Jharkhand Political Crisis: ରାଜନୈତିକ ସଂକଟ ମଧ୍ୟରେ ଆରମ୍ଭ ହୋଇଗଲା ରିସୋର୍ଟ ପଲିଟିକ୍ସ
Advertisement
Article Detail0/zeeodisha/odisha2090243

Jharkhand Political Crisis: ରାଜନୈତିକ ସଂକଟ ମଧ୍ୟରେ ଆରମ୍ଭ ହୋଇଗଲା ରିସୋର୍ଟ ପଲିଟିକ୍ସ

Jharkhand Politics: ରାଜ୍ୟରେ ଜାରି ରହିଥିବାସ ରାଜନୈତିକ ସଂକଟ ମଧ୍ୟରେ ଝାଡ଼ଣ୍ଡରେ ଆରମ୍ଭ ହୋଇଯାଇଛି ରିସୋର୍ଟ ପଲିଟିକ୍ସ।

Jharkhand Political Crisis: ରାଜନୈତିକ ସଂକଟ ମଧ୍ୟରେ ଆରମ୍ଭ ହୋଇଗଲା ରିସୋର୍ଟ ପଲିଟିକ୍ସ
Jharkhand Resort Politics: ଝାଡ଼ଖଣ୍ଡରେ ଜାରି ରହିଥିବା ରାଜନୈତିକ ସଂକଟ ମଧ୍ୟରେ ଆରମ୍ଭ ହୋଇଯାଇଛି ବିଧାୟକଙ୍କୁ ସ୍ଥାନାନ୍ତର କରିବା ପ୍ରକ୍ରିୟା। ଶାସକ ମହାମେଣ୍ଟକୁ ସମର୍ଥନ କରୁଥିବା ବିଧାୟକଙ୍କୁ ସ୍ଥାନାନ୍ତର କରିବା ପାଇଁ ଦୁଇଟି ଚାର୍ଟାର୍ଡ ​​ବିମାନ ରାଜଧାନୀ ରାଞ୍ଚି ସ୍ଥିତ ବିମାନବନ୍ଦରରେ ଅବତରଣ କରିସାରିଛି। କୁହାଯାଉଛି ଯେ ଗୋଟିଏ ଚାର୍ଟାର୍ଡ ​​ବିମାନ ୧୦ ସିଟର ହୋଇଥିବା ବେଳେ ଅନ୍ୟ ବିମାନ ୩୩ ସିଟ ବିଶିଷ୍ଟ। ରାଞ୍ଚି ବିମାନବନ୍ଦରରେ ଉପସ୍ଥିତ ରହିଥିବା ୨ ଚାର୍ଟାର୍ଡ ​​ବିମାନ ଯୋଗେ ବିଧାୟକଙ୍କୁ ହାଇଦ୍ରାବାଦ ସ୍ଥାନାନ୍ତର କରାଯିବ। ଅନ୍ୟପକ୍ଷରେ ରାଜଧାନୀ ରାଞ୍ଚି ସହରରୁ ବିଧାୟକ ବସ୍ ଯୋଗେ ବିମାନବନ୍ଦରରେ ଆସି ପହଞ୍ଚିବାରେ ଲାଗିଛନ୍ତି। ହେଲେ କେତେ ଜଣ ବିଧାୟକଙ୍କୁ  ହାଇଦ୍ରାବାଦ ସ୍ଥାନାନ୍ତର କରାଯିବ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। 

ହେଲେ ଏହା ନିଶ୍ଚିତ ହୋଇଯାଇଛି ଯେ ଝାଡ଼ଖଣ୍ଡରେ ବର୍ତ୍ତମାନ ବିଧାୟକ ବଞ୍ଚାଅ ଅଭିଯାନ ଆରମ୍ଭ ହୋଇଯାଇଛି। ଏହାର କାରଣ ହେଉଛି ବିଜେପି ବର୍ତ୍ତମାନ ଆକ୍ସନ ପ୍ଲାନ ଉପରେ କାମ କରିବା ଆରମ୍ଭ କରିଛି। ଦଳ ସରକାର ଗଠନ କରିବାର ସମ୍ଭାବନା ସମ୍ପର୍କରେ ଅନୁସନ୍ଧାନ କରିବାରେ ପଛରେ ନାହିଁ। ଅନ୍ୟପଟେ ଚମ୍ପାଇ ସୋରେନ ସରକାର ଗଠନ କରିବା ଲାଗି ୨ ଥର ଝାଡ଼ଖଣ୍ଡ ରାଜ୍ୟପାଳ ସିପି ରାଧାକ୍ରୀଷ୍ଣନଙ୍କୁ ଭେଟିଥିଲେ ମଧ୍ୟ ତାଙ୍କୁ ଶପଥ  ନେବା ପାଇଁ ରାଜଭବନ ପକ୍ଷରୁ କୌଣସି ସମୟ ଦିଆଯାଇ ନାହିଁ। ଏଭଳି ପରିସ୍ଥିତିରେ ଶାସକ ମହାମେଣ୍ଟକୁ ସମର୍ଥନ କରୁଥିବା ବିଧାୟକଙ୍କୁ ବଞ୍ଚାଇବା ପାଇଁ ଅଭିଯାନ ଆରମ୍ଭ ହୋଇଯାଇଛି। ଏହି ଅଭିଯାନ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଆରମ୍ଭ ହୋଇଥିବା କୁହାଯାଇଛି। ରାଜ୍ୟପାଳ ସିପି ରାଧାକ୍ରୀଷ୍ଣନଙ୍କୁ ଭେଟି ଚମ୍ପାଇ ସୋରେନ କହିଛନ୍ତି ଯେ ତାଙ୍କ ପାଖର ୪୩ ଜଣ ବିଧାୟକଙ୍କ ସମର୍ଥନ ରହିଛି। ବିଧାୟକଙ୍କୁ ରାଜଧାନୀ ରାଞ୍ଚି ଠାରୁ ହାଇଦ୍ରାବାଦ ସ୍ଥାନାନ୍ତର କରାଯିବା ସମ୍ପର୍କରେ ପ୍ରତିକ୍ରିୟା ରଖିଛି ଜେଏମଏମ। ଏନେଇ ଦଳ ପକ୍ଷରୁ କୁହାଯାଇଛି ଯେ ଯେତେବେଳେ ଗୋଟିଏ କୁକୁଡ଼ା ଅନୁଭବ କରେ ଯେ ଯେତେବେଳେ ତାହାର ଶିଶୁଙ୍କ ଉପରେ ଶାଗୁଣା ନଜର ରହିଛି ସେତେବେଳେ ସେ ସେମାନଙ୍କୁ ଏପରି ଉପାୟରେ ସୁରକ୍ଷା ଦେଇଥାଏ। ରାଞ୍ଚି ବିମାନବନ୍ଦରରୁ ଚାଟାର୍ଡ ବିମାନ ଯୋଗେ ବିଧାୟକଙ୍କ ହାଇଦ୍ରାବାଦ ଯାତ୍ରା ଆରମ୍ଭ ହୋଇସାରିଛି। 

କାହିଁକି ହାଇଦ୍ରବାଦ ଯାଉଛନ୍ତି ମହାମେଣ୍ଟକୁ ସମର୍ଥନ କରୁଥିବା ବିଧାୟକ? 
ମହାମେଣ୍ଟକୁ ସମର୍ଥନ କରୁଥିବା ବିଧାୟକଙ୍କୁ ହାଇଦ୍ରାବାଦ ସ୍ଥାନାନ୍ତର କରାଯିବ ପଛରେ ଏକ କାରଣ ରହିଛି। ତାହା ହେଉଛି ବର୍ତ୍ତମାନ ତେଲେଙ୍ଗାନା କଂଗ୍ରେସ ସରକାରଙ୍କ ଦ୍ୱାରା ଶାସିତ ହେଉଛି। ଏହି କାରଣରୁ ମହାମେଣ୍ଟକୁ ସମର୍ଥନ କରୁଥିବା ବିଧାୟକ ସେଠାରେ ସୁରକ୍ଷିତ ରହିପାରିବେ। ଯଦି ରାଜ୍ୟରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟ ମଧ୍ୟରେ ବିଧାୟକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଏ ନାହିଁ ତାହେଲେ ରାଜନୈତିକ ଘୋଡା ବେପାର ସମ୍ଭବନା ରହିଛି। ଏହା ପୂର୍ବରୁ ମଧ୍ୟ ହୋଇସାରିଛି। ଯେତେବେଳେ ବିଧାୟକଙ୍କୁ ବଞ୍ଚାଇବା ପାଇଁ ସେମାନଙ୍କୁ ସେମାନଙ୍କ ଗୃହ ରାଜ୍ୟ ବାହାରକୁ ନିଆଯାଇଛି। ବର୍ତ୍ତମାନ ମହାମେଣ୍ଟର କେତେ ଜଣ ବିଧାୟକଙ୍କୁ ହାଇଦ୍ରବାଦ ପଠାଯାଉଛି ତାହା ଜଣାପଡ଼ିନାହିଁ। ଅନ୍ୟପଟେ ରାଜ୍ୟର ମୁଖ୍ୟ ବିରୋଧି ଦଳ  ବିଜେପି ନିରନ୍ତର ଦାବି କରି ଆସୁଛି ଯେ ଚମ୍ପାଇ ସୋରେନଙ୍କ ପାଖରେ ପର୍ଯ୍ୟାପ୍ତ ବିଧାୟକଙ୍କ ସମର୍ଥନ ନାହିଁ। ଏବେ ଦେଖିବାକୁ ବାକି ରହିଲା ବିଜେପି ପରବର୍ତ୍ତୀ ପଦକ୍ଷେପ କ'ଣ ନେଉଛି।

କାହିଁକି ସୃଷ୍ଟି ହୋଇଛି ଏଭଳି ପରିସ୍ଥିତି?
ପୂର୍ବରୁ ଅନୁମାନ କରାଯାଉଥିଲା ଯେ ଏହି ସମୟ ମଧ୍ୟରେ ଚମ୍ପାଇ ସୋରେନ୍ ସରକାର ଗଠନ ପାଇଁ ଦାବି କରିପାରନ୍ତି। ଏବେ ଦେଖିବାକୁ ବାକି ରହିଲା ରାଜ୍ୟପାଳ ତାଙ୍କୁ ସରକାର ଗଠନ କରିବା ଲାଗି ସବୁଜ ସଙ୍କେତ ଦେଉଛନ୍ତି ନା ଅନ୍ୟ କୌଣସି ଘଟଣାକ୍ରମ ଘଟୁଥିବାର ଦେଖିବାକୁ ମିଳିପାରେ। କାରଣ ରାଜ୍ୟର ମୁଖ୍ୟ ବିରୋଧି ଦଳ ବିଜେପି ପକ୍ଷରୁ ରୁଦ୍ଧଦ୍ୱାର ବୈଠକ କରାଯାଉ ଥିବାର ଖବର ଆସୁଛି। ସରକାର ଗଠନ କରିବାକୁ ରାଜଭବନ ପକ୍ଷରୁ ଆମନ୍ତ୍ରଣ ଆସିବାରେ ଏତେ ବିଳମ୍ବ କାହିଁକି ହେଉଛି ତାହାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। ହେମନ୍ତ ସୋରେନଙ୍କ ଇସ୍ତଫା ପରେ ୨ ଥର ଚମ୍ପାଇ ସୋରେନ ରାଜ୍ୟପାଳଙ୍କୁ ଭେଟିବାକୁ ଆସିଛନ୍ତି। ହେଲେ ଶପଥ ଗ୍ରହଣ କରିବା ପାଇଁ ତାଙ୍କୁ ରାଜଭବନ ପକ୍ଷରୁ କୌଣସି ସମୟ ବର୍ତ୍ତମାନ ପର୍ଯ୍ୟନ୍ତ ମିଳିନାହିଁ। ରାଜ୍ୟପାଳ ଅନ୍ୟ କିଛି ସବୁଜ ସଙ୍କେତକୁ ଅପେକ୍ଷା କରିଥିବା ଅନୁମାନ କରାଯାଉଛି।

ଝାଡ଼ଖଣ୍ଡ ରାଜନୀତିରେ ହେବ କି ଅପରେସନ୍ ଲୋଟସ୍?
ରାଜ୍ୟପାଳଙ୍କ ଦ୍ୱାରା ବିଳମ୍ବ ହେତୁ ଝାଡ଼ଖଣ୍ଡ ରାଜନୀତିରେ "ଅପରେସନ୍ ଲୋଟସ୍" ମଧ୍ୟ ଦେଖିବାକୁ ମିଳିପାରେ। ବିଜେପି ପକ୍ଷରୁ କରାଯିବାକୁ ରହିଥିବା ଏପରି ସାମ୍ଭାବ୍ୟ ଅଭିଯାନକୁ ନେଇ ଜେଏମଏମ-କଂଗ୍ରେସ ମଧ୍ୟରେ ସନ୍ଦେହ ବଢିବାରେ ଲାଗିଛି। କାରଣ ବିଜେପି ସକ୍ରିୟ ହୋଇସାରିଛି। ଯଦି ସଂଖ୍ୟା ଗଣିତ କଥା କୁହାଯାଏ ମୋଟ ମୋଟ ୮୧ ସଦସ୍ୟ ବିଶିଷ୍ଟ ଝାଡଖଣ୍ଡ ବିଧାନସଭାରେ ବର୍ତ୍ତମାନ ମୋଟ ୮୦ ଜଣ ବିଧାୟକ ଅଛନ୍ତି। ଅନ୍ୟଜଣେ ବିଧାୟକ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେଇଥିବା ବିଧାୟକ ଜଣଙ୍କ ଶାସକ ଦଳ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ବୋଲି ଜଣାପଡ଼ିଛି। 

ସରକାର ଗଠନ ପାଇଁ ଏବେ ୪୧ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ହେମନ୍ତ ସୋରେନଙ୍କ ନେତୃତ୍ୱାଧିନ ମହାମେଣ୍ଟ ସରକାରକୁ ୪୮ ଜଣ ବିଧାୟକଙ୍କ ସମର୍ଥନ ରହିଥିଲା। ସରକାରଙ୍କୁ ୨୯ ଜେଏମଏମ, ୧୭ କଂଗ୍ରେସ, ୧ ସିପିଆଇଏମଏଲ ଏବଂ ଆରଜେଡି ବିଧାୟକଙ୍କ ସମର୍ଥନ ରହିଥିଲା। ଅନ୍ୟପଟେ ବିରୋଧି ଗୋଷ୍ଠୀରେ ମୋଟ ୩୨ ଜଣ ବିଧାୟକ ଅଛନ୍ତି। ସେମାନଙ୍କ ମଧ୍ୟରେ ୨୬ ବିଜେପି, ୩ ଅଲ ଝାଡ଼ଖଣ୍ଡ ଷ୍ଟୁଡେଣ୍ଟ ୟୁନିଅନ, ୨ ସ୍ୱାଧିନ, ଜଣେ ଏନସିପି ବିଧାୟକ ଅଛନ୍ତି। 

ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ ଯେତେବେଳେ ମହାମେଣ୍ଟ ସରକାରକୁ ୪୮ ଜଣ ବିଧାୟକଙ୍କ ସମର୍ଥନ ରହିଥିଲା, ସେତେବେଳେ ଚମ୍ପାଇ ସୋରେନ କାହିଁକି ୪୨-୪୩ ବିଧାୟକଙ୍କ ସମର୍ଥନ ପତ୍ର ଦାଖଲ କରିଥିଲେ? କିଛି କଂଗ୍ରେସ କିମ୍ବା ଜେଏମଏମ ବିଧାୟକ ଅସନ୍ତୁଷ୍ଟ ଅଛନ୍ତି କି? ଏହି ବିଧାୟକ ଦଳ ପରିବର୍ତ୍ତନ କରିବେ ନାଁ ଇସ୍ତଫା ଦେବେ? ଯଦି ସେମାନେ ଦଳ ପରିବର୍ତ୍ତନ କରନ୍ତି କିମ୍ବା ଇସ୍ତଫା  ଦିଅନ୍ତି ତାହେଲେ ମହାମେଣ୍ଟ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାରେ ଅସୁବିଧାର ସାମ୍ନା କରିପାରେ।