କୃଷି ସହ ସମ୍ୱନ୍ଧୀୟ ଅଧ୍ୟାଦେଶ ଆଣିଥିବା ମୋଦି ସରକାରଙ୍କୁ ବଡ଼ ଝଟକା ଲାଗିଛି । ମୋଦି କ୍ୟାବିନେଟରୁ ଇସ୍ତଫା ଦେଲେ କେନ୍ଦ୍ର ମନ୍ତ୍ରୀ ହରସିମରତ କୌର ବାଦଲ ।
Trending Photos
ନୂଆଦିଲ୍ଲୀ: କୃଷି ସମ୍ୱନ୍ଧୀୟ ଅଧ୍ୟାଦେଶ ଆଣିଥିବା ମୋଦି ସରକାରଙ୍କୁ ବଡ଼ ଝଟକା ଲାଗିଛି । ମୋଦି କ୍ୟାବିନେଟରୁ ଇସ୍ତଫା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ହରସିମରତ କୌର ବାଦଲ । ଅନ୍ୟପକ୍ଷେ ବିଜେପିର ସହଯୋଗୀ ଶିରୋମଣି ଅକାଳୀ ଦଳ ଆଧ୍ୟାଦେଶକୁ ବିରୋଧ କରୁଛନ୍ତି । ଗୁରୁବାର ଲୋକସଭାରେ ଏହି ବିଲ୍ ଆଗତ ହେବା ପରେ ଶିରୋମଣି ଅକାଳୀ ଦଳ ସାଂସଦ ସୁଖବୀର ସିଂ ବାଦଲ ଏହାକୁ ବିରୋଧ କରିଛନ୍ତି । ସେ ସରକାରଙ୍କୁ ଏକ ବଡ ଝଟକା ଦେଇ କହିଛନ୍ତି ଯେ, ହରସିମରତ କୌର ବାଦଲ ମନ୍ତ୍ରୀ ପଦରୁ ଇସ୍ତଫା ଦେବେ । ତେବେ ଶିରୋମଣି ଅକାଳୀ ଦଳ ସରକାରଙ୍କୁ ସମର୍ଥନ ଜାରି ରଖିବ । ହରସିମରତ କୌର ବାଦଲ ହେଉଛନ୍ତି କେନ୍ଦ୍ର ଖାଦ୍ୟ ଏବଂ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରୀ ।
ଶିରୋମଣି ଅକାଳୀ ଦଳର କୋଟାରୁ ମନ୍ତ୍ରୀ ହରସିମରତ କୌର ବାଦଲଙ୍କ ଇସ୍ତଫା ଦେବା ସହିତ ଏନଡିଏରେ ଏହି ବିଧେୟକକୁ ନେଇ ଫାଟ ସୃଷ୍ଟି ହୋଇଛି । ଏହି ବିଧେୟକକୁ ବିରୋଧ କରି ହରିୟାଣା ଓ ପଞ୍ଜାବରେ ଚାଷୀମାନେ ବ୍ୟାପକ ପ୍ରଦର୍ଶନ ଜାରି ରଖିଛନ୍ତି । ଏହାପୂର୍ବରୁ ସୁଖବୀର ସିଂ ବାଦଲ କହିଛନ୍ତି ଯେ କୃଷକଙ୍କ ସହ ଜଡିତ ତିନୋଟି ବିଧେୟକ ବିରୋଧ କରି ସେ (ହରସିମରତ) ମନ୍ତ୍ରୀ ପଦରୁ ଇସ୍ତଫା ଦେବେ । ସେ ଲୋକସଭାରେ କେନ୍ଦ୍ରକୁ ଚେତାବନୀ ଦେଇଛନ୍ତି ଯେ, ଯଦି ସରକାର ଚାଷୀଙ୍କ ଉପରେ ଅଣାଯାଉଥିବା ବିଧେୟକକୁ ରୋକିବେ ନାହିଁ ତେବେ ହରସିମରତ କୌର ବାଦଲ ଇସ୍ତଫା ଦେବେ ।
କଂଗ୍ରେସ ଓ ଅନ୍ୟ ଦଳ ଏହି ବିଲକୁ ବିରୋଧ କରୁଛନ୍ତି । ସେମାନେ ଯୁକ୍ତି କରିଛନ୍ତି ଯେ ଏହା ଏମଏସପି ସିଷ୍ଟମ ଦ୍ୱାରା ଚାଷୀଙ୍କୁ ଦିଆଯାଇଥିବା ସୁରକ୍ଷା କବଜକୁ ଦୁର୍ବଳ କରିବ ଏବଂ ବଡ ବଡ କମ୍ପାନୀ ଦ୍ୱାରା ଚାଷୀଙ୍କୁ ଶୋଷଣ କରାଯିବ । ଏହାପୂର୍ବରୁ ଗୃହରେ ଏହି ବିଲ୍ ଉପରେ ବିତର୍କ ଚାଲିଥିବାବେଳେ କଂଗ୍ରେସର ରବଣିତ ସିଂ ବିଟୁ କହିଛନ୍ତି ଯେ, ଚାଷୀଙ୍କ ପାଇଁ ଏକ କଳା ଆଇନ ଆଣାଯାଉଛି । ଏଥିରୁ ଚାଷୀଙ୍କୁ ରକ୍ଷା କରାଯିବା ଉଚିତ୍ । ସେ କହିଛନ୍ତି ଯେ ସରକାରଙ୍କ ସହଯୋଗୀ ଶିରୋମଣି ଅକାଳୀ ଦଳ ମଧ୍ୟ ଏହି ବିଲ୍ ବିରୋଧରେ କହିଛନ୍ତି ।