Saptagiri Ullaka: ଭୁବନେଶ୍ୱର: ରାଜ୍ୟ କଂଗ୍ରେସରେ ପୁଣିଥରେ ଆରମ୍ଭ ହେବାକୁ ଯାଉଛି ନେତୃତ୍ୱ ସଙ୍କଟ। ଯଦିଓ ପୂର୍ବଥର ଅପେକ୍ଷା ଏଥର ଦଳ ଭଲ ପ୍ରଦର୍ଶନ କରିଛି କିନ୍ତୁ ଦଳର କିଛି ରଣନୀତି ଦ୍ୱାରା ପ୍ରତିଷ୍ଠିତ ନେତାଏ ଅସନ୍ତୁଷ୍ଟ ରହିଛନ୍ତି।  ଅପରପକ୍ଷେ ପିସିସି ସଭାପତିଙ୍କ ବାରମ୍ବାର ପରାଜୟ ଆଉ ଦଳରେ ଆଦିବାସୀ ନେତାଙ୍କ ସଂଖ୍ୟାଧିକ ବିଜୟ ସେମାନଙ୍କ ନେତୃତ୍ୱ ଲାଗି ଜାଗା ସୃଷ୍ଟି କରିଛି। ଏହିକ୍ରମରେ କିଛି ଆଦିବାସୀ ନେତା ଦିଲ୍ଲୀରେ ଏଆଇସିସି ନେତାଙ୍କୁ ରାଜ୍ୟ ନେତୃତ୍ୱରେ ପରିବର୍ତ୍ତନ ଲାଗି ଲବି କରୁଥିବା ଜଣାପଡ଼ିଛି। 


COMMERCIAL BREAK
SCROLL TO CONTINUE READING

ଏଥର  କଂଗ୍ରେସ ଟିକଟରେ ୧୪ ଜଣ ବିଧାୟକ ନିର୍ବାଚିତ ହୋଇଛନ୍ତି। ସେମାନଙ୍କ ଭିତରୁ ୯ ଜଣ ଆଦିବାସୀ ନେତା ହୋଇଥିବା ବେଳେ ୩ଜଣ  ଅନୁସୂଚିତ ଜାତି ଓ ୨ ଜଣ ସାଧାରଣ ବର୍ଗର ନେତା ରହିଛନ୍ତି। ଅର୍ଥାତ୍‍ ଆଦିବାସୀ ବର୍ଗ ନେତାଙ୍କ ହାର ୬୪ ପ୍ରତିଶତରୁ ଅଧିକ ରହିଛି।  ଅର୍ଥାତ୍‍ ବିଧାନସଭାରେ ଆଦିବାସୀଙ୍କ ପାଇଁ ଯୁକ୍ତି କରିବା ଲାଗି ଜଣେ ଆଦିବାସୀ ନେତାଙ୍କୁ କଂଗ୍ରେସ ବିଧାୟକ ଦଳର ନେତା କରିବାକୁ କିଛି ଆଦିବାସୀ ନେତା ପ୍ରସ୍ତୁତ ହେଉଥିବା ଚର୍ଚ୍ଚା ହେଉଛି। 


ପୁଣି  ଏଥର ନିର୍ବାଚନ ପରେ ରାଜ୍ୟ ନେତୃତ୍ୱ ପାଇଁ କୌଣସି ‘କରଣ’ ବା ‘ଖଣ୍ଡାୟତ’ଙ୍କୁ ମୁଖ୍ୟମନ୍ତ୍ରୀ ଆସନ ନଦିଆଯାଇ  ଶାସକ ଦଳ ପକ୍ଷରୁ ଜଣେ ଆଦିବାସୀ ନେତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଅଧିଷ୍ଠିତ କରାଯାଇଛି। ଏହାଙ୍କ ସହ ୧୬ ଜଣିଆ ମନ୍ତ୍ରିମଣ୍ଡଳରେ ତିନିଜଣ ଆଦିବାସୀ ପ୍ରତିନିଧିଙ୍କୁ ମନ୍ତ୍ରୀ ପଦ ପ୍ରଦାନ କରାଯାଇଛି। କେନ୍ଦ୍ରରେ ଆଦିବାସୀ ମନ୍ତ୍ରଣାଳୟ ବି ଓଡ଼ିଶା ସାଂସଦଙ୍କ ହାତରେ ରହିଛି। ପୁଣି ଜଣେ ଆଦିବାସୀଙ୍କୁ ରାଷ୍ଟ୍ରମୁଖ୍ୟ ପଦବୀରେ  ଅଧିଷ୍ଠିତ କରାଇ ଦଳ ଯଥେଷ୍ଟ ଲାଭ ଅର୍ଜନ କରିଛି ଅର୍ଥାତ୍‍ ଧୀରେ ଧୀରେ ରାଜ୍ୟର କଂଗ୍ରେସ ପକେଟ ଭୋଟ ବିଜେପି ଆଡ଼କୁ ଢଳୁଥିବାରୁ ତାହା କଂଗ୍ରେସ ପାଇଁ ଆହ୍ୱାନ ହୋଇଛି।   


 ନିକଟ ଅତୀତରେ ରାଜ୍ୟ ରାଜନୀତିକୁ ଅନୁଧ୍ୟାନ କରିଲେ ବିଜେପିର ଏହିସବୁ ପଦକ୍ଷେପ  ଆଦିବାସୀଙ୍କ ଗହଣରେ ଅଧିକ ପରିଚିତ ହୋଇ କଂଗ୍ରେସର ବହୁ ପ୍ରତିଷ୍ଠିତ ଭୋଟ ବ୍ୟାଙ୍କକୁ ଭାଙ୍ଗିବା ଲାଗି ସୁଚିନ୍ତିତ  ଉଦ୍ୟମ ବୋଲି ରାଜ୍ୟର ସଚେତନ ଆଦିବାସୀ କଂଗ୍ରେସ ନେତାମାନେ ହେଜିବା ଆରମ୍ଭ କରିଛନ୍ତି। ଏଣୁ ବିଜେଡିଠାରୁ ହଟିବା ପରେ ବିଜେପିର ଆଦିବାସୀ ଅଞ୍ଚଳରେ କାୟା ବିସ୍ତାରକୁ ରୋକିବା ଲାଗି ରାଜ୍ୟ କଂଗ୍ରେସରେ ଆଦିବାସୀ ନେତୃତ୍ୱ ଆବଶ୍ୟକ ବୋଲି  ଦାବି କରିଛନ୍ତି କିଛି ଆଦିବାସୀ  ବିଧାୟକ।
 
ପୂର୍ବରୁ ଦଳ ଅନୁସୂଚିତ ଜାତିଙ୍କ ନେତୃତ୍ୱରେ ଅନେକ ଥର ଲଢ଼ିଛି। ଆସନ୍ତା ୫ ବର୍ଷ ଲାଗି ଆଦିବାସୀଙ୍କ ନେତୃତ୍ୱରେ ଲଢ଼ିବାକୁ ଦଳ ଖୋଲା ହାତ ପ୍ରଦାନ କରିବାକୁ ସେମାନେ ଦିଲ୍ଲୀ ନେତୃତ୍ୱଙ୍କ ଆଗରେ ଦାବି କରିଥିବା ସୂଚନା ମିଳିଛି। 


ମିଳିଥିବା ସୂଚନା ଅନୁସାରେ ଏହି ମେଳିର ନେତୃତ୍ୱ ନେଉଛନ୍ତି ରାଜ୍ୟର ଏକମାତ୍ର କଂଗ୍ରେସ ସାଂସଦ ସପ୍ତଗିରି ଉଲାକା। ସେ ଏକମାତ୍ର ସାଂସଦ ଯିଏ ଏତେ ସଂଘର୍ଷରେ ମଧ୍ୟ ଦୁଇଥର କୋରାପୁଟରୁ ସାଂସଦ ହୋଇଛନ୍ତି।  ଖାଲି ସେତିକି ନୁହେଁ ଅବିଭକ୍ତ କୋରାପୁଟ ଜିଲ୍ଲାରେ ବିଧାୟକ ତାରା ପ୍ରସାଦ ବାହିନୀ ପତିଙ୍କ ପ୍ରଭାବକୁ କମ୍‍ କରି ଜଣେ ପରେ ଜଣେ ଆଦିବାସୀଙ୍କୁ ବିଧାନସଭାକୁ ନିର୍ବାଚିତ କରାଇବାରେ ସହାୟକ ହୋଇଛନ୍ତି। ଏହି ଅବିଭକ୍ତ କୋରାପୁଟ ଜିଲ୍ଲାର ୭ କଂଗ୍ରେସ ବିଧାୟକଙ୍କ ଭିତରୁ ୫ ବିଧାୟକ ସପ୍ତଗିରିଙ୍କ ସମର୍ଥକ ବୋଲି କୁହାଯାଉଛି। ଏ ସମସ୍ତେ ଆଦିବାସୀ ସମ୍ପ୍ରଦାୟର। ଏଣୁ ସପ୍ତଗିରିଙ୍କୁ ପିସିସି ସଭାପତି କରାଗଲେ ଦଳ ଆଦିବାସୀଙ୍କ ଭୋଟକୁ ପୁଣିଥରେ ଫେରାଇ ପାରିବ ବୋଲି କେନ୍ଦ୍ର ନେତୃତ୍ୱଙ୍କ ଆଗରେ  କିଛି ଲବି କରିବା ଆରମ୍ଭ କରିଥିବା ସୂଚନା ମିଳିଛି। 
ସପ୍ତଗିରି ଉଲାକାଙ୍କ ସମର୍ଥକମାନଙ୍କର ଏପରି ଯୁକ୍ତି ଏବେ ଉଭୟ ପିସିସି ସଭାପତି ଓ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ପାଇଁ ଆହ୍ୱାନ ସୃଷ୍ଟି କରିଛି। ଗୋଟିଏ ପଟେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କଙ୍କ ନେତୃତ୍ୱକୁ ଚ୍ୟାଲେଞ୍ଜ କରି ବିଦ୍ରୋହ ଆରମ୍ଭ ହୋଇଥିବା ବେଳେ ବିଧାୟକ ଦଳ ନେତା ଚୟନରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିପାରେ ବୋଲି ଚର୍ଚ୍ଚା ହେଉଛି।