Odisha Election 2024: ପଶ୍ଚିମ ଦ୍ୱନ୍ଦ୍ୱ: ମହଙ୍ଗା ହୋଇପାରେ ବଲାଙ୍ଗୀର, ବରଗଡ଼ ଓ କଳାହାଣ୍ଡି
Advertisement

Odisha Election 2024: ପଶ୍ଚିମ ଦ୍ୱନ୍ଦ୍ୱ: ମହଙ୍ଗା ହୋଇପାରେ ବଲାଙ୍ଗୀର, ବରଗଡ଼ ଓ କଳାହାଣ୍ଡି

Odisha Election 2024: ବିଜୁ ଜନତା ଦଳର ଦ୍ୱନ୍ଦ୍ୱ ପଶ୍ଚିମ ଓଡ଼ିଶାର ମୁଖ୍ୟ କେନ୍ଦ୍ର ସମ୍ବଲପୁରରୁ ହିଁ ଆରମ୍ଭ ହୋଇଛି। ଏଠାରେ ଉଭୟ ଲୋକସଭା ଓ ବିଧାନସଭା ଆସନ ଲାଗି ଉପଯୁକ୍ତ ପ୍ରାର୍ଥୀ ଚୟନରେ ଦଳ ଅନେକ ସମସ୍ୟା ଭୋଗିଛି। ଶେଷରେ ଯାଜପୁରର ବିଧାୟକଙ୍କୁ ନେଇ ସମ୍ବଲପୁରର ଲୋକସଭା ପ୍ରାର୍ଥୀ କରିଛି। 

 

Odisha Election 2024

ଭୁବନେଶ୍ୱର: ବିଜେଡି ରଣନୀତିରେ ଦେଖାଦେଇଛି ପଶ୍ଚିମ ଦ୍ୱନ୍ଦ୍ୱ। ସମ୍ବଲପୁର ସମେତ କଳାହାଣ୍ଡି, ବଲାଙ୍ଗୀର, ବରଗଡ଼ରେ ଦଳ ପଛୁଆ ଥିବାରୁ ଖୋଦ ମୁଖିଆ ଅଣ୍ଟାରେ ଦମ୍ଭ ବାନ୍ଧିଛନ୍ତି। କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହେବେ ବୋଲି ଘୋଷଣା କରିଛନ୍ତି। ୨୦୧୯ ନିର୍ବାଚନରେ ମଧ୍ୟ ଦଳୀୟ ମୁଖ୍ୟ ନବୀନ ପଟ୍ଟନାୟକ ବିଜେପୁରରୁ ପ୍ରାର୍ଥୀ ହୋଇଥିଲେ। ସେତେବଳେ ଦଳ କେବଳ ବିଜେପୁର ନୁହେଁ, ଦଳ ବରଗଡ଼ ଲୋକସଭା ଆସନ ଅନ୍ତର୍ଗତ ସମସ୍ତ ବିଧାନସଭା ଆସନ ଜିତିଥିଲା। ହେଲେ ଲୋକସଭା ଆସନ ବିଜେପି ହାତକୁ ଚାଲି ଯାଇଥିଲା। ଏଥର ବି ସମାନ ଆଶଙ୍କା ରହିଛି। ଏଣୁ ଛାମୁଙ୍କ ଉପରେ ଭରସା କରିଛି ଦଳ। 

ଦଳର ଦ୍ୱନ୍ଦ୍ୱ ପଶ୍ଚିମ ଓଡ଼ିଶାର ମୁଖ୍ୟ କେନ୍ଦ୍ର ସମ୍ବଲପୁରରୁ ହିଁ ଆରମ୍ଭ ହୋଇଛି। ଏଠାରେ ଉଭୟ ଲୋକସଭା ଓ ବିଧାନସଭା ଆସନ ଲାଗି ଉପଯୁକ୍ତ ପ୍ରାର୍ଥୀ ଚୟନରେ ଦଳ ଅନେକ ସମସ୍ୟା ଭୋଗିଛି। ଶେଷରେ ଯାଜପୁରର ବିଧାୟକଙ୍କୁ ନେଇ ସମ୍ବଲପୁରର ଲୋକସଭା ପ୍ରାର୍ଥୀ କରିଛି। ଖାଲି ସେତିକି ନୁହେଁ ସମ୍ବଲପୁରରେ ବିଧାନସଭା ପ୍ରାର୍ଥୀଙ୍କୁ ଘୋଷଣା ପରେ ପୁଣି ବଦଳାଇଛି ଦଳ। ରାଜନୀତିକ ମହଲର ଆଲୋଚନା ଅନୁସାରେ ଏହି ଆସନରେ ବିଜୁ ଜନତା ଦଳର ସଂଗଠନରେ ଥିବା ଅନ୍ତର୍ଦ୍ୱନ୍ଦ୍ୱ ଦଳକୁ ଦୁର୍ବଳ କରୁଛି।
୨୦୧୯ରେ ସମ୍ବଲପୁର ଲୋକସଭା ମଣ୍ଡଳୀ ଅନ୍ତର୍ଗତ ୭ ବିଧାନସଭା ମଣ୍ଡଳୀରୁ ଦଳ ୫ଟି ଆସନରେ ବିଜୟୀ ହୋଇଥିଲା। ଏଥର ସମସ୍ତ ନିର୍ବାଚନମଣ୍ଡଳୀରେ ନୂଆ ପ୍ରାର୍ଥୀ ଦେଇ ବିଜୟ ସମୀକରଣକୁ ଲେଖୁଛି ଦଳ। 

ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ସମ୍ମୁଖୀନ ହେବ କଳାହାଣ୍ଡି। ପୂର୍ବ ନିର୍ବାଚନରେ କଳାହାଣ୍ଡିରେ ବିଜେପିର ପ୍ରାର୍ଥୀ ବିଜୟୀ ହୋଇଥିଲେ। ଏଥର ବିଜେପି ପ୍ରାର୍ଥୀ ବଦଳାଇ ରାଜପରିବାର ଉପରେ ଆଶ୍ରା କରିଛି ଆଉ ତାଙ୍କୁ ଟକ୍କର ଦେବା ଲାଗି ଲମ୍ବୋଦର ନିଆଲଙ୍କୁ ବିଜେଡି ପ୍ରାର୍ଥୀ କରିଛି। ଏହି ନିର୍ବାଚନ ମଣ୍ଡଳୀର ୭ ଆସନରୁ ବିଜେଡି ଭବାନୀ ପାଟଣା ଓ ଖଡ଼ିଆଳ ବିଧାନସଭା ମଣ୍ଡଳୀକୁ ଛାଡ଼ିଦେଲେ ଅନ୍ୟ ସବୁଥିରେ ବିଜୟ ଲାଭ କରିଥିଲା। ଏଥର ଖଡ଼ିଆାଳରେ ପୂର୍ବରୁ ବିଜିତ କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କୁ ଦଳକୁ ଆଣି ଲୋକଙ୍କ ଆଗରେ ନିଜର ପ୍ରାର୍ଥୀ ବୋଲି ଟିକଟ ଦେଇଛି। ଧର୍ମଗଡ଼ରେ ବିଧାୟକଙ୍କୁ ବଦଳାଇ ପୂର୍ବତନ ମନ୍ତ୍ରୀଙ୍କୁ ପୁଣିଥରେ ପ୍ରାର୍ଥୀ କରିଛି। ନର୍ଲାରେ ପ୍ରାର୍ଥୀ ବଦଳାଇଛି ଦଳ। ଏହି କ୍ରମରେ ବିଜେଡି ପ୍ରତି ଥିବା ଶାସନ ବିରୋଧୀ ଭୋଟକୁ ନବୀନ ପ୍ରଶମିତ କରିପାରନ୍ତି। ତାଙ୍କ ଭାବମୂର୍ତ୍ତି କଳାହାଣ୍ଡିରେ ବି ପ୍ରଭାବ ପକାଇପାରେ। 

ବଲାଙ୍ଗୀର ଲୋକସଭା ଆସନରେ ଥିବା ୭ ବିଧାନସଭା ଆସନରୁ ୪ଟିରେ ଦଳ ବିଜୟ ହୋଇଥିଲା। ଦୁଟିଟି ଆସନ କଂଗ୍ରେସ ଜିତିଥିଲା। ଯେଉଁଥିରେ ବରିଷ୍ଠ ନେତା ନରସିଂହ ମିଶ୍ର ଏବଂ ସନ୍ତୋଷ ସିଂହ ସାଲୁଜା ଅନ୍ତର୍ଭୁକ୍ତ। ଏବେ ମୁଖିଆ ଅଣ୍ଟା ଭିଡ଼ିଛନ୍ତି ସନ୍ତୋଷସିଂହ ସାଲୁଜାଙ୍କ ବିରୁଦ୍ଧରେ ପ୍ରାର୍ଥୀ ହେବେ। ଅର୍ଥାତ୍‍ କଂଗ୍ରେସକୁ ଚେକ୍‍ ଦେବେ ନବୀନ।  ଏହା ତାଙ୍କର ବିଜୟକୁ ନିଶ୍ଚିତ କରିପାରେ। କିନ୍ତୁ ଏହା ଯେ, ବିଜେପିର ଅଣ୍ଡର କରେଣ୍ଟକୁ ରୋକିବ ତାହା କୁହାଯାଇ ନପାରେ।