INDI Alliance: ଗଢିବା ପୂର୍ବରୁ ଭାଙ୍ଗିଲା ମେଣ୍ଟ; ଅଲଗା ହୋଇଗଲେ ଟିଏମସି-ଆପ୍
Advertisement

INDI Alliance: ଗଢିବା ପୂର୍ବରୁ ଭାଙ୍ଗିଲା ମେଣ୍ଟ; ଅଲଗା ହୋଇଗଲେ ଟିଏମସି-ଆପ୍

Crack in INDI Alliance: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ନେତୃତ୍ୱାଧିନ ଇଣ୍ଡିଆ ମେଣ୍ଟ ବିଚ୍ଛିନ୍ନ ହୋଇଯିବା ଆବସ୍ଥା ଆଡ଼କୁ ଆସିଯାଇଛି।

 

INDI Alliance: ଗଢିବା ପୂର୍ବରୁ ଭାଙ୍ଗିଲା ମେଣ୍ଟ; ଅଲଗା ହୋଇଗଲେ ଟିଏମସି-ଆପ୍

TMC-APP withdraws from INDIA: ଯାହା ଆଶା କରାଯାଉଥିଲା ଶେଷରେ ତାହା ଘଟିଲା। ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଲୋକସଭା ନିର୍ବାଚନ ପୂର୍ବରୁ ମଧ୍ୟ କଂଗ୍ରେସ ନେତୃତ୍ୱାଧିନ ମେଣ୍ଟ ଇଣ୍ଡିଆ ବିଚ୍ଛିନ୍ନ ହୋଇଯାଇଛି। ଜାନୁଆରୀ ୨୪ ତାରିଖ ବୁଧବାର ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ପଶ୍ଟିମବଙ୍ଗରେ ଏକାକୀ ନିର୍ବାଚନ ଲଢିବାକୁ ଘୋଷଣା କରିଛି। ଅନ୍ୟପଟେ ପଞ୍ଜାବରେ କ୍ଷମତାସୀନ ଆମ୍ ଆଦମୀ ପାର୍ଟି ରାଜ୍ୟର ସମସ୍ତ ଆସନରେ ପ୍ରାର୍ଥୀ ଦେବା ନେଇ ଆନୁଷ୍ଠାନିକ ଭାବେ ଘୋଷଣା କରିଛି। ଇଣ୍ଡିଆ ମେଣ୍ଟରେ ଆସନ ବୁଝାମଣାକୁ ନେଇ ବିଳମ୍ବ ହେଉଥିବାରୁ ଏହାକୁ ଅନେକ ଆଲୋଚନା ହେଉଥିଲା। ଯାହା ବିରୋଧି ଏକତା ପାଇଁ ଏକ ବଡ଼ ଝଟକା ବୋଲି କୁହାଯାଉଛି। ମମତା ବାନାର୍ଜୀ ଏବଂ ଅରବିନ୍ଦ କେଜ୍ରିୱାଲଙ୍କ ଏପରି ନିଷ୍ପତ୍ତି କଂଗ୍ରେସ ନେତୃତ୍ୱ ଲାଗି ଚିନ୍ତା ବଢାଇ ଦେଇପାରେ। କାରଣ ବର୍ତ୍ତମାନ ଇଣ୍ଡିଆ ମେଣ୍ଟର ଅନ୍ୟ ସହଯୋଗୀ ଏକାକୀ ଚାଲିବାର ରାସ୍ତା ଖୋଜି ପାରିବେ। ଏହି ଖବର ଏପରି ଏକ ସମୟରେ ଆସିଛି ଯେତେବେଳେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା ଆସାମ ଠାରେ ପହଞ୍ଚିଛି।

କାହିଁକି ନାରାଜ ରହିଥିଲେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ?
ପଶ୍ଚିମବଙ୍ଗ ରାଜନୀତିରେ ଟିଏମସି-ବାମଦଳ ମଧ୍ୟରେ ରହିଥିବା ସମ୍ପର୍କ କାହାକୁ ଅଛପା ନାହିଁ। ଦିନକ ପୂର୍ବରୁ ମମତା ବାନାର୍ଜୀ କହିଥିଲେ ଯେ ଅପମାନ ସତ୍ତ୍ୱେ ମୁଁ ବିରୋଧି ମେଣ୍ଟରେ ରହିଥିଲି। ଇଣ୍ଡିଆ ମେଣ୍ଟରେ ବାମ ଦଳର ନିୟନ୍ତ୍ରଣକୁ ନେଇ ନାରାଜ ରହିଥିଲେ। ଏବେ ସେ କହୁଛନ୍ତି ଯେ କଂଗ୍ରେସ ତାଙ୍କ ପ୍ରସ୍ତାବ ଗ୍ରହଣ କରି ନାହିଁ। ଯେଉଁଥିପାଉଁ ଟିଏମସି ୨୦୨୪ ଲୋକସଭା ନିର୍ବାଚନରେ ଏକାକୀ ​​ପ୍ରତିଦ୍ୱନ୍ଦ୍ୱିତା କରିବ। ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରା ବିଷୟରେ ତାଙ୍କୁ କଂଗ୍ରେସ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ କିମ୍ବା ଆମନ୍ତ୍ରଣ କରାଯାଇନାହିଁ। 

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ବିଜେପି ସହ ଲଢିବା ପାଇଁ ଯାହା କରିବାକୁ ହେବ ଆମେ ତାହା କରିବୁ। ଏଭଳି ପରିସ୍ଥିତିରେ କିଛି ରାଜନୈତିକ ବିଶେଷଜ୍ଞ ଏହାକୁ ମମତା ବାନୀଜୀଙ୍କ ପ୍ରେସର ପଲିଟିକ୍ସ ବୋଲି କହୁଛନ୍ତି। କଂଗ୍ରେସ ଏକଥା ମଧ୍ୟ ଜାଣିଛି ଯେ ପଶ୍ଚିମବଙ୍ଗ ରାଜନୀତିରେ ଟିଏମସି ପ୍ରାଧାନ୍ୟ ବିସ୍ତାର କରିଛି। ଯଦି ବିରୋଧି ମେଣ୍ଟକୁ ଏକାଠି ରଖିବାକୁ ହୁଏ ତାହେଲେ ଟିଏମସି ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ ସହ କଂଗ୍ରେସ ସହମତ ହେବା ଆବଶ୍ୟକ। ନିକଟରେ ପଶ୍ଚିମବଙ୍ଗ କଂଗ୍ରେସ କମିଟି ଅଧ୍ୟକ୍ଷ ଅଧିର ରଞ୍ଜନ ଚୌଧୁରୀଙ୍କ ସମେତ ଦଳର ଅନେକ ନେତା ଟିଏମସି ବିରୋଧରେ ବର୍ଷିଥିଲେ। ଏହା ମଧ୍ୟ କୁହାଯାଉଛି ଯେ ବୋଧହୁଏ ବର୍ତ୍ତମାନ ମମତା ବାନାଜୀଙ୍କ ଧୈର୍ଯ୍ୟ ଶେଷ ହୋଇଯାଇଛି। ମମତା ବାନାର୍ଜୀ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରାକୁ ଅନ୍ଧାରରେ ରଖିଥିବାର ଅଭିଯୋଗ କରିଛନ୍ତି କିଛି କଂଗ୍ରେସ ନେତା। କାରଣ କଂଗ୍ରେସ ପକ୍ଷରୁ ଆୟୋଜିତ ହଇଥିବା ଭାରତ ଯୋଡ ନ୍ୟାୟ ଯାତ୍ରାକୁ ଟିଏମସି ନିଜ ପାଇଁ ବିପଦ ବୋଲି ବିଚାର କରୁଛି। 

ଟିଏମସି ପରେ ଇଣ୍ଡିଆ ମେଣ୍ଟରୁ ଓହରି ଯିବା ନେଇ ଜଣାଇ ଦେଇଛି ଆମ୍ ଆଦମୀ ପାର୍ଟି। ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ବୁଧବାର ସ୍ପଷ୍ଟ କରିଛନ୍ତି ଯେ ଆମ୍ ଆଦମୀ ପାର୍ଟି ୨୦୨୪ ଲୋକସଭା ନିର୍ବାଚନରେ ରାଜ୍ୟର କୌଣସି ଦଳ ସହ ମେଣ୍ଟ କରିବ ନାହିଁ। ରାଜ୍ୟର ସମସ୍ତ ୧୩ ଲୋକସଭା ଆସନରେ ଦଳ ଏକୁଟିଆ ନିର୍ବାଚନ ଲଢିବ। ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ରାଜନୈତିକ ଦୃଷ୍ଟିକୋଣରୁ ଅନେକ ଗୁରୁତ୍ୱପୂର୍ଣ୍ଣ। କାରଣ ଗତ ସପ୍ତାହରେ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ କହିଥିଲେ ଯେ ସେ ଗୋଆରୁ ଆଗାମୀ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଆଗ୍ରହୀ ଅଛନ୍ତି। 

ଆମ୍ ଆଦମୀ ପାର୍ଟି ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ଉପକୂଳବର୍ତ୍ତୀ ରାଜ୍ୟରେ ଏକ ଆସନ ପାଇଁ ବିରୋଧି ଇଣ୍ଡିଆ ମେଣ୍ଟରେ ସାମିଲ ହୋଇଥିବା ଦଳଙ୍କ ସହ ଆଲୋଚନା କରୁଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପରେ ବର୍ତ୍ତମାନ ପଞ୍ଜାବ ମୁଖ୍ୟମନ୍ତ୍ରୀ ତଥା ଆଦମୀ ପାର୍ଟି ନେତା ଭଗୱନ୍ତ ମାନ ମଧ୍ୟ କହିଛନ୍ତି ତାଙ୍କ ଦଳ ପଞ୍ଜାବରେ ଏକାକୀ ନିର୍ବାଚନ ଲଢିବ। ଉଭୟ ପଞ୍ଜାବ ଏବଂ ପଶ୍ଚିମବଙ୍ଗରେ ଯଦି କୌଣସି ମେଣ୍ଟ ହୋଇ ପାରୁନାହିଁ ତାହେଲେ ଅନ୍ୟ ରାଜ୍ୟରେ ଆମ୍ ଆଦମୀ ପାର୍ଟି ଏବଂ ଟିଏମସି ସହିତ କଂଗ୍ରେସ ଗଠବନ୍ଧନ କରିବ କି ନାହିଁ ସେ ନେଇ ପ୍ରଶ୍ନ ଉଠିଛି।