ଆଦର୍ଶ ଆଚରଣ ବିଧି କ`ଣ? ନିର୍ବାଚନ ସମୟରେ କାହିଁକି ଲାଗୁଥାଏ ଏହି ନିୟମ?
କେବଳ ପ୍ରାର୍ଥୀ, ରାଜନୈତିକ ଦଳ କିମ୍ବା ନେତାଙ୍କ ପାଇଁ ନୁହେଁ ବରଂ ସାଧାରଣ ନାଗରିକଙ୍କ ପାଇଁ ମଧ୍ୟ ଲାଗୁ ହୋଇଥାଏ ଆଦର୍ଶ ଆଚରଣ ବିଧି।
ଲକ୍ଷ୍ନୌ: ଚଳିତ ବର୍ଷ ଫେବୃଆରୀ-ମାର୍ଚ୍ଚ ମାସରେ ଦେଶର ୫ ରାଜ୍ୟରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ଲାଗି କାର୍ଯ୍ୟସୂଚୀ ଘୋଷଣା କରି ସାରିଛନ୍ତି ନିର୍ବାଚନ ଆୟୋଗ। ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ମଣିପୁର, ଗୋଆ ପ୍ରଭୃତି ୫ ରାଜ୍ୟରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ଲାଗି ତାରିଖ ଘୋଷଣା ହେବା ପରେ ସେଠାରେ ଲାଗୁ ହୋଇଯାଇଛି ଆଦର୍ଶ ଆଚରଣ ବିଧି।
ସମଗ୍ର ଦେଶରେ ଯେକୌଣସି ସମୟରେ ଯେଉଁ ଅଞ୍ଚଳରେ ଯେଉଁ ନିର୍ବାଚନ ଅନୁଷ୍ଠିତ ସେଠାରେ ଲାଗୁ ହୋଇଥାଏ ଆଦର୍ଶ ଆଚରଣ ବିଧି। ଆଦର୍ଶ ଆଚରଣ ବିଧି କ'ଣ? ନିର୍ବାଚନ ସମୟରେ କାହିଁକି ଲାଗୁଥାଏ ଏହି ନିୟମ? ନିର୍ବାଚନ ଆଚରଣ ସଂହିତା କାର୍ଯ୍ୟକାରୀ ହେବା ପରେ ଅନେକ କାର୍ଯ୍ୟକଳାପ ଉପରେ କାହିଁକି ପ୍ରତିବନ୍ଧକ ଲଗାଯାଇଥାଏ?
ଏହି ପ୍ରତିବନ୍ଧକ କେବଳ ପ୍ରାର୍ଥୀ, ରାଜନୈତିକ ଦଳ କିମ୍ବା ନେତାଙ୍କ ପାଇଁ ନୁହେଁ ବରଂ ସାଧାରଣ ନାଗରିକଙ୍କ ପାଇଁ ମଧ୍ୟ ଲାଗୁ ହୋଇଥାଏ। ନିର୍ବାଚନରେ ମତଦାନ କରୁଥିବା ମତଦାତା ମଧ୍ୟ ଏହି ନୀତି ନିୟମ ବାବଦରେ ଜାଣିବା ଆବଶ୍ୟକ। ଯାହା ଦ୍ୱାରା ଆପଣ ଦଣ୍ଡନୀୟ କାର୍ଯ୍ୟରୁ ଦୂରେଇ ରହିପାରିବେ। ନିର୍ବାଚନ ସମୟରେ ମତଦାନ ଉପରେ ପ୍ରଭାବ ପକାଉଥିବା ସମସ୍ତ ପ୍ରକାର କାର୍ଯ୍ୟକଳାପ ଉପରେ ଲାଗିଥାଏ ପ୍ରତିବନ୍ଧକ। ଯାହାକୁ ଆଦର୍ଶ ଆଚରଣ ବିଧି ବୋଲି କୁହାଯାଇଥାଏ।
Also Read: ଏଣିକି ପ୍ରାର୍ଥୀଙ୍କୁ ଦେବାକୁ ହେବ ସିଙ୍ଗଡା, PPE Kit, ପୂଜା ପାଠ ଖର୍ଚ୍ଚର ହିସାବ: ମୂଲ୍ୟ ସ୍ଥିର କଲେ EC
ଜାଣନ୍ତୁ ଏହି ନିୟମ ଲାଗୁ ହେବା ପରେ କେଉଁ କାର୍ଯ୍ୟ ଉପରେ ଲାଗିଥାଏ କଟକଣା?
ସାର୍ବଜନୀନ ଉଦଘାଟନ କିମ୍ବା ଭିତ୍ତିପ୍ରସ୍ତର ସ୍ଥାପନ ଉପରେ ଲାଗୁ ହୋଇଥାଏ କଟକଣା
କୌଣସି ନୂତନ କାର୍ଯ୍ୟ କିମ୍ବା ଯୋଜନା ଅନୁମୋଦନ ଉପରେ ଲାଗିଥାଏ ପ୍ରତିବନ୍ଧକ
ସରକାରୀ ଦଳ ନିଜ ସଫଳତା ବାବଦରେ ଲଗାଇ ପାରିବେ ନାହିଁ ହୋର୍ଡିଂ କିମ୍ବା ପୋଷ୍ଟର
ସରକାରୀ ଗାଡିରୁ ସାଇରନ୍ ବାହାର କରି ଦିଆଯାଇଥାଏ
ସରକାରୀ ଭବନରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ର, ମନ୍ତ୍ରୀ କିମ୍ବା ରାଜନୈତିକ ବ୍ୟକ୍ତିବିଶେଷଙ୍କ ଫଟୋ ଲଗାଇବା ଉପରେ ଜାରି ହୋଇଥାଏ କଟକଣା
ଗଣମାଧ୍ୟମରେ ଶାସକ ଦଳ, ଦଳୀୟ ସରକାରର ସଫଳତା ବାବଦରେ କୌଣସି ବିଜ୍ଞାପନ ଦେଇପାରିବେ ନାହିଁ
ଲାଞ୍ଚ ନେବା କିମ୍ବା ଦେବା ଏକ ଅପରାଧ ବୋଲି ଧରାଯିବ
ସାମାଜିକ ଗଣମାଧ୍ୟମରେ ଯେକୌଣସି ବିବାଦୀୟ ମତାମତ ଦେବା ଆପଣଙ୍କ ପାଇଁ କ୍ଷତିକାରୀ ସାବ୍ୟସ୍ତ ହୋଇପାରେ
ନିର୍ବାଚନ ଲାଗି ଜାରି ହୋଇଥିବା ଆଦର୍ଶ ଆଚରଣ ବିଧି ନିୟମ ଅନୁସାରେ ସାମାଜିକ ଗଣମାଧ୍ୟମରେ କାହା ବାବଦରେ କୌଣସି ପୋଷ୍ଟ କରିବା ପୂର୍ବରୁ ବିଚାର କରନ୍ତୁ
ନିର୍ବାଚନ ଲାଗି ଜାରି ହୋଇଥିବା ଆଦର୍ଶ ଆଚରଣ ବିଧି ଯେ କେବଳ ରାଜନୈତିକ ଦଳ କିମ୍ବା ଦଳୀୟ ପ୍ରାର୍ଥୀ ଅଥବା ନେତାଙ୍କ ପାଇଁ କେବଳ ଲାଗୁ ହୋଇନଥାଏ ବରଂ ଯଦି ନିର୍ବାଚନରେ ମତଦାନ କରୁଥିବା ମତଦାତା ଯଦି ଏହାର ଉଂଲଘନ କରନ୍ତି ତାହେଲେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ। ନିର୍ବାଚନ ସହ ଜଡିତ ଯେକୌଣସି ଆପତ୍ତିଜନକ କାର୍ଯ୍ୟକଳାପ ଆପଣଙ୍କୁ ଆଇନର କାଠଗଡ଼ାକୁ ଟାଣିପାରେ।
Also Read: ଦାଗୀ ନେତାଙ୍କୁ ନିର୍ବାଚନରେ କାହିଁକି କଲେ ପ୍ରାର୍ଥୀ? କାରଣ ସାର୍ବଜନୀନ କରିବେ ରାଜନୈତିକ ଦଳ
କୌଣସି ଦଳ କିମ୍ବା କିମ୍ବା ପ୍ରାର୍ଥୀ ଏପରି କୌଣସି କାର୍ଯ୍ୟକଳାପରେ ନିୟୋଜିତ ହୋଇପାରିବେ ନାହିଁ ଯାହା ଜାତି, ଧର୍ମ କିମ୍ବା ଭାଷାଭିତ୍ତିକ ସମ୍ପ୍ରଦାୟ ମଧ୍ୟରେ ପୂର୍ବରୁ ଥିବା ପାର୍ଥକ୍ୟକୁ ବଢାଇଦେବ, ଏଭଳି କାର୍ଯ୍ୟକଳାପ ଯାହା ଘୃଣା ବିସ୍ତାର କରେ କିମ୍ବା ଉତ୍ତେଜନା ସୃଷ୍ଟି କରେ ତାହାଲେ ଏହି ଦଣ୍ଡନୀୟ କାର୍ଯ୍ୟ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ।
ଜାତି କିମ୍ବା ସାମ୍ପ୍ରଦାୟିକ ଭାବନା ଆଧାରରେ ଭୋଟ୍ ପାଇବା ପାଇଁ କୌଣସି ପ୍ରକାର ଆବେଦନ କରାଯାଇପାରିବ ନାହିଁ। ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରେ ମନ୍ଦିର, ମସଜିଦ, ଚର୍ଚ୍ଚ କିମ୍ବା ଅନ୍ୟ କୌଣସି ଧର୍ମାନୁଷ୍ଠାନକୁ ନିର୍ବାଚନ ପ୍ରଚାର ମଞ୍ଚ ଭାବେ ବ୍ୟବହାର କରାଯାଇପାରିବ ନାହିଁ।
ନିର୍ବାଚନ ସମୟରେ କେଉଁ କାର୍ଯ୍ୟ ଉପରେ ଲାଗିଥାଏ କଟକଣା?
କୌଣସି ରାଜନୈତିକ ଦଳ କିମ୍ବା ପ୍ରାର୍ଥୀ ଭୋଟରଙ୍କୁ ଲାଞ୍ଚ ଦେଇ ପାରିବେ ନାହିଁ। ଯଦିଓ ଜଣେ ଭୋଟର ଲାଞ୍ଚ ନେବା ବେଳେ ଧରାପଡ଼ନ୍ତି ତାହେଲେ ଏହାକୁ ଅପରାଧ ବୋଲି ଧରାଯିବ।
ନିର୍ବାଚନ ସମୟରେ ମତଦାତାଙ୍କୁ ଡରାଇବା ମଧ୍ୟ ଏକ ଅପରାଧ।
ମତଦାନ କେନ୍ଦ୍ରଠାରୁ ୧୦୦ ମିଟର ଦୂର ମଧ୍ୟରେ ନିର୍ବାଚନ ପାଇଁ ପ୍ରଚାର କରିବା ହେଉଛି ନିଷେଧ
ମତଦାନ ଶେଷ ହେବାର ୪୮ ଘଣ୍ଟା ପୂର୍ବରୁ ସାଧାରଣ ସଭା କରିବା ଉପରେ ରହିଛି ନିଷେଧାଦେଶ
ମତଦାତାଙ୍କୁ ମତଦାନ କେନ୍ଦ୍ର ପର୍ଯ୍ୟନ୍ତ ନବା-ଆଣିବା କରିବା ଲାଗି ଗାଡି଼ ମଟର ଯୋଗାଇବା ହେଉଛି ଅପରାଧ
କୌଣସି ରାଜନୈତିକ ଦଳ କିମ୍ବା ପ୍ରାର୍ଥୀ ନିଜର କର୍ମକର୍ତ୍ତାଙ୍କୁ କୌଣସି ବ୍ୟକ୍ତିଙ୍କ ବିନା ଅନୁମତିରେ ତାଙ୍କ ଘର କିମ୍ବା ଜମିରେ ଦଳୀୟ ପତାକା, ବ୍ୟାନର, ପୋଷ୍ଟର ଲଗାଇବାକୁ କହିପାରିବେ ନାହିଁ କିମ୍ବା ରାଜନୈତିକ ସ୍ଲୋଗାନ ଲେଖିବାକୁ କହିପାରିବେ ନାହିଁ
କୌଣସି ଦଳର କର୍ମୀ ଅନ୍ୟ ଦଳ ଦ୍ୱାରା ଲଗାଯାଇଥିବା ଦଳୀୟ ପତାକା, ବ୍ୟାନର, ପୋଷ୍ଟର ପ୍ରଭୃତିକୁ ହଟାଇ ପାରିବେ ନାହିଁ।
ମତଦାନ ହେବାର ୪୮ ଘଣ୍ଟା ପୂର୍ବରୁ ମଦ ପ୍ରଦାନ କିମ୍ବା ବଣ୍ଟନ ଉପରେ ଜାରି ହୋଇଥାଏ କଟକଣା।
Also Read: Assembly Election 2022: କାହିଁକି ଲାଗୁ ହୋଇଥାଏ ଆଦର୍ଶ ଆଚରଣ ବିଧି? ଜାଣନ୍ତୁ ଏହାର କାରଣ
ଯଦି କୌଣସି ଦଳ କିମ୍ବା ଏହାର ପ୍ରାର୍ଥୀଙ୍କୁ କୌଣସି ସ୍ଥାନରେ ଦଳୀୟ ସଭାସମିତି ଅଥବା ଅନ୍ୟ କୌଣସି ରାଜ୍ୟନୈତିକ କାର୍ଯ୍ୟକ୍ରମ କରିବାର ଥାଏ ତାହେଲେ ତାଙ୍କୁ ସ୍ଥାନୀୟ ପୋଲିସ ପ୍ରଶାସନକୁ ଏ ବାବଦରେ ବହୁପୂର୍ବରୁ ଜଣାଇବାକୁ ହେବ। ମତଦାତାଙ୍କୁ ସାଧା କାଗଜରେ ନିର୍ବାଚନୀ ପରିଚୟ ପତ୍ର ଯୋଗାଇ ଦିଆଯିବ। ଏଥିରେ କୌଣସି ପ୍ରତୀକ, ପ୍ରାର୍ଥୀଙ୍କ ନାମ କିମ୍ବା ଦଳର ନାମ ରହିବ ନାହିଁ। ମତଦାତାଙ୍କୁ ଛାଡି଼ ଏପରି କୌଣସି ବ୍ୟକ୍ତି ମତଦାନ କେନ୍ଦ୍ରରେ ପ୍ରବେଶ କରିପାରିବେ ନାହିଁ ଯାହାଙ୍କ ପାଖରେ ନିର୍ବାଚନ ଆୟୋଗ ଦ୍ୱାରା ପ୍ରଦତ୍ତ ପ୍ରବେଶ ପତ୍ର ନାହିଁ।