BJD Women Card in 2024 Election:
ବହୁଚର୍ଚ୍ଚିତ ୩୩% ଆରକ୍ଷଣ ଲାଗୁ ହେବା ଦ୍ୱାରା ବିଧାନସଭାରେ ମହିଳାଙ୍କ ପ୍ରତିନିଧିତ୍ୱ ବୃଦ୍ଧି ପାଇବ। ମାତ୍ର ମହିଳା ସଂରକ୍ଷଣ ଦ୍ୱାରା ଅନେକ ବିଜେଡ଼ି ବିଧାୟକ ଟିକେଟ ପାଇବାରୁ ବଞ୍ଚିତ ହୋଇପାରନ୍ତି।
Trending Photos
BJD Women Candidate for 2024 Election: ଭୁବନେଶ୍ୱର: ବାଜି ସାରିଲାଣି ନିର୍ବାଚନ ବିଗୁଲ୍। ସକାଳ ଖବର କାଗଜରେ ପୃଷ୍ଠା ପୃଷ୍ଠା ବିଜ୍ଞାପନ, ସବୁ ରାଜନୀତିକ ଦଳର ଲୋକଙ୍କୁ ଯୋଡ଼ିବା ଲାଗି ପଦଯାତ୍ରା ତଥା ତତ୍ପରତା ଆଉ ଏବେ ନିର୍ବାଚନ କମିଶନଙ୍କ ଦ୍ୱାରା ୫ ରାଜ୍ୟ ବିଧାନସଭା ନିର୍ବାଚନ ଲାଗି ତାରିଖ ଘୋଷଣା ଦଳ, ନେତା, କର୍ମୀଙ୍କ ହୃଦସ୍ପନ୍ଦନ ବଢ଼ାଇଛି। ବିଶେଷକରି ଶାସନରେ ଥିବା ଦଳ ପାଇଁ ଏହା ଆହ୍ୱାନ ସୃଷ୍ଟି କରିଛି। ଦେଇଥିବା ପ୍ରତିଶୃତି ପୂରଣ ଏବଂ ପାଇଥିବା ଭୋଟ ବଜାୟ ରଖିବା ଏହି ଆହ୍ୱାନ ଭିତରୁ ଅନ୍ୟତମ। ଏହି ଦୁଇଟି ପ୍ରସଙ୍ଗକୁ ଗୋଟିଏ ଗୁଳି ଭାବେ ବିଜେଡି ମହିଳା ଆରକ୍ଷଣ ବିଲ୍କୁ ବ୍ୟବହାର କରିପାରେ। ଅର୍ଥାତ୍ ଦଳ ଓଡ଼ିଶା ବିଧାନସଭା ପାଇଁ ୩୩ ପ୍ରତିଶତ ମହିଳା ପ୍ରାର୍ଥୀ ଘୋଷଣା କରିପାରେ। ଯାହା ଦ୍ୱାରା ମହିଳା ସଶକ୍ତିକରଣର ପ୍ରତିଶୃତି ପୂରଣ ହେବ ଆଉ ଦେଶରେ ପ୍ରଥମ ଥର ପାଇଁ ବିଧାନସଭାରେ ମହିଳାଙ୍କ ଲାଗି ସ୍ଥାନ ସଂରକ୍ଷଣ କରି ନିଜର ଭାବମୂର୍ତ୍ତି ବଢ଼ାଇବେ ମୁଖ୍ୟମନ୍ତ୍ରୀ।
ଗତ ନିର୍ବାଚନରେ ବିଜୁ ଜନତା ଦଳ ଲୋକସଭା ନିର୍ବାଚନ ଲାଗି ମୋଟ ୨୧ ସିଟ୍ ମଧ୍ୟରୁ ୭ ଆସନରେ ମହିଳା ପ୍ରାର୍ଥୀଙ୍କୁ ପ୍ରାର୍ଥୀ କରିଥିଲା। ବିଧାନସଭାରେ କିନ୍ତୁ ସେହି ନିୟମକୁ କାର୍ଯ୍ୟକାରୀ କରି ପାରି ନଥିଲେ। ଏବେ ଭାରତର ରାଷ୍ଟ୍ରପତି ସେପ୍ଟମ୍ବର ୩୦ ତାରିଖରେ ମହିଳା ଆରକ୍ଷଣ ବିଲ୍କୁ ଅନୁମୋଦନ କରିବା ପରେ ବିଜେଡି ପ୍ରଥମ ରାଜ୍ୟ ଭାବେ ଏହାକୁ ପ୍ରଣୟନ କରିବା କିଛି ନୂଆ କଥା ହେବ ନାହିଁ। ଅର୍ଥାତ୍ ଯଦି ଏହା ହୁଏ ତେବେ ଏଥର ନିର୍ବାଚନରେ ୧୪୭ ଆସନରୁ ଅତିକମରେ ୪୯ ଜଣ ମହିଳାଙ୍କୁ ପ୍ରାର୍ଥୀ କରିପାରେ ବିଜୁ ଜନତା ଦଳ। ଯଦି ଏହା ହୁଏ ତେବେ ରାଜ୍ୟରେ କିଏ ହେବେ ପ୍ରଭାବିତ, ଆସନ୍ତୁ ନଜର ପକାଇବା।
ଏହି ପରିପ୍ରକ୍ଷୀରେ ଶାଣିତ ଅନୁଶୀଳନ ଲାଗି ଓଡ଼ିଶା ରାଜନୀତିକୁ ମୁଖ୍ୟତଃ ତିନି ଭାଗରେ ବିଭକ୍ତ କରାଯାଇପାରେ। ଅଞ୍ଚଳ ଭିତ୍ତିରେ ଉପକୂଳ ଓଡ଼ିଶା, ଦକ୍ଷିଣ ଓଡ଼ିଶା ଏବଂ ପଶ୍ଚିମ ଓଡ଼ିଶା କ୍ରମରେ ଆଲୋଚନା କରାଯାଇପାରେ। ଅଞ୍ଚଳ ଭିତ୍ତିରେ ମହିଳା ଆରକ୍ଷଣ ନିଷ୍ପତ୍ତି କିପରି ପ୍ରଭାବ ପକାଇବା ତାହା ଅନୁଶୀଳନ କରିବା।
ପ୍ରଥମେ ପଶ୍ଚିମାଞ୍ଚଳ ରାଜନୀତିକୁ ଗ୍ରହଣ କରାଯାଉ। ପଶ୍ଚିମାଞ୍ଚଳ କହିଲେ ରାଜ୍ୟର ୧୦ ଜିଲ୍ଲା ସହ ଏକ ସବ୍ ଡିଭିଜନ୍କୁ ବୁଝାଏ। ଏହି ଅଞ୍ଚଳକୁ ରାଜ୍ୟ ପଶ୍ଚିମାଞ୍ଚଳ ବିକାଶ ପରିଷଦରେ ସାମିଲ୍ କରି ରାଜ୍ୟ ସରକାର ସ୍ୱତନ୍ତ୍ର ଧ୍ୟାନ ଦେଉଛନ୍ତି। ରାଜ୍ୟରେ ଆଞ୍ଚଳିକ ସାମ୍ୟ ପ୍ରତିଷ୍ଠାରେ ଏହି କାଉନ୍ସିଲ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଛି ଯାହା ଏକ ଜଣେ ପ୍ରାକ୍ତନ ଆଇଏଏସ୍ଙ୍କ ଅଧ୍ୟକ୍ଷତାରେ ପରିଚାଳିତ। ପଶ୍ଚିମାଞ୍ଚଳରେ ରହିଛି ୩୫ ବିଧାନସଭା ଆସନ। ଅର୍ଥାତ୍ ସମୁଦାୟ ବିଧାନସଭା ଆସନର ୨୪ ପ୍ରତିଶତ। ଏବେ ବିଧାନସଭାରେ ପ୍ରତିନିଧିତ୍ୱ କରୁଥିବା ୧୮ ଜଣ ମହିଳା ବିଧାୟକଙ୍କ ଭିତରୁ ୭ ଜଣ ହେଉଛନ୍ତି ପଶ୍ଚିମ ଓଡ଼ିଶାର ଝିଅ କିମ୍ବା ବୋହୂ। ଅନ୍ୟ ଭାଷାରେ କହିବାକୁ ଗଲେ ଏବେ ଯେତିକି ମହିଳା ବିଧାୟକ ବିଧାନସଭାରେ ଅଛନ୍ତି ସେଥିରୁ ୩୮ ପ୍ରତିଶତ ହେଉଛନ୍ତି ପଶ୍ଚିମାଞ୍ଚଳର ପ୍ରତିନିଧି। ଅର୍ଥାତ୍ ରାଜ୍ୟର ପଶ୍ଚିମାଞ୍ଚଳରେ ମହିଳା ରାଜନୈତିକ ଦୃଷ୍ଟିକୋଣରୁ ଅଧିକ ସଶକ୍ତ।
ଏବେ ଯଦି ୩୩% ପ୍ରତିଶତ ଆରକ୍ଷଣକୁ ବିଚାର କରାଯାଏ, ତେବେ ପଶ୍ଚିମାଞ୍ଚଳରେ ୧୨ ଜଣ ମହିଳାଙ୍କୁ ବିଜେଡି ପ୍ରାର୍ଥୀ କରିବ। ଅର୍ଥାତ୍ ଯଦିବି ବିଜେଡି ଟିକଟରେ ନିର୍ବାଚିତ ୬ ଜଣଙ୍କୁ ପୁଣିଥରେ ପ୍ରାର୍ଥୀ କରାଯାଏ ତେବେ ଦଳ ଆହୁରି ୬ ଜଣ ପୁରୁଷ ପ୍ରାର୍ଥୀଙ୍କ ଟିକଟ କାଟି ଟିକଟ ଦେବାକୁ ବାଧ୍ୟ ହେବ। ନହେଲେ ଦଳ ଯେଉଁଠି ହାରିଛି ସେଠାରେ ମହିଳା ପ୍ରାର୍ଥୀ ଦେଇ ପରୀକ୍ଷା କରିପାରେ। ଯଦି ପ୍ରଥମ ଆଶଙ୍କା ଅନୁସାରେ ୬ ବିଧାୟକଙ୍କ ଟିକଟ କଟିବ ସେମାନେ କିଏ ହେବେ? ଏହି ଟିକଟ କାଟିବା ଏବଂ ନୂଆ ଟିକଟ ପ୍ରଦାନରେ ବିଜୟ ସମ୍ଭାବନା ପ୍ରମୁଖ କାରଣ ହୋଇଥାଏ। ଏହା ସହ ଦଳ ଭିତରେ ଶୀର୍ଷ ନେତୃତ୍ୱଙ୍କୁ ଅସନ୍ତୁଷ୍ଟ କରିଥିବା ବିଧାୟକଙ୍କୁ ମଧ୍ୟ ନିଜ ଦ୍ୱାର ବନ୍ଦ କରିବାକୁ ପଡ଼ିପାରେ। ଏଥିରେ କିଛି ନେତାଙ୍କ ପାଇଁ ରାଜ୍ୟ ରାଜନୀତି ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯିବାର ସମ୍ଭାବନା ବି ରହିଛି।
ପ୍ରଥମେ ସୁନ୍ଦରଗଡ଼ ଜିଲ୍ଲାକୁ ହିସାବକୁ ନେବା। ଏ ଜିଲ୍ଲାରେ ସବୁଠାରୁ ଅଧିକ ୬ ବିଧାନସଭା ଆସନ ରହିଛି। କିନ୍ତୁ ବିଜେଡିର ପ୍ରଭାବ ଏ ଜିଲ୍ଲାରେ ତଳୁଆ ରହିଛି। ରାଉରକେଲାକୁ ଛାଡ଼ିଦେଲେ ଅନ୍ୟ ସବୁଠି ଅଣ ବିଜେଡି ବିଧାୟକ ରହିଛନ୍ତି। ବିଜେଡି ଚାହିଁଲେ ଏଇ ଗୋଟିଏ ଜିଲ୍ଲାରେ ମହିଳା ପ୍ରାର୍ଥୀ ଦେଇ ଭାଗ୍ୟ ପରୀକ୍ଷା କରିପାରେ। ଏଥିରେ ଦଳର ପ୍ରମୁଖ ସଙ୍ଗଠକ ତଥା ପୂର୍ବତନ ମନ୍ତ୍ରୀ ଶାରଦା ପ୍ରସାଦ ନାୟକ ପ୍ରଭାବିତ ହୋଇପାରନ୍ତି। ତାଙ୍କୁ ଦଳ ସଙ୍ଗଠନ ମଜଭୁତ କରିବା ପାଇଁ ନିୟୋଜିତ କରି ମହିଳା ପ୍ରାର୍ଥୀ ଦେଇପାରେ।
ଅନ୍ୟ ବୃହତ୍ ଜିଲ୍ଲା ଭିତରେ ରହିଛି ବଲାଙ୍ଗୀର, କଳାହାଣ୍ଡି, ସମ୍ବଲପୁର, ବରଗଡ଼। ଏଥିରୁ ବରଗଡ଼ ଜିଲ୍ଲାରେ ୩ ଜଣ ମହିଳା ଦଳକୁ ବିଧାନସଭାରେ ପ୍ରତିନିଧିତ୍ୱ କରୁଥିବା ବେଳେ, ବଲାଙ୍ଗୀରରେ ଜଣେ ମହିଳା ବିଧାନସଭାକୁ ପ୍ରତିନିଧିତ୍ୱ କରୁଛନ୍ତି। ସମ୍ବଲପୁର, ବୌଦ୍ଧ, କଳାହାଣ୍ଡି, ନୂଆପଡ଼ା, ଦେବଗଡ଼, ସୋନପୁର ଜିଲ୍ଲାରେ କେହି ମହିଳା ପ୍ରତିନିଧି ନାହାନ୍ତି। ଅପରପକ୍ଷେ ଝାରସୁଗୁଡ଼ା ଜିଲ୍ଲାରେ ରହିଥିବା ସମସ୍ତ ଦୁଇଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମହିଳାଙ୍କ ଦ୍ୱାରା ପ୍ରତିନିଧିତ୍ୱ ହାସଲ କରିଛି। ଏହି ଦୁଇ ଜଣ ଉତ୍ତରାଧିକାର ସୁତ୍ରରେ ଉପ ନିର୍ବାଚନରେ ନିର୍ବାଚିତ ହୋଇଛନ୍ତି, ଯାହାର ଫାଇଦା ବିଜେଡି ନେଇଛି। ଅନୁଗୁଳ ଜିଲ୍ଲାର ଏକମାତ୍ର ପଶ୍ଚିମ ଓଡ଼ିଶା ଅନ୍ତର୍ଭୂକ୍ତ ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ ପୁରୁଷଙ୍କ ପ୍ରତିନିଧିତ୍ୱରେ ରହିଛି। ଅପରପକ୍ଷେ ଏଠାରୁ ବିଧାୟକ ଥିବା ରମେଶଚନ୍ଦ୍ର ସାଇଙ୍କ ଓଡ଼ିଶା ରାଜନୀତିରେ ସେମିତି କିଛି ପ୍ରଭାବ ନାହିଁ। କେବଳ ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତି ତାଙ୍କର ବିଜୟର କାରକ। ଏଣୁ ଯଦି ଚାହେଁ ଏହି ନିର୍ବାଚନ ମଣ୍ଡଳୀକୁ ବିଜେଡି ମହିଳା ପ୍ରାର୍ଥୀଙ୍କୁ ଦେଇପାରେ।
ସେହିପରି କଳାହାଣ୍ଡି ଜିଲ୍ଲାର ଦୁଇଟି ନିର୍ବାଚନ ମଣ୍ଡଳୀ ଯେମିତି ଜୁନାଗଡ଼ ଏବଂ ନର୍ଲା ବିଜେଡି ପାଇଁ ଦୁଇଟି ଥଇଥାନ ନିର୍ବାଚନ ମଣ୍ଡଳୀରେ ପରିଣତ ହୋଇଛି। ନର୍ଲାରେ ଭୂପିନ୍ଦର ସିଂହ କଂଗ୍ରେସରୁ ଆସି ବିଜେଡିର ଗଡ଼ ମଜଭୁତ କରିଛନ୍ତି। ଏବେ ସେ ଏକ ବୋଝ ସଦୃଶ। ଏହି ନିର୍ବାଚନ ମଣ୍ଡଳୀରେ ବିଜେଡି କାହାକୁ ନପାଇଲେ ତାଙ୍କ ପରିବାରରୁ କାହାକୁ ପ୍ରାର୍ଥୀ କରିପାରନ୍ତି। ସେହିପରି ଜୁନାଗଡ଼ରୁ ବିଧାୟକ ଥିବା କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର ଏଥର ମହିଳାଙ୍କ ମାମଲାରେ ଛନ୍ଦି ହୋଇ ମନ୍ତ୍ରୀପଦ ହରାଇଛନ୍ତି। ବିଜେଡି କେବଳ ସହାନୁଭୂତି ଦେଖାଇ ଯାହା ତାଙ୍କୁ ଦଳରୁ ବାହାର କରି ନାହିଁ। ଏହିକ୍ରମରେ ତାଙ୍କର ସ୍ଥିତି ଖରାପ ଥିବାରୁ ବିଜେଡି ଜୁନାଗଡ଼ରେ ମହିଳା ପ୍ରାର୍ଥୀ ଦେଇପାରେ। ଆଦୌ ଦଳୀୟ ମହିଳାଙ୍କ ପ୍ରତିନିଧିତ୍ୱ ନଥିବା ବୌଦ୍ଧ, ନୂଆପଡ଼ା, ସମ୍ବଲପୁର, ଦେବଗଡ଼ରେ ମଧ୍ୟ ଏକାଧିକ ଆସନରେ ବିଜେଡି ମହିଳା ପ୍ରାର୍ଥୀ ଦେବ ବୋଲି ଚର୍ଚ୍ଚା ହେଉଛି। ଏସବୁ ଜିଲ୍ଲାର ଅନେକ ଆସନରେ ବିଜେଡିର ପ୍ରତିନିଧିତ୍ୱ ନଥିବାରୁ ସେସବୁ ଅଞ୍ଚଳରେ ବିବାଦ ଏଡ଼ାଇବାକୁ ମହିଳା ପ୍ରାର୍ଥୀଙ୍କୁ ଅସ୍ତ୍ର ଭାବେ ବ୍ୟବହାର କରାଯାଇପାରେ।
ମୋଟାମୋଟି ଭାବେ କହିବାକୁ ଗଲେ ପଶ୍ଚିମ ଓଡ଼ିଶାରେ ତିନି ଚାରି ଜଣ ବିଜେଡି ବିଧାୟକଙ୍କ ପରିସ୍ଥିତି ଟଳମଳ ରହିଛି। ହେଲେ ଯଦି ସବୁଠାରୁ ଅଧିକ କେଉଁ ଅଞ୍ଚଳ ପ୍ରଭାବିତ ହେବ ସେ ହେଉଛି ଉପକୂଳ ଓଡ଼ିଶା। କାରଣ ଏଠାରେ ହିଁ ଶାସକ ବିଜୁ ଜନତା ଦଳର ସବୁଠାରୁ ଅଧିକ ବିଧାୟକ ନିର୍ବାଚିତ ହୋଇଛନ୍ତି। ଆମେ ପରବର୍ତ୍ତୀ ରିପୋର୍ଟରେ ଦେଖିବା କେଉଁ ନେତାଙ୍କ ଭାଗ୍ୟ ଖରାପ ହେବା ସମ୍ଭାବନା ରହିଛି ଆଉ କେଉଁ ନେତାଙ୍କ ଟିକଟ ମହିଳା ପ୍ରାର୍ଥୀ ଅକ୍ତିଆର କରିପାରନ୍ତି!