କଂଗ୍ରେସକୁ ଝଟକା: ଇସ୍ତଫା ଦେବା ପରେ ବିଜେପିରେ ସାମିଲ ହେଲେ ଦଳୀୟ ବିଧାୟକ
Advertisement

କଂଗ୍ରେସକୁ ଝଟକା: ଇସ୍ତଫା ଦେବା ପରେ ବିଜେପିରେ ସାମିଲ ହେଲେ ଦଳୀୟ ବିଧାୟକ

ପଦରୁ ଇସ୍ଥଫା ଦେବା ପରେ ବିଜେପିରେ ସାମିଲ ହୋଇଛନ୍ତି କଂଗ୍ରେସ ବିଧାୟକ ପ୍ରଦ୍ୟୁମ୍ନ ସିଂ ଲୋଧି ।       

କଂଗ୍ରେସକୁ ଝଟକା: ଇସ୍ତଫା ଦେବା ପରେ ବିଜେପିରେ ସାମିଲ ହେଲେ ଦଳୀୟ ବିଧାୟକ

ଭୋପାଳ: ମଧ୍ୟ ପ୍ରଦେଶ ବିଧାନସଭାରେ ବିରୋଧି ଆସନରେ ବସିଥିବା କଂଗ୍ରେସକୁ ମିଳିଛି ଜୋରଦାର ଝଟକା । ରାଜ୍ୟର ଛତରପୁର ଜିଲ୍ଲାର ବଡାମଲହରା ଆସନରୁ ପ୍ରତିନିଧିତ୍ୱ କରୁଥିବା କଂଗ୍ରେସ ବିଧାୟକ ପ୍ରଦ୍ୟୁମ୍ନ ସିଂ ଲୋଧି ନିଜ ପଦରୁ ଇସ୍ତଫା ଦେବା ପରେ ରାଜ୍ୟରେ କ୍ଷମତାସୀନ ଥିବା ଶାସକ ବିଜେପି ଶିବିରରେ ସାମିଲ ହୋଇଛନ୍ତି ।       

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନଲ ଏବଂ ରାଜ୍ୟ ବିଜେପି ସଭାପତି ବିଷ୍ଣୁଦତ୍ତ ଶର୍ମାଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ ହୋଇଛନ୍ତି ।  ପଦରୁ ଇସ୍ତଫା ଦେବା ପରେ ବିଧାୟକ ଲୋଧି କହିଛନ୍ତି, 'ମୁଁ ବିଧାନସଭାର କାର୍ଯ୍ୟକାରୀ ଅଧ୍ୟକ୍ଷ ରାମେଶ୍ୱର ଶର୍ମାଙ୍କୁ ଶନିବାର ମୋର ଇସ୍ତଫା ପତ୍ର ପ୍ରଦାନ କରିଥିଲି । ରବିବାର ସେ ମୋର ଇସ୍ତଫା ଗ୍ରହଣ କରିଛନ୍ତି। '

ବିଜେପିରେ ସାମିଲ ହେବା ପରେ ସେ କହିଛନ୍ତି, ମୋ ନିର୍ବାଚନମଣ୍ଡଳୀ ବଡାମଲହାରା ସମେତ ସମଗ୍ର ବୁନ୍ଦେଲଖଣ୍ଡର ବିକାଶ ପାଇଁ ଏହି ନିଷ୍ପତ୍ତି ନେଇଛି। ରାଜ୍ୟର ଶାସନ କ୍ଷମତାରେ ଶିବରାଜ ସିଂହଙ୍କ ନେତୃତ୍ୱାଧିନ ସରକାରଙ୍କ ମାଧ୍ୟମରେ ଏହି କାର୍ଯ୍ୟ ସମ୍ଭବ ହୋଇପାରିବ।

ଏହା ସେ ଆହୁରି କହିଛନ୍ତି, କରୋନା ସଙ୍କଟ ସମୟରେ ବିକାଶ ଅଭାବ ହେତୁ ବୁନ୍ଦେଲଖଣ୍ଡର ବିଭିନ୍ନ ସ୍ଥାନରୁ ଅନେକ ଲୋକ ସ୍ଥାନାନ୍ତର ହୋଇଛନ୍ତି । ମୋ ନିର୍ବାଚନମଣ୍ଡଳୀରୁ ପ୍ରାୟ ୨୦ ହଜାର ଲୋକ ପଳାୟନ କରିଛନ୍ତି। ମୁଁ ଚାହୁଁଥିଲି ସମଗ୍ର ବୁନ୍ଦେଲଖଣ୍ଡ, ସମେତ ମୋ ନିର୍ବାଚନୀ। କ୍ଷେତ୍ରର ଦ୍ରୁତ ଗତିରେ ବିକାଶ ହେବା ଦରକାର । ସ୍ଥାନୀୟ ଲୋକଙ୍କୁ ନିଜ ଅଞ୍ଚଳରେ କର୍ମ ନିଯୁକ୍ତି ଯୋଗାଇଦେବା ଆବଶ୍ୟକ । ଏଥି ମୁଁ ୨ ଦିନ ପୂର୍ବରୁ ରାଜଧାନୀ ଭୋପାଳ ଆସିଥିଲି ।

ଏଭଳି ସଂକଟ ସମୟରେ ବଡାମଲହରା ଅଞ୍ଚଳରେ କାର୍ଯ୍ୟକାରୀ ହେବାକୁ ଥିବା ଜଳସେଚନ ପ୍ରକଳ୍ପ ବାବଦରେ ଯେତେବେଳେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହଙ୍କ ଦୃଷ୍ଟି ଆକର୍ଷଣ କରିଥିଲି । ସେ ତତକ୍ଷଣାତ ଏହି ପ୍ରକଳ୍ପକୁ ଅନୁମୋଦନ କରିଥିଲେ । ପ୍ରାୟ ସାଢେ ୪ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ପ୍ରକଳ୍ପ ମାଧ୍ୟମରେ ପ୍ରାୟ ୧୭୦୦ ଚାଷ ଜମିକୁ ଜଳ ସେଚନର ସୁବିଧା ମିଳିବ । 

ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ କାର୍ଯ୍ୟ କରିବାର ପ୍ରଣାଳୀ ଉପରେ ମତ ରଖି ଇସ୍ତଫା ଦେଇଥିବା ବିଧାୟକ ଲୋଧି କହିଛନ୍ତି, ଏହା ହେଉଛି କାମ କରିବାର ଉପାୟ। ଆଜି ମୁଁ ସମ୍ପୂର୍ଣ୍ଣ ଦୃଢ ଭାବରେ କହିପାରିବି ମୁଖ୍ୟମନ୍ତ୍ରୀ ଦେଇଥିବା ଏହି ଉପହାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ରାଜ୍ୟ ସରକାରଙ୍କ ସହାୟତାରେ ବୁନ୍ଦେଲଖଣ୍ଡର ବିକାଶ ହେଉ ବୋଲି ମୁଁ ଚାହୁଁଛି ।

ବିଜେପିରେ ସାମିଲ ହେବା ପରେ ପ୍ରଦ୍ୟୁମ୍ନ ସିଂ ଲୋଧିଙ୍କୁ ଦଳରେ ସ୍ୱାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ବିଜେପି ଅଧ୍ୟକ୍ଷ । ଏହି ଅବସରରେ ପ୍ରତିକ୍ରିୟା ରଖି ରାଜ୍ୟ ବିଜେପି ସଭାପତି କହିଛନ୍ତି, ବିଧାୟକ ଲୋଧିଙ୍କ ଘରବାହୁଡା ହୋଇଛି । ବିଜେପିରେ ଯୋଗଦେବା ପୂର୍ବରୁ ଲୋଡି ଏଠାରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ପରିଦର୍ଶନ କରିବା ସହ ସେଠାରେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଉମା ଭାରତୀଙ୍କୁ ମଧ୍ୟ ଭେଟିଥିଲେ। ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତ ପୂର୍ବରୁ ବଡାମଲହରା ବିଧାନସଭା ଆସନରୁ ପ୍ରତିନିଧିତ୍ୱ କରିଥିଲେ।

ସେପଟେ ମଧ୍ୟପ୍ରଦେଶ ବିଧାନସଭା ବାଚସ୍ପତି ରାମେଶ୍ୱର ଶର୍ମା କହିଛନ୍ତି, ବିଧାୟକ ପ୍ରଦ୍ୟୁମ୍ନ ସିଂହ ଲୋଧି ଶନିବାର ବିଧାନସଭା ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି। ରବିବାର ଏହାକୁ ଅନୁମୋଦନ କରାଯାଇଛି। 

ବିଧାୟକ ଲୋଧିଙ୍କ ପୂର୍ବରୁ ୨୪ ବିଧାୟକଙ୍କ ଇସ୍ତଫା ପରେ ପ୍ରାୟ ୧୫ ମାସ ଧରି ରାଜ୍ୟରେ କ୍ଷମତାସୀନ ଥିବା କମଲନାଥଙ୍କ ନେତୃତ୍ୱାଧିନ କଂଗ୍ରେସ ସରକାର ପତ୍ତନ ହୋଇଥିଲା । ଦଳ ବିରୁଦ୍ଧରେ ବିଦ୍ରୋହ ଘୋଷଣା କରିଥିବା ଏହି ବିଧାୟକ ପୂର୍ବତନ କଂଗ୍ରେସ ନେତା ବର୍ତ୍ତମାନର ବିଜେପି ରାଜ୍ୟସଭା ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମର୍ଥକ ଗୋଷ୍ଠୀର ।

କଂଗ୍ରେସ ବିଧାୟକ ଲୋଧିଙ୍କ ଇସ୍ତଫା ପରେ ମୋଟ ୨୩୦ ଆସନ ବିଶିଷ୍ଟ ମଧ୍ୟ ପ୍ରଦେଶ ବିଧାନସଭାରେ ମୋଟ ୨୫ଟି ଆସନ ଖାଲିପଡିଛି । ଏହା ମଧ୍ୟରୁ ୨୩ଟି କଂଗ୍ରେସ ବିଧାୟକ ଇସ୍ତଫା ଏବଂ ଅନ୍ୟ ଦୁଇଟି ଆସନ ବିଜେପି ଓ କଂଗ୍ରେସର ଜଣେ ବିଧାୟକଙ୍କ ଦେହାନ୍ତ କାରଣରୁ ଖାଲି ରହିଛି । ବର୍ତ୍ତମାନ ବିଧାନସଭାରେ ଶାସକ ବିଜେପିର ୧୦୭, ବିରୋଧି କଂଗ୍ରେସରେ ୯୧, ବହୁଜନ ସମାଜ ପାର୍ଟି ୨, ସମାଜବାଦ ପାର୍ଟି ୧ ଏବଂ ୪ ଜଣ ସ୍ୱାଧିନ ବିଧାୟକ ଅଛନ୍ତି।

ଏହି ୨୫ଟି ବିଧାନସଭା ଆସନରେ ହେବାକୁ ଥିବା ଉପ-ନିର୍ବାଚନର ଫଳାଫଳ ଗୁରୁତ୍ୱପୂର୍ଣ୍ଣ । କାରଣ ବିଧାନସଭାରେ ବର୍ତ୍ତମାନର ବିଜେପି ଏବଂ କଂଗ୍ରେସ ସଦସ୍ୟଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟରେ କେବଳ ଏହି ଦୁଇ ଦଳ ସରକାର ଗଠନ କରିବାର ସୁଯୋଗ ପାଇପାରିବେ।