Maharashtra Political Crisis: ମହାରାଷ୍ଟ୍ର ରାଜନୀତିରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟ ଘଟଣାରେ ନୀରବ ଦର୍ଶକ ପାଲଟିଛି ବିଜେପି। ରାଜ୍ୟରେ ଜାରି ରହିଥିବା ରାଜନୈତିକ ଘଟଣାକ୍ରମ ମାମଲାରେ କେଉଁ ଆଭିମୁଖ୍ୟ ଗ୍ରହଣ କରାଯିବା ସେ ନେଇ ସ୍ଥିତି ସ୍ପଷ୍ଟ କରିନାହିଁ ମହାରାଷ୍ଟ୍ର ବିଜେପି।   


COMMERCIAL BREAK
SCROLL TO CONTINUE READING

ଦିନକୁ ଦିନ ବିଧାୟକ ସଂଖ୍ୟା ବଢୁଥିବା ଦାବି କରି ବିଦ୍ରୋହୀ ଶିବସେନା ନେତା ଏକନାଥ ସିନ୍ଦେଙ୍କ ଗୋଷ୍ଠୀ ନିଜକୁ ପ୍ରକୃତ ଶିବସେନା ବୋଲି କହିବା ସହ ଦଳ, ଦଳୀୟ ନିର୍ବାଚନ ଚିହ୍ନ ଏବଂ ଦଳର ସଂସ୍ଥାପକ ବାଲାସାହେବଙ୍କ ବିଚାରଧାରା ଉପରେ ନିଜର ଦାବି ଉପସ୍ଥାପନ କରିଛି। ଦଳର ଅଧ୍ୟକ୍ଷ ଉଦ୍ଧବ ଠାକରେ ହିନ୍ଦୁତ୍ୱ ଛାଡ଼ି ସାରିଥିବା ନେଇ ଅଭିଯୋଗ ଆଣିଛି ବିଦ୍ରୋହୀ ଶିବସେନା ବିଧାୟକଙ୍କ ଗୋଷ୍ଠୀ। 


ମହାରାଷ୍ଟ୍ର ରାଜନୀତିରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟ ଲାଗି ଶିବସେନା ନେତୃତ୍ୱାଧିନ ମହାବିକାଶ ଅଘାଡ଼ି ମେଣ୍ଟରେ ସାମିଲ ହୋଇଥିବା ଏନସିପି ବିଜେପିକୁ ଦାୟୀ କରିଛି। ଯଦିଓ ରାଜନୈତିକ ସଂକଟ ଲାଗି ବିଜେପିକୁ ଦାୟୀ କରାଯାଉଛି ମାତ୍ର ସଦ୍ୟ ସୃଷ୍ଟି ହୋଇଥିବା ଘଟଣାକ୍ରମ ଶିବସେନାରପ ଆଭ୍ୟନ୍ତରୀଣ ମାମଲା ବୋଲି ଦୃଶ୍ୟମାନ ହୋଇଛି। 


କ୍ଷମତା ଲାଗି ହିନ୍ଦୁତ୍ୱ ଛାଡ଼ିଥିବାରୁ ଶିବସେନାକୁ ଏଭଳି ବିପଦର ସାମ୍ନା କରିବାର ଥିଲା ବୋଲି ବିଜେପି ଭାବୁଛି। ମହାବିକାଶ ଅଘାଡ଼ି ମେଣ୍ଟକୁ ଦଳ ଅପ୍ରାକୃତିକ ଗଠବନ୍ଧନ ବୋଲି କହିବାକୁ ପଛାଇ ନାହିଁ ଦଳ। ଏନେଇ ବିଜେପି ପକ୍ଷରୁ କୁହାଯାଇ ସାରିଛି ଯେ  ମହାରାଷ୍ଟ୍ର ଜନତା ବିଜେପି-ଶିବସେନା ମେଣ୍ଟକୁ ଜନାଦେଶ ଦେଇଥିଲେ। ହେଲେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ହେବା ମୋହରେ ବିଜେପିକୁ ଧୋକ୍କା ଦେଇ କଂଗ୍ରେସ-ଏନସିପି ସହ ହାତ ମିଳାଇଥିଲେ। 


ଗତ ୨୦୧୯ ବିଧାନସଭା ନିର୍ବାଚନ ପରେ  ହୋଇଥିବା ଅଜିତ ପାୱର ଘଟଣାକ୍ରମେ ବେଳେ ହୋଇଥିବା ଭୁଲ ଦୋହରାଇବାକୁ ଚାହୁଁନାହିଁ ବିଜେପି। ଯେତେବେଳେ ବର୍ତ୍ତମାନର ମହାରାଷ୍ଟ୍ର ବିରୋଧି ଦଳ ନେତା ଦେବେନ୍ଦ୍ର ଫଡନାଭୀସ ମୁଖ୍ୟମନ୍ତ୍ରୀ ରହିବାର କିଛି ଘଣ୍ଟା ମଧ୍ୟରେ ଇସ୍ତଫା ଦେବାକୁ ପଡ଼ିଥିଲା। ଏଥର ବିଜେପି ଠିକ ସମୟରେ ଠିକ ପଦକ୍ଷେପ ନେବାକୁ ଅପେକ୍ଷା କରି ରହିଛି। ଯଦିଓ ସେତେବେଳେ ଅଜିତ ପାୱାର କାଗଜରେ ବିଜେପିକୁ ସମର୍ଥନ କରିଥିଲେ ମଧ୍ୟ ବିଧାୟକ ସଂଗ୍ରହ କରିବାରେ ବିଫଳ ହୋଇଥିଲେ। ଏହା ପରେ ସକାଳେ ଶପଥ ଗ୍ରହଣ କରିଥିବା ଦେବେନ୍ଦ୍ର ଫଡନାଭିସ୍ ସରକାର କିଛି ଘଣ୍ଟା ମଧ୍ୟରେ ଗାଦିଚ୍ୟୁତ ହୋଇଥିଲା।


ବର୍ତ୍ତମାନ ଶିବସେନାରେ ଚାଲିଥିବା ଗୃହଯୁଦ୍ଧର ଫଳାଫଳ ଆସିବା ପରେ କୌଣସି ନିଷ୍ପତ୍ତି ନେବା ଉପରେ ବିଚାର କରୁଛି ବିଜେପି। ସରକାର ଗଠନ ଲାଗି ଏକନାଥ ସିନ୍ଦେଙ୍କ ଗୋଷ୍ଠୀ ପକ୍ଷରୁ ଦଳକୁ ପ୍ରସ୍ତାବ ଦିଆଯିବା ସତ୍ତ୍ୱେ ବିଜେପି ଉଦ୍ଧବ ଠାକେରଙ୍କ ଚୂଡ଼ାନ୍ତ ନିଷ୍ପତ୍ତିକୁ ଅପେକ୍ଷା କରିରହିଛି। ଏନସିପି-କଂଗ୍ରେସ ହାତ ଛାଡି ପୁଣି ଥରେ ବିଜେପି ହାତ ଧରିବା ଲାଗି ଉଦ୍ଧବ ଠାକରେଙ୍କୁ ପରାମର୍ଶ ଦେଇ ସାରିଛନ୍ତି ଏକନାଥ ସିନ୍ଦେ। ଯଦି ହାତରୁ ଦଳ ଏବଂ ସରକାର ଚାଲିଯାଏ ତାହେଲେ ଉଦ୍ଧବ ଠାକରେ ପୁଣି ଥରେ ବିଜେପି ହାତ ଧରିପାରନ୍ତି। ଏହି କାରଣକୁ ନଜରରେ ରଖି ବିଜେପି ନେତୃତ୍ୱ ଶିବସେନା ନେତା ସଞ୍ଜୟ ରାଉତ, ଏନସିପି ମୁଖ୍ୟ ଶରଦ ପାୱର ଏବଂ କଂଗ୍ରେସ ନେତାଙ୍କ ପକ୍ଷରୁ ଅଣାଯାଉଥିବା ଅଭିଯୋଗ ଉପରେ କୌଣସି ପ୍ରତିକ୍ରିୟା ରଖୁନାହାଁନ୍ତି।


ରବିବାର ସନ୍ଧ୍ୟାରେ ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ବିରୋଧି ଦଳ ନେତା ଦେବେନ୍ଦ୍ର ଫଡନାଭୀସ ଦିଲ୍ଲୀ ଗସ୍ତରେ ଆସୁଛନ୍ତି। ଏହି ଅବସରରେ ସେ ରାଜ୍ୟର ସାମ୍ପ୍ରତିକ ରାଜନୈତିକ ଘଟଣାକ୍ରମ ବାବଦରେ ବିଜେପି କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ଚର୍ଚ୍ଚା କରିବେ। ରାଜ୍ୟରେ ସୃଷ୍ଟି ହୋଇଥିବା ରାଜନୈତିକ ଘଟଣାକ୍ରମ ମଧ୍ୟରେ ଗତ ଶୁକ୍ରବାର ବିଳମ୍ବିତ ରାତ୍ରୀରେ ବିଦ୍ରୋହୀ ଶିବସେନା ନେତା ଏକନାଥ ସିନ୍ଦେ ଏବଂ ବିରୋଧି ଦଳ ନେତା ଦେବେନ୍ଦ୍ର ଫଡନାଭୀସଙ୍କ ମଧ୍ୟରେ ଗୁଜୁରାଟ ବଡୋଦରା ଠାରେ ଏକ ଗୁପ୍ତ ଭେଟଘାଟ ହୋଇଥିବା କୁହାଯାଉଛି। 


Also Read: Maharashtra Political Crisis: 'ମୁଁ ହେଉଛି ସମୁଦ୍ର, ପୁଣି ଫେରିବି'


Also Read: Maharashtra Politcal Crisis: ଦଳୀୟ ବିଧାୟକଙ୍କୁ ମୁମ୍ବାଇ ଡାକିଲା ବିଜେପି


Also Read: Operation Lotus: ପୁରୁଣା ଭୁଲ ଦୋହାଇବାକୁ ଚାହୁଁନାହିଁ ବିଜେପି