ଜଳ ସେଚନ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଲେ ବିରୋଧି; ଜବାବ ରଖିଲା ଶାସକ ବିଜେଡି
Advertisement

ଜଳ ସେଚନ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଲେ ବିରୋଧି; ଜବାବ ରଖିଲା ଶାସକ ବିଜେଡି

ରାଜ୍ୟରେ ଜଳସେଚନ ବ୍ୟବସ୍ଥା ନେଇ ବିରୋଧି ଉଠାଇଥିବା ପ୍ରଶ୍ନର ଜବାବ ରଖିଛି ଶାସକ ଦଳ। 

ଜଳ ସେଚନ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଲେ ବିରୋଧି; ଜବାବ ରଖିଲା ଶାସକ ବିଜେଡି

ମଳୟ ରଞ୍ଜନ ମହାନ୍ତି,ଭୁବନେଶ୍ୱର: କଳାହାଣ୍ଡିରେ ଜଳସେଚନ ପ୍ରକଳ୍ପକୁ ବିଜେଡି ଭିନ୍ନ ଢଙ୍ଗରେ ଉଦଘାଟନ କରିବା ପରେ ବିରୋଧି ଶାସକ ଦଳକୁ ଘେରିବାରେ ଲାଗିପଡିଛନ୍ତି।ରାଜ୍ୟରେ ଜଳସେଚନ ନେଇ ରାଜ୍ୟ ସରକାର ମିଥ୍ୟା ତଥ୍ୟ ଦେଉଥିବା ଅଭିଯୋଗ କରିଛି କଂଗ୍ରେସ। ଜଳସେଚନ ନେଇ ରାଜ୍ୟ ସରକାର ଯାହା କହିଛନ୍ତି ତାହା ମିଛ ଓ ବାହାସ୍ଫୋଟ ବୋଲି କହିଛନ୍ତି କଂଗ୍ରେସର ବରିଷ୍ଠ ନେତା ପଞ୍ଚାନନ କାନୁନଗୋ। 

ସାରା ଓଡିଶାରେ ବିଜେଡି ଶାସନରେ ଜଳସେଚନ କମିଛି। ରାଜ୍ୟରେ ମୋଟ ଜଳଧାରଣ କ୍ଷମତା କମିଛି। ରାଜ୍ୟର ବଡ ବଡ ଜଳଭଣ୍ଡାରର ଜଳ ଧାରଣ କ୍ଷମତା କମିଛି। କାରଣ ଡ୍ୟାମ୍ ପଙ୍କରେ ପୋତି ହେଇ ଗଲାଣି ବୋଲି ଦଳ ଅଭିଯୋଗ କରିଛି। ଉଠା ଜଳସେଚ ପ୍ରକଳ୍ପ, ପୂର୍ବରୁ ଯାହା ଥିଲା ଏବେ ସେଥିରୁ ଅନେକ ଅଚଳ ହୋଇପଡିଛି। ଆଉ କେତେ ଦିନ ଶାସନ କଲେ ଅଧା ପନ୍ତରିଆ ହୋଇ ପଡି ରହିଥିବା ରେଙ୍ଗାଲି ପ୍ରକଳ୍ପର ବାମ ଓ ଡାହାଣ ପାର୍ଶ୍ବ କେନାଲ, କେନ୍ଦୁଝରର କାନପୁର ପ୍ରକଳ୍ପ, ନୟାଗଡ଼ର ବୃତ୍ତଙ୍ଗ ପ୍ରଭୃତି ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି ପ୍ରଶ୍ନ କରିଛି କଂଗ୍ରେସ।

ପୂର୍ବରୁ ସରକାର ୨୦୦୫ରେ କହିଥିଲେ ରାଜ୍ୟର ୩୧୪ ବ୍ଲକରେ ୩୫% ଜଳସେଚନ ବ୍ୟବସ୍ଥା ୫ ବର୍ଷ ମଧ୍ୟରେ ଯୋଗାଇ ଦିଆଯିବ। ହେଲେ ଆଜି ମଧ୍ଯ ରାଜ୍ୟର ଅଧିକାଂଶ ବ୍ଲକରେ ୨୭-୨୮ ପ୍ରତିଶତ ଜମିରେ ଜଳସେଚନ ହୋଇ ନାହିଁ ବୋଲି ଅଭିଯୋଗ ହୋଇଛି। ବିଜୁ କୃଷକ କଲ୍ୟାଣ ଯୋଜନା ସମ୍ପୂର୍ଣ୍ଣ ଅକାମୀ ଵୋଲି ଅଭିଯୋଗ କରିଛି କଂଗ୍ରେସ। ଏ କଥାରେ ଯଦି କୋଉଠି ସାମାନ୍ୟ ମିଛ ଥାଏ ତାହେଲେ ସରକାର ପ୍ରମାଣିତ କରନ୍ତୁ ବୋଲି ଦାବି କରିଛନ୍ତି କଂଗ୍ରେସ ନେତା ପଞ୍ଚାନନ କାନୁନଗୋ। 

ସେହିପରି ବିଜେପି ମଧ୍ୟ ରାଜ୍ୟରେ ଜଳସେଚନ ବ୍ୟବସ୍ଥାର କରୁଣ ଅବସ୍ଥା ବଖାଣିଛି। ବର୍ଷ ଦିନେ ଜଳ ସମୁଦ୍ରକୁ ବହି ଯାଉଥିବାବେଳେ ତାକୁ ଅଟକାଇବା ପାଇଁ ଏ ଯାଏଁ ବ୍ୟବସ୍ଥା ହୋଇପିରାନାହିଁ। ଏପରିକି ଡ୍ୟାମ, କେନାଲ ଆଦି ପୋତି ହୋଇଗଲାଣି। ବିଜେଡି ସରକାର ଜଳସେଚନ ଦିଗରେ ସମ୍ପୂର୍ଣ୍ଣ ବିଫଳ ବୋଲି କହିଛି ରାଜ୍ୟର ମୁଖ୍ୟ ବିରୋଧି ଦଳ। 

ଅନ୍ୟପକ୍ଷେ ଏ ପ୍ରସଙ୍ଗରେ ବିରୋଧିଙ୍କୁ ଜବାବ ଦେଇଛି ଶାସକ ବିଜେଡି। ବିରୋଧି ଇନ୍ଦ୍ରାବତୀ ଯାଇ ଦେଖନ୍ତୁ, କେମିତି ଉଚ୍ଚ ଜମିକୁ ପାଣି ଯାଉଛି ବୋଲି ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଛନ୍ତି। ଜମି ଅଧିଗ୍ରହଣ ସମସ୍ୟା ତଥା ବୈଷୟିକ ଅସୁବିଧା ଯୋଗୁ ଅନେକ ସ୍ଥାନରେ କାମ ବିଳମ୍ବ ହେଉଛି। ହେଲେ ରାଜ୍ୟରେ ଜଳସେଚନ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ଅନନ୍ୟ କାର୍ଯ୍ୟ କରିଛନ୍ତି। ଜଳସେଚନ ପାଇଁ ପ୍ରକ୍ରିୟା ଚାଲିଛି। ନିଷ୍ଠାପର ସହ କାମ ଚାଲିଛି ବୋଲି କହିଛନ୍ତି ବିଜେଡି ବିଧାୟକ।