Odisha Politics: ବିଜେଡି ଓ ବିଜେପି ବିରୋଧରେ କଂଗ୍ରେସର ୧୦ଦଫା ଅଭିଯୋଗପତ୍ର
Advertisement

Odisha Politics: ବିଜେଡି ଓ ବିଜେପି ବିରୋଧରେ କଂଗ୍ରେସର ୧୦ଦଫା ଅଭିଯୋଗପତ୍ର

Odisha Politics: କଂଗ୍ରେସର ୧୦ଦଫା ଅଭିଯୋଗପତ୍ରରେ ଅଭିଯୋଗ ରହିଛି ଯେ, ବିଜେଡି ଶାସନରେ ଅସ୍ତିତ୍ୱ ଖୋଜୁଛନ୍ତି ଓଡ଼ିଆ । ସବୁ କ୍ଷେତ୍ରରେ ଅବହେଳିତ ଓଡ଼ିଶାର ଜନସାଧାରଣ । ଆସନ୍ତା ନିର୍ବାଚନରେ ଉପଯୁକ୍ତ ଜବାବ ଦେବେ ଓଡ଼ିଶାବାସୀ । ଜନତା ଅଦାଲତରେ ବିଚାର ହେବ ବିଜେଡିର ଭ୍ରଷ୍ଟାଚାର ।

Odisha Politics: ବିଜେଡି ଓ ବିଜେପି ବିରୋଧରେ କଂଗ୍ରେସର ୧୦ଦଫା ଅଭିଯୋଗପତ୍ର

ଭୁବନେଶ୍ୱର: ନବୀନ ସରକାରଙ୍କ ଦୀର୍ଘ ୨୪ବର୍ଷର ଶାସନ ପରେ ଆଜି ଓଡ଼ିଶାରେ ଓଡ଼ିଆମାନେ ନିଜ ଅସ୍ତିତ୍ୱ ଖୋଜୁଛନ୍ତି । ଓଡ଼ିଶାର ପ୍ରାକୃତିକ ସମ୍ପଦ, ମାନବସମ୍ବଳ ଓ ସମସ୍ତ ପୁଞ୍ଜିକୁ ଓଡ଼ିଶା ବାହାର ଲୋକଙ୍କ ହାତରେ ଟେକିଦେବାକୁ ଏ ସରକାର ସମସ୍ତ ପ୍ରକାର ବ୍ୟବସ୍ଥା କରିଛନ୍ତି । ଓଡ଼ିଶାରେ ସମସ୍ତ ନିର୍ମାଣ କାର୍ଯ୍ୟ ଏବେ ବାହାର ରାଜ୍ୟର ଠିକାଦାର କରୁଥିବାବେଳେ ଓଡ଼ିଶାର ଠିକାଦାରମାନେ ହାତବାନ୍ଧି ବସିଛନ୍ତି । ସରକାରୀ ଯୋଜନା ସାଧାରଣ ଲୋକଙ୍କ ପାଇଁ ଅପହଂଚ ହୋଇ ରହିଥିବାବେଳେ ପ୍ରଶାସନିକ ଅଧିକାରୀମାନେ ମନମୁଖୀ କାର୍ଯ୍ୟ ଚଳାଇଛନ୍ତି । ଫଳରେ ବିଭିନ୍ନ କ୍ଷେତ୍ରରେ ଦୁର୍ନୀତି ବୃଦ୍ଧି ପାଉଥିବାବେଳେ ଓଡ଼ିଶାବାସୀ ଅବହେଳାର ଶିକାର ହେଉଛନ୍ତି ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ଅଭିଯୋଗ କରିଛନ୍ତି । ମଙ୍ଗଳବାର କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ୧୦ଦଫା ସମ୍ବଳିତ ଅଭିଯୋଗପତ୍ର ଉପସ୍ଥାପନ କରି ଶ୍ରୀ ପଟ୍ଟନାୟକ ଉଭୟ ବିଜେପି ଓ ବିଜେଡି ବିରୋଧରେ ବର୍ଷିଛନ୍ତି ।

ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଓଡ଼ିଶାର ସମ୍ପତିକୁ ରାଜ୍ୟ ବାହାରର ଲୋକଙ୍କ ହାତରେ ଟେକିଦେବା ପାଇଁ ସରକାର ସୁଚିନ୍ତିତ ଟେଣ୍ଡର ବ୍ୟବସ୍ଥା କରିଛନ୍ତି । ମେଗା ପାନୀୟଜଳ ଯୋଗାଣ ପ୍ରକଳ୍ପ ନିମନ୍ତେ ୩୫ହଜାର କୋଟି ଟଙ୍କାରୁ ୩୪ ହଜାର କୋଟି ଟଙ୍କା ରାଜ୍ୟ ବାହାର ଠିକାଦାରଙ୍କୁ ଦିଆଯାଇଛି । କିନ୍ତୁ ଲୋକେ ପାନୀୟଜଳ ପାଇପାରୁନାହାନ୍ତି । ନିମ୍ନମାନର କାର୍ଯ୍ୟ ଯୋଗୁ ସବୁ ବିପର୍ଯ୍ୟସ୍ତ ହୋଇପଡ଼ିବାବେଳେ ଅଭିଯୋଗ ଶୁଣିବାକୁ କେହି ନାହିଁ । ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ଲୋକେ କାହାକୁ ଅଭିଯୋଗ କରିବେ ଜାଣିପାରୁନାହାନ୍ତି । ଖାଲି ସେତିକି ନୁହେଁ, ବିଭିନ୍ନ ନିର୍ମାଣ କାର୍ଯ୍ୟ, ରାସ୍ତାଘାଟ ଏପରିକି ଲକ୍ଷ୍ମୀବସ୍ ପାଇଁ ମଧ୍ୟ ରାଜ୍ୟ ବାହାର ଠିକାଦାରଙ୍କୁ କାର୍ଯ୍ୟ ଦିଆଯାଇଛି । ବିଜେଡି ସରକାର ନିଜର ପ୍ରଚାର ପ୍ରସାର ପାଇଁ ଓଡ଼ିଆ ଜାତିର ପରିଚୟ ଓ ଆରାଧ୍ୟ ମହାପ୍ରଭୁ ଜଗନ୍ନାଥଙ୍କୁ ମଧ୍ୟ ଛାଡ଼ି ନାହାନ୍ତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆଳରେ ଯେଭଳି ଭାବେ ଅର୍ପଣ ରଥ ପରିକ୍ରମା କଲା ତାହା କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କୁ ଗଭୀର ମାନସିକ ଆଘାତ ଦେଇଛି । ଅର୍ପଣ ରଥରେ ନବୀନ ପଟ୍ଟନାୟକ ଓ କାର୍ତିକେୟନ ପାଣ୍ଡିଆନଙ୍କ ଫଟୋ ଲଗାଇ ପରିକ୍ରମା କରାଗଲା ଓ ବିଜେଡିର ପ୍ରଚାର ହେଲା । ଗୁଆ ଚାଉଳ ଦେଇ ନିମନ୍ତ୍ରଣ କରାଯିବା ବଦଳରେ ଓଡ଼ିଆ ପରମ୍ପରାର ବିରୋଧାଚରଣ କରି ଲୋକଙ୍କଠାରୁ ଗୁଆ ଓ ଚାଉଳ ସଂଗ୍ରହ କରାଗଲା ।
ବିଭିନ୍ନ ବିଭାଗରେ ୨ ଲକ୍ଷରୁ ଅଧିକ ସରକାରୀ ପଦବି ଖାଲିପଡ଼ିବା ବେଳେ ଓଡ଼ିଆ ଯୁବକ ଯୁବତୀମାନେ ଚାକିରି ପାଇଁ ସଂଘର୍ଷ କରୁଛନ୍ତି । ବିନା ଉତ୍କୋଚରେ ସରକାରୀ ଚାକିରି ଖଣ୍ଡେ ମିଳିପାରୁନାହିଁ । ଶିକ୍ଷକ ଚାକିରି ପାଇଁ ୧୨ ଲକ୍ଷ, ଫରେଷ୍ଟ ଗାର୍ଡ ପାଇଁ ୫ ଲକ୍ଷ, ଏମିତି ବିଭିନ୍ନ ପଦବି ପାଇଁ ନିର୍ଦ୍ଧାରିତ ପରିମାଣର ଟଙ୍କା କାରବାର ହେଉଛି । ପରିଣାମ ସ୍ୱରୂପ ଶିକ୍ଷତ ଓଡ଼ିଆ ଯୁବକମାନେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । ଓଡ଼ିଶାରେ ଶିକ୍ଷାର ମାନ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି । କାରଣ ୨୦୧୭-୧୮ରେ ସର୍ବଭାରତୀୟ ସ୍ତରରେ ଶିକ୍ଷା କ୍ଷେତ୍ରରେ ୧୦ମ ସ୍ଥାନରେ ଥିବା ଓଡ଼ିଶା ଏବେ ୨୪ ତମ ସ୍ଥାନକୁ ଖସିଯାଇଛି । ରାଜ୍ୟରେ ୫୦ ହଜାରରୁ ଅଧିକ ଶିକ୍ଷକ ପଦବି ଖାଲିପଡିଛି । ୪୦ରୁ ୫୦ ହଜାର ବିଦ୍ୟାଳୟରେ ଆବଶ୍ୟକ ସଂଖ୍ୟକ ଶ୍ରେଣୀଗୃହ ନାହିଁ । ଆଦିବାସୀ ଅଧ୍ୟୁଷିତ ଅଂଚଳରେ ସରକାରୀ  ସ୍କୁଲଗୁଡ଼ିକ ବନ୍ଦ ହେଉଥିବାବେଳେ ଘରୋଇ ସ୍କୁଲଗୁଡିକୁ ପ୍ରୋତ୍ସାହିତ କରାଯାଉଛି । ସରକାରୀ ବିଦ୍ୟାଳୟଗୁଡିକରେ ଶିକ୍ଷାରମାନ ହ୍ରାସ ପାଉଥିବାରୁ ୫୩%ରୁ ଅଧିକ ଛାତ୍ରଛାତ୍ରୀ ସରକାରୀ ସ୍କୁଲ ଛାଡି ଘରୋଇ ସ୍କୁଲରେ ନାମ ଲେଖାଇଛନ୍ତି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । 

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପଂଚାୟତସ୍ତରରୁ ଆରମ୍ଭ କରି ବ୍ଲକ ଓ ଜିଲ୍ଲାସ୍ତର ପର୍ଯ୍ୟନ୍ତ ଅଧିକାରୀମାନେ ନବୀନ ସରକାରଙ୍କ ଛତ୍ରଛାୟା ତଳେ ଦୁର୍ନୀତିରେ ବୁଡି ରହିଛନ୍ତି । ଏମ୍‌ଜିଏନଆରଇଜିଏସ୍ କାର୍ଯ୍ୟ ମେସିନ୍ ଯୋଗେ ହେଉଛି । ସିବିଆଇ ଓ କ୍ରାଇମବ୍ରାଂଚ ଦ୍ୱାରା ଚିଟ୍‌ଫଣ୍ଡ୍ ଦୁର୍ନୀତିର ତଦନ୍ତ କରାଯାଉଥିବାବେଳେ ଏହାର ସ୍ଥିତି ଏବେ କ’ଣ କେହି ଜାଣନ୍ତି ନାହିଁ । ଅନ୍ୟପକ୍ଷେ ୬୦ ଲକ୍ଷ ଗରିବ ଓ ମଧ୍ୟବିତ ପରିବାର, ଯେଉଁମାନେ ନିଜ ପେଟରୁ କାଟି ଦିପଇସା ଚିଟ୍‌ଫଣ୍ଡରେ ଜମା କରିଥିଲେ ସେମାନେ ଟଙ୍କା ଫେରି ପାଇବା ନିମନ୍ତେ ଚାହିଁ ରହିଛନ୍ତି । ବିଦ୍ୟୁତ ସେବାକୁ ସୁଲଭ ଓ ବ୍ୟବସ୍ଥିତ କରିବା ପାଇଁ ଭିତିଭୂମି ସୁଦୃଢ଼ ଆଳରେ ୩୦ ହଜାର କୋଟି ଟଙ୍କା ଖର୍ଚ୍ଚ କରାଗଲା । ମାତ୍ର ଉପଭୋକ୍ତାଙ୍କୁ ଉପଯୁକ୍ତ ବିଦ୍ୟୁତ୍ ସେବା ମିଳିପାରିଲା ନାହିଁ । ଭିଜିଲାନ୍ସକୁ ରାଜ୍ୟ ସରକାର କେବଳ ନିଜ ସୁବିଧା ପାଇଁ ଚଢ଼ାଉ ନିମନ୍ତେ ବ୍ୟବହାର କରୁଥିବାବେଳେ ଦୋଷୀ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନି । ସବୁଠାରୁ ବଡ଼ ଦୁର୍ନୀତି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ କରାଯାଉଥିବା ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ ଘରୋଇ ହସ୍ପିଟାଲଗୁଡିକୁ ଲାଭବାନ କରିବା ନିମନ୍ତେ ଏହି ଯୋଜନା କରାଯାଇଛି । ଲୋକଙ୍କୁ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ନିମନ୍ତେ ରାଜ୍ୟ ସରକାର ବର୍ଷକୁ ୩ ହଜାର କୋଟି ଟଙ୍କା ଖର୍ଚ୍ଚ କରୁଥିବା କହୁଥିବାବେଳେ ଏହି ଅର୍ଥ ଘରୋଇ ହସ୍ପିଟାଲ ମାଲିକମାନଙ୍କ ପକେଟକୁ ଯାଉଛି । ଅନ୍ୟପକ୍ଷରେ ସରକାରୀ ହସ୍ପିଟାଲଗୁଡିକ ଅବହେଳିତ ହୋଇପଡିଛି । ବହୁ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଓ ନର୍ସ ପଦବି ଖାଲିପଡ଼ିଥିବାବେଳେ ଆବଶ୍ୟକ ସ୍ୱାସ୍ଥ୍ୟ ଭିତିଭୂମି ନାହିଁ । ଏହାର ସମାଧାନ ନିମନ୍ତେ ମଧ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି । ସବୁବେଳେ ମା’କୁ ସମ୍ମାନ କଥା କହୁଥିବା ନବୀନ ସରକାରଙ୍କ ଶାସନ କାଳରେ ନାରୀ ନିର୍ଯାତନା, ଅପହରଣ ଓ ବଳାତ୍କାର ବଢ଼ିଚାଲିଛି । ନିଜେ ନବୀନ ପଟ୍ଟନାୟକ ଗୃହ ବିଭାଗ ଦାୟିତ୍ୱରେ ଥିଲେ ମଧ୍ୟ ମମିତା ମେହେର, ପରି, ଇତିଶ୍ରୀ, ବେବିନା ଆଦି ଅନେକ ହତ୍ୟାକାଣ୍ଡରେ ପ୍ରକୃତ ଦୋଷୀଙ୍କୁ ଦଣ୍ଡମିଳିନଥିବାବେଳେ ପୀଡ଼ିତାଙ୍କ ପରିବାର ନ୍ୟାୟ ପାଇବାରୁ ବଂଚିତ ହୋଇଛନ୍ତି । ମହିଳା ସଶକ୍ତିକରଣ ଆଳରେ ଏସ୍‌ଏଚଜି ମହିଳାମାନଙ୍କୁ ବିଜେଡି କର୍ମୀ ଭାବେ ବ୍ୟବହାର କରାଯାଉଛି । ବାସ୍ତବରେ ସେମାନଙ୍କୁ ସ୍ୱାବଲମ୍ବୀ ଓ ରୋଜଗାରକ୍ଷମ କରିବା ପରିବର୍ତେ ବସ୍ ଯୋଗେ ଆଣି ବିଜେଡିର ସଭା ସମିତି ଓ ସମାବେଶରେ ସାମିଲ କରାଯାଉଛି । ଏଥିଯୋଗୁ ସେମାନଙ୍କ ବହୁମୂଲ୍ୟ ସମୟ ନଷ୍ଟ କରାଯାଉଛି ଓ ମିଶନ ଶକ୍ତି ମାଧ୍ୟମରେ ସେମାନଙ୍କୁ ଋଣଗ୍ରସ୍ତ କରି ପାରିବାରିକ ଅଶାନ୍ତି ସୃଷ୍ଟି କରାଯାଉଛି । ବିଜେଡି ଶାସନ କାଳରେ ଚାଷୀମାନେ ସବୁଠୁ ଅଧିକ ଅବହେଳିତ ହେଉଛନ୍ତି । ସାରା ଦେଶରେ ଏବେ ଚାଷୀମାନଙ୍କ ମାସିକ ରୋଜଗାର ୧୦,୨୦୦ ଟଙ୍କା ଥିବାବେଳେ ଓଡ଼ିଶାରେ ଏହାର ପରିମାଣ ମାତ୍ର ୫,୧୦୦ ଟଙ୍କା । କଂଗ୍ରେସ ସରକାର ସମୟରେ ହିରାକୁଦ, ଇନ୍ଦ୍ରାବତୀ, ଉପରକୋଲାବ, ରେଙ୍ଗାଳୀ ଭଳି ଅନେକ ବୃହତ ଜଳସେଚନ ପ୍ରକଳ୍ପ ହୋଇଥିଲା । କିନ୍ତୁ ୨୪ ବର୍ଷର ବିଜେଡ଼ି ସରକାର ସମୟରେ ରାଜ୍ୟରେ କୌଣସି ବୃହତ ପ୍ରକଳ୍ପ ହୋଇନାହିଁ । ପ୍ରତି ବ୍ଲକରେ ଅତି କମ୍‌ରେ ଗୋଟିଏ ଲେଖାଏ ଶୀତଳଭଣ୍ଡାର ପ୍ରତିଷ୍ଠା ନିମନ୍ତେ ରାଜ୍ୟ ସରକାର ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ମଧ୍ୟ ପୂରଣ କରିନାହାନ୍ତି । ଚାଷୀମାନଙ୍କୁ ଧାନ କୁଇଂଟାଲ ପିଛା ୩୦୦ ଟଙ୍କା ବୋନସ ଦେବାକୁ ରାଜ୍ୟ ସରକାର ଘୋଷଣା କରିଥିବାବେଳେ ତାହା ଅଦ୍ୟାବଧି ଦେଇନାହାନ୍ତି । ଅଥଚ ମଣ୍ଡିରେ ଚାଷୀମାନଙ୍କୁ ଶୋଷଣ କରାଯାଉଛି । ସେହିପରି ଦରଦାମ ମଧ୍ୟ ସାଧାରଣ ଲୋକଙ୍କୁ ଅତିଷ୍ଠ କରିପକାଇଲାଣି । ୨୦୧୪ରେ ଡିଜେଲ ମୂଲ୍ୟ ଲିଟର ପିଛା ୫୫ ଟଙ୍କା ଥିବାବେଳେ ଏବେ ୧୦୦ଟଙ୍କାରୁ ଅଧିକ ହେଲାଣି । ରନ୍ଧନ ଗ୍ୟାସ ସିଲିଣ୍ଡର ମୂଲ୍ୟ ୪୧୦ଟଙ୍କାରୁ ବଢ଼ି ୧୧୦୦ ଟଙ୍କା ଟପିଲାଣି । ସରକାରୀ ଅଧିକାରୀ ଓ ପୁଲିସକୁ ବିଜେଡି ଏଜେଂଟ ଭାବେ କାର୍ଯ୍ୟ କରିବାକୁ ବାଧ୍ୟ କରାଯାଉଛି । ଏପରିକି ତୃତୀୟ ମହଲାର ଅନେକ ଅଧିକାରୀ ସିଧାସଳଖ ଭାବେ ବିଜେଡିର ଦଳୀୟ କାର୍ଯ୍ୟକ୍ରମରେ ସାମିଲ ରହୁଛନ୍ତି ବୋଲି ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି ।

ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଉପସ୍ଥିତ ରହି କହିଛନ୍ତି ଯେ, ଓଡ଼ିଶାବାସୀ ବିଜେଡି ସରକାରର ଏହି ଅନ୍ୟାୟ ଓ ଦୁର୍ନୀତିରେ ଅତିଷ୍ଟ ହୋଇପଡିଲେଣି । ଆସନ୍ତା ସାଧାରଣ ନିର୍ବାଚନରେ ସେମାନେ ନିଶ୍ଚିତ ଭାବେ ଏହାର ଜବାବ ଦେବେ । ସେହିପରି ପ୍ରଦେଶ କଂଗ୍ରେସ ଇସ୍ତାହାର କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ପଂଚାନନ କାନୁନ୍‌ଗୋ କହିଛନ୍ତି ଯେ, ଗଣତାନ୍ତ୍ରିକ ରାଷ୍ଟ୍ରରେ ଜନସାଧାରଣ ହିଁ ନିର୍ଣ୍ଣାୟକ ହୋଇଥାନ୍ତି । ଜନତା ଅଦାଲତରେ ନିଶ୍ଚିତ ଭାବେ ବିଜେଡି ସରକାରର ଭ୍ରଷ୍ଟାଚାରର ବିଚାର ହେବ ଏବଂ ଓଡ଼ିଶାବାସୀ ଏହାର ଉପଯୁକ୍ତ ବିଚାର କରିବେ । ସାମ୍ବାଦିକ ସମ୍ମିଳନୀରେ ପିସିସି ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗ ଅଧ୍ୟକ୍ଷ ଡ.ବିଶ୍ୱରଞ୍ଜନ ମହାନ୍ତି ଉପସ୍ଥିତ ଥିଲେ ।

Also Read- ବନକଲାଗି ନୀତି ପାଇଁ ଶ୍ରୀମନ୍ଦିରରେ ୩ ଘଣ୍ଟା ଦର୍ଶନ ବନ୍ଦ

Also Read- Jupiter Transit Impact: ୧୨ ବର୍ଷ ପରେ ବୃଷ ରାଶିରେ ବୃହସ୍ପତି ଚଳନ, ୩ ରାଶିର ଭାଗ୍ୟ ହେବ ଉଜ୍ୱଳ