ଯଦି ଆଗରୁ ପୌରନିର୍ବାଚନ ନିଷ୍ପତ୍ତି ନିଆ ଯାଇଥାନ୍ତା, ଏବେ ସୁଦ୍ଧା ହୋଇସାରିଥାନ୍ତା ବୋଲି କହିଛନ୍ତି ପୃଥ୍ୱୀରାଜ ।
Trending Photos
ମଳୟ ରଞ୍ଜନ ମହାନ୍ତି, ଭୁବନେଶ୍ୱର: କେବେ ହେବ ପୌର ପରିଷଦ ନିର୍ବାଚନ ? କୋରୋନା ସଙ୍କଟ ମଧ୍ୟରେ ଏହା ଆହୁରି ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଉଛି । ସମ୍ବିଧାନ ଦୃଷ୍ଟିରୁ ନିର୍ବାଚନ ହେବା ଉଚିତ ବୋଲି କଂଗ୍ରେସ କହିଛି । ଏନେଇ ରାଜ୍ୟ ସରକାରଙ୍କୁ ଟର୍ଗେଟ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ । କାହିଁକି ପୌର ନିର୍ବାଚନ ଗଡ଼ାଇ ଚାଲିଛ ବୋଲି ସେ ପ୍ରଶ୍ନ କରିଛନ୍ତି । ସାମାଜିକ ଦୂରତ୍ୱ ବଜାୟ ରଖି ନିର୍ବାଚନ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ସୁର ରାଉତରାୟ ।
ସେହିପରି ଏହି ପ୍ରସଙ୍ଗରେ ବିଜେପି ପକ୍ଷରୁ ଦଳର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି । ରାଜ୍ୟ ସରକାର ପୂର୍ବରୁ ପୌର ନିର୍ବାଚନ କଲେ ନାହିଁ । ଏବେ କୋରୋନା ମହାମାରୀ ହୋଇଥିବାରୁ କେନ୍ଦ୍ର ସରକାରଙ୍କ ଉପରେ ଦୋଷ ଲଦିବେ ରାଜ୍ୟ ସରକାର । କେନ୍ଦ୍ର ପଇସା ଦେଲା ନାହିଁ ବୋଲି କହିବେ । ଯଦି ଆଗରୁ ପୌରନିର୍ବାଚନ ନିଷ୍ପତ୍ତି ନିଆ ଯାଇଥାନ୍ତା, ଏବେ ସୁଦ୍ଧା ହୋଇସାରିଥାନ୍ତା ବୋଲି କହିଛନ୍ତି ପୃଥ୍ୱୀରାଜ ।
ତେବେ ଏହାର ଉତ୍ତର ରଖିଛି ଶାସକ ବିଜେଡ଼ି । ଦଳର ବିଧାୟକ ଅନନ୍ତ ନାରାୟଣ ଜେନା କହିଛନ୍ତି, ବର୍ତ୍ତମାନ୍ ସମୟରେ ରାଜ୍ୟସଭା ନିର୍ବାଚନ ମଧ୍ୟ ହେଉନାହିଁ । ପ୍ରଥମେ କୋରୋନା ମୁକାବିଲା ହେଉ । ବର୍ତ୍ତମାନ ସମୟରେ ସମସ୍ତେ ଭୟଭୀତ । ଆସନ୍ତୁ ସମସ୍ତେ ମିଶି ଗାଇଡ୍ ଲାଇନ୍ ମାନିବା । ଆମେ ଭୁବନେଶ୍ଵରର ତିନି ଜଣ ବିଧାୟକ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିକୁ କୋରୋନା ମୁକାବିଲା ପାଇଁ ପଚାଶ ଲକ୍ଷ ଲେଖାଏଁ ଟଙ୍କା ଦେଇଛୁ । ପୌର ନିର୍ବାଚନ ସାଧାରଣତଃ ତା ପ୍ରକ୍ରିୟାରେ ଚାଲିଛି । ବିଧାନସଭା ବସିବ, ଆମେଣ୍ଟମେଣ୍ଟ ହେବ ଓ ବିଲ୍ ହେବ । ତାପରେ ନିର୍ବାଚନ ହେବ । ବର୍ତ୍ତମାନ ମାମଲା ମଧ୍ୟ ସୁପ୍ରିମକୋର୍ଟରେ ଅଛି । ବିରୋଧୀ ଦଳ କହିବା ସହଜ । ଯିଏ ଫିଲ୍ଡରେ କାମ କରୁଛି ସିଏ ଜାଣିଛି ବୋଲି କହିଛନ୍ତି ଅନନ୍ତ ଜେନା । ଆମେ ଆଇନରୁ ଉର୍ଦ୍ଧ୍ଵରେ ନୁହେଁ । ନିର୍ବାଚନ ହୋଇନାହିଁ ବୋଲି କାମ ହେଉନାହିଁ କହିବା ଭୁଲ ହେବ । ସବୁ କାମ ଚାଲିଛି ବୋଲି କହିଛନ୍ତି ଏହି ବିଜେଡି ବିଧାୟକ ।