ବ୍ରିଟେନରେ ୬ବର୍ଷ ମଧ୍ୟରେ ୫ମ ପିଏମ ସୁନକ! କାହିଁକି କାର୍ଯ୍ୟକାଳ କରିପାରୁ ନାହାଁନ୍ତି ପୂରଣ?
Advertisement
Article Detail0/zeeodisha/odisha1413529

ବ୍ରିଟେନରେ ୬ବର୍ଷ ମଧ୍ୟରେ ୫ମ ପିଏମ ସୁନକ! କାହିଁକି କାର୍ଯ୍ୟକାଳ କରିପାରୁ ନାହାଁନ୍ତି ପୂରଣ?

Britain PM: ୬ ବର୍ଷ ମଧ୍ୟରେ ବ୍ରିଟେନର ପଞ୍ଚମ ପ୍ରଧାନମନ୍ତ୍ରୀ ହୋଇଛନ୍ତି ଭାରତୀୟ ବଂଶୋଦ୍ଭବ ରିଷି ସୁନକ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବିଶ୍ୱର ଶକ୍ତିଶାଳୀ ଗଣତନ୍ତ୍ର ବ୍ରିଟେନରେ ଗତ ୬ ବର୍ଷ ମଧ୍ୟରେ କୌଣସି ପ୍ରଧାନମନ୍ତ୍ରୀ କାର୍ଯ୍ୟକାଳ ସମ୍ପୂର୍ଣ୍ଣ କରିପାରି ନାହାଁନ୍ତି । ଦ୍ୱିତୀୟତଃ ଏହି ବିକଶିତ ରାଷ୍ଟ୍ର ଏବେ ଆର୍ଥିକ ସଙ୍କଟ ସହିତ ଜୁଝୁଛି । 

ବ୍ରିଟେନରେ ୬ବର୍ଷ ମଧ୍ୟରେ ୫ମ ପିଏମ ସୁନକ! କାହିଁକି କାର୍ଯ୍ୟକାଳ କରିପାରୁ ନାହାଁନ୍ତି ପୂରଣ?

Britain PM: ୬ ବର୍ଷ ମଧ୍ୟରେ ବ୍ରିଟେନକୁ ମିଳିଛି ପଞ୍ଚମ ପ୍ରଧାନମନ୍ତ୍ରୀ । ଲିଜ ଟ୍ରସ୍ ମାତ୍ର ୪୪ ଦିନର କାର୍ଯ୍ୟକାଳ ପରେ ଇସ୍ତଫା ଦେବା ପରେ ରିଷି ସୁନକ ନୂଆ ପ୍ରଧାନମନ୍ତ୍ରୀ ହୋଇଛନ୍ତି । ବ୍ରଟେନରେ ଶାସନ କ୍ଷମତାକୁ ନେଇ ଦେଖାଦେଇଛି ଅସ୍ଥିରତା । ଯଦିଓ ପୂର୍ବରୁ କେବେବି ବ୍ରିଟେନ ଇତିହାସରେ ଶାସନକୁ ନେଇ ଏପରି ଅସ୍ଥିରତା ଦେଖାଦେଇନଥିଲା । ଏହାପୂର୍ବରୁ ୧୮୩୪ରେ ପ୍ରଥମ ଥରପାଇଁ ଗୋଟିଏ ବର୍ଷ ମଧ୍ୟରେ ୨ ଜଣ ପ୍ରଧାନମନ୍ତ୍ରୀ ଅଭିଷିକ୍ତ ହୋଇଥିଲେ । ୨୦୦୭ରେ ଗର୍ଡନ ବ୍ରାଉନ ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ପ୍ରାୟ ୩ ଦଶକ ମଧ୍ୟରେ କେବଳ ୩ ଜଣ ବ୍ରିଟେନର ପ୍ରଧାନମନ୍ତ୍ରୀ ହୋଇଥିଲେ । 

ବ୍ରାଉନ ଲେବର ପାର୍ଟିର ସଦସ୍ୟ ଥିଲେ । ଏହାପରେ ୨୦୧୦ରେ କଞ୍ଜରଭେଟିଭ ପାର୍ଟି ନେତା ଡେଭିଡ କ୍ୟାମରୁନ ପ୍ରଧାନମନ୍ତ୍ରୀ ହୋଇଥିଲେ । ସେ ୬ ବର୍ଷ ଧରି ପ୍ରଧାନମନ୍ତ୍ରୀ ପଦରେ ଦାୟିତ୍ୱ ନିର୍ବାହ କରିବା ପରେ ପରେ ବ୍ରିଟେନରେ ପ୍ରଧାନମନ୍ତ୍ରୀ ପଦକୁ ନେଇ କ୍ଷମତା ଯୁଦ୍ଧ ତୀବ୍ର ହୋଇଥିଲା । ୧୯୦୦ ଶତାବ୍ଦୀରେ ବ୍ରିଟେନ ବିଶ୍ୱର ସବୁଠାରୁ ସମ୍ଭ୍ରାନ୍ତ ଦେଶ ମଧ୍ୟରେ ଅନ୍ୟତମ ଥିଲା । କାରଣ ସେହିସମୟରେ ବିଶ୍ୱର ଅନେକ ରାଷ୍ଟ୍ର ବ୍ରିଟେନ ଶାସନ ଅଧିନରେ ରହିବା ସହ ରାଷ୍ଟ୍ରର ଅର୍ଥବ୍ୟବସ୍ଥା ଦୃଢ଼ ଥିଲା । ବିଭିନ୍ନ ରାଷ୍ଟ୍ରରେ ଉପନିବେଶ ଶାସନ ଯୋଗୁ ବିପୁଳ ସମ୍ପତ୍ତିରେ ଭର୍ତ୍ତି ହୋଇଥିଲା ବ୍ରିଟେନ । 

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ୟୁରୋପୀୟ ଦେଶ ଗୁଡ଼ିକ ପରସ୍ପରର ସହଭାଗିତା ପାଇଁ ନିଷ୍ପତ୍ତି ନେବା ସ୍ୱରୂପ ମିଳିତ ମଞ୍ଚ ଗଠନ କରିଥିଲେ । କାରଣ ଦେଶର ଅର୍ଥନୈତିକ ସୁରକ୍ଷା ଓ ଆତ୍ମରକ୍ଷା ପାଇଁ ଏହି ପଦକ୍ଷେପ ଜରୁରୀ ଥିଲା । ୟୁରୋପୀୟ ୟୁନିଅନ ଗଠନ ପରେ ୟୁରୋପୀୟ ଦେଶ ଗୁଡ଼ିକ ଦେଶ ସୀମା ଅତିକ୍ରମ କରି ବ୍ୟବସାୟ ବୃଦ୍ଧି କରିଥିଲେ । ଏଥିପାଇଁ ବୁଝାମଣା ସ୍ୱାକ୍ଷରିତ ହୋଇଥିଲା ।  

ୟୁରୋପୀୟ ୟୁନିଅନ ଗଠନର ଅନେକ ବର୍ଷ ପରେ ୧୯୭୩ରେ ମାର୍ଗାରେଟ ଥେଚରଙ୍କ କାର୍ଯ୍ୟକାଳ ସମୟରେ ବ୍ରିଟେନ ଉଭୟ ଫ୍ରାନ୍ସ ଓ ଜର୍ମାନୀ ସହିତ ବୁଝାମଣା କରିଥିଲା। ୧୯୭୫ରେ ଏହି ସଂଗଠନକୁ ନେଇ ଜନମତ ସଂଗ୍ରହ କରାଯାଇଥିଲା । ବ୍ରିଟେନ ସହ ଚୁକ୍ତି ସ୍ୱାକ୍ଷରିତ ହେବା ପରେ ଫ୍ରାନ୍ସ ଓ ଜର୍ମାନୀର ଅର୍ଥନୈତିକ ଅଭିବୃଦ୍ଧି ଘଟିଥିବାବେଳେ ବ୍ରିଟେନ ବିଶେଷ ଲାଭବାନ ହୋଇପାରିନଥିଲା । ସର୍ଭେରେ ଏହି ସତ୍ୟ ସାମ୍ନାକୁ ଆସିଥିଲା । ଏହି କାରଣ ଯୋଗୁ ୧୯୯୦ରେ ବ୍ରିଟନ ପ୍ରଧାନମନ୍ତ୍ରୀ ଜନ ମେଜର ୟୁରୋପୀୟ ୟୁନିଅନ ସହିତ ସମ୍ପର୍କ ଦୃଢ଼ କରିବାକୁ ପ୍ରୟାସ ଆରମ୍ଭ କରିଥିଲେ । ଯଦିଓ ସେତେବେଳେ ଏହି ନିଷ୍ପତ୍ତିକୁ ନେଇ କଞ୍ଜରଭେଟିଭ ପାର୍ଟିରେ ମତଭେଦ ଦେଖାଦେଇଥିଲା । ଏହାପରେ ଟୋନି ବ୍ଲେୟାର ଓ ବ୍ରାଉନଙ୍କ କାର୍ଯ୍ୟକାଳରେ ୟୁରୋପୀୟ ୟୁନିଅନ ସହିତ ବ୍ରିଟେନ ସମ୍ବନ୍ଧ ଦୃଢ଼ ହୋଇଥିଲା । 

କିନ୍ତୁ ୨୦୦୮ରେ ବ୍ରିଟେନ ଓ ୟୁରୋପୀୟ ୟୁନିଅନକୁ ନେଇ ବିବାଦ ଦେଖା ଦେଇଥିଲା । ଏହି ସମ୍ବନ୍ଧ ଯୋଗୁ ବ୍ରିଟେନର ଅର୍ଥନୈତିକ ବିକାଶ ହୋଇପାରୁନଥିବା ମତପ୍ରକାଶ ପାଇଥିଲା । ଏହି ସମୟରେ ଆରବ, ଆଫ୍ରିକା ସହିତ ୟୁରୋପୀୟ ରାଷ୍ଟ୍ରରୁ ବହୁ ସଂଖ୍ୟାରେ ଲୋକମାନେ ଆସି ବ୍ରିଟେନରେ ବସତିସ୍ଥାପନ କରିଥିଲେ । ବିଦେଶୀଙ୍କ ଆଗମନକୁ ନେଇ ବ୍ରିଟେନରେ ଅସ୍ଥିରତା ବଢ଼ିବାକୁ ଲାଗିଥିଲା । ୨୦୧୬ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଡେଭିଡ କ୍ୟାମରୁନ ବ୍ରେଗଜିଟ (BREXIT AGREEMENT)କୁ ନେଇ ଜନମତ ସଂଗ୍ରହ କରିଥିଲେ । ୟୁରୋପୀୟ ୟୁନିଅନ ସହିତ ସମ୍ପର୍କ ଛିନ୍ନ କରିବା ପାଇଁ ହୋଇଥିବା ଚୁକ୍ତି ପ୍ରସ୍ତାବର ନାମ ଥିଲା ବ୍ରେଗଜିଟ । ପ୍ରଧାନମନ୍ତ୍ରୀ ବ୍ୟକ୍ତିଗତ ଭାବେ ୟୁରୋପୀୟ ୟୁନିଅନ ସହିତ ରହିବା ପାଇଁ ଚାହୁଁଥିଲେ କିନ୍ତୁ ଜନମତରେ ପରିଣାମ ଓଲଟା ଆସିଥିଲା । ଯାହାଫଳରେ ଅସନ୍ତୁଷ୍ଟ ହୋଇ କ୍ୟାମରୁନ ପଦରୁ ଇସ୍ତଫା ଦେଇଥିଲେ । 

ଏହାପରେ ଥେରାସା ମେ ବ୍ରିଟେନର ପ୍ରଧାନମନ୍ତ୍ରୀ ହୋଇଥିଲେ । କଠୋର ନିଷ୍ପତ୍ତି ସ୍ୱରୂପ ୨୦୨୦ରେ ୟୁରୋପୀୟ ୟୁନିଅନ ସହିତ ବ୍ରିଟେନ ସମ୍ପର୍କ ଛିନ୍ନ କରିଥିଲା । ବ୍ରେଗଜିଟ କାରଣରୁ ବ୍ରିଟେନରେ ବଜାର ପ୍ରଭାବିତ ହେବା ସହ ମୁଦ୍ରା ଅସ୍ଥିର ହୋଇଥିଲା । ପରବର୍ତ୍ତୀ ସମୟରେ ପ୍ରଧାନମନ୍ତ୍ରୀ ବୋରିସ ଜନସନ ବ୍ରେଗଜିଟ ଝଡ଼ ସମ୍ଭାଳି ପାରିନଥିଲେ । ରାଷ୍ଟ୍ରର ଅର୍ଥବ୍ୟବସ୍ଥା ଦିନକୁ ଦିନ ନିମ୍ନଗାମୀ ହୋଇଚାଲିଲା । ଏପରିକି ସରକାରଙ୍କୁ କର୍ମଚାରୀଙ୍କ ପେନସନ ଓ ହସପିଟାଲ ବିଲ୍ ଭରିବାକୁ ଋଣ ନେବାକୁ ପଡ଼ିଲା । ବୋରିସ ଜନସନଙ୍କ ସମସ୍ତ ପ୍ରୟାସ ସତ୍ତ୍ୱେ ଅର୍ଥନୈତିକ ଅଭିବୃଦ୍ଧି ହୋଇପାରିନଥିଲା । ଯାହାଫଳରେ ଦଳ ମଧ୍ୟରେ ତାଙ୍କର ନିଷ୍ପତିକୁ ସାଂସଦମାନେ ବିରୋଧ କରିଥିଲେ । ବାଧ୍ୟ ହୋଇ ପ୍ରଧାନମନ୍ତ୍ରୀ ପଦ ଛାଡ଼ିଥିଲେ ବୋରିସ । 

ଏହାବି ପଢ଼ନ୍ତୁ: Russia Ukraine War: 'Shahed-136' ଠାରୁ ଅଧିକ ଭୟଙ୍କର ଡ୍ରୋନ 'Arash-2' କିଣୁଛି ଋଷ! ଜାଣନ୍ତୁ ଘାତକ ଡ୍ରୋନର ବିଶେଷତ୍ତ୍ୱ

 

ଏହାମଧ୍ୟରେ ରୁଷିଆ-ୟୁକ୍ରେନ ଯୁଦ୍ଧ କାରଣରୁ ବ୍ରିଟେନରେ ସଂକଟ ବୃଦ୍ଧି ପାଇବାକୁ ଲାଗିଲା । ପ୍ରଧାନମନ୍ତ୍ରୀ ଲିଜ ଟ୍ରସ୍ ବିକଳ୍ପ ପଦକ୍ଷେପ ଭାବେ ଟ୍ୟାକ୍ସ କାଟ କରିବା ପରେ ଏହାର ପରିଣାମ ସାଙ୍ଘାତିକ ହୋଇଥିଲା । ନିଷ୍ପତ୍ତିକୁ ପ୍ରବଳ ବିରୋଧ କାରଣରୁ ମାତ୍ର ୪୪ ଦିନ ପରେ ଇସ୍ତଫା ଦେଇଥିଲେ ଲିଜ୍ । ତାଙ୍କର ଇସ୍ତଫା ପରେ ରିଷି ସୁନକ ବ୍ରିଟେନ ପ୍ରଧାନମନ୍ତ୍ରୀ ହୋଇଛନ୍ତି । ବ୍ରିଟେନର ଅର୍ଥବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ସୁନକଙ୍କ ପଦକ୍ଷେପ ଉପରେ ବ୍ରାଟେନବାସୀଙ୍କ ସହିତ ସାରା ଦୁନିଆର ନଜର ରହିଛି ।