ଅଯୋଧ୍ୟାରେ ଆକ୍ରମଣ କରିବାକୁ ଆଇଏସଆଇ ଯୋଜନା କରିଛି ବୋଲି ଆରଆଣ୍ଡଏଡବ୍ଲ୍ୟୁ ପକ୍ଷରୁ କୁହାଯାଇଛି ।
Trending Photos
ନୂଆଦିଲ୍ଲୀ: ଆସନ୍ତା ଅଗଷ୍ଟ ୧୫ ତାରିଖରେ ଧର୍ମନଗରୀ ଅଯୋଧ୍ୟାର ରାମ ଜନ୍ମଭୂମିରେ ଆକ୍ରମଣ କରିବାକୁ ଷଡଯନ୍ତ୍ର ରଚିଛି ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଇଣ୍ଟର ସର୍ଭିସ ଇଣ୍ଟେଲିଜେନ୍ସି-ଆଇଏସଆଇ(Inter Service Inteligency-ISI)। ଏପରି ଏକ ଚାଞ୍ଚଲ୍ୟକର ଖୁଲାସା କରିଛି ଭାରତୀୟ ଗୁଇନ୍ଦା ସଂସ୍ଥା ରିସର୍ଚ୍ଚ ଆଣ୍ଡ ଆନାଲିସିସ ୱିଙ୍ଗ-ଆରଆଣ୍ଡଏଡବ୍ଲ୍ୟୁ (Researh and Analysis Wing-R&AW)।
ଏନେଇ ଆରଆଣ୍ଡଏଡବ୍ଲ୍ୟୁ ପକ୍ଷରୁ କୁହାଯାଇଛି ଅଯୋଧ୍ୟାରେ ଆକ୍ରମଣ କରିବାକୁ ଆଫଗାନିସ୍ତାନର ଲସ୍କର ଏବଂ ଜୈସ ସଙ୍ଗଠନର ଆତଙ୍କବାଦୀଙ୍କୁ ତାଲିମ ପ୍ରଦାନ କରୁଛି ଆଇଏସଆଇ। ପାକିସ୍ତାନୀ ଗୁଇନ୍ଦା ଏଜେନ୍ସି ଏହି ଆକ୍ରମଣ ଲାଗି ଅଯୋଧ୍ୟାକୁ ତିନିରୁ ପାଞ୍ଚଟି ଆତଙ୍କବାଦୀ ଗୋଷ୍ଠୀକୁ ଭାରତ ପଠାଇବାକୁ ଯୋଜନା କରିଛି।
ଏହା ସହିତ ଭାରତୀୟ ଗୁପ୍ତଚର ସଂସ୍ଥା ପ୍ରକାଶ କରିଛି, ପାକିସ୍ତାନ ଚାହୁଁଛି ଭାରତରେ ଆତଙ୍କବାଦୀ ଗୋଷ୍ଠୀ ପୃଥକ ପୃଥକ ଆକ୍ରମଣ କରନ୍ତୁ। କାରଣ ଏପରି କରିବା ଦ୍ୱାରା ଏହା ଭାରତରେ ଆଭ୍ୟନ୍ତରୀଣ ଆକ୍ରମଣ ଭଳି ଦୃଶ୍ୟମାନ ହେବ। ଆତଙ୍କବାଦୀଙ୍କ ଟାର୍ଗେଟରେ ଭିଭିଆଇପି ରହିବେ। କାରଣ ସେମାନଙ୍କ ଉପରେ ଆକ୍ରମଣ କରାଗଲେ ଏହାର ବଡ ଧରଣର ପ୍ରଭାବ ଅନୁଭୂତ ହେବ।
ସାମ୍ଭାବ୍ୟ ଆକ୍ରମଣକୁ ପ୍ରତିହତ କରିବା ଲାଗି ଦିଲ୍ଲୀ, ଅଯୋଧ୍ୟା ଏବଂ କାଶ୍ମୀରରେ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ କରାଯାଇଛି। ଚଳିତ ବର୍ଷ ଅଗଷ୍ଟ ୫ ତାରିଖରେ ହେବାକୁ ଯାଉଛି ଅଯୋଧ୍ୟାରେ ନିର୍ମିତ ହେବାକୁ ଥିବା ରାମ ମନ୍ଦିର ଲାଗି ଭୂମିପୂଜନ। ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କେନ୍ଦ୍ରରେ କ୍ରମାଗତ ଭାବେ ଦ୍ୱିତୀୟ ଥର ଲାଗି କ୍ଷମତାସୀନ ଗତ ବର୍ଷ ଅଗଷ୍ଟ ପାଞ୍ଚ ତାରିଖରେ ଜମ୍ମୁ କାଶ୍ମୀରକୁ ସ୍ୱତନ୍ତ୍ରତା ପ୍ରଦାନ କରୁଥିବା ୩୭୦ ଧାରାକୁ ଉଚ୍ଛେଦ କରିଥିଲେ।