Odisha Politics: ବିଜେଡି କେମିତି କରିବ ‘ପାଗଳ’ ନିୟନ୍ତ୍ରଣ, ବିଧାନସଭା ମୁଲତବୀ ପାଇଁ ସହାୟକ ହେବକି?
Advertisement
Article Detail0/zeeodisha/odisha1855883

Odisha Politics: ବିଜେଡି କେମିତି କରିବ ‘ପାଗଳ’ ନିୟନ୍ତ୍ରଣ, ବିଧାନସଭା ମୁଲତବୀ ପାଇଁ ସହାୟକ ହେବକି?

Odisha Pagal Politics: ଆଉ କିଛିଦିନ ଆରମ୍ଭ ହେବାକୁ ଯାଉଛି ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ।  ହେଲେ ଏହି ଅଧିବେଶନରେ ପାଗଳ ପ୍ରସଙ୍ଗକୁ ନେଇ ସଗଗରମ ହୋଇପାରେ ବିଧାନସଭା ଅଧିବେଶନ।

Odisha Politics: ବିଜେଡି କେମିତି କରିବ ‘ପାଗଳ’ ନିୟନ୍ତ୍ରଣ, ବିଧାନସଭା ମୁଲତବୀ ପାଇଁ ସହାୟକ ହେବକି?

Pagal Politics Odisha: ଭୁବନେଶ୍ୱର, (ଜୀ ଓଡ଼ିଶା): ଆଉ କିଛିଦିନ ପରେ ବିଧାନସଭା। ବିଳମ୍ବରେ ହେଲେବି ମୌସୁମୀ ଅଧିବେଶନକୁ ସରକାର ଡକାଇଛନ୍ତି। ଅତିରିକ୍ତ ବଜେଟ୍‍ ଉପସ୍ଥାପନ କରିବାକୁ ମୁଖ୍ୟ ସରକାରୀ କାର୍ଯ୍ୟକ୍ରମ ଭାବେ ସ୍ଥିର କରାଯାଇଛି। ଅପରପକ୍ଷେ ରାଜ୍ୟର ଅନେକ ସମସ୍ୟା ଯେମିତି ମରୁଡ଼ି ବା ବନ୍ୟା ସ୍ଥିତି, ଚାଷୀ ସମସ୍ୟା ପ୍ରଭୃତି ବିଧାନସଭାକୁ ଆନ୍ଦୋଳିତ କରିବା କଥା, କିନ୍ତୁ ଏସବୁକୁ ପଛରେ ପକାଇ ବିଜେଡିର ‘ପାଗଳ’ ଆଖ୍ୟା ଅଧିକ ଆଲୋଚନାର ବିଷୟ ହେବ। ନିକଟ ଅତୀତରେ ଓଡ଼ିଶା ମିଡିଆରେ ଯେଉଁ ‘ପାଗଳ’ ପ୍ରସଙ୍ଗ ଅଧିକ ଚର୍ଚ୍ଚିତ ହୋଇଥିଲା ତାହା ହେଲା ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଅଭିଯୁକ୍ତ ଏଏସ୍‍ଆଇ ଗୋପାଳ ଦାସ। ସେ ଏବେ ଜେଲ୍‍ ରେ। ସେ ମାନସିକ ଭାରସାମ୍ୟ ହରାଇଛନ୍ତି ବୋଲି ପୁଲିସ କହିବାକୁ ଚେଷ୍ଟା କରିଥିଲା। କିନ୍ତୁ ତାହା ପରବର୍ତ୍ତୀ ସମୟରେ ଭୁଲ୍‍ ପ୍ରମାଣିତ ହେଲା। 

ଏବେ ଯେଉଁ ‘ପାଗଳ’ ଆଖ୍ୟା ଚର୍ଚ୍ଚାର ବିଷୟ ହୋଇଛି ତାହା ଜୟନାରାୟଣ ମିଶ୍ରଙ୍କୁ ନେଇ। ସମ୍ବଲପୁରର ଏହି ବିଧାୟକ ହେଉଛନ୍ତି ଏବେ ବିରୋଧୀ ଦଳ ନେତା। ଅର୍ଥାତ୍‍ ବିଧାନସଭାରେ ସରକାରୀ ଯୁକ୍ତିକୁ ତର୍ଜମା କରି ଏକ ଭାରସାମ୍ୟ ରକ୍ଷା କରିବା ତାଙ୍କ ଦାୟିତ୍ୱ। ପ୍ରଶ୍ନ ଉଠୁଛି, ଯଦି ବିଜେଡିର ବିଧାୟକ, ସାଂସଦ ମାନେ ତାଙ୍କୁ ‘ପାଗଳ’ ବୋଲି ଜାଣି ସାରିଲେଣି ତେବେ ସେ ଗଣତାନ୍ତ୍ରିକ ପ୍ରକ୍ରିୟାକୁ କିପରି ସୁରକ୍ଷା ଦେବେ। ଶାସନ ପ୍ରକ୍ରିୟାରେ କିପରି ଭାରସାମ୍ୟ ରକ୍ଷା କରିବେ? ଏଣୁ ବିଜେଡିର ବିଧାୟକମାନେ ବିଧାନସଭା ଆରମ୍ଭ ହେବା ପୂର୍ବରୁ କାର୍ଯ୍ୟକାରୀ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିବା କଥା। ଏହା ହେଲେ ସେ ବିଧାନସଭା ଡାକ୍ତରଙ୍କ ପରାମର୍ଶ ନେଇ ତାଙ୍କୁ ଚିକିତ୍ସା ପାଇଁ ଛାଡ଼ ପାରନ୍ତି। ଏହା ହେଲେ ବିଜେଡିର ତରାଜୁ ଓଜନିଆ ହୁଅନ୍ତା? କିନ୍ତୁ ଏହା ବିଜେଡି କରିପାରିବ କି? ଏ ପ୍ରଶ୍ନ ପଛରେ ଯେଉଁ ଉତ୍ତର ସଂଲଗ୍ନ ତାହା ହେଲା ଗୋପାଳ ପ୍ରସଙ୍ଗ। କାରଣ ପୂର୍ବରୁ ଗୋପାଳ ପ୍ରସଙ୍ଗରେ ସରକାରୀ କଳ ଅନେକ ବାର ଟ୍ରୋଲ ହୋଇଛନ୍ତି।

ଏଣୁ ସରକାର ବିଧାନସଭାରେ ହୋ ହଲ୍ଲା ପାଇଁ ସିନା ବାତାବରଣ ସୃଷ୍ଟି କରିବେ ହେଲେ ସାମ୍ବିଧାନିକ ପ୍ରକ୍ରିୟାରେ ଏ ପ୍ରସଙ୍ଗକୁ ଉଠାଇ ନପାରନ୍ତି। ତେବେ ଏ ପ୍ରସଙ୍ଗ କିପରି ବିଧାନସଭାକୁ ପ୍ରଭାବିତ କରିବ?
ଏ ପ୍ରଶ୍ନ ପଛରେ ଯେଉଁ ରାଜନୀତିକ କାରଣ ସାମ୍ନାକୁ ଆସୁଛି ତାହା ହେଉଛି ସ୍ୱଳ୍ପକାଳୀନ ବିଧାନସଭା ହେଲେ ବି ତାହାକୁ ଅଳ୍ପଦିନ ପରେ  ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ କରିବା। କାରଣ ଷୋଡ଼ଷ ବିଧାନସଭାର କୌଣସି ଅଧିବେଶନକୁ ସରକାର ସମ୍ପୂର୍ଣ ଶେଷ କରିଥିବାର ନଜୀର ନାହିଁ। ବିଧାନସଭାରେ ବିଧାୟକଙ୍କ ଦ୍ୱାରା ପାରିତ ନିୟମ ବହିର  ଧାରା ୧୧ ଅନୁସାରେ ଗୋଟିଏ ବର୍ଷରେ ସର୍ବନିମ୍ନ ଭାବେ ୬୦ ଦିନ ବିଧାନସଭା ବସିବା ଆବଶ୍ୟକ।

ହେଲେ ସରକାର ବିଗତ ୪ ବର୍ଷରେ କେବେ ବି ସେହି ଅବଧିକୁ ପୂରଣ କରିପାରି ନାହାନ୍ତି। ବିଧାନସଭାର ଓ୍ୱେବ୍‍ସାଇଟ୍ ରେ ଉପଲବ୍ଧ ତଥ୍ୟ ଅନୁସାରେ ୨୦୧୯ ମସିହାରେ ସରକାର ମାତ୍ର ୪୮ ଦିନ ପାଇଁ ବିଧାନସଭା ଅଧିବେଶନ ଡକାଇଥିଲା। ୨୦୨୦ ମସିହାରେ ସମୁଦାୟ ଅଧିବେଶନ ଦିବସ ସଂଖ୍ୟା ଥିଲା ୩୮। ଅର୍ଥାତ୍‍ ପ୍ରଥମ ବର୍ଷଠାରୁ ଦ୍ୱିତୀୟ ବର୍ଷରେ ସରକାର କମ୍‍ ସମୟ ପାଇଁ ଗୃହରେ ଲୋକ ପ୍ରସଙ୍ଗକୁ ଆଲୋଚନା କରିଛନ୍ତି। ୨୦୨୧ ମସିହାରେ ଏହି ଦିବସ ସଂଖ୍ୟା କିନ୍ତୁ ବଢ଼ିଥିଲା। ହେଲେ ନିର୍ଦ୍ଧାରିତ ଦିବସରେ ପହଞ୍ଚିପାରି ନଥିଲା। ସେ ବର୍ଷ ସମୁଦାୟ ୫୨ ଦିନ ବିଧାନସଭା ଅଧିବେଶନ ବସିଥିଲା। ୨୦୨୨ ମସିହାରେ ପୁଣିଥରେ ପୁରୁଣା ରୋଗ ଦେଖିବାକୁ ମିଳିଥିଲା।

ବାରମ୍ବାର ଗୃହ ମୁଲତବୀ ଦେଖିବାକୁ ମିଳିଥିଲା। ସମୁଦାୟ ଅଧିବେଶନ ବସିଥିବା ଦିବସ ସଂଖ୍ୟା ମାତ୍ର ୩୫ ଦିନରେ ସୀମିତ ରହିଥିଲା। ୨୦୨୩  ଅର୍ଥାତ୍‍ ଚଳିତ ବର୍ଷ ଶଷ ହେବାକୁ ଯାଇଛି। ଏହି ବର୍ଷ ସମୁଦାୟ ୨୨ ଦିନ ଅଧିବେଶନ ବସିଛି। ଏବେ ବର୍ଷର ଶେଷ ଅଧିବେଶନ ଭାବେ ସରକାର ୧୧ କାର୍ଯ୍ୟ ଦିବସ ସ୍ଥିର କରିଛନ୍ତି। ଏଣୁ ଏଥର ବି ସରକାର ନିର୍ଦ୍ଧାରିତ ୬୦ ଦିନ ବସିବାକୁ ଚିନ୍ତା ବି କରି ନାହାନ୍ତି। ଅପରପକ୍ଷେ ଅତିରିକ୍ତ ବଜେଟ୍‍ ପରିତ କରିବା ମୁଖ୍ୟ ପ୍ରସଙ୍ଗ ଥିବାରୁ ସରକାର ଏହାକୁ ନିଜ ସଂଖ୍ୟା ଗରିଷ୍ଠତାରେ ଯେ କୌଣସି ସମୟରେ ପାରିତ କରାଇ  ବିଧାନସଭାକୁ ମୁଲତବୀ କରିପାରନ୍ତି। ଆଉ ସେଥିରେ ବି ଏହି ‘ପାଗଳ’ ପ୍ରସଙ୍ଗ ସରକାରଙ୍କୁ ସହାୟକ ହୋଇପାରେ।