ଦେଶରେ ରାଜନୈତିକ ଦଳ ସଂଖ୍ୟା କେତେ? ଆପଣଙ୍କୁ ଚକିତ କରିଦେବ ADR ରିପୋର୍ଟ
ନୂତନ ପଞ୍ଜୀକୃତ ରାଜନୈତିକ ଦଳ କିମ୍ବା ବିଧାନସଭା ଅଥବା ଲୋକସଭା ନିର୍ବାଚନରେ ଏକ ରାଜ୍ୟର ସ୍ୱୀକୃତିପ୍ରାପ୍ତ ଦଳ ହେବା ପାଇଁ ଆବଶ୍ୟକ ଭୋଟ ପ୍ରତିଶତ ପାଉନଥିବା ଦଳକୁ ଅଣ ମାନ୍ୟତାପ୍ରାପ୍ତ ରାଜନୈତିକ ଦଳ ଭାବେ ବିବେଚନା କରାଯାଏ।
ନୂଆଦିଲ୍ଲୀ: ବିଶ୍ୱର ସର୍ବବୃହତ୍ତ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ପରିଚିତ ଭାରତ ହେଉଛି ଏକ ବହୁ ଦଳୀୟ ଶାସନ ବ୍ୟବସ୍ଥା ପ୍ରଚଳିତ ଥିବା ଏକ ଦେଶ। ଦେଶରେ ୮ ଜାତୀୟ ଏବଂ ୮୦ ରୁ ଅଧିକ ସ୍ୱୀକୃତିପ୍ରାପ୍ତ ଆଞ୍ଚଳିକ ଦଳ ଅଛନ୍ତି। ଏହା ବ୍ୟତୀତ ଦେଶରେ ଅନେକ ଅଣ ମାନ୍ୟତାପ୍ରାପ୍ତ ରାଜନୈତିକ ଦଳ ଅଛନ୍ତି।
ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ (Association for Democratic Reforms) ଏଡିଆର (ADR) ନାମକ ଏକ ଗୋଷ୍ଠୀ ଯିଏ ଅଣ ମାନ୍ୟତାପ୍ରାପ୍ତ ରାଜନୈତିକ ଦଳ ସହିତ ନିର୍ବାଚନ ବାବଦରେ ଅଧ୍ୟୟନ କରିଥାଏ ସଦ୍ୟ ଏକ ରିପୋର୍ଟ ପ୍ରକାଶ କରିଛି। ଏଡିଆର ରିପୋର୍ଟ ଅନୁଯାୟୀ ୨୦୧୦-୨୦୨୧ ମଧ୍ୟରେ ଅଣ ମାନ୍ୟତାପ୍ରାପ୍ତ ରାଜନୈତିକ ଦଳର ସଂଖ୍ୟା ଦ୍ୱିଗୁଣିତ ହୋଇଯାଇଛି। ଲୋକସଭା ନିର୍ବାଚନ ବର୍ଷରେ ଏହି ସଂଖ୍ୟା ବଢିବାରେ ଲାଗିଛି।
ନୂତନ ପଞ୍ଜୀକୃତ ରାଜନୈତିକ ଦଳ କିମ୍ବା ବିଧାନସଭା ଅଥବା ଲୋକସଭା ନିର୍ବାଚନରେ ଏକ ରାଜ୍ୟର ସ୍ୱୀକୃତିପ୍ରାପ୍ତ ଦଳ ହେବା ପାଇଁ ଆବଶ୍ୟକ ଭୋଟ ପ୍ରତିଶତ ପାଉନଥିବା ଦଳକୁ ଅଣ ମାନ୍ୟତାପ୍ରାପ୍ତ ରାଜନୈତିକ ଦଳ ଭାବେ ବିବେଚନା କରାଯାଏ। ଏହା ମଧ୍ୟରେ ସେହି ଦଳ ମଧ୍ୟ ଅନ୍ତର୍ଭୁକ୍ତ, ଯେଉଁମାନେ ପଞ୍ଜୀକରଣ ପରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରନାହାଁନ୍ତି। ନୂତନ ରିପୋର୍ଟ ଜରିଆରେ ADR ପକ୍ଷରୁ କୁହାଯାଇଛି ଯେ ୨୦୧୦ ବର୍ଷରେ ଏଭଳି ଦଳର ସଂଖ୍ୟା ୧୧୧୨ ରହିଥିଲା, ଯାହା ୨୦୧୯ ବର୍ଷରେ ୨୩୦୧ କୁ ବୃଦ୍ଧି ପାଇଛି ଏବଂ ୨୦୨୧ ବର୍ଷରେ ଏହି ସଂଖ୍ୟା ୨୮୫୮ ରେ ପହଞ୍ଚିଛି।
Also Read: Assembly Election 2022: ୫ ରାଜ୍ୟର ରାଜନେତା ଓ ଭୋଟରଙ୍କ ପାଇଁ EC ରଖିଛି ଏ ସବୁ ନିୟମ
ପ୍ରକାଶିତ ରିପୋର୍ଟ ଜରିଆରେ ADR ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଲୋକସଭା ନିର୍ବାଚନ ଅନୁଷ୍ଠିତ ହେଉଥିବା ବର୍ଷରେ ଏଭଳି ରାଜନୈତିକ ଦଳର ସଂଖ୍ୟା ଆଶାତୀତ ଭାବେ ବଢିବାରେ ଲାଗିଛି। ୨୦୧୮-୧୯ ବର୍ଷ ମଧ୍ୟରେ ଏଭଳି ଦଳଙ୍କ ସଂଖ୍ୟାରେ ୯.୮ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଥିବା ବେଳେ ୨୦୧୩-୧୪ ମଧ୍ୟରେ ଏହି ସଂଖ୍ୟାର ୧୮ ପ୍ରତିଶତ ବୃଦ୍ଧି ହୋଇଥିଲା। ADR ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ମୋଟ ୨୭୯୬ ପଞ୍ଜୀକୃତ ଅଣମାନ୍ୟତା ପ୍ରାପ୍ତ ଦଳ ମଧ୍ୟରୁ କେବଳ ୨୩୦ ଦଳର ୨୦୧୯-୨୦ ବର୍ଷର ବାର୍ଷିକ ଅଡିଟ ରିପୋର୍ଟ ଏବଂ ୧୬୦ ଦଳର ବାର୍ଷିକ ଅନୁଦାନ ରିପୋର୍ଟ ସାର୍ବଜନୀନ ଭାବେ ଉପଲବ୍ଧ ରହିଛି।
Also Read: Assembly Election 2022: କାହିଁକି ଲାଗୁ ହୋଇଥାଏ ଆଦର୍ଶ ଆଚରଣ ବିଧି? ଜାଣନ୍ତୁ ଏହାର କାରଣ
ଚଳିତ ବର୍ଷ ଦେଶର ଯେଉଁ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି ସେଠାକାର ରାଜନୀତି ସହ ଜଡିତ ୮୮୯ ପଞ୍ଜୀକୃତ ଅଣମାନ୍ୟତା ପ୍ରାପ୍ତ ଦଳ ଉପରେ ଏକ ବିଶ୍ଳେଷଣ କରାଯାଇଥିଲା। ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ ପ୍ରଭୃତି ରାଜ୍ୟର ରାଜନୀତି ସହ ଜଡିତ ଏପରି ଦଳଙ୍କ ମଧ୍ୟରୁ କେବଳ ୯୦ ଦଳର ବାର୍ଷିକ ଅଡି଼ଟ ରିପୋର୍ଟ ନିର୍ବାଚନ ଆୟୋଗ ନିକଟରେ ଉପଲବ୍ଧ ରହିଛି। ହେଲେ ମଣିପୁର କିମ୍ବା ଗୋଆ ଭଳି ରାଜ୍ୟରେ ଏପରି ଦଳଙ୍କ ବାବଦରେ ୨୦୧୯-୨୦ ବର୍ଷର ଏହି ରିପୋର୍ଟ ଉପଲବ୍ଧ ନାହିଁ।
ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ ପ୍ରଭିତ ରାଜ୍ୟର ଯେଉଁ ୯୦ ଅଣ ମାନ୍ୟତାପ୍ରାପ୍ତ ରାଜନୈତିକ ଦଳର ଅଡି଼ଟ ରିପୋର୍ଟ ଉପଲବ୍ଧ ରହିଛି ସେମାନଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ତଥ୍ୟ ଅନୁସାରେ ୨୦୧୯-୨୦ ବର୍ଷରେ ଏଭଳି ଦଳଙ୍କ ବାର୍ଷିକ ଆୟ ୮୪୦.୨୫ ଲକ୍ଷ ରହିଥିବା ବେଳେ ମୋଟ ବ୍ୟୟ ୮୭୬.୭୬ ଲକ୍ଷ ରହିଛି। ଏହି ରିପୋର୍ଟ ଅନୁସାରେ ସେହି ବର୍ଷ ଆୟ ତୁଳନାରେ ୩୬.୫୧ ଲକ୍ଷ ଟଙ୍କା ଅଧିକ ବ୍ୟୟ କରିଛନ୍ତି ଏହି ଦଳ।
Also Read: କୋରୋନା କାଳରେ ଅନୁଷ୍ଠିତ ହେବ Assembly Election 2022; କିପରି ପ୍ରସ୍ତୁତି କରିଛନ୍ତି ନିର୍ବାଚନ ଆୟୋଗ?
ଉତ୍ତର ପ୍ରଦେଶର ଜନ ରାଜ୍ୟ ପାର୍ଟି ୨୦୧୯-୨୦ ବର୍ଷରେ ସର୍ବାଧିକ ଆୟ ଘୋଷଣା କରିଥିଲା ଯାହାର ପରିମାଣ ୩୩୮.୦୧ ଲକ୍ଷ ରହିଥିଲା ବେଳେ ଦଳର ମୋଟ ଖର୍ଚ୍ଚ ୩୩୨.୧୬ ଲକ୍ଷ ଟଙ୍କା ରହିଥିଲା। ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଥିବା ଅନରାକ୍ଷିତ ସମାଜ ପାର୍ଟି ୧୫୭.୬୮ ଲକ୍ଷ ଏବଂ ତୃତୀୟ ସ୍ଥାନରେ ରହିଥିବା ଅପନା ଦଳ ସୋନେଲାଲ ୭୬.୦୫ ଲକ୍ଷ ଟଙ୍କାର ଆୟ ଘୋଷଣା କରିଛି।