Operation Lotus: ପୁରୁଣା ଭୁଲ ଦୋହାଇବାକୁ ଚାହୁଁନାହିଁ ବିଜେପି
Advertisement
Article Detail0/zeeodisha/odisha1228207

Operation Lotus: ପୁରୁଣା ଭୁଲ ଦୋହାଇବାକୁ ଚାହୁଁନାହିଁ ବିଜେପି

Operation Lotus in Maharashtra: କର୍ଣ୍ଣାଟକ, ମଧ୍ୟ ପ୍ରଦେଶ ପରେ ମହାରାଷ୍ଟ୍ର ରାଜନୀତିରେ ଏବେ Operation Lotus ଭଳି ସ୍ଥିତି ସୃଷ୍ଟି ହେଲାଣି।

Operation Lotus: ପୁରୁଣା ଭୁଲ ଦୋହାଇବାକୁ ଚାହୁଁନାହିଁ ବିଜେପି

Operation Lotus in Maharashtra: କର୍ଣ୍ଣାଟକ, ମଧ୍ୟ ପ୍ରଦେଶ ପରେ ମହାରାଷ୍ଟ୍ର ରାଜନୀତିରେ ଏବେ Operation Lotus ଭଳି ସ୍ଥିତି ସୃଷ୍ଟି ହେଲାଣି। ଦଳ ବିରୋଧରେ ଶିବସେନା ନେତା ଏକନାଥ ସିନ୍ଦେଙ୍କ ବିଦ୍ରୋହ କାରଣରୁ ଏଭଳି ସ୍ଥିତି ଉପୁଜିଛି। ହେଲେ ଏହା ମଧ୍ୟରେ ବିଜେପି ବେଶ ସତର୍କତାର ସହ ରଣନୀତି ପ୍ରସ୍ତୁତ କରୁଛି। କାରଣ ୨୦୧୯ ବିଧାନସଭା ନିର୍ବାଚନ ବେଳେ ହୋଇଥିବା ଭୁଲ ଦୋହରାଇବାକୁ ଚାହୁଁନାହିଁ ବିଜେପି। ଯେତେବେଳେ ବର୍ତ୍ତମାନର ମହାରାଷ୍ଟ୍ର ବିରୋଧି ଦଳ ନେତା ଦେବେନ୍ଦ୍ର ଫଡନାଭୀସ ମୁଖ୍ୟମନ୍ତ୍ରୀ ରହିବାର କିଛି ଘଣ୍ଟା ମଧ୍ୟରେ ଇସ୍ତଫା ଦେବାକୁ ପଡ଼ିଥିଲା। ଏଥର ବିଜେପି ଠିକ ସମୟରେ ଠିକ ପଦକ୍ଷେପ ନେବାକୁ ଅପେକ୍ଷା କରି ରହିଛି।

ବିଦ୍ରୋହୀ ଶିବସେନା ନେତା ଏକନାଥ ସିନ୍ଦେଙ୍କ ସହ ଯୋଗାଯୋଗରେ ଯେତିକି ବିଧାୟକ ରହୁଥିବା କୁହାଯାଉଛି  ଯଦି ସେମାନଙ୍କ ସମର୍ଥନ ମିଳେ ତଥାପି ମଧ୍ୟ ରାଜ୍ୟରେ ସରକାର ଗଠନ କରିବା କଷ୍ଟକର ବୋଲି ବିଜେପି ଜାଣିଛି। ଗତ ୨୦୧୯ ନଭେମ୍ବରରେ ଅଜିତ ପାୱାର କାଗଜରେ ବିଜେପିକୁ ସମର୍ଥନ କରିଥିଲେ ମଧ୍ୟ ବିଧାୟକ ସଂଗ୍ରହ କରିବାରେ ବିଫଳ ହୋଇଥିଲେ। ଏହା ପରେ ସକାଳେ ଶପଥ ଗ୍ରହଣ କରିଥିବା ଦେବେନ୍ଦ୍ର ଫଡନାଭିସ୍ ସରକାର କିଛି ଘଣ୍ଟା ମଧ୍ୟରେ ଗାଦିଚ୍ୟୁତ ହୋଇଥିଲା।

ଏଥର ବିଜେପି ଅପେକ୍ଷା କରିବାର କାରଣ ହେଉଛି ଦଳ ବଦଳ ନିରୋଧ ଆଇନ। ଯଦି କୌଣସି ଦଳର ଦୁଇ-ତୃତୀୟାଂଶ ବିଧାୟକ ଦଳ ଛାଡନ୍ତି ତାହେଲେ ସେମାନଙ୍କ ଆଇନଗତ ମାନ୍ୟତା ମିଳିପାରେ। ଯଦି ଏହା ନ ହୁଏ ତାହେଲେ ଦଳ ଛାଡିଥିବା ବିଧାୟକଙ୍କ ସଦସ୍ୟତା ଲୋପ ପାଇପାରେ। ଏହା ପରେ ସରକାର ଗଠନ ଉଦ୍ୟମ ବିଫଳ ହେବ। ବର୍ତ୍ତମାନ ମହାରାଷ୍ଟ୍ରରେ ସରକାର ଗଠନ କରିବା ଲାଗି କୌଣସି ଦଳକୁ ୧୪୫ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ରାଜ୍ୟ ବିଧାନସଭାର ସର୍ବ ବୃହତ ଦଳ ବିଜେପି ପାଖରେ ୧୦୬ ବିଧାୟକ ଅଛନ୍ତି। ବର୍ତ୍ତମାନ ସରକାର ଗଠନ ପାଇଁ ଆହୁରି ୩୯ ଜଣ ବିଧାୟକ ସମର୍ଥନ ଆବଶ୍ୟକ। ହେଲେ ବିଦ୍ରୋହୀ ଶିବସେନା ନେତା ଏକନାଥ ସିନ୍ଦେଙ୍କ ସହ ଯୋଗାଯୋଗରେ କେବଳ ୨୫-୨୭ ବିଦ୍ରୋହୀ ବିଧାୟକ ଅଛନ୍ତି।

ଯଦି ବିଦ୍ରୋହୀ ଶିବସେନା ନେତା ଏକନାଥ ସିନ୍ଦେ ବିଜେପି ସହ ସରକାର ଗଠନ କରିବାକୁ ଚାହାଁନ୍ତି ତାହେଲେ ତାଙ୍କୁ ୩୬ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ତାହେଲେ ଏହି କ୍ଷେତ୍ରରେ ଦଳ ବଦଳ ନିରୋଧ ଆଇନ କାର୍ଯ୍ୟକାରୀ ହେବ ନାହିଁ। କାରଣ ଶିବ ସେନା ପାଖରେ ୫୪ ବିଧାୟକ ଅଛନ୍ତି। ଅନ୍ୟପଟେ ମୋଟ ୪୪ ବିଧାୟକଙ୍କ ମଧ୍ୟରୁ ୧୦ କଂଗ୍ରେସ ବିଧାୟକ ଦଳରୁ ନିଖୋଜ ହୋଇଯାଇଛନ୍ତି। ତେହେଲେ ଏ କ୍ଷେତ୍ରରେ ସରକାର ଗଠନ କରିବା ଲାଗି ୨୯ କଂଗ୍ରେସ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ହେଲେ ଏଭଳି ପରିସ୍ଥିତି ବର୍ତ୍ତମାନ ଦୂରେଇ ରହିଛି। ବର୍ତ୍ତମାନ ବିଜେପି ପାଖରେ ଅପେକ୍ଷା କରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ।     

ଯଦିଓ ଶିବ ସେନା, ଏନସିପି, କଂଗ୍ରେସ ଭଳି ଦଳର ବିଦ୍ରୋହୀ ଦଳୀୟ ବିଧାୟକ ସମର୍ଥନରେ ସରକାର ଗଠିତ ହୋଇଯିବ ହେଲେ ଏହାର ସ୍ଥାୟୀତ୍ୱକୁ ନେଇ ସନ୍ଦେହଘେରରେ ରହିଛି ବିଜେପି। ମୋଟ ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ୧୦୬ ବିଜେପି, ୫୪ ଶିବସେନା, ୫୨ ଏନସିପି ଏବଂ ୪୪ କଂଗ୍ରେସ ବିଧାୟକ ଅଛନ୍ତି। ଅନ୍ୟ ଛୋଟ ଦଳ ଏବଂ ସ୍ୱାଧୀନ ବିଧାୟକଙ୍କ ସଂଖ୍ୟା ହେଉଛି ପ୍ରାୟ ୩୦। 

ଶିବ ସେନା ନେତା ଏକନାଥ ସିନ୍ଦେଙ୍କ ବିଦ୍ରୋହ ପୂର୍ବରୁ ମହା ବିକାଶ ଅଘାଡି ସରକାରକୁ ୧୬୯-୧୭୦ ବିଧାୟକଙ୍କ ସମର୍ଥନ ରହିଥିଲା। ଏହି ୫୪ ଶିବସେନା, ୫୨ ଏନସିପି, ୪୪ କଂଗ୍ରେସ, 2 ସମାଜବାଦୀ ପାର୍ଟି, ୨ ପିଜିପି, 3 ବିବିଏ ଏବଂ ୯ ସ୍ୱାଧିନ ବିଧାୟକଙ୍କ ସମର୍ଥନ ରହିଥିଲା। ଏକନାଥ ସିନ୍ଦେଙ୍କ ସହ ଯୋଗାଯୋଗରେ କେତେଜଣ ବିଧାୟକ ଅଛନ୍ତି ତାହା ସ୍ପଷ୍ଟ ହୋଇନାହିଁ। ସେମାନଙ୍କ ମଧ୍ୟରେ ସ୍ୱାଧିନ ବିଧାୟକ ମଧ୍ୟ ରହିଛନ୍ତି। ଅନ୍ୟପଟେ ମହାରାଷ୍ଟ୍ର ବିଧାନସଭାରେ ୨ ଏଆଇଏମଆଇଏମ ଏବଂ ଜଣେ ମହାରାଷ୍ଟ୍ର ନବ ନିର୍ମାଣ ସେନା ବିଧାୟକ ଅଛନ୍ତି।  

ସରକାର ଗଠନ ଲାଗି  କୌଣସି ଦଳକୁ ୧୪୫ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ବିଜେପି ପାଖରେ ଏବେ ୧୧୩ ବିଧାୟକଙ୍କ ସମର୍ଥନ ରହିଛି। ସେମାନଙ୍କ ମଧ୍ୟରେ ସ୍ୱାଧିନ, ଆରଏସପି, ଜେଏସଏସ ବିଧାୟକ ସାମିଲ ଅଛନ୍ତି। ଯଦି ଏକନାଥ ସିନ୍ଦେଙ୍କ ସହ ଯୋଗାଯୋଗରେ ରହିଥିବା ବିଦ୍ରୋହୀ ବିଧାୟକଙ୍କୁ ମିଶାଇ ଦିଆଯାଏ ତାହେଲେ ବିଜେପି ସରକାର ଗଠନ କରିବା ଲାଗି ଆବଶ୍ୟକୀୟ ସଂଖ୍ୟା ଗରିଷ୍ଠତା ହାସଲ କରିପାରିବ ନାହିଁ। ବିଜେପି ବର୍ତ୍ତମାନ ପରିସ୍ଥିତିକୁ ବୁଝି ରଣନୀତି ପ୍ରସ୍ତୁତ କରୁଛି। 

Also Read: ଏବେ ମହାରାଷ୍ଟ୍ରରେ ସରକାର ଗଠନ କରିବ ବିଜେପି: କେନ୍ଦ୍ରମନ୍ତ୍ରୀ ରାମ ଦାସ ଅଠାୱଲେ

Also Read: ରାଜ୍ୟସଭା-MLC ନିର୍ବାଚନ ଉଠାଇଲା ମହା ବିକାଶ ଅଘାଡି଼ ନେତୃତ୍ୱ ଉପରେ ପ୍ରଶ୍ନ