UK New PM Liz Truss: ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ଶେଷରେ ବ୍ରିଟେନ ପ୍ରଧାନମନ୍ତ୍ରୀ ମୁକାବିଲାରେ ବାଜି ମାରି ନେଇଛନ୍ତି ଲିଜ୍ ଟ୍ରସ୍ ଜିତିଛନ୍ତି। ସେ ଏକ ଘନିଷ୍ଠ ପ୍ରତିଯୋଗିତାରେ ଭାରତୀୟ ବଂଶୋଦ୍ଭବ ସାଂସଦ ଋଷି ସୁନକଙ୍କୁ ପରାସ୍ତ କରିଛନ୍ତି। ଲିଜ ଟ୍ରସ ମଙ୍ଗଳବାର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ବ୍ରିଟେନ ପ୍ରଧାନମନ୍ତ୍ରୀ ନିର୍ବାଚନରେ ତାଙ୍କୁ ୮୧ ହଜାର ୩୨୬ ଭୋଟ ମିଳିଥିବା ବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କୁ ୬୦ ହଜାର ୩୯୯ ଭୋଟ ମିଳିଥିଲା। ଥେରେସା ମେ ଏବଂ ମାର୍ଗେଟ୍ ଥାଚରଙ୍କ ପରେ ତୃତୀୟ ବ୍ରିଟିଶ ମହିଳା ପ୍ରଧାନମନ୍ତ୍ରୀ ହୋଇଛନ୍ତି ଲିଜ୍ ଟ୍ରସ୍। ପ୍ରଧାନମନ୍ତ୍ରୀ ନିର୍ବାଚନର ଶେଷ ପର୍ଯ୍ୟାୟ ପାଇଁ ଭୋଟ୍ ଗ୍ରହଣ ଶୁକ୍ରବାର ଶେଷ ହୋଇଛି। ନିର୍ବାଚନ ଫଳାଫଳ ପୂର୍ବରୁ ଆସିଥିବା ପ୍ରାକ ସର୍ଭେ ରିପୋର୍ଟ ଦର୍ଶାଇଥିଲା ଯେ ସୁନାକଙ୍କୁ ଟ୍ରସ ପଛରେ ପକାଇ ଦେଇଛନ୍ତି।


COMMERCIAL BREAK
SCROLL TO CONTINUE READING

ବିଟ୍ରେନ ପ୍ରଧାନମନ୍ତ୍ରୀ ନିର୍ବାଚନ ​​ଜିତିବା ପରେ ପ୍ରତିକ୍ରିୟା ରଖି ଲିଜ ଟ୍ରସ କହିଛନ୍ତି ଯେ ମୁଁ ଦେଶରେ ଟିକସ ହ୍ରାସ କରିବା ଏବଂ ଅର୍ଥନୀତିକୁ ମଜବୁତ କରିବା ପାଇଁ ଏକ ଉତ୍ତମ ଯୋଜନା କାର୍ଯ୍ୟକାରୀ କରିବି। ଶକ୍ତି ସଙ୍କଟ ଏବଂ NHS ଉପରେ କାର୍ଯ୍ୟ କରାଯିବ। ଆମେ ସମସ୍ତେ ଆମ ଦେଶ ପାଇଁ କାର୍ଯ୍ୟ କରିବୁ। ମୁଁ ନିଶ୍ଚିତ କରିବି ଯେ ଆମେ ଆମ ଦଳ କଞ୍ଜରଭେଟିଭ ପାର୍ଟିରେ ସମସ୍ତ ଚମତ୍କାର ପ୍ରତିଭାକୁ ବ୍ୟବହାର କରିବୁ ଏବଂ ଆସନ୍ତା ୨୦୨୪ ନିର୍ବାଚନରେ ଆମ ଦଳ ଏକ ବଡ଼ ବିଜୟ ହାସଲ କରିବ।


ନୂତନ ବ୍ରିଟେନ ପ୍ରଧାନମନ୍ତ୍ରୀ ପଦ ପାଇଁ ନିର୍ବାଚନ ଗତ ଜୁଲାଇ ମାସରୁ ଆରମ୍ଭ ହୋଇଥିଲା। ଯେତେବେଳେ ବିଦାୟୀ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ତାଙ୍କ ସରକାର ଅମଳରେ ହୋଇଥିବା ଅନେକ ଦୁର୍ନୀତି ଏବଂ ମନ୍ତ୍ରୀ ପଦ ଛାଡିବାକୁ ଘୋଷଣା କରିଥିଲେ। ପ୍ରଧାନମନ୍ତ୍ରୀ ପଦରୁ ବୋରିସ୍ ଜନସନଙ୍କ ଇସ୍ତଫା ପରେ ପ୍ରାୟ ଦୁଇମାସ ଧରି ଚାଲିଥିବା କସରତ ସେପ୍ଟମ୍ବର ୫ ତାରିଖ ସୋମବାର ଶେଷ ହୋଇଛି। ସେପ୍ଟମ୍ବର ୬ ତାରିଖ ମଙ୍ଗଳବାର ନବନିର୍ବାଚିତ ବ୍ରିଟିଶ ପ୍ରଧାନମନ୍ତ୍ରୀ ଲିଜ ଟ୍ରସ ଶପଥ ଗ୍ରହଣ କରିବେ।


Also Read: ଭଗୱା ଅବତାରରେ ନୂଆ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ


 


କାହିଁକି ଏହି ନିର୍ବାଚନରେ ​​ଜିତିବାରେ ଲିଜ୍ ଟ୍ରସ୍ ସଫଳ ହୋଇଥିଲେ? ଶାସକ ଦଳ କଞ୍ଜରଭେଟିଭ ପାର୍ଟିରେ ସେ ହେଉଛନ୍ତି ଜଣେ ଲୋକପ୍ରିୟ। ଦଳର ଅନେକ ସାଂସଦ ବିଶ୍ୱାସ କରନ୍ତି ଯେ ଲିଜ ଟ୍ରସ ତୃଣମୂଳ ସ୍ତରର ରାଜନୀତି ସହ ଜଡି଼ତ। ଯେତେବେଳେ ଦଳୀୟ ୱେବସାଇଟ ଜରିଆରେ କୌଣସି ସର୍ଭେ କରାଯାଉଥିଲା ସେତେବେଳେ ଲିଜ ଟ୍ରସ ଶୀର୍ଷରେ ରହୁଥିଲେ। ଏହି ୪୭ ବର୍ଷୀୟ ରାଜନେତା ଜଣଙ୍କ ଦେଶର ବାଣିଜ୍ୟ ମନ୍ତ୍ରୀ ରହିଛନ୍ତି। ୟୁରୋପୀୟ ସଂଘରୁ ବାହାରି ଯିବା ପାଇଁ ହୋଇଥିବା ବ୍ରେକ୍ସିଟ୍ ଅଭିଯାନରେ ଅଂଶଗ୍ରହଣ କରିଥିଲେ। ବିଦାୟୀ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଗତ ବର୍ଷ ତାଙ୍କୁ ୟୁରୋପୀୟ ୟୁନିଅନ୍ ସହ କଥାବାର୍ତ୍ତା କରିବା ଲାଗି ମୁଖ୍ୟ ଭାବରେ ନିଯୁକ୍ତ କରିଥିଲେ।


ନିର୍ବାଚନ ପ୍ରଚାର ସମୟରେ ଲିଜ ଟ୍ରସ୍ ଆଗରେ ରହିଥିଲେ। ସେ ପ୍ରତିଶ୍ରୁତି ଦେଇଛନ୍ତି ଯେ ଯଦି ସେ ନିର୍ବାଚନରେ ​​ଜିତନ୍ତି ତେବେ ଟିକସ ହ୍ରାସ ଠାରୁ ଆରମ୍ଭ କରି ଶକ୍ତି ରିହାତି ପର୍ଯ୍ୟନ୍ତ ଅନେକ ଅର୍ଥନୈତିକ ପରିବର୍ତ୍ତନ ଆଣିବେ। ଏହା ସହିତ ଦେଶରେ ଦରଦାମ ବୃଦ୍ଧି ନିୟନ୍ତ୍ରଣ କରିବାକୁ ଯାଇ କୌଣସି ନୂତନ ଟିକସ ଲାଗୁ କରିବାକୁ ମନା କରିଦେଇଛନ୍ତି ସେ।


ଅନ୍ୟପଟେ ଋଷି ସୁନକ ନିର୍ବାଚନ ହାରିବା ପଛରେ ଅନେକ କାରଣ ରହିଥିବା ଦର୍ଶାଇଛି ବ୍ରିଟିଶ ଗଣମାଧ୍ୟମ। ଏହା ମଧ୍ୟରୁ ଦୁଇଟି କାରଣ ହେଉଛି ଗୁରୁତ୍ୱପୂର୍ଣ୍ଣ। ପ୍ରଥମ କାରଣ ହେଉଛି ପତ୍ନୀ ଅକ୍ଷତାଙ୍କ ପାଖରେ ବ୍ରିଟିଶ ନାଗରିକତା ନାହିଁ। ଦ୍ୱିତୀୟ କାରଣ ହେଉଛି ଶାସକ କଞ୍ଜରଭେଟିଭ ପାର୍ଟିର ଅଧିକାଂଶ ସାଂସଦ ନିଜ ଦେଶର ଜଣେ ନାଗରିକଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ଚାହୁଁଥିଲେ।


Also Read:  ପରାଜୟ ସ୍ୱୀକାର କଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ; ଦାୟିତ୍ୱ ନେବେ ଆନ୍ଥୋନୀ ଆଲବାନିଜ୍


ନିର୍ବାଚନ ଫଳାଫଳା ଆସିବା ପୂର୍ବରୁ ଋଷି ସୁନକ ରବିବାର କହିଥିଲେ ଯେ ଯଦି ସେ କଞ୍ଜରଭେଟିଭ ପାର୍ଟି  ଦଳର ନେତୃତ୍ୱ ଦୌଡ଼ରେ ହାରିଯାନ୍ତି ତାହେଲେ ସେ ପରବର୍ତ୍ତୀ ସରକାରଙ୍କୁ ସମର୍ଥନ କରିବେ। ଫଳାଫଳ ଘୋଷଣା ହେବା ପୂର୍ବରୁ ବ୍ରିଟିଶ ବିବିସି କୁ ଦେଇଥିବା ସାକ୍ଷାତକାରରେ ସେ କହିଛନ୍ତି ଯେ ଯଦି ସେ ବୈଦେଶିକ ମନ୍ତ୍ରୀ ଲିଜ ଟ୍ରସଙ୍କୁ ହରାନ୍ତି ତେବେ ସେ ସଂସଦର ସଦସ୍ୟ ରହିବାକୁ ଯୋଜନା କରୁଛନ୍ତି। ଯେତେବେଳେ ତାଙ୍କୁ ତାଙ୍କର ଭବିଷ୍ୟତ ଯୋଜନା ବିଷୟରେ ପଚରାଗଲା, ସେତେବେଳେ ସେ କହିଥିଲେ ଯେ ମୁଁ କନଞ୍ଜରଭେଟିଭ ପାର୍ଟି ସରକାରଙ୍କୁ ସବୁ ଦିଗରେ ସମର୍ଥନ କରିବାକୁ ଅପେକ୍ଷା କରିଛି। ଯେତେବେଳେ ତାଙ୍କୁ ପୁନର୍ବାର ବ୍ରିଟେନ ପ୍ରଧାନମନ୍ତ୍ରୀ ନିର୍ବାଚନ ଲଢିବି ବାବଦରେ ପଚରା ଗଲା ସେତେବେଳେ ସେ କହିଥିଲେ ଯେ କିଛି ବର୍ଷ ପରେ ପୁନର୍ବାର ଶୀର୍ଷ ପଦବୀ ପାଇଁ ନିର୍ବାଚନ ଲଢିବାକୁ ଚିନ୍ତା କରିବେ।