ଏଥର ସ୍ୱତନ୍ତ୍ର ହେବ UP ବିଧାନସଭା ନିର୍ବାଚନ; କିପରି ପ୍ରସ୍ତୁତି କରୁଛି ନିର୍ବାଚନ ଆୟୋଗ?
ଯେଉଁମାନେ ଉଭୟ ଡୋଜ ଟିକା ନେଇଛନ୍ତି ସେମାନଙ୍କୁ ନିର୍ବାଚନ ଦାୟିତ୍ୱରେ ନିୟୋଜିତ କରାଯିବ।
ଲକ୍ଷ୍ନୌ: ଆସନ୍ତା ବର୍ଷ ହେବାକୁ ଯାଉଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। ଏହି କ୍ରମରେ ଗତ ଗୁରୁବାର ସମସ୍ତ ରାଜନୈତିକ ଦଳ ସହ ଏକ ବୈଠକ କରିଛନ୍ତି ନିର୍ବାଚନ ଆୟୋଗ। ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ରା ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ଜଣାଇଛନ୍ତି।
ନିର୍ବାଚନ ସମୟରେ ସୋସିଆଲ ମିଡିଆ ଉପରେ ମଧ୍ୟ ନଜର ରଖାଯିବ। କୌଣସି ପ୍ରକାର ଆପତ୍ତିଜନକ ପୋଷ୍ଟ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ରାଜ୍ୟ ସୀମାରେ ସିସିଟିଭି କ୍ୟାମେରା ଲଗାଯିବ। କୋରୋନା ଗାଇଡ ଲାଇନ୍ସ ପାଳନ କରି ନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ ହେବ। ଏହା ସହିତ ମତଦାନ ସମୟକୁ ୧ ଘଣ୍ଟା ବୃଦ୍ଧି କରାଯିବ। ଯାହା ଦ୍ୱାରା କୋରୋନା ମହାମାରୀର ପ୍ରକୋପକୁ ନଜରରେ ରଖି ମତଦାନ କେନ୍ଦ୍ରରେ ସାମାଜିକ ଦୂରତା ରକ୍ଷା କରାଯାଇପାରିବ।
ପୂର୍ବରୁ ପ୍ରତି ୧୫୦୦ ମତଦାତାଙ୍କ ପାଇଁ ଗୋଟିଏ ବୁଥ ରହିଥିଲା। ବର୍ତ୍ତମାନ ୧୨୫୦ ମତଦାତାଙ୍କୁ ନେଇ ଗୋଟିଏ ବୁଥ କରାଯାଇଛି। ଯାହା ଫଳରେ ଭୋଟ ଗ୍ରହଣ କେନ୍ଦ୍ର ସଂଖ୍ୟା ୧୧ ହଜାର ବୃଦ୍ଧି ପାଇଛି। ଏଥର ରାଜ୍ୟରେ ୧ ଲକ୍ଷ ୭୪ ହଜାର ୩୫୨ ମତଦାନ କେନ୍ଦ୍ର ରହିଛି। ସମସ୍ତ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ବ୍ୟକ୍ତିଗତ ଭାବେ ମତଦାନ କେନ୍ଦ୍ରକୁ ଯାଇ ବ୍ୟବସ୍ଥା ଦେଖାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏପରି ୮୦୦ ମତଦାନ କେନ୍ଦ୍ର ହେବ ଯେଉଁଥିରେ ସମସ୍ତ କର୍ମଚାରୀ ଏବଂ ସୁରକ୍ଷା ଅଧିକାରୀ ମହିଳା ହେବେ। ଯଦି କୌଣସି ମତଦାତାଙ୍କ ପାଖରେ ଭୋଟର ପରିଚୟ ପତ୍ର ନାହିଁ ତାହେଲେ ସେ ୧୧ଟି ଅନ୍ୟ ପରିଚୟପତ୍ର ବ୍ୟବହାର କରି ମତଦାନ କରିପାରିବେ। ମତଦାନ ପାଇଁ ଆଧାରକାର୍ଡ, ମନରେଗା କାର୍ଡ, ପ୍ୟାନକାର୍ଡ ପ୍ରଭୃତି ପରିଚୟପତ୍ର ବ୍ୟବହାର କରାଯିବ।
Also Read: UP Poll 2022: ଉପଯୁକ୍ତ ସମୟରେ ନିର୍ବାଚନ କରିବାକୁ ଦାବି ଜଣାଇଲେ ରାଜନୈତିକ ଦଳ
କୋଭିଡ ପ୍ରୋଟୋକଲ ଉପରେ ପ୍ରତିକ୍ରିୟା ରଖି ମୁଖ୍ୟ ନିର୍ବାଚନ ଆୟୁକ୍ତ କହିଛନ୍ତି ପ୍ରାୟ ୪୯ ପ୍ରତିଶତ ଲୋକଙ୍କ ଉଭୟ ଡୋଜ ଟିକାକରଣର ହୋଇଛି। ଟିକାକରଣ ବୃଦ୍ଧି କରିବା ପାଇଁ ରାଜ୍ୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ ଆୟୋଗ। ଶତ ପ୍ରତିଶତ ପ୍ରଥମ ଡୋଜ ଟିକାକରଣ କରିବାକୁ ନିର୍ଦ୍ଦେଶ ରହିଛି। ଯେଉଁମାନେ ଉଭୟ ଡୋଜ ଟିକା ନେଇଛନ୍ତି ସେମାନଙ୍କୁ ନିର୍ବାଚନ ଦାୟିତ୍ୱରେ ନିୟୋଜିତ କରାଯିବ। ନିର୍ବାଚନ ଡ୍ୟୁଟିରେ ଫ୍ରଣ୍ଟଲାଇନ କର୍ମଚାରୀ ନିୟୋଜିତ ହେବେ।
Also Read: Assembly Election 2022: ଆସନ୍ତା ମାସ ପ୍ରଥମ ସପ୍ତାହରେ ହେବ ତାରିଖ ଘୋଷଣା
ରାଜ୍ୟରେ ପ୍ରାୟ ୧୫ କୋଟିରୁ ଅଧିକ ଭୋଟର ଅଛନ୍ତି ଏବଂ ମୋଟ ମତଦାତଙ୍କ ସଂଖ୍ୟା ବଢିପାରେ। ଏପର୍ଯ୍ୟନ୍ତ ୫୨.୮ ଲକ୍ଷ ନୂତନ ମତଦାତାଙ୍କୁ ଅନ୍ତର୍ଭୂକ୍ତ କରାଯାଇଛି। ସେଥିମଧ୍ୟରୁ ୧୯.୮୯ ଲକ୍ଷ ଭୋଟର ୧୮-୧୯ ବର୍ଷ ବର୍ଗର ଅଛନ୍ତି। ଭୋଟର ତାଲିକାର ଅନ୍ତିମ ପ୍ରକାଶନ ଆସନ୍ତା ଜାନୁୟାରୀ ୫ ତାରିଖ ବୁଧବାର ନିର୍ବାଚନ ଆୟୋଗ ଦ୍ୱାରା କରାଯିବ। ଭୋଟର ତାଲିକା ପ୍ରକାଶନ ପରେ ଯଦି କାହାର ନାମ ହଜିଯାଇଛି ତାହେଲେ ସମ୍ପୃକ୍ତ ମତଦାତା ସେମାନଙ୍କ ଦାବି ଉପସ୍ଥାପନ କରିପାରିବେ ଏବଂ ସେମାନଙ୍କ ନାମ ଭୋଟର ତାଲିକାରେ ଯୋଡିପାରିବେ।
Also Read: ଆସନ୍ତା ମାର୍ଚ୍ଚ ୧୫ ସୁଦ୍ଧା ହୋଇପାରେ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ
ଗତ ୨୦୧୭ ବିଧାନସଭା ନିର୍ବାଚନରେ ମହିଳା ମତଦାତାଙ୍କ ସଂଖ୍ୟା ୮୩୯:୧୦୦୦ ରହିଥିଲା ଯାହା ଚଳିତ ବର୍ଷ ୮୫୯ ହୋଇଛି। ୨୮.୮ ଲକ୍ଷ ମହିଳା ଭୋଟର ତାଲିକାରେ ନୂତନ ଭାବେ ଯୋଡି଼ ହୋଇଛନ୍ତି। ରାଜ୍ୟରେ ୧୦ ଲକ୍ଷ ୬୪ ହଜାର ଦିବ୍ୟାଙ୍ଗ ଭୋଟର ରହିଛନ୍ତି। ୮୦ ବର୍ଷରୁ ଅଧିକ, ଦିବ୍ୟାଙ୍ଗ ଏବଂ କୋରୋନା ଆକ୍ରାନ୍ତ ମତଦାତା ଘରେ ରହି ମତଦାନ କରିବେ।