ଇଏ ତ ଗଲା ପ୍ରଣବ ମୁଖାର୍ଜୀଙ୍କ ରାଜନୈତିକ ଜୀବନର କଥା । ଅନ୍ୟ ଦିଗଟି ହେଉଛି ଭାରତୀୟ ଜନତା ପାର୍ଟି ଓ ଆରଏସଏସ ପ୍ରତି ତାଙ୍କ ମନ ଭିତରେ ଥିବା ଏକ ଅନ୍ତଃସ୍ରୋତର କଥା । ସେଇଥିପାଇଁ ତ' ୨୦୧୮ ଜୁନ୍ ୭ରେ ଆରଏସଏସର ନାଗପୁର ବାର୍ଷିକ କାର୍ଯ୍ୟକାରିଣୀ (ପ୍ରଚାରକ ଉତ୍ତୀର୍ଣ୍ଣ କାର୍ଯ୍ୟକ୍ରମ)ରେ ଯୋଗଦେଇ ସେ ତାଙ୍କୁ କଟ୍ଟରବାଦୀ କଂଗ୍ରେସୀ କହୁଥିବା ଲୋକଙ୍କ ମୁହଁ ବନ୍ଦ କରି ଦେଇଥିଲେ । ଅବଶ୍ୟ ଏହାପଛରେ ଥିଲା ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କ ସହ ଥିବା ତାଙ୍କ ଦୀର୍ଘବର୍ଷର ସମ୍ପର୍କ ।
Trending Photos
ହିତାଂଶୁ ଶେଖର ମହାନ୍ତ, ନୂଆଦିଲ୍ଲୀ: ତାହା ଥିଲା ୧୯୬୯ ମସିହା । ଆଜିକୁ ଠିକ୍ ୫୦ ବର୍ଷ ତଳର କଥା । ପଶ୍ଚିମବଙ୍ଗର ମିଦନାପୁର ଆସନରେ ହେଉଥାଏ ଉପନିର୍ବାଚନ । ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥା'ନ୍ତି ଭି. କେ. କ୍ରିଷ୍ଣାମେନନ୍ । ଜଣେ ସ୍ୱାଧୀନ ପ୍ରାର୍ଥୀ ଭାବରେ । ଆଉ ତାଙ୍କ ନିର୍ବାଚନୀ ରଥର ସାରଥୀ ଥାଆନ୍ତି ଜଣେ ସ୍ୱଳ୍ପ ଉଚ୍ଚତାବିଶିଷ୍ଟ ଯୁବକ । କଂଗ୍ରେସ ପରି ଦଳ ସହ ହେଉଥାଏ ତାଙ୍କ ଟକ୍କର । ତାଙ୍କ ପ୍ରଚାର ତଥା ଓଜସ୍ୱିନୀ ଭାଷଣରେ ମୁଗ୍ଧ ହେଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି । ହଠାତ୍ କ୍ରିଷ୍ଣାମେନନଙ୍କ ପାଇଁ ପ୍ରଚାର କରୁଥିବା ସେହି ସ୍ୱଳ୍ପ ଉଚ୍ଚତାବିଶିଷ୍ଟ ଯୁବକ ଜଣଙ୍କୁ ଆସିଲା କଂଗ୍ରେସ ପକ୍ଷରୁ ଡାକରା । କେତେବା ବୟସ ହୋଇଥିଲା ସେତେବେଳେ ତାଙ୍କର? ଏଇ ୩୩ କି ୩୪ ବର୍ଷ । ପିଏମଙ୍କ ସହ ମିଟିଂ ଫିକ୍ସ ହେଲା ତାଙ୍କର । ଆଉ ତାଙ୍କୁ କୌଣସି ପ୍ରକାରେ ମନାଇ ଦଳରେ ମିଶାଇଲେ ପିଏମ୍ ଇନ୍ଦିରା ଗାନ୍ଧି । ହୁଏତ ସେହି ସ୍ୱଳ୍ପ ଉଚ୍ଚତାବିଶିଷ୍ଟ ଯୁବକ ଜଣଙ୍କଠାରେ ନିହିତ ଥିବା ଶକ୍ତି ବିଷୟରେ ଭଲଭାବରେ ଅବଗତ ହୋଇ ସାରିଥିଲେ ଇନ୍ଦିରା । ସେ ସେହି ଯୁବକଙ୍କ ରୂପରେ ଦେଖି ପାରୁଥିଲେ ପଶ୍ଚିମବଙ୍ଗରେ କଂଗ୍ରେସର ଅଭ୍ୟୁଦୟ । ସେହିବର୍ଷ ହିଁ କଂଗ୍ରେସ ଟିକେଟରେ ତାଙ୍କୁ ପଠାଗଲା ରାଜ୍ୟସଭା । ହଁ, ସେହି ସ୍ୱଳ୍ପ ଉଚ୍ଚତାବିଶିଷ୍ଟ ଯୁବକ ଜଣକ ହେଉଛନ୍ତି ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ପ୍ରଣବ ମୁଖାର୍ଜୀ । ସମସ୍ତଙ୍କ ପ୍ରିୟ ପ୍ରଣବ ଦା' ଆଉ ଅନ୍ତରଙ୍ଗଙ୍କ ପାଇଁ ପଲଟୁ ଦା' । ତାଙ୍କ ପ୍ରଚଣ୍ଡ ପ୍ରତିଭା ଯୋଗୁ ୧୯୭୩ ବେଳକୁ ସେ ପାଲଟି ଯାଇଥିଲେ ଇନ୍ଦିରାଙ୍କ କୋର୍ ଗ୍ରୁପର ଜଣେ ସଦସ୍ୟ । ତାଙ୍କ କ୍ୟାବିନେଟର ଜଣେ ଅଭିନ୍ନ ଅଙ୍ଗ ।
ପ୍ରଣବ ଦା'ଙ୍କ ଦେହାବସାନ ପରେ ଗୋଟିଏ ଯୁଗର ନୁହେଁ, ଅର୍ଦ୍ଧଶତାବ୍ଦୀର ଅନ୍ତ ହେଲା । କାରଣ ୧୯୬୯ରୁ ରାଜନୀତିରେ ପାଦ ଥୋଇବାର ମାତ୍ର କେଇବର୍ଷ ମଧ୍ୟରେ ଜାତୀୟ ରାଜନୀତିରେ ଛାଇ ଯାଇଥିଲେ ପ୍ରଣବ ମୁଖାର୍ଜୀ । ୨୦୧୨ରେ ଦେଶର ତ୍ରୟୋଦଶ ରାଷ୍ଟ୍ରପତି ଆସନରେ ବସାଇ 'ସୋନିଆ-କଂଗ୍ରେସ' ପ୍ରଣବ ଦା'ଙ୍କୁ ପ୍ରତ୍ୟକ୍ଷ ରାଜନୀତିରୁ କୋଣଠେସା କରିବାର ଏକ ସୁନ୍ଦର ତଥା ସଫଳ ଉପାୟ ଆପଣେଇଥିଲା । ଏହା ଥିଲା କଂଗ୍ରେସର ଗୋଟିଏ ଗୁଳିରେ ଦୁଇଟି ଶିକାର । କାରଣ ପ୍ରଥମତଃ ଦଳରେ ସୋନିଆଙ୍କୁ ସମାଲୋଚନା କରିବା ଏବଂ ତାଙ୍କର ସବୁ 'ହଁ'ରେ 'ହଁ ' ନ ମିଳାଇ ସମାଲୋଚନା କରିବାର ଜଣେ ସଶକ୍ତ ବ୍ୟକ୍ତିଙ୍କୁ ହଟାଇ ଦିଆଗଲା । ଦ୍ୱିତୀୟରେ ରାଷ୍ଟ୍ରପତି ପରି ମର୍ଯ୍ୟାଦାଜନକ ପଦରେ ବସାଇ ତାଙ୍କର ତଥା ସମର୍ଥକଙ୍କ ମୁହଁ ମଧ୍ୟ ବନ୍ଦ କରି ଦିଆଗଲା । ତା' ପରେ ମଧ୍ୟ ନିଜ ପଦ ମର୍ଯ୍ୟାଦା ସାହାଯ୍ୟରେ ୟୁପିଏ ସରକାରର ଏକାଧିକ ନିଷ୍ପତ୍ତିକୁ ବିରୋଧ କରିଥିଲେ ପ୍ରଣବ ଦା'। ଏପରିକି ବହୁ ବିଲରେ ଦସ୍ତଖତ ନ କରି ଫେରାଇ ଦେଇଥିଲେ ।
ଇଏ ତ ଗଲା ପ୍ରଣବ ମୁଖାର୍ଜୀଙ୍କ ରାଜନୈତିକ ଜୀବନର କଥା । ଅନ୍ୟ ଦିଗଟି ହେଉଛି ଭାରତୀୟ ଜନତା ପାର୍ଟି ଓ ଆରଏସଏସ ପ୍ରତି ତାଙ୍କ ମନ ଭିତରେ ଥିବା ଏକ ଅନ୍ତଃସ୍ରୋତର କଥା । ସେଇଥିପାଇଁ ତ' ୨୦୧୮ ଜୁନ୍ ୭ରେ ଆରଏସଏସର ନାଗପୁର ବାର୍ଷିକ କାର୍ଯ୍ୟକାରିଣୀ (ପ୍ରଚାରକ ଉତ୍ତୀର୍ଣ୍ଣ କାର୍ଯ୍ୟକ୍ରମ)ରେ ଯୋଗଦେଇ ସେ ତାଙ୍କୁ କଟ୍ଟରବାଦୀ କଂଗ୍ରେସୀ କହୁଥିବା ଲୋକଙ୍କ ମୁହଁ ବନ୍ଦ କରି ଦେଇଥିଲେ । ଅବଶ୍ୟ ଏହାପଛରେ ଥିଲା ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କ ସହ ଥିବା ତାଙ୍କ ଦୀର୍ଘବର୍ଷର ସମ୍ପର୍କ ।
କ୍ଷମତାର ଚରମ ସୋପାନରେ ପହଞ୍ଚି ସାରିଥିଲେ ପ୍ରଣବ ଦା' । କେବଳ ଦେଶର ପ୍ରଧାନମନ୍ତ୍ରୀ ପଦ ଛଡ଼ା ପ୍ରାୟ ଏପରି କୌଣସି ପଦ ନ ଥିଲା, ଯେଉଁଥିରେ ସେ ଅଧିଷ୍ଠିତ ହୋଇ ନ ଥିଲେ । ପିଏମଙ୍କ ପରେ ଦେଶର ଓଜନଦାର ପୋର୍ଟଫୋଲିଓ କୁହାଯାଉଥିବା ପ୍ରତିରକ୍ଷା ମନ୍ତ୍ରୀ ପଦ ହେଉ ଅବା ଦେଶର ମର୍ଯ୍ୟାଦାଜନକ ବୈଦେଶିକ ବ୍ୟାପାର ମନ୍ତ୍ରୀ ପଦ ହେଉ ଅବା ହେଉ ଅର୍ଥମନ୍ତ୍ରୀ ପରି ଗୁରୁତ୍ୱପୂର୍ଣ୍ଣ ପଦ, ଏ ସବୁଥିରେ କେବେ ନା କେବେ ବସି ସାରିଛନ୍ତି ପ୍ରଣବ ଦା । ୧୯୬୯ରେ ପ୍ରଥମେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି, ୧୯୮୦ରେ ହୋଇଛନ୍ତି ରାଜ୍ୟସଭା ଅଧ୍ୟକ୍ଷ, ୧୯୮୨ରେ କେନ୍ଦ୍ର ଅର୍ଥମନ୍ତ୍ରୀ, ୧୯୯୧ରେ ପ୍ଲାନିଂ କମିଶନ ଅଧ୍ୟକ୍ଷ, ୧୯୯୫ରେ ବିଦେଶ ମନ୍ତ୍ରୀ, ୨୦୦୪ରେ ପ୍ରତିରକ୍ଷା ମନ୍ତ୍ରୀ, ୨୦୦୬ରେ ବହିର୍ବ୍ୟାପାର ମନ୍ତ୍ରୀ, ୨୦୦୯ରେ କେନ୍ଦ୍ର ଅର୍ଥମନ୍ତ୍ରୀ । ତାଲିକା ବେଶ୍ ଲମ୍ବା । ଏପରିକି ୧୯୮୪ରେ ୟୁରୋ ମାଗାଜିନର ସର୍ଭେ ଅନୁଯାୟୀ ପ୍ରଣବ ମୁଖାର୍ଜୀ ଥିଲେ ସାରା ବିଶ୍ୱର ନମ୍ବର ୱାନ୍ ଅର୍ଥମନ୍ତ୍ରୀ । ସେଥିପାଇଁ ଅବଶ୍ୟ ଦାୟୀ ତାଙ୍କର ସଫଳ ପଲିସୀମାନ । ଶେଷରେ ୨୦୧୭ରେ ଦେଶର ପ୍ରଥମ ନାଗରିକ, ରାଷ୍ଟ୍ରପତି । ଏତିକିରେ ତାଙ୍କ ପାଇଁ ସଫଳତା ଶେଷ ହୋଇଯାଇ ନ ଥିଲା । ୨୦୧୯ରେ ତାଙ୍କୁ ଅପେକ୍ଷା କରିଥିଲା ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ । ତାଙ୍କ ଝିଅ ଶର୍ମିଷ୍ଠା ସେ ଦିନର ସ୍ମୃତିଚାରଣ କରି କୁହନ୍ତି, ସେଦିନଟି ଥିଲା ଅଗଷ୍ଟ ୮ ତାରିଖ ୨୦୧୯ ମସିହା । ମୋ ଜୀବନର ସବୁଠୁ ସୁଖଦ ମୂହୁର୍ତ୍ତ । କାରଣ ବାପା ସେଦିନ ଗ୍ରହଣ କଲେ ଭାରତରତ୍ନ ସମ୍ମାନ । ଏପରିକି ୨୦୧୩ ମସିହାରେ ବାଂଲାଦେଶ ମଧ୍ୟ ତାଙ୍କୁ ୧୯୭୧ ସ୍ୱାଧୀନତା ସଂଗ୍ରାମ ପାଇଁ 'ବାଂଲାଦେଶ ମୁକ୍ତିଯୋଦ୍ଧା' ସମ୍ମାନରେ ଭୂଷିତ କରିଥିଲା ।
ପ୍ରଣବ ଦା କେବେ ବି ନିଜ ନୀତି ଏବଂ ଆଦର୍ଶ ସହ ସାଲିସ କରିନାହାଁନ୍ତି । ନିଜ ତମାମ ରାଜନୈତିକ ଜୀବନରେ ସେ ଜଣେ କଂଗ୍ରେସୀ ବୋଲି ଯେଉଁମାନେ ଭାବନ୍ତି, ତାଙ୍କର 'ରାଷ୍ଟ୍ରୀୟ ସମାଜବାଦୀ ପାର୍ଟି' ଗଠନ ସେମାନଙ୍କର ଏ ଧାରଣାକୁ ଭୁଲ୍ ପ୍ରମାଣିତ କରିବାକୁ ଯଥେଷ୍ଟ । ଅବଶ୍ୟ ତାଙ୍କ ପାର୍ଟିର ସ୍ଥାୟୀତ୍ୱ ବେଶିଦିନ ନ ଥିଲା । କାରଣ ୧୯୮୯ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସହ ବୁଝାମଣା ପରେ ସେ ପୁନର୍ବାର କଂଗ୍ରେସକୁ ଫେରିଥିଲେ । ଆଉ ସେଇଠୁ ହିଁ ଚାଖିଥିଲେ କ୍ଷମତାର ଅସଲ ସ୍ୱାଦ। ୧୯୯୮ରେ ଯେତେବେଳେ ସୋନିଆ ଗାନ୍ଧି ପ୍ରତ୍ୟକ୍ଷ ରାଜନୀତିକୁ ଆସିଲେ, ତାଙ୍କ ପଛରେ ମେରୁ ଖୁଣ୍ଟ ଭଳି ଯିଏ ଶକ୍ତ ଭାବରେ ଛିଡ଼ା ହୋଇଥିଲେ, ସିଏ ହେଉଛନ୍ତି ପ୍ରଣବ ଦା' । ସୋନିଆଙ୍କୁ ପ୍ରତ୍ୟକ୍ଷ ରାଜନୀତିର ସବୁ ଦାଓପେଞ୍ଚ ଖୁବ୍ ଭଲ ଭାବରେ ବୁଝାଇଲେ । ତାଙ୍କୁ ଭାରତୀୟ ରାଜନୀତିର ମଇଦାନରେ ଜଣେ ପୋଖତ ଖେଳାଳି କରି ଗଢ଼ି ତୋଳିଲେ । ତେବେ ଆଜି ପଲଟୁ ଦା' ଆମ ଗହଣରେ ନାହାଁନ୍ତି ସତ, ହେଲେ ତାଙ୍କର 'କୁଲ୍ ପଲିଟିକ୍ସ' ସବୁଦିନ ପାଇଁ ତାଙ୍କୁ ଦେଶବାସୀଙ୍କ ମନରେ ଉଜ୍ଜୀବିତ ରଖିବ ।