ହେମନ୍ତଙ୍କ ପାଇଁ ରହିବ ଏହି ୫ ବଡ଼ ଚ୍ୟାଲେଞ୍ଜ
Advertisement
Article Detail0/zeeodisha/odisha614886

ହେମନ୍ତଙ୍କ ପାଇଁ ରହିବ ଏହି ୫ ବଡ଼ ଚ୍ୟାଲେଞ୍ଜ

ଖୁବ କମ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ମଧ୍ୟ ଗ୍ରହଣ କରିବାକୁ ଯାଉଛନ୍ତି ହେମନ୍ତ । ତେବେ ନୂତନ ଭାବେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବା ପରେ ତାଙ୍କ ନିକଟରେ ପ୍ରମୁଖ ଭାବେ ଏହି 5ଟି ଚ୍ୟାଲେଞ୍ଜ ରହିବ

ହେମନ୍ତଙ୍କ ପାଇଁ ରହିବ ଏହି ୫ ବଡ଼ ଚ୍ୟାଲେଞ୍ଜ

ରାଞ୍ଚି: ଝାଡ଼ଖଣ୍ଡ ନିର୍ବାଚନର ଫଳାଫଳ ବାହାରି ସରିଛି । ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ବା ଜେଏମଏମ ନେତୃତ୍ୱରେ କଂଗ୍ରେସ ଓ ଆରଜେଡ଼ି ରାଜ୍ୟରେ ମେଣ୍ଟ ସରକାର ଗଢିବାକୁ ଯାଉଛନ୍ତି । ଜେଏମଏମରେ ନେତା ହେମନ୍ତ ସୋରେନଙ୍କ ସହଯୋଗୀ ଦଳ ମୁଖ୍ୟମନ୍ତ୍ରୀ କରିବା ପାଇଁ ସ୍ୱିକୃତୀ ଦେଇ ସାରିଛନ୍ତି । ଖୁବ କମ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ମଧ୍ୟ ଗ୍ରହଣ କରିବାକୁ ଯାଉଛନ୍ତି ହେମନ୍ତ । ତେବେ ନୂତନ ଭାବେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବା ପରେ ତାଙ୍କ ନିକଟରେ ପ୍ରମୁଖ ଭାବେ ଏହି 5ଟି ଚ୍ୟାଲେଞ୍ଜ ରହିବ । ତେବେ ଆସନ୍ତୁ ନଜର ପକାଇବା ସେହି ଚ୍ୟାଲେଞ୍ଜ ଗୁଡ଼ିକ ଉପରେ । । ।

85 ହଜାର କୋଟି ଟଙ୍କାର ଋଣଭାର
ଝାଡ଼ଖଣ୍ଡ ସରକାରଙ୍କ ଉପରେ ବର୍ତ୍ତମାନ 85 ହଜାର 234 କୋଟି ଟଙ୍କାର ଋଣ ପଡ଼ି ରହିଛି । 2014 ମସିହାରେ ଯେତେବେଳେ ରଘୁବର ଦାସ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ସେହି ସମୟରେ ରାଜ୍ୟ ସରକାରଙ୍କ ଉପରେ ପ୍ରାୟ 37 ହଜାର କୋ593 କୋଟି ଟଙ୍କା ଋଣ ରହିଥିଲା । ମାତ୍ର ରଘୁବର ଦାସ ସରକାରକୁ ଆସିବା ପରେ ରାଜ୍ୟ ଉପରେ ଋଣ ଭାର ଦ୍ରୁତ ଗତିରେ ବଢି 
ଚାଲିଥିଲା । ରାଜ୍ୟ ଗଠନ ପରେ 14 ବର୍ଷ ମଧ୍ୟରେ ଆସିଥିବା ସରକାର ଯେତିକି ଟଙ୍କା ଋଣ କରି ନଥିଲେ, ତାହା ଠାରୁ କେତେ ଅଧିକ ଗୁଣରେ ରଘୁବର ଦାସଙ୍କ ସରକାରରେ ସର୍ବାଧିକ ଋଣ ହୋଇଥିବା ଜଣାପଡ଼ିଛି । ଫଳରେ ଏହି ବୃହତ୍ତ ପରିମାଣର ଋଣକୁ କମ କରିବା ପାଇଁ ହେମନ୍ତଙ୍କ ସାମ୍ନାରେ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିବ । ଏହା ସହିତ କୃଷିମାନଙ୍କୁ ଋଣମୁକ୍ତ କରିବାକୁ ମଧ୍ୟ ଏକ
ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିବ ।

ରାଜ୍ୟର ଗରିବୀ ଟ୍ୟାଗ ହଟାଇବାକୁ ପ୍ରୟାସ
ରାଜ୍ୟ ଗଠନର ଆରମ୍ଭରୁ ହିଁ ଗରିବୀ ରାଜ୍ୟର ଟ୍ୟାଗ ରହି ଆସିଛି । ରାଜ୍ୟରେ ବର୍ତ୍ତମାନ ମଧ୍ୟ ପ୍ରାୟ 37 ପ୍ରତିଶତ ଲୋକ ଦାରିଦ୍ର୍ୟ ସୀମା ରେଖା ତଳେ ରହିଛନ୍ତି । ସେମାନଙ୍କ ଜୀବନରେ ସୁଧାର ଆଣିବା ସହିତ ରାଜ୍ୟ ପାଇଁ ଲାଗିଥିବା ଏହି ଗରିବୀ ରାଜ୍ୟର ଟ୍ୟାଗ ହଟାଇବାକୁ ମଧ୍ୟ ପ୍ରୟାସ କରିବେ । ଯାହା ହେମନ୍ତଙ୍କ ପକ୍ଷେ ଚ୍ୟାଲେଞ୍ଜ ହୋଇ ଛିଡ଼ା ହେବ । 

ନକ୍ସଲବାଦ, ମୋବ ଲିଂଞ୍ଚି ଦୁର କରିବା ଏକ ବଡ଼ ଚ୍ୟାଲେଞ୍ଜ
ନକ୍ସଲ ପ୍ରଭାବିତ ରାଜ୍ୟ ଭାବେ ଝାଡ଼ଖଣ୍ଡ ବେଶ ଭଲ ଭାବେ ପରିଚିତ । ପ୍ରତ୍ୟେକ ଦିନ ନକ୍ସଲ କାର୍ଯ୍ୟକଳାପ ପାଇଁ ଖବରରେ ରହି ଆସୁଛି ଝାଡ଼ଖଣ୍ଡ । ରାଜ୍ୟର 13ଟି ନକ୍ସଲ ପ୍ରଭାବିତ ଜିଲ୍ଲା ତଥା ଖୁଣ୍ଟି, ଲାତେହାର, ରାଞ୍ଚି, ଗୁମଲା, ଗିରିଡିହ, ପଲାମୁ, ଗଢଓ୍ୱା, ସିମଡେଗା, ଦୁମକା, ଲୋହରଦଗା, ବୋକାରୋ ଏବଂ ଚତରା ଜିଲ୍ଲାରେ ନକ୍ସଲଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଉଛି । ତେବେ ଏହି ସବୁ ଜିଲ୍ଲାରୁ ନକ୍ସଲଙ୍କ କାର୍ଯ୍ୟକଳାପକୁ ଦୂର କରିବା ମଧ୍ୟ ହେମନ୍ତଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହୋଇ ଛିଡ଼ା ହେବ । 

ବେକାରୀ ସମସ୍ୟାର ସମାଧାନ
ସମଗ୍ର ଦେଶରେ ଏବେ ବେକାରୀ ସମସ୍ୟା ଏକ ପ୍ରମୁଖ ସମସ୍ୟା ହୋଇ ଛିଡ଼ା ହୋଇଛି । ଝାଡ଼ଖଣ୍ଡରେ ମଧ୍ୟ ବେକାରୀଙ୍କ ସଂଖ୍ୟା କିଛି କମ ନୁହେଁ । ସମଗ୍ର ଦେଶରେ ଝାଡଖଣ୍ଡରେ ସବୁଠାରୁ ଅଧିକ ବେକାରୀ ରହିଥିବା ଏକ ରିପୋର୍ଟରୁ ଜଣାପଡ଼ିଛି । ନିକଟରେ ଆସିଥିବା ରିପୋର୍ଟ ଅନୁଯାୟୀ ଦେଶରେ ବଢୁଥିବା ବେକାରୀ ରାଜ୍ୟ ଗୁଡ଼ିକ ମଧ୍ୟରେ ଝାଡ଼ଖଣ୍ଡ ମଧ୍ୟ ରହିଛି । ଏହି ତାଲିକାରେ ଝାଡ଼ଖଣ୍ଡ 5ମ ସ୍ଥାନରେ ରହିଛି । 

ପ୍ରତିଟି 5 ଜଣରେ ଜଣେ ଯୁବକ ବେକାରୀ
ଏନଏସଏସଓ ଅନୁଯାୟୀ ଝାଡ଼ଖଣ୍ଡରେ 2011-12ରେ ରାଜ୍ୟରେ 2 ।5 ପ୍ରତିଶତ ବେକାରୀ ରହିଥିଲେ । ମାତ୍ର ଏହା ବୃଦ୍ଧି ପାଇ 7 ।7 ପ୍ରତିଶତରେ ପହଞ୍ଚିଲାଣି । ସେହିପରି କେରଳରେ ବେକାରୀଙ୍କ ସଂଖ୍ୟା 2017-18ରେ 11 ।4 ପ୍ରତିଶତ ରହିଛି । ତେବେ ଝାଡ଼ଖଣ୍ଡରେ ବେକାରୀଙ୍କ ସମସ୍ୟାରେ 46 ପ୍ରତିଶତ ପୋଷ୍ଟ ଗ୍ରାଜୁଏଟ ଶିକ୍ଷିତ ରହିଛନ୍ତି । ଏହା ସହିତ 49 ପ୍ରତିଶତ ଗ୍ରାଜୁଏଟ ଶିକ୍ଷିତ ବେକାରୀ ରହିଛି । 

ସେହିଭଳି ଇକୋନୋମିକ ସର୍ଭେରୁ ମିଳିଥିବା ତଥ୍ୟ 2018-19ରେ ଆସିଥିବା ତଥ୍ୟ ଅନୁଯାୟୀ ଏକ ଲକ୍ଷରୁ ଊର୍ଦ୍ଧ୍ୱ ଯୁବକଙ୍କୁ ତାଲିମ ଦିଆଯାଇଛି । ମାତ୍ର ତାଲିମ ପାଇଥିବା ଯୁବକଙ୍କ ମଧ୍ୟରେ 10 ରୁ 8 ଜଣ ବର୍ତ୍ତମାନ ମଧ୍ୟ ଚାକିରି ଖୋଜୁଥିବା ଜଣାପଡ଼ିଛି । ପୂର୍ବରୁ ଏ ନେଇ ହେମନ୍ତ ସୋରେନ ଫେସବୁକରେ କହିଥିଲେ କି, ରାଜ୍ୟରେ ବେକାରୀ ସୀମା ଲଂଘନ କରୁଛି । ଯାହାର ସମାଧାନ ପାଇଁ ବର୍ତ୍ତମାନ ହେମନ୍ତଙ୍କୁ ସୁଯୋଗ ମିଳିଛି । 

ହେମନ୍ତ ପୂର୍ବରୁ ଫେସବୁକ ପେଜରେ ଲେଖିଥିଲେ କି, ରାଜ୍ୟରେ ବେମାରୀ ଭଳି ବଢୁଛି ବେକାରୀ ସମସ୍ୟା । ବର୍ତ୍ତମାନ ଦେଶରେ ବେରୋଜଗାରୀ 7 ।2 ପ୍ରତିଶତରେ ପହଞ୍ଚିଥିବା ବେଳେ ରାଜ୍ୟରେ ତାହା 9 ।4 ପ୍ରତିଶତରେ ପହଞ୍ଚିଛି । ବିଗତ 5 ବର୍ଷ ମଧ୍ୟରେ ରଘୁବର ସରକାର ଯୁବକମାନଙ୍କୁ କେବଳ ଠକିବାରେ ବ୍ୟସ୍ତ ରହିଛି । ରାଜ୍ୟରେ ପ୍ରାୟ 4 ଲକ୍ଷରୁ ପଞ୍ଜିକୃତ ଶିକ୍ଷିତ ବେକାରୀ ରହିଛନ୍ତି ।  ସେ ଆହୁରି ମଧ୍ୟ ଲେଖିଥିଲେ କି, ମୋ ସରକାର ଆସିବା ପରେ ରାଜ୍ୟରେ ଶତ ପ୍ରତିଶତ ନିଯୁକ୍ତି ସୃଷ୍ଟି କରାଯିବ । ସେମାନଙ୍କୁ ରାଜ୍ୟରେ ହିଁ ରୋଜଗାରର ପନ୍ଥା ଖୋଲାଯିବ । ଯେପର୍ଯ୍ୟନ୍ତ ବେକାରୀମାନଙ୍କୁ ରୋଜଗାର ପନ୍ଥା ଦେଇ ପାରିନାହିଁ ସେ ପର୍ଯ୍ୟନ୍ତ ସେମାନଙ୍କୁ ଭତ୍ତା ପ୍ରଦାନ କରିବି ବୋଲି ହେମନ୍ତ ତାଙ୍କର ଫେସବୁକ ପେଜରେ ଲେଖିଥିଲେ । 

ଅନାହାର ମୃତ୍ୟୁ ମଧ୍ୟ ଏକ ବଡ଼ ସମସ୍ୟା
ରାଜ୍ୟରେ ଅନାହାର ମୃତ୍ୟୁ ମଧ୍ୟ ଏକ ବଡ଼ ସମସ୍ୟା ହୋଇ ଛିଡ଼ା ହୋଇଛି । 2017 ମସିହାରେ ରାଜ୍ୟର ସିମଡେଗା ଜିଲ୍ଲାର 11 ବର୍ଷୀୟ ସନ୍ତୋଷୀ ଅନାହାରେ ମୃତ୍ୟୁବରଣ କରିଥିଲା । ସେହି ସମୟରେ ଏହି ଖବର ସମଗ୍ର ଦେଶରେ ଆଲୋଡନ ସୃଷ୍ଟି କରିଥିଲା । ଆଲୋଚନା ଜୋର ଧରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ସେଥିରେ କୌଣସି ସୁଧାର ଆସିନାହିଁ । ତଥ୍ୟ ଅନୁଯାୟୀ ଝାଡ଼ଖଣ୍ଡରେ ପ୍ରତ୍ୟେକ ବର୍ଷ 50 ଲକ୍ଷ ମେଟ୍ରିକ ଟନ ଖାଦ୍ୟର ଆବଶ୍ୟକ ରହିଛି । ମାତ୍ର ରାଜ୍ୟରେ 40 ଲକ୍ଷ ଟନ ଉତ୍ପାଦନ ହେଉଛି । ତେବେ ଅବଶିଷ୍ଟ 10 ଲକ୍ଷ ମେଟ୍ରିକ ଟନ ଖାଦ୍ୟ ଉତ୍ପାଦନକୁ ଭରଣା କରିବା ହେମନ୍ତଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହେବ ।