ବିଜେପି ହାତରେ ଜଙ୍ଗଲ ନିଆଁ, କେମିତି ମାଇଲେଜ ନେବ ବିଜେଡି ?
ନିଆଁ ବ୍ୟାପୁଛି, ଜଙ୍ଗଲ ଜଳୁଛି। କିନ୍ତୁ ଏହାରି ଭିତରେ ଆଉ ଏକ ବହ୍ନି ଜଳୁଛି। ଆଉ ତାହା ହେଲା ପଲିଟିକାଲ ଫାୟାର। ରାଜନୀତିର ଏହି ନିଆଁ ଏବେ ବିଜେପି ପାଇଁ ମରୁଭୂମିରେ ବର୍ଷା ଭଳି ମନେ ହେଉଛି।
ରାଜ୍ୟରେ ଜଙ୍ଗଲ ଜଳୁଛି। ସରକାରଙ୍କୁ ନିଆଁ ଲିଭାଇବା ଚିନ୍ତା ଶୁଆଇ ଦେଉନି। ଗୋଟେପଟେ ନିଆଁକୁ ଆୟତ୍ତ କରିବାକୁ ଓଡ୍ରାଫ୍ ଟିମ୍, ଅଗ୍ନିଶମ ବିଭାଗ, ବନ ବିଭାଗ ସମସ୍ତେ ଝାଳ ବୁହାଉଥିବାବେଳେ ଅନ୍ୟପଟେ ଜଙ୍ଗଲ ନିଆଁ ଗୋଟିଏ ଜାଗାରୁ ଆଉ ଗୋଟିଏ ଜାଗାକୁ ମହାମାରୀ ଭଳି ବ୍ୟାପିବାରେ ଲାଗିଛି। ନିଆଁ ବ୍ୟାପୁଛି, ଜଙ୍ଗଲ ଜଳୁଛି। କିନ୍ତୁ ଏହାରି ଭିତରେ ଆଉ ଏକ ବହ୍ନି ଜଳୁଛି। ଆଉ ତାହା ହେଲା ପଲିଟିକାଲ ଫାୟାର। ରାଜନୀତିର ଏହି ନିଆଁ ଏବେ ବିଜେପି ପାଇଁ ମରୁଭୂମିରେ ବର୍ଷା ଭଳି ମନେ ହେଉଛି। କାରଣ, ଶାସକ ଦଳ ବିଜେଡି ରାଜ୍ୟର ସବୁ ପ୍ରସଙ୍ଗରେ ଯେମିତି ମାଇଲେଜ ନିଏ, ଏଥର ଟିକେ ପଛେଇ ଗଲା ଭଳି ଲାଗୁଛି।
ଶିମିଳିପାଳ ନିଆଁକୁ ମୟୂରଭଞ୍ଜ ରାଜ ପରିବାର (Mayurbhanj Royal Family) ପ୍ରଥମେ ଦୃଷ୍ଟିଗୋଚର କରିଥିଲେ। ରାଜ ପରିବାରର ଝିଅ ତଥା ବେଲଗାଡିଆ ପ୍ୟାଲେସର ନିର୍ଦ୍ଦେଶିକା ଅକ୍ସିତା ଏମ୍ ଭଞ୍ଜଦେଓ ଏହି ପ୍ରସଙ୍ଗରେ ଟ୍ୱିଟ୍ କରିବା ପରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Dharmendra Pradhan) , କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଧର୍ମେନ୍ଦ୍ର ଟ୍ୱିଟ୍ କରିବାର କ୍ଷଣିକ ସମୟ ପରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର (Prakash Javadekar) ଟ୍ୱିଟ୍ କରି ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ, ଯାହାର ପ୍ରଭାବ ରାଜ୍ୟ ସରକାରଙ୍କ ଉପରେ ପଡ଼ିଥିଲା। ରାଜ୍ୟ ସରକାରଙ୍କ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ (Bikram Arukh) ସଙ୍ଗେସଙ୍ଗେ ବନ ବିଭାଗକୁ ରିପୋର୍ଟ ତଲବ କରିଥିଲେ। ଆଉ ଏହା ପରେ ଆରମ୍ଭ ହୋଇଥିଲା ରାଜ୍ୟ ସରକାରଙ୍କ ଆକ୍ସନ।
Also Read: ଜଳୁଛି ଜଙ୍ଗଲ ମନ୍ତ୍ରୀଙ୍କ ଜିଲ୍ଲା
ରାଜ ପରିବାର ଟ୍ୱିଟ୍ କରିବା ପୂର୍ବରୁ କେମିତି ଜାଣି ପାରି ନ ଥିଲେ ରାଜ୍ୟ ସରକାର? ମୟୂରଭଞ୍ଜ ବନବିଭାଗ କାହିଁକି ପ୍ରସଙ୍ଗକୁ ଗୁରୁତ୍ୱର ସହ ବିଚାର କଲାନି? ଆରମ୍ଭରୁ ରାଜ୍ୟ ସରକାର ଏହି ନିଆଁକୁ ନିୟନ୍ତ୍ରଣ କରି ପାରିଥିଲେ ହୁଏତ ପ୍ରସଙ୍ଗ ଭିନ୍ନ ହୋଇଥାନ୍ତା। କିନ୍ତୁ ତାହା ନୋହିଲା। କହିବାକୁ ଗଲେ, ରାଜ୍ୟ ସରକାର ମଇଦାନକୁ ଆସିବା ପୂର୍ବରୁ ହିଁ ସେଠାରେ ହାରି ସାରିଥିଲେ। ସେହିପରି ବିଜେପି ସାଂସଦମାନେ ଦିଲ୍ଲୀ ଦରବାରରେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ଭେଟି ଆଉ ଏକ ବାଜି ମାରି ନେଇଥିଲେ। କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟିବାର କିଛି ମୁହୂର୍ତ୍ତ ପରେ ପ୍ରକାଶ ଟ୍ୱିଟ୍ କରି ଆଉ ଏକ ସୂଚନା ଦେଲେ। କେନ୍ଦ୍ରରୁ ଏକ ପ୍ରତିନିଧି ଦଳ ଶିମିଳିପାଳ (Similipal) ଆସି ନିଆଁର ସମୀକ୍ଷା କରିବେ। ଆଉ ଖୋଦ୍ ଜଙ୍ଗଲ ମନ୍ତ୍ରାଳୟ ପ୍ରତିଦିନ ରିପୋର୍ଟ ମାଗିବ। ଦଳ ଆସି ଶିମିଳିପାଳରେ ନିଆଁର ସମୀକ୍ଷା ମଧ୍ୟ କରୁଛି। ଅବଶ୍ୟ ଚୂଡ଼ାନ୍ତ ରିପୋର୍ଟ କ'ଣ କହିବ, ତାହା ଭିନ୍ନ କଥା।
ସେହି ଦିଲ୍ଲୀରେ ବିଜେଡି ସାଂସଦ (BJD MP) ମଧ୍ୟ ଅଛନ୍ତି। ବିଜେପି ସାଂସଦ, କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟି ଆଗୁଆ ଯଦି କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଥାନ୍ତେ, ତେବେ ଶାସକ ଦଳ (Rulling Party)ଆହୁରି ଫାଇଦାରେ ରହିଥାନ୍ତା। ଆମ ରାଜ୍ୟରେ ଜଙ୍ଗଲ ନିଆଁ (Jungle fire) ଲିଭାଇବାକୁ ସେମିତି କୌଣସି ବ୍ୟବସ୍ଥା ନାହିଁ। କେନ୍ଦ୍ରର ହସ୍ତକ୍ଷେପ ଲୋଡ଼ିଥିଲେ, ମୋଦି ସରକାର ହେଲିକପ୍ଟର ହେଉ ଅବା ଅନ୍ୟ କୌଣସି ବିକଳ୍ପ ବ୍ୟବସ୍ଥା କରିଥାନ୍ତେ। ଆଉ ଯଦି ଏହା ହୋଇ ନ ଥାନ୍ତା, ତେବେ ବିଜେଡିକୁ କେନ୍ଦ୍ର ଅବହେଳାର ଆଉ ଏକ ପ୍ରସଙ୍ଗ ମିଳିଥାନ୍ତା। କିନ୍ତୁ ତାହା ବି ହେଲା ନାହିଁ। ତେଣୁ, ଦ୍ୱିତୀୟ ପାରି ବି ବିଜେଡି ବିଜେପି ଠାରୁ ପଛରେ ରହିଲା କହିଲେ ଅତ୍ୟୁକ୍ତି ହେବ ନାହିଁ।
Also Read: ଫୁସଫୁସରେ ନିଆଁ! ଶିମିଳିପାଳ ପରେ ଜଳୁଛି ଦକ୍ଷିଣ ଓଡି଼ଶା
ଅନ୍ୟପଟେ ବିରୋଧୀ କଂଗ୍ରେସ (Congress) ମଧ୍ୟ ଜଙ୍ଗଲ ନିଆଁ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ବିରୋଧରେ ତଥ୍ୟ ଯୋଗାଡ଼ କରୁଛି। ଦୁର୍ବଳ ହୋଇ ପଡ଼ିଥିବା ବିରୋଧୀ କଂଗ୍ରେସ ବି ଆଗାମୀ ଦିନରେ ରାଜ୍ୟ ସରକାରଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିବ। ସେହିପରି ବିଧାନସଭା (Odisha Assembly) ସରିବାକୁ ଆହୁରି ଢେର ଦିନ ବାକି ଅଛି। ତେଣୁ ବଜେଟ୍ ଅଧିବେଶନରେ ରାଜ୍ୟ ସରକାର (Odisha Govt) ଙ୍କୁ ଏହି ପ୍ରସଙ୍ଗରେ ବିରୋଧୀ ନିହାତି ଭାବେ ହରଡ଼ଘଣାରେ ପକାଇବେ।
ରାଜ୍ୟରେ ଜଙ୍ଗଲରେ ନିଆଁ ଲାଗିବା ନୂଆ କଥା ନୁହେଁ। ପ୍ରତିବର୍ଷ ଜଙ୍ଗଲ ଜଳୁଛି। କିନ୍ତୁ, ତାକୁ ଲିଭାଇବାକୁ ଆମ ପାଖରେ ସେମିତି କିଛି ବିଶେଷ ବ୍ୟବସ୍ଥା ନାହିଁ। ସେହିପରି ଜଙ୍ଗଲ ବିଭାଗରେ ଥିବା ଖାଲି ପଦବୀ ବି ଆଉ ଏକ ପ୍ରମୁଖ କାରଣ। ଏହାକୁ ନେଇ ଷ୍ଟାଣ୍ଡିଂ କମିଟି ମଧ୍ୟ ଉଦବେଗ ପ୍ରକାଶ କରିଛି। ତେଣୁ, ଶାସକ ଦଳ ପାଇଁ ଏହା ମଧ୍ୟ ଏକ ଚିନ୍ତାର ବିଷୟ। ପୂର୍ବରୁ ଖରାଦିନେ ଜଙ୍ଗଲ ଜଳୁଥିଲା ଆଉ କାଳବୈଶାଖୀ କିମ୍ୱା ଅଦିନିଆ ବର୍ଷା ହେଲେ ଲିଭି ମଧ୍ୟ ଯାଉଥିଲା। ସେତେବେଳେ ସୋସିଆଲ ମିଡିଆ ନ ଥିଲା। ଯାହା ଫଳରେ କୌଣସି ନିର୍ଦ୍ଦିଷ୍ଟ ପ୍ରସଙ୍ଗ ବିଳମ୍ୱରେ ଦୃଷ୍ଟି ଗୋଚର ହେଉଥିଲା। କିନ୍ତୁ ଏବେ ସମୟ ବଦଳୁଛି। ଟ୍ୱିଟ୍ କରି ସରକାର ଚଟାପଟ ଆକ୍ସନ ନେଉଛନ୍ତି।
Also Read: ବିଧାନସଭାରେ ବିଜେପି ବିଧାୟକଙ୍କ ଆତ୍ମହତ୍ୟା ଉଦ୍ୟମ, ପିଉଥିଲେ ସାନିଟାଇଜର୍
ଏହି ସୋସିଆଲ ମିଡିଆ ଏବେ ନିର୍ବାଚନର ଅନ୍ୟତମ ପ୍ରମୁଖ ଅସ୍ତ୍ର। ତେଣୁ, ପ୍ରତି ମୁହୂର୍ତ୍ତରେ ଯେ କୌଣସି ସରକାରକୁ ଆଖି ଖୋଲା ରଖିବାକୁ ପଡ଼ିବ। ଆଗକୁ ପୌର ନିର୍ବାଚନ (Civic poll) ଓ ପଞ୍ଚାୟତ ନିର୍ବାଚନ (Panchayat election) । ତେଣୁ, ରଣନୀତି ମଧ୍ୟ ପ୍ରତିଯୋଗିତାପୂର୍ଣ୍ଣ ହେବ। ବିଜେପି ଯଦି 'ନିଆଁ' ରାଜନୀତି (Fire Politics) ରେ ବାଜି ମାରିନିଏ, ତେବେ ଶାସକ ଦଳ ବିଜେଡି ମାଇଲେଜ ନେବ କିପରି ? ଏହା ଏବେ ଲକ୍ଷେ ଟଙ୍କିଆ ପ୍ରଶ୍ନ।