ଚଳିତ ଆଇପିଏଲର ୩୮ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଓ କିଙ୍ଗସ ଏକାଦଶ ପଞ୍ଜାବ ପରସ୍ପରକୁ ଭେଟିବାକୁ ଯାଉଛନ୍ତି।
Trending Photos
ଦୁବାଇ: ଚଳିତ ଆଇପିଏଲର ୩୮ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଓ କିଙ୍ଗସ ଏକାଦଶ ପଞ୍ଜାବ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଦୁବାଇ ଇଣ୍ଡରନ୍ୟାସନାଲ ଷ୍ଟାଡ଼ିୟମରେ ସନ୍ଧ୍ୟା ସାଢେ ୭ଟାରେ ଏହି ମ୍ୟାଚ ଖେଳାଯିବ। ତେବେ ଲଗାତାର ଦୁଇଟି ମ୍ୟାଚ ଜିତିବା ପରେ ପଞ୍ଜାବର ମନୋବଳ ବେଶ ମଜବୁତ ରହିଛି। ବିଜୟଧାରାକୁ ବଜାୟ ରଖିବା ଲକ୍ଷ୍ୟ ନେଇ ପଞ୍ଜାବ ମୈଦାନକୁ ଓହ୍ଲାଇବ।
ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଡବଲ ସୁପର ଓଭର ମ୍ୟାଚ ଖେଳି ପଞ୍ଜାବ ବେଶ ରୋମାଞ୍ଚକର ବିଜୟ ହାସଲ କରିଥିଲା। ଡବଲ ସୁପର ଓଭର ଖେଳିବାରେ ଆଇପିଏଲରେ ପଞ୍ଜାବ ଏକ ମାତ୍ର ଦଳ। ତେବେ ଏହି ମ୍ୟାଚ ବିଜୟୀ ହେବା ପରେ ସର୍ବନିମ୍ନ ସ୍ଥାନରୁ ଉଠିଛି। ମଜବୁତ ମନୋବଳ ନେଇ ପଞ୍ଜାବ ଦିଲ୍ଲୀ ବିପକ୍ଷରେ ମୈଦାନକୁ ଓହ୍ଲାଇବ।
ସେପଟେ କିନ୍ତୁ ବର୍ତ୍ତମାନ ସୁଦ୍ଧା ଆଇପିଏଲରେ ସବୁଠାରୁ ପ୍ରଭାବଶାଳୀ ପ୍ରଦର୍ଶନ କରିଛି ଦିଲ୍ଲୀ। ୯ଟି ମ୍ୟାଚରୁ ମୋଟ ୭ଟିରେ ବିଜୟ ହାସଲ କରିଛି ଦିଲ୍ଲୀ। ଏହି ବିଜୟ ସହିତ ଦିଲ୍ଲୀ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି। ସେପଟେ ଅବଶିଷ୍ଟ ୫ଟି ମ୍ୟାଚରୁ ଆଉ ଗୋଟିଏ ମ୍ୟାଚ ଜିତିବା ପରେ ପ୍ଲେଅଫ ଖେଳିବା ପାଇଁ ରାସ୍ତା ସ୍ପଷ୍ଟ ହୋଇଯିବ। ସେପଟେ ପୂର୍ବ ଦୁଇଟି ମ୍ୟାଚରେ ବାଙ୍ଗାଲୋର ଓ ମୁମ୍ବାଇ ବିପକ୍ଷରେ ବିଜୟ ହାସଲ କରିଛି ପଞ୍ଜାବ। ପ୍ଲେଅଫ ଖେଳିବାକୁ ହେଲେ ପଞ୍ଜାବକୁ ଅବଶିଷ୍ଟ ୫ଟି ଯାକ ମ୍ୟାଚ ଜିତିବାକୁ ହେବ। ଫଳରେ ପଞ୍ଜାବ ପାଇଁ କର ବା ମର ପରିସ୍ଥିତି ସୃଷ୍ଟି ହୋଇଛି।
ସାମାନ୍ୟ ଢିଲାପଣ ପଞ୍ଜାବ ପାଇଁ ମହଙ୍ଗା ସାବ୍ୟସ୍ତ ହେବ। ପଞ୍ଜାବକୁ ଗୋଟିଏ ବି ମ୍ୟାଚରେ ପରାଜୟ ଟୁର୍ଣ୍ଣାମେଣ୍ଟରୁ ବିଦାୟର ରାସ୍ତା ଦେଖାଇବ। ତେବେ ଦଳ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି ମଧ୍ୟକ୍ରମ ବ୍ୟାଟିଂ। ଦଳରେ କ୍ରିସ ଗେଲଙ୍କୁ ସୁଯୋଗ ମିଳିବା ପରେ ସେ ଦଳ ପାଇଁ ଭଲ ପ୍ରଦର୍ଶନ କରିଛନ୍ତି। ସେ ଦମଦାର ପ୍ରଦର୍ଶନ କରିଥିବା ମ୍ୟାଚରେ ପଞ୍ଜାବ ବିଜୟ ଲାଭ କରିଛି। ସେହିପରି ଗ୍ଲେନ ମ୍ୟାକ୍ସଓ୍ୱେଲଙ୍କ ପ୍ରଦର୍ଶନକୁ ନେଇ ଦଳ ଚିନ୍ତାରେ ରହିଛି। ତେବେ ଓପନିଂ ଯୋଡ଼ି ଦଳ ପାଇଁ ବଳ ସାବ୍ୟସ୍ତ ହୋଇଛନ୍ତି। କେଏଲ ରାହୁଲ ୯ଟି ମ୍ୟାଚରୁ ସର୍ବାଧିକ ୫୨୫ ରନ ସଂଗ୍ରହ କରିଛନ୍ତି। ମୟଙ୍କ ଅଗ୍ରଓ୍ୱାଲ ୩୯୩ ରନ ସଂଗ୍ରହ କରିଛନ୍ତି।
ଦିଲ୍ଲୀ ପାଇଁ ଶିଖର ଧୱନଙ୍କ ବ୍ୟାଟିଂ ଫର୍ମ ଦିଲ୍ଲୀକୁ ଉତ୍ସାହିତ କରିଛି। ଦଳର ବୋଲିଂ ବିଭାଗ କାଗିସୋ ରାବଡ଼ା ଓ ଆନରିଚ ନୋର୍ତ୍ତେଜୋଙ୍କ ପ୍ରଦର୍ଶନ ଦଳକୁ ବଳ ଯୋଗାଇଛି। ତେବେ ସେ ଯାହା ବି ହେଉ ଆଜି ଉଭୟ ଦଳ ମଧ୍ୟରେ ଏକ ସଂଘର୍ଷ ତଥା ରୋମାଞ୍ଚ ଭରା ମ୍ୟାଚ ଦେଖିବାକୁ ମିଳିବ।