକୃତ ନିୟନ୍ତ୍ରଣ ସୀମା ରେଖା-ଏଲଏସି(Line of Actual Control-LAC) ଅଞ୍ଚଳରେ ଚୀନର ସମସ୍ତ ସାମରିକ ଗତିବିଧି ଉପରେ ନଜର ରଖିଛି ଭାରତ | ଏପରିକି ଡ୍ରାଗନ ଆର୍ମିକୁ ଅସ୍ତ୍ରରେ ଜବାବ ଦେବାକୁ ଭାରତୀୟ ସେନାକୁ ନିର୍ଦ୍ଦେଶ ମିଳିସାରିଛି |
ଏହାକୁ କାର୍ଯ୍ୟକାରୀ କରିବାକୁ ଯାଇ ଏଲଏସି ଅଞ୍ଚଳରେ ଆମେରିକା ନିର୍ମିତ ହ୍ୱିଜର ତୋପ ନିୟୋଜିତ କରିବାକୁ ଯୋଜନା କରିଛି ଭାରତ | ଏହି ଅତ୍ୟାଧୁନିକ କମାଣାରେ ଫାୟାରିଂ ପାଇଁ ବ୍ୟବହୃତ ହେଉଥିବା ଗୋଳାବାରୁଦକୁ ଅଧିକ ମାତ୍ରାରେ କିଣିବା ପାଇଁ ପ୍ରସ୍ତୁତ ହୋଇଉଠିଛି ଭାରତୀୟ | ଏହାର ଫାୟାରିଂ ରେଞ୍ଜ ୫୦ କିଲୋମିଟରରୁ ଅଧିକ ରହିଛ |
ସ୍ୱିଜରଲ୍ୟାଣ୍ଡ ନିର୍ମିତ ବୋଫୋର୍ସ ପରେ ହ୍ୱିଜର ହେଉଛି ଦ୍ୱିତୀୟ ବିଦେଶୀ ଯୁଦ୍ଧପୋତ ତୋପ ଭାରତୀୟ ସେନା ଦ୍ୱାରା ବ୍ୟବହାର କରାଯାଉଛି | ଗତବର୍ଷ ଠାରୁ ଏହାକୁ ସୈନ୍ୟବାହିନୀରେ ସାମିଲ କରାଯାଇଛି | ଜନବସତି ପୂର୍ଣ୍ଣ ଅଞ୍ଚଳର ଶତ୍ରୁର ଉପସ୍ଥିତିକୁ ମାତ ଦେବାରେ ଏହା ବେଶ ପାରଙ୍ଗମ | ଏପରିକି ଅଧିକ ଦୂରତାରେ ଟାର୍ଗେଟକୁ ଲକ୍ଷ୍ୟଭେଦ କରିବାରେ ମଧ୍ୟ ସକ୍ଷମ |
ଗତ ବର୍ଷର ଆଦେଶ ପରେ ଭାରତୀୟ ସେନା ପକ୍ଷରୁ ଅକ୍ଟୋବର ମାସରେ ଆମେରିକାରୁ ଏହି ତୋପ ଉଦ୍ଦିଷ୍ଟ ଗୋଳାବାରୁଦ କିଣାଯିବା ପରେ ଏହାର ପରୀକ୍ଷା କରାଯାଇଥିଲା | ପରେ ଏହାକୁ ଔପଚାରିକ ଭାବେ ସେନାରେ ସାମିଲ କରାଯାଇଛି | ଏଲଏସିରେ ଚୀନ ଆର୍ଟିଲାରୀ କ୍ଷମତା ବଢାଇବା ପରେ ଭାରତ ହ୍ୱିଜର ମୁତୟନ କରିବାକୁ ନିଷ୍ପତ୍ତି ନେଇଛି |
ଆମେରିକୀୟ ସ୍ଥଳସେନା ବ୍ୟତୀତ ଏହି ଅତ୍ୟାଧୁନିକ ତୋପକୁ ଅଷ୍ଟ୍ରେଲିଆ, ଭାରତ, କାନାଡା ଏବଂ ସାଉଦି ଆରବ ଆର୍ମି ପକ୍ଷରୁ ବ୍ୟବହାର କରାଯାଉଛି | ୧୯୯୦ ଦଶକ ପରେ ଆଫଗାନିସ୍ତାନରେ ଆମେରିକା ନେତୃତ୍ୱାଧିନ ପାଶ୍ଚାତ୍ୟ ରାଷ୍ଟ୍ରଙ୍କ ପକ୍ଷରୁ ଆତଙ୍କୀ ସଙ୍ଗଠନ ତାଲିବାନ ବିରୋଧି ଲଢେଇରେ ନିଜର ଦକ୍ଷତା ଦେଖାଇ ସାରିଛି ହ୍ୱିଜର |
ଚୀନ ସହ ବଢୁଥିବା ବିପଦକୁ ଦୃଷ୍ଟିରେ ରଖି ବର୍ତ୍ତମାନ ସ୍ଥିତିରେ ଅଧିକ ଗୁରୁତ୍ୱପୂର୍ଣ୍ଣ ଥିବା ଅସ୍ତ୍ରଶସ୍ତ୍ରକୁ ଫାଷ୍ଟ ଟ୍ରାକ୍ ପ୍ରଣାଳୀରେ କ୍ରୟ କରିବା ପାଇଁ ତିନି ସେନାର ଉପାଧ୍ୟକ୍ଷଙ୍କୁ ୫୦୦ କୋଟି ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି |
ଉରି ଆକ୍ରମଣ ଏବଂ ପାକିସ୍ତାନ ବିରୁଦ୍ଧରେ ହୋଇଥିବା ବାଲାକୋଟ ଏୟାରଷ୍ଟ୍ରାଇକ ପରେ ସଶସ୍ତ୍ର ବାହିନୀକୁ ତତକ୍ଷଣାତ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିଲା | ପୂର୍ବ ଲଦାଖରେ ଚୀନ୍ ଆକ୍ରୋଶମୂଳକ ମନୋଭାବ ପରେ ପ୍ରକୃତ ନିୟନ୍ତ୍ରଣ ସୀମାରେଖା ଅଞ୍ଚଳରେ ସାମରିକ ଉପସ୍ଥିତିକୁ ସୁଦୃଢ କରିବାରେ ଲାଗିପଡିଛି ଭାରତ |