ଭୁବନେଶ୍ୱର: ଉଭୟ ଦେଶ ଓ ରାଜ୍ୟରେ ଲଗାତାର କୋରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଡେଲ୍ଟା ପରି ଓମିକ୍ରନ ମଧ୍ୟ ନିଜର କାୟା ବିସ୍ତାର କରିଛି। ଦେଶରେ ଦିନକରେ ୨୮% ଓ ରାଜ୍ୟରେ ୪୨% ସଂକ୍ରମଣ ବୃଦ୍ଧି ପାଇଛି। ଯାହାକୁ ନେଇ ଏବେ ଜନସାଧାରଣଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି।


COMMERCIAL BREAK
SCROLL TO CONTINUE READING

ଶୁକ୍ରବାର ରାଜ୍ୟରେ ୨୭୦୩ ଜଣ କୋରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସଂଗରୋଧରୁ ୧୫୭୯ ଓ ସ୍ଥାନୀୟ ଅଞ୍ଚଳରୁ ୧୧୨୪ ରୋଗୀ ବାହାରିଛନ୍ତି। ୨୭୦୩ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୪୦୯ ଜଣ ଅଛନ୍ତି। ଏଯାଏ ୧୦ ଲକ୍ଷ ୪୫ ହଜାର ୭୧୮ ଜଣ ରୋଗୀ ସୁସ୍ଥ ହୋଇଥିବା ବେଳେ ୮ ହଜାର ୨୩୭ ଜଣ ରୋଗୀ ଏବେ ବି ଚିକିତ୍ସାଧୀନ ଅଛନ୍ତି। ଗତ ୨୪ ଘଣ୍ଟାରେ ପୁଣିଥରେ ଖୋର୍ଦ୍ଧାରୁ ଜଣେ କୋରୋନା ଆକ୍ରନ୍ତଙ୍କ ଦେହାନ୍ତ ହୋଇଛି। ଫଳରେ ରାଜ୍ୟରେ ମୋଟ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୮,୪୬୮କୁ ପହଞ୍ଚିଛି।


Also Read: ଆଜିଠୁ ରାଜ୍ୟରେ ନାଇଟ୍ କର୍ଫ୍ୟୁ, ବନ୍ଦ ହେଲା କ୍ଲାସରୁମ୍


ଗତବର୍ଷ ଡିସେମ୍ବରରୁ ରାଜ୍ୟରେ ଲଗାତାର କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଶେଷ ଥର ପାଇଁ ଡିସେମ୍ବର ୨୬ରେ ସର୍ବନିମ୍ନ ୧୧୨ ଜଣେ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ଜାନୁଆରୀ ୪ରେ ଏହା ୬୨୪, ୫ ତାରିଖରେ ୧୨୧୬, ୬ ତାରିଖରେ ୧୮୯୭ ଓ ୭ ତାରିଖରେ ୨୭୦୩କୁ ବୃଦ୍ଧି ପାଇଛି। ବର୍ତ୍ତମାନର ଆକ୍ଟିଭ୍ କେସକୁ ଦେଖିଲେ ୩୦୦୪ଟି ମାମଲା ସହ ଖୋର୍ଦ୍ଧା ଜିଲ୍ଲା ରେଡ୍ ଜୋନ ଓ ୧୦୬୮ଟି ମାମଲା ସହ ସୁନ୍ଦରଗଡ ଜିଲ୍ଲା ୟେଲୋ ଜୋନରେ ଅଛି।


ସେପଟେ ଦେଶରେ ଦୈନିକ କୋରୋନା ସଂକ୍ରମଣ ଲକ୍ଷେ ଟପିଛି। ଦିନକରେ ୧ ଲକ୍ଷ ୧୭ ହଜାର ୧୦୦ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୦୨ ମୃତ୍ୟୁ ବରଣ କରିଛନ୍ତି। ଦେଶରେ ମୋଟ କୋରୋନା ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୮୩ ହଜାର ୧୭୮କୁ ବୃଦ୍ଧି ପାଇଛି। ଏଯାଏ ୩ କୋଟି ୪୩ ଲକ୍ଷ ୭୧ ହଜାର ୮୪୫ ଆକ୍ରାନ୍ତ ସୁସ୍ଥ ହେଲେଣି। ତଥାପି ଦେଶରେ ୩ ଲକ୍ଷ ୭୧ ହଜାର ୩୬୩ କୋରୋନା ରୋଗୀ ଏବେ ବି ଚିକିତ୍ସାଧୀନ ଅଛନ୍ତି। ଗୁରୁବାର ସୁଦ୍ଧା ୧୪୯ କୋଟି ୬୬ ଲକ୍ଷ ୮୧ ହଜାର ୧୫୬ ଡୋଜ ଟିକା ଦିଆଯାଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।


Also Read: ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ମାମଲା: ଶାସକ-ବିରୋଧି ଏକାଠି, ଆଜି SCରେ ଶୁଣାଣି


ଅନ୍ୟପଟେ ୨୭ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଓମିକ୍ରନ ବ୍ୟାପିଲାଣି। ଶୁକ୍ରବାର ଓମିକ୍ରନ ସଂକ୍ରମଣ ସଂଖ୍ୟା ୩୦୦୦ ପାର କରିଛି। ଦେଶରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୩୦୦୭କୁ ବୃଦ୍ଧି ପାଇଛି। ମହାରାଷ୍ଟ୍ରରେ ସର୍ବାଧିକ ୮୭୬, ଦିଲ୍ଲୀରେ ୪୬୫ ଓ କର୍ଣ୍ଣାଟକରେ ୩୩୩ ଜଣ ଓମିକ୍ରନ ସଂକ୍ରମିତ ଟିହ୍ନଟ ହୋଇଛନ୍ତି। ଓଡ଼ିଶାର ୬୧ ଓମିକ୍ରନ ସଂକ୍ରମିତ ବାହାରିଥିବା ବେଳେ ବଲାଙ୍ଗୀରରେ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ଦେଶରେ ବର୍ତ୍ତମାନ ସୁଦ୍ଧା ୧୧୯୯ ଜଣ ଓମିକ୍ରନ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗୁଜୁରାଟ ପ୍ରଥମ ଓ ଓଡିଶାରେ ଦ୍ୱିତୀୟ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।