Queen Elizabeth II: ଦିନେ ଭାରତରେ ମୁଣ୍ଡ ନୁଆଁଇଥିଲେ କ୍ୱିନ ଏଲିଜାବେଥ
Advertisement
Article Detail0/zeeodisha/odisha1343691

Queen Elizabeth II: ଦିନେ ଭାରତରେ ମୁଣ୍ଡ ନୁଆଁଇଥିଲେ କ୍ୱିନ ଏଲିଜାବେଥ

Queen Elizabeth II:  ଏଲିଜା ବେଥ ଦ୍ୱିତୀୟଙ୍କ କାର୍ଯ୍ୟକାଳ ସମୟରେ ତିନି ଥର ଭାରତ ଗସ୍ତରେ ଆସିଥିଲେ। ସେ ୧୯୬୧ ମସିହାରେ ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସିଥିଲେ। 

Queen Elizabeth II: ଦିନେ ଭାରତରେ ମୁଣ୍ଡ ନୁଆଁଇଥିଲେ କ୍ୱିନ ଏଲିଜାବେଥ

Queen Elizabeth II: ନୂଆଦିଲ୍ଲୀ: ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କର ଗୁରୁବାର ଦିନ ୯୬ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ତାଙ୍କ ଦେହାନ୍ତରେ ବଂକିହାମ ପ୍ୟାଲେସ ୧୦ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛି। ବୟାନରେ ବଂକିହାମ ପ୍ୟାଲେସ ପକ୍ଷରୁ ଘୋଷଣା କରାଯାଇଛି କି ମହାରାଣୀଙ୍କର ଗୁରୁବାର ଦ୍ୱିପ୍ରହରରେ ବାଲ୍ମୋରୋଲରେ ନିଧନ ହୋଇ ଯାଇଛି। ଏହା ପୂର୍ବରୁ ଡାକ୍ତରୀ ଟିମ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତିତ ଥିଲେ। ଡାକ୍ତରୀ ଟିମ ତାଙ୍କର ଦେଖାରଖା କରିବାକୁ ନିର୍ଦ୍ଦେଶ ଦେଇଥିଲେ। 

ଏଲିଜା ବେଥ ଦ୍ୱିତୀୟ ଗତ ଅକ୍ଟୋବର ମାସରେ ବେଶ ଗୁରୁତର ହୋଇ ପଡ଼ିଥିଲେ। ସେ ଚଲାବୁଲା କରିବା କିମ୍ବା ଛିଡ଼ା ହେବା ତାଙ୍କ ପକ୍ଷରେ ସମ୍ଭବପର ନଥିଲା। ତେବେ ତାଙ୍କ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ତାଙ୍କର ଯାତ୍ରାରେ ବେଶ କାଣ୍ଟଛାଟ କରି ଦେଇଥିଲେ। ତେବେ ତାଙ୍କ ପରିବର୍ତ୍ତେ ତାଙ୍କର ବଡ଼ ପୁଅ ଚାର୍ଲସ ବ୍ରିଟେନର ପରବର୍ତ୍ତି ରାଜା ହେବେ ବୋଲି ଜଣାପଡ଼ିଛି। 

ତେବେ ଆପଣଙ୍କୁ ଏଠାରେ କହି ରଖୁ କି ଏଲିଜା ବେଥ ଦ୍ୱିତୀୟଙ୍କ କାର୍ଯ୍ୟକାଳ ସମୟରେ ତିନି ଥର ଭାରତ ଗସ୍ତରେ ଆସିଥିଲେ। ସେ ୧୯୬୧ ମସିହାରେ ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସିଥିଲେ। ଏହା ପରେ ୧୯୮୩ ଓ ୧୯୯୭ ମସିହାରେ ଭାରତ ଗସ୍ତରେ ଆସିଥିଲେ ରାଣୀ।

ତେବେ ମହାରାଣୀ ସ୍ୱାଧୀନତାର ୧୫ ବର୍ଷ ପରେ ପ୍ରଥମ କରି ଭାରତ ଗସ୍ତରେ ଆସିଥିଲେ। ଏହି ଗସ୍ତ ବେଶ ସ୍ମରଣୀୟ ହୋଇଥିଲା। ସ୍ୱାଧୀନତା ପରେ ବ୍ରିଟିଶ ରାଜାର ଭାରତକୁ ଏହା ପ୍ରଥମ ଗସ୍ତ ଥିଲା। ରାଣୀ ଏଲିଜାବେଥ 1961 ମସିହାରେ ତାଙ୍କ ସ୍ୱାମୀ ଡ୍ୟୁକ୍ ଅଫ୍ ଏଡିନବର୍ଗ ଏବଂ ପ୍ରିନ୍ସ ଫିଲିପଙ୍କ ସହ ଦିଲ୍ଲୀ ଗସ୍ତ କରିଥିଲେ। ବିମାନବନ୍ଦରରେ ରାଜ ଦମ୍ପତିଙ୍କୁ ତତ୍କାଳୀନ ରାଷ୍ଟ୍ରପତି ଡ. ରାଜେନ୍ଦ୍ର ପ୍ରସାଦ ଏବଂ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ସ୍ୱାଗତ କରିଥିଲେ। ରାଣୀ ରାଜଘାଟ ପରିଦର୍ଶନ କରି ମହାତ୍ମା ଗାନ୍ଧୀଙ୍କ ସ୍ମୃତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

ଏଠାରେ କହି ରଖୁ କି ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ରାଣୀ ଏବଂ ତାଙ୍କ ସ୍ୱାମୀ ସ୍ମୃତିସ୍ଥାନରେ ପ୍ରବେଶ କରିବା ପୂର୍ବରୁ ଜୋତା କାଢିଥିଲେ। ସେ ଭେଲଭେଟ ଚପଲ ପିନ୍ଧିଥିଲେ। ସେ ଜାନୁଆରୀ ୨୭ରେ ତତ୍କାଳୀନ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦଙ୍କ ଉପସ୍ଥିତିରେ ଆୟୋଜିତ ଏକ ବିଶାଳ ସମାରୋହରେ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS) ର ଅଟ୍ଟାଳିକା ମଧ୍ୟ ଉଦ୍ଘାଟନ କରିଥିଲେ। ଏହା ପରେ ସେ ମୁମ୍ବାଇ, ଚେନ୍ନାଇ ଏବଂ କୋଲକାତା ପରିଦର୍ଶନ କରିଥିଲେ। ଆଗ୍ରାର ତାଜମହଲକୁ ମଧ୍ୟ ଦେଖିଲେ। ସେହି ସମୟରେ ତାଙ୍କୁ ଦେଖିବାକୁ ପାଇଁ ରାସ୍ତା କଡ଼ରେ ହଜାର ହଜାର ସଂଖ୍ୟାରେ ଲୋକଙ୍କ ଭିଡ଼ ଜମୁଥିଲା। 

ସେହିପରି ରାଣୀ ୧୯୮୩ ମସିହାରେ ଦ୍ୱିତୀୟ ଥର ପାଇଁ ଭାରତ ଗସ୍ତରେ ଆସିଥିଲେ। ତତ୍କାଳୀନ ରାଷ୍ଟ୍ରପତି ଜ୍ଞାନୀ ଜୈଲ ସିଂହଙ୍କ ନିମନ୍ତ୍ରଣ କ୍ରମେ ଭାରତ ଗସ୍ତରେ ଆସିଥିଲେ ରାଣୀ ଏଲିଜାବେଥ। ଉଭୟେ ରାଷ୍ଟ୍ରପତି ଭବନର ନୂଆକରି ହୋଇଥିବା ଓ୍ୱିଙ୍ଗରେ ରହିଥିଲେ। ସେ କମନୱେଲଥ ହେଡସ୍ ସରକାରୀ ବୈଠକରେ ଭାଗ ନେଇଥିଲେ। ଏହି ଗସ୍ତରେ ରାଣୀ ଉଲ୍ଲେଖନୀୟ ଭାବରେ ମଦର ଟେରେସାଙ୍କୁ ସମ୍ମାନଜନକ ଅର୍ଡର ଅଫ ମେରିଟ ପ୍ରଦାନ କରିଥିଲେ ଏବଂ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ମଧ୍ୟ ଭେଟିଥିଲେ।

ଭାରତର ସ୍ୱାଧୀନତା ଦିବସକୁ ୫୦ ବର୍ଷ ପୂର୍ତ୍ତି ସମୟରେ ଭାରତ ଗସ୍ତରେ ଆସିଥିଲେ ମହାରାଣୀ ଏଲିଜାବେଥ ଦ୍ୱିତୀୟ । ମହାରାଣୀ ଓ ପ୍ରିନ୍ସ ଫିଲିପ ଭାରତର ତତ୍କାଳିନ ରାଷ୍ଟ୍ରପତି କେଆର ନାରାୟଣନ ଓ ପ୍ରଧାନମନ୍ତ୍ରୀ ଇନ୍ଦ୍ର କୁମାର ଗୁଜୁରାଲଙ୍କୁ ଭେଟିଥିଲେ। ତୃତୀୟ ଥର ଭାରତ ଗସ୍ତରେ ଆସି ରାଜଘାଟ ଦ୍ୱିତୀୟ ଥର ପାଇଁ ଯାଇଥିଲେ। ସେଠାରେ ମହାତ୍ମାଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ତେବେ ଏହି ଗସ୍ତରେ ଆସି ସେ ଅମୃତସର ମଧ୍ୟ ଗସ୍ତ କରିଥିଲେ। ଏହି ସମୟରେ ସେ ଜାଲିଆନାଓ୍ୱାଲା ବାଗ ମଧ୍ୟ ପରିଦର୍ଶନ କରିଥିଲେ। ଜାଲିଆନାଓ୍ୱାଲା ବାଗ ଘଟଣାକୁ ନିନ୍ଦା କରିବା ସହିତ ନିଜ ମୁଣ୍ଡକୁ ମଧ୍ୟ ନୁଆଁଇଥିଲେ। 

ସେହିପରି ରାଣୀ ଏଲିଜାବେଥ ଦ୍ୱିତୀୟ ଭାରତର ତିନି ଜଣ ରାଷ୍ଟ୍ରପତିଙ୍କୁ ସ୍ୱାଗତ ମଧ୍ୟ କରିଥିଲେ। ୧୯୬୩ ମସିହାରେ ଡ. କେଆର ନାରାୟଣ, ୧୯୯୦ରେ ଆର ଭେଙ୍କଟରମଣ ଓ ୨୦୦୯ରେ ପ୍ରତିଭା ପାଟିଲଙ୍କ ସ୍ୱାଗତ କରିଥିଲେ।