Gujarat Election 2022: ବୀରମଗାମ ଆସନରେ କିଏ ମାରିବ ବାଜି? ହାର୍ଦ୍ଦିକ ପଟେଲ ନାଁ କଂଗ୍ରେସ?
Advertisement

Gujarat Election 2022: ବୀରମଗାମ ଆସନରେ କିଏ ମାରିବ ବାଜି? ହାର୍ଦ୍ଦିକ ପଟେଲ ନାଁ କଂଗ୍ରେସ?

ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଗୁଜୁରାଟ ବିଧାନସଭା ନିର୍ବାଚନ ଲାଗି ଚର୍ଚ୍ଚାରେ ରହିଛି ରାଜ୍ୟର ବୀରମଗାମ ଆସନ। କାରଣ ଏହି ଆସନରୁ ନିର୍ବାଚନ ଲଢୁଛନ୍ତି ହାର୍ଦ୍ଦିକ ପଟେଲ। ଯିଏ ପଟିଦାର ଆନ୍ଦୋଳନରୁ ନିଜର ପରିଚୟ ସୃଷ୍ଟି କରି ଗୁଜୁରାଟ ରାଜନୀତିରେ ପ୍ରବେଶ କରିଥିଲେ। ଚଳିତ ବର୍ଷ ଆରମ୍ଭ ପର୍ଯ୍ୟନ୍ତ ଗୁଜୁରାଟ କଂଗ୍ରେସ କାର୍ଯ୍

Gujarat Election 2022: ବୀରମଗାମ ଆସନରେ କିଏ ମାରିବ ବାଜି? ହାର୍ଦ୍ଦିକ ପଟେଲ ନାଁ କଂଗ୍ରେସ?

Viramgam Assembly Constituency: ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଗୁଜୁରାଟ ବିଧାନସଭା ନିର୍ବାଚନ ଲାଗି ଚର୍ଚ୍ଚାରେ ରହିଛି ରାଜ୍ୟର ବୀରମଗାମ ଆସନ। କାରଣ ଏହି ଆସନରୁ ନିର୍ବାଚନ ଲଢୁଛନ୍ତି ହାର୍ଦ୍ଦିକ ପଟେଲ। ଯିଏ ପଟିଦାର ଆନ୍ଦୋଳନରୁ ନିଜର ପରିଚୟ ସୃଷ୍ଟି କରି ଗୁଜୁରାଟ ରାଜନୀତିରେ ପ୍ରବେଶ କରିଥିଲେ। ଚଳିତ ବର୍ଷ ଆରମ୍ଭ ପର୍ଯ୍ୟନ୍ତ ଗୁଜୁରାଟ କଂଗ୍ରେସ କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିବା ହାର୍ଦ୍ଦିକ ପଟେଲ ନିର୍ବାଚନ ପୂର୍ବରୁ ଦଳ ଛାଡ଼ି ବିଜେପି ହାତ ଧରିଛନ୍ତି। 

ଚଳିତ ବର୍ଷ ମେ ମାସରେ କଂଗ୍ରେସ ଛାଡି ବିଜେପି ହାତ ଧରିଥିଲେ ହାର୍ଦ୍ଦିକ ପଟେଲ। ଯିଏ ପ୍ରଥମ ଥର ପାଇଁ ନିର୍ବାଚନ ଲଢୁଛନ୍ତି। ବିଜେପି ତାଙ୍କୁ ବିରମଗାମ ଆସନର ପ୍ରାର୍ଥୀ କରିଛି। ଗତ ୨୦୧୭ ନିର୍ବାଚନରେ ​​ପଟିଦାର ନେତା ହାର୍ଦ୍ଦିକ ପଟେଲ କଂଗ୍ରେସକୁ ସମର୍ଥନ ଜଣାଇଥିଲେ। ଏହି ନିର୍ବାଚନ ପରେ ସେ କଂଗ୍ରେସରେ ଯୋଗଦାନ ମଧ୍ୟ କରିଥିଲେ। ଉଲ୍ଲେଖନୀୟ କଥା ହେଉଛି ୨୯ ବର୍ଷୀୟ ହାର୍ଦ୍ଦିକ ପଟେଲ ହେଉଛନ୍ତି ବିରାମଗାମ ବାସିନ୍ଦା। ଯିଏ ସ୍ଥାନୀୟ ଲୋକଙ୍କୁ ବିରାମଗାମକୁ ଏକ ଜିଲ୍ଲା ଭାବେ ଗଠନ କରିବାକୁ ପ୍ରତିଶୃତି ଦେଇଛନ୍ତି।

ଗତ ୨୦୧୭ ନିର୍ବାଚନରେ ବିରମଗାମ ଆସନରେ ମୋଟ ୨୨ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ଏଠାରେ କଂଗ୍ରେସ ଲାଖାଭାଇ ଭାରୱାଡ ଏବଂ ବିଜେପି ତେଜଶ୍ରୀ ପଟେଲଙ୍କୁ ପ୍ରାର୍ଥୀ କରିଥିଲା। ଗତ ଥର ପଟିଦାର ନେତା ହାର୍ଦ୍ଦିକ ପଟେଲଙ୍କ ସମର୍ଥନ ବଳରେ କଂଗ୍ରେସ, ବିଜେପିକୁ ମାତ ଦେବାରେ ସଫଳ ହୋଇଥିଲା। କଂଗ୍ରେସ ପ୍ରାର୍ଥୀ ଲାଖାଭାଇ ଭାରୱାଡ ବିଜେପି ତେଜଶ୍ରୀ ପଟେଲଙ୍କୁ ପରାସ୍ତ କରିଥିଲେ। ମାତ୍ର ଏଥର ଚିତ୍ର ବଦଳି ଯାଇଛି। 

ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଗୁଜୁରାଟ ବିଧାନସଭା ନିର୍ବାଚନରେ ବୀରମଗାମ ଆସନରୁ ହାର୍ଦ୍ଦିକ ପଟେଲ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି।  ଏଠାରେ କଂଗ୍ରେସ ଲାଖାଭାଇ ଭାରୱାଡଙ୍କୁ ପ୍ରାର୍ଥୀ କରିଥିବା ବେଳେ ଆମ ଆଦମୀ ପାର୍ଟି ଅମର ସିଂହ ଠାକୋରଙ୍କୁ ଟିକେଟ ଦେଇଛି।  

ଯଦି ବିରମଗାମ ନିର୍ବାଚନମଣ୍ଡଳୀରେ ଅନୁଷ୍ଠିତ ହୋଇଥିବା ଶେଷ ୫ ନିର୍ବାଚନକୁ ସମୀକ୍ଷା କରାଯାଏ ତାହେଲେ ଏଠାରେ ଉଭୟ ବିଜେପି-କଂଗ୍ରେସ ବିଜୟ ବାନା ଉଡ଼ାଇବାରେ ସଫଳ ହୋଇଛନ୍ତି। ଗୁଜୁରାଟ ଦଙ୍ଗା ପରେ ୨୦୦୨ ବର୍ଷରେ ଅନୁଷ୍ଠିତ ହୋଇଥିଲା ବିଧାନସଭା ନିର୍ବାଚନ। ସେତେବେଳେ ନରେନ୍ଦ୍ର ମୋଦି ଗୁଜୁରାଟ ମୁଖ୍ୟମନ୍ତ୍ରୀ ଥିଲେ। ଦଙ୍ଗା ପରେ ତାଙ୍କର 'ହିନ୍ଦୁ ହ୍ରଦ ସମ୍ରାଟ' ଭାବମୂର୍ତ୍ତି ସାମ୍ନାକୁ ଆସିଥିଲା। ଗତ ୨୦୦୨ ବିଧାନସଭା ନିର୍ବାଚନରେ ଏହି ଆସନରେ ​​ବିଜେପି ପ୍ରାର୍ଥୀ ବଜୁଭାଇ ପରାମଭାଇ, କଂଗ୍ରେସ ପ୍ରାର୍ଥୀ ପ୍ରେମଜୀଭାଇ ଶିବାଭାଇ ୱାଡଲାନିଙ୍କୁ ପରାସ୍ତ କରିଥିଲେ। 

ପୁଣି ଥରେ ୨୦୦୭ ନିର୍ବାଚନରେ ବିରମଗାମ ଆସନରେ ବିଜୟ ବାନା ଉଡ଼ାଇଥିଲା ବିଜେପି। ସେତେବେଳେ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା କାମାଭାଇ ରାଠୋର କଂଗ୍ରେସ ପ୍ରାର୍ଥୀ ଜଗଦୀଶଭାଇ ସୋମାଭାଇ ପଟେଲଙ୍କୁ ପରାସ୍ତ କରିଥିଲେ। ହେଲେ ୨୦୧୨ ନିର୍ବାଚନରେ ବଦଳି ଯାଇଥିଲା ଏହି ନିର୍ବାଚନମଣ୍ଡଳୀର ଚିତ୍ର। ଗତ ୨୦୧୨ ଲଢେଇରେ କଂଗ୍ରେସ ପ୍ରାର୍ଥୀ ତେଜଶ୍ରୀ ପଟେଲ ବିଜେପି ପ୍ରାର୍ଥୀ ପରାଗଜିଭାଇ ନାରନଭାଇ ପଟେଲଙ୍କୁ ପରାସ୍ତ କରିଥିଲେ। ପୁଣି ଥରେ ୨୦୧୭ ନିର୍ବାଚନରେ ଏହି ଆସନରେ ବିଜୟ ବାନା ଉଡ଼ାଇବାରେ ସଫଳ ହୋଇଥିଲା କଂଗ୍ରେସ। ସେତେବେଳେ କଂଗ୍ରେସ ପ୍ରାର୍ଥୀ ଲାଖାଭାଇ ଭାରୱାଡ ବିଜେପି ତେଜଶ୍ରୀ ପଟେଲଙ୍କୁ ପରାସ୍ତ କରିଥିଲେ। 

ଗୁଜୁରାଟ ଅହମ୍ମଦାବାଦ ଜିଲ୍ଲାରେ ଅବସ୍ଥିତ ବୀରମଗାମ ବିଧାନସଭା ଆସନ। ଦେଶର ବିକଶିତ ସହର ମଧ୍ୟରୁ ଅନ୍ୟତମ ଅହମ୍ମଦବାଦ ଜିଲ୍ଲା ମୁଖ୍ୟାଳୟରୁ ମାତ୍ର ୬୦ କିଲୋମିଟର ଦୂରରେ ଅବସ୍ଥିତ ଏହି ନିର୍ବାଚନମଣ୍ଡଳୀରେ ଆଜି ମଧ୍ୟ ମୌଳିକ ସୁବିଧା ପହଞ୍ଚି ପାରିନାହିଁ। ଔଦ୍ୟୋଗିକ କ୍ଷେତ୍ର ଭାବେ ବିକଶିତ ଗୁଜରାଟର ଏକ ନିର୍ବାଚନମଣ୍ଡଳୀ ହୋଇଥିଲେ ମଧ୍ୟ ଏଠାରେ ଶିଳ୍ପର ଅଭାବ ରହିଛି। ରୋଜଗାରର ସନ୍ଧାନରେ ସ୍ଥାନୀୟ ଯୁବକଙ୍କୁ ଅନ୍ୟ ସହରକୁ ସ୍ଥାନାନ୍ତର ହେବାକୁ ପଡ଼ିଥାଏ।

ଏଠାରେ ଉଚ୍ଚଶିକ୍ଷା ପ୍ରତିଷ୍ଠାନର ଅଭାବ ରହିଛି। ଏଠାକାର ପିଲାମାନେ ଅଧ୍ୟୟନ ପାଇଁ ରାଜକୋଟ ଏବଂ ଅହମ୍ମଦାବାଦ ଯିବାକୁ ବାଧ୍ୟ ହେଉଛନ୍ତି। ଏଠାରେ ରାସ୍ତା ମଧ୍ୟ ଖରାପ ଅବସ୍ଥାରେ ଅଛି। ଏଠାରେ ଭଲ ଡାକ୍ତରଖାନାର ଅଭାବ ରହିଛି | ଏହି ସମସ୍ତ ଅସୁବିଧା ମଧ୍ୟରେ ବୀରମଗାମ ମତଦାତା ଏଥର ସେମାନଙ୍କର ନେତା ଚୟନ କରିବେ। ଅହମ୍ମଦାବାଦ ଜିଲ୍ଲାରେ ଅବସ୍ଥିତ ବୀରମଗାମ ବିଧାନସଭା ଆସନ ସୁରେନ୍ଦ୍ର ନଗର ଲୋକସଭା ଆସନ ଅଧିନରେ ଆସୁଛି। 

ବୀରମଗାମ ଆସନର ମୋଟ ମତଦାତାଙ୍କ ସଂଖ୍ୟା ହେଉଛି ୨ ଲକ୍ଷ ୯୮ ହଜାର ୯୩୬। ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୫୪ ହଜାର ୪୪୯ ହେଉଛନ୍ତି ପୁରୁଷ ଏବଂ ୧ ଲକ୍ଷ ୪୪ ହଜାର ୪୪୮ ହେଉଛନ୍ତି ମହିଳା ଭୋଟର। ଏହି ଆସନରେ ଦଳିତ ମତଦାତାଙ୍କ ସଂଖ୍ୟା ପ୍ରାୟ ୧୧ ପ୍ରତିଶତ ହୋଇଥିବା ବେଳେ ୧ ପ୍ରତିଶତ ଭୋଟର ହେଉଛନ୍ତି ଅନୁସୂଚିତ ଜନଜାତି ବର୍ଗର। ଏହି ଆସନରେ ଠାକୋର ଏବଂ ପଟିଦାର ସମ୍ପ୍ରଦାୟର ସର୍ବାଧିକ ଭୋଟର ଅଛନ୍ତି। ଦଳିତ, ମୁସଲମାନ ଏବଂ କୋଲି ସମ୍ପ୍ରଦାୟର ଭୋଟର ମଧ୍ୟ ଏହି ଆସନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାନ୍ତି। ଏଠାରେ ମତଦାନ ୫ ଡିସେମ୍ବରରେ ଅନୁଷ୍ଠିତ ହେବ। ଆଗାମୀ ୮ ଡିସେମ୍ବରରେ ଏହା ଜଣା ପଡିବ ଯେ ବୀରମଗାମ ଲୋକ ବିଜେପି ନା କଂଗ୍ରେସ ପ୍ରାର୍ଥୀଙ୍କୁ ଗ୍ରହଣ କରୁଛନ୍ତି।