ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କ ନିଧନ
Advertisement

ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କ ନିଧନ

କିଛି ଦିନ ହେଲା ମେନ୍ଦାତା ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା । 

ଫାଇଲ ଫଟୋ

ଭୋପାଲ: ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କ ପରଲୋକ । ଆଜି ସକାଳ ୫ଟା ୩୫ ମିନିଟରେ ଲକ୍ଷ୍ନୌର ମେନ୍ଦାତା ହସ୍ତିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା । ପୁଅ ଆଶୁତୋଷ ଲାଲଜୀ ଟଣ୍ଡନଙ୍କ ମୃତ୍ୟୁ ନେଇ ପ୍ରଥମେ ସୂଚନା ଦେଇଥିଲେ । କିଛି ଦିନ ହେଲେ ମେନ୍ଦାତା ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା । 

ବିଜେପିର ଜଣେ ଆଗଧାଡ଼ିର ନେତା ଭାବେ ସେ ପରିଚିତ ଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଅତି ନିକଟତର ଥିଲେ ଟଣ୍ଡନ । ମଧ୍ୟପ୍ରଦେଶ ରାଜ୍ୟପାଳ ହେବା ପୂର୍ବରୁ ପ୍ରଥମେ ବିହାରର ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଇଥିଲେ ଲାଲଜୀ ଟଣ୍ଡନ । 

ଜାଣନ୍ତୁ ଲାଲଜୀ ଟଣ୍ଡନଙ୍କ ବିଷୟରେ ୧୦ ଗୁରୁତ୍ୱପୂର୍ଣ୍ଣ କଥା

(୧) ୧୨ ଏପ୍ରିଲ ୧୯୩୫ରେ ଲାଲଜୀ ଟଣ୍ଡନଙ୍କ ଜନ୍ମ । ଉତ୍ତରପ୍ରଦେଶ ଲକ୍ଷ୍ନୌରେ ସେ ଜନ୍ମ ଗ୍ରହଣ କରିଥିଲେ । ଆରମ୍ଭରୁ ହିଁ ସଂଘ ପରିବାର ସହ ସେ ଜଡ଼ିତ ଥିଲେ । 

(୨) ସ୍ନାତକ ପର୍ଯ୍ୟନ୍ତ ଶିକ୍ଷାଲାଭ କରିଥିଲେ ଲାଲଜୀ ଟଣ୍ଡନ । ପରେ ୧୯୫୮ରେ କୃଷ୍ଣା ଟଣ୍ଡନଙ୍କ ସହ ତାଙ୍କର ବିବାହ ହୋଇଥିଲା । 

(୩) ସଂଘ ସହ ଜଡ଼ିତ ଥିବା ବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା । ବାଜପେୟୀଙ୍କ ସେ ଅତି ନିକଟତର ହୋଇପାରିଥିଲେ । 

(୪) ତାଙ୍କର ରାଜନୈତିକ ଜୀବନ ୧୯୬୦ରେ ଆରମ୍ଭ ହୋଇଥିଲା । ଟଣ୍ଡନ ୨ଥର କାଉନସିଲର ଓ ୨ଥର ବିଧାନ ପରିଷଦର ସଦସ୍ୟ ଥିଲେ । 

(୫) ଇନ୍ଦିରା ଗାନ୍ଧୀ ସରକାରଙ୍କ ବିରୋଧରେ ହୋଇଥିବା ଜେପି ଆନ୍ଦୋଳନରେ ଭାଗ ନେଇଥିଲେ ଟଣ୍ଡନ । 

(୬) ଉତ୍ତରପ୍ରଦେଶ ରାଜନୀତିରେ ଜଣେ ଜଣାଶୁଣା ନାଁ ଥିଲେ ଲାଲଜୀ ଟଣ୍ଡନ । ୧୯୯୦ରେ ବିଜେପି-ବିଏସପି ମେଣ୍ଟ ସରକାର କରିବା କ୍ଷେତ୍ରରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା । 

(୭) ସେ ୧୯୯୬ରୁ ୨୦୦୯ ପର୍ଯ୍ୟନ୍ତ ଲଗାତାର ୩ଥର ନିର୍ବାଚନ ଜିତି ବିଧାନସଭାକୁ ଯାଇଥିଲେ । 

(୮) ସେହିପରି ୨୦୦୯ରେ ଲାଲଜୀ ଟଣ୍ଡନ କଂଗ୍ରେସ ପ୍ରାର୍ଥିନୀ ରୀତା ବହୁଗୁଣା ଜୋଶୀଙ୍କୁ ୪୦ ହଜାର ଭୋଟରେ ହରାଇ ଲକ୍ଷ୍ନୌ ଲୋକସଭା ଆସନରୁ ନିର୍ବାଚିତ ହୋଇଥିଲେ । 

(୯) ବିଜେପି ସମର୍ଥନରେ ଉତ୍ତର ପ୍ରଦେଶରେ ମାୟାବତୀ ସରକାର ବନାଇଥିଲେ । ଲାଲଜୀ ଟଣ୍ଡନଙ୍କୁ ନିଜର ଭାଇ ଭାବେ ଅବିହିତ କରି ରୂପାର ରାକ୍ଷୀ ବାନ୍ଧିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ । 

(୧୦) ଲାଲଜୀ ଟଣ୍ଡନ 'ଅନକହା ଲକ୍ଷ୍ନୌ' ନାଁରେ ଏକ ବହି ଲେଖିଛନ୍ତି । ଏହି ବହିରେ ସେ ଲକ୍ଷ୍ନୌକୁ ନେଇ ଅନେକ ଖୁଲାସା କରିଛନ୍ତି ।