Odisha Election 2024: ଓଡ଼ିଶା ରାଜନୀତିରେ ‘ରଜାଘର ଗୁମର’: ମଇଦାନରେ ରାଜପରିବାରର ୧୨ ପ୍ରତିନିଧି
Advertisement

Odisha Election 2024: ଓଡ଼ିଶା ରାଜନୀତିରେ ‘ରଜାଘର ଗୁମର’: ମଇଦାନରେ ରାଜପରିବାରର ୧୨ ପ୍ରତିନିଧି

Odisha Election 2024: ନିର୍ବାଚନ ପାଖେଇ ଆସୁଛି। ସବୁ ଦଳ, ଗୋଷ୍ଠୀ, ପ୍ରଭାବଶାଳୀ ପରିବାର ନିଜ ହାତରେ କ୍ଷମତା କିପରି ଅତୁଟ ରହିବ ବା ଆଗକୁ ଆହୁରି ବଢ଼ିବ ସେଥିଲାଗି ପ୍ରସ୍ତୁତ ହେଉଛନ୍ତି। ସମସ୍ତଙ୍କ ଆଗରେ ଗୋଟିଏ ଆହ୍ୱାନ, ତାହା ହେଲା ‘ବିଜୟ’। ଏଥିଲାଗି କିଏ ଲୋକବଳକୁ ଗୁରୁତ୍ୱ ଦେଉଛି ତ ଆଉକିଏ ଅର୍ଥବଳକୁ; ପୁଣି  ଏକ ପ୍ରତିଷ୍ଠିତ ଦଳରୁ ଟିକଟ ଖଣ୍ଡେ ପାଇବା ଲାଗି ବାହୁବଳ, ପ୍ରଭାବ ଓ ସମୀକରଣ ବି ଅନେକ ଗୁରୁତ୍ୱ ବହନ କରୁଛି। ଏପରି ସମୀକରଣ ଭିତରେ ପଛରେ ପଡ଼ି ନାହାନ୍ତି ରାଜ୍ୟର ରାଜପରିବାର।

Odisha Election 2024: ଓଡ଼ିଶା ରାଜନୀତିରେ ‘ରଜାଘର ଗୁମର’: ମଇଦାନରେ ରାଜପରିବାରର ୧୨ ପ୍ରତିନିଧି

Odisha Election 2024: ନିର୍ବାଚନ ପାଖେଇ ଆସୁଛି। ସବୁ ଦଳ, ଗୋଷ୍ଠୀ, ପ୍ରଭାବଶାଳୀ ପରିବାର ନିଜ ହାତରେ କ୍ଷମତା କିପରି ଅତୁଟ ରହିବ ବା ଆଗକୁ ଆହୁରି ବଢ଼ିବ ସେଥିଲାଗି ପ୍ରସ୍ତୁତ ହେଉଛନ୍ତି। ସମସ୍ତଙ୍କ ଆଗରେ ଗୋଟିଏ ଆହ୍ୱାନ, ତାହା ହେଲା ‘ବିଜୟ’। ଏଥିଲାଗି କିଏ ଲୋକବଳକୁ ଗୁରୁତ୍ୱ ଦେଉଛି ତ ଆଉକିଏ ଅର୍ଥବଳକୁ; ପୁଣି  ଏକ ପ୍ରତିଷ୍ଠିତ ଦଳରୁ ଟିକଟ ଖଣ୍ଡେ ପାଇବା ଲାଗି ବାହୁବଳ, ପ୍ରଭାବ ଓ ସମୀକରଣ ବି ଅନେକ ଗୁରୁତ୍ୱ ବହନ କରୁଛି। ଏପରି ସମୀକରଣ ଭିତରେ ପଛରେ ପଡ଼ି ନାହାନ୍ତି ରାଜ୍ୟର ରାଜପରିବାର। କଳେ ବଳେ କୌଶଳେ ପ୍ରତି ନିର୍ବାଚନରେ କୌଣସି ନା କୌଣସି ରାଜପରିବାର ନିଜର ବଂଶବାଦ, ପରିବାରବାଦକୁ ଅକ୍ଷୁର୍ଣ୍ଣ ରଖିବାକୁ  ଚେଷ୍ଟା କରିଛନ୍ତି। ଏଥିରେ ଦଳ ବଦଳ ରହିଛି, ପରିବାରରେ ଏକାଧିକ ଦଳର ପ୍ରଭାବ ବି ରହିଛି। ଆସନ୍ତୁ ନଜର ପକାଇବା ଓଡ଼ିଶାର ଏମିତି କିଛି ରାଜ ପରିବାର ଉପରେ ଯେଉଁମାନେ ୨୦୨୪ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି। 
ପ୍ରଥମେ ପାଟଣାଗଡ଼ ରାଜନୀତି। ସ୍ୱାଧୀନତା ପୂର୍ବରୁ ଓଡ଼ିଶା ସହ ନମିଶି ନିଜର ସ୍ୱତନ୍ତ୍ରତା ରକ୍ଷା କରିବାକୁ ଏହି ପରିବାର ଅନେକ ପ୍ରଚେଷ୍ଟା କରିଥିଲେ। ଏବେ ବି ପାଟଣାଗଡ଼ ବଲାଙ୍ଗୀର ଜିଲ୍ଲା ରାଜନୀତିର ଏକ ପ୍ରମୁଖ ଅଙ୍ଗ ହୋଇ ରହି ଆସିଛି। ଏହି ପରିବାରର ପ୍ରତିଟି ସଦସ୍ୟ ରାଜନୀତି ସହ ଯୋଡ଼ି ହୋଇ ରହିଛନ୍ତି। କେତେବେଳେ ରାଜା ରାଣୀ ପ୍ରାର୍ଥୀ ହୋଇଛନ୍ତି ତ ଆଉ କେତେବେଳେ ରାଜାଙ୍କ କକା ଅନ୍ୟ ଦଳରେ ଯୋଗ ଦେଇ ନିଜେ ପ୍ରାର୍ଥୀ ହେବା ସହ ପୁଅକୁ ବି ବିଭିନ୍ନ ନିର୍ବାଚନରେ ଜିତାଇଛନ୍ତି। 
ଏହି ରାଜପରିବାରର କନକ ବର୍ଦ୍ଧନ ସିଂହଦେଓ ଏବଂ ସଂଗୀତା ସିଂହଦେଓଙ୍କ ନାଁ ଏଠାରେ ଉଲ୍ଲେଖ କରାଯାଇପାରେ। ଏ ଦୁଇଜଣ ବିଜେପି ସଦସ୍ୟ। କନକ ବିଜେପି-ବିଜେଡି ମେଣ୍ଟ ସରକାର ସମୟରେ ମନ୍ତ୍ରୀ ରହିଛନ୍ତି। ତାଙ୍କ ପତ୍ନୀ ସଂଗୀତା ମଧ୍ୟ ଲୋକସଭାରେ ବଲାଙ୍ଗୀରକୁ ପ୍ରତିନିଧିତ୍ୱ କରିଛନ୍ତି। କନକଙ୍କ କକା ହେଉଛନ୍ତି ଅନଙ୍ଗ ଉଦୟ ସିଂହଦେଓ।  ବିଜେଡି ସରକାରରେ ସେ ବି ପ୍ରଭାବଶାଳୀ ମନ୍ତ୍ରୀ ହେବାର ସୌଭାଗ୍ୟ ନେଇଛନ୍ତି।  ତାଙ୍କ ପୁଅ ହେଉଛନ୍ତି କଳିକେଶ ସିଂହଦେଓ ଏବେ ପ୍ରାର୍ଥୀ ହୋଇଛନ୍ତି। ପୂର୍ବରୁ ସେ ବି ସାଂସଦ ରହି ଆସିଛନ୍ତି। କହିବାକୁ ଗଲେ ରାଜ୍ୟ ରାଜନୀତିରେ  ବଲାଙ୍ଗୀର ରାଜ ପରିବାରର ଏହି ସଦସ୍ୟମାନେ ସବୁଠାରୁ ଅଧିକ ସଫଳତା ସାଉଁଟିଛନ୍ତି  । ୨୦୨୪ ନିର୍ବାଚନରେ କନକବର୍ଦ୍ଧନ ପାଟଣାଗଡ଼ରୁ ଓ ତାଙ୍କ ପତ୍ନୀ ସଂଗୀତା ସିଂହଦେଓ ବଲାଙ୍ଗୀର ଲୋକସଭା ପାଇଁ ବିଜେପି ଟିକେଟ ପାଇଥିବାବେଳେ ଏୟୁଙ୍କ ବଡ଼ପୁଅ କଳିକେଶ ସିଂହଦେଓ ବଲାଙ୍ଗୀର ବିଧାନସଭାରୁ ବିଜେଡ଼ି ଟିକେଟରେ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି  । 
ଏହି ପରିବାରର ରଣନୀତି ଏତେ  ସ୍ପଷ୍ଟ ଯେ କେବେ କେହି କାହା ବିପକ୍ଷରେ ଲଢ଼ନ୍ତି ନାହିଁ। ଅର୍ଥାତ୍‍ ବାହାରକୁ ପରିବାର ଭିତରେ ଟଣାଓଟରା ଲାଗି ରହିଛି ବୋଲି ଏକ ବାର୍ତ୍ତା ଦେଉଥିଲେ ମଧ୍ୟ ଭିତରେ ଏମାନେ କାହାର ବ୍ୟବସାୟିକ ସାମ୍ରାଜ୍ୟରେ କେହି ପ୍ରବେଶ କରିବାକୁ ଚାହାନ୍ତି ନାହିଁ। 
ଏବେ ପୁଷ୍ପେନ୍ଦ୍ର ସିଂହଦେଓଙ୍କ କଥା। ପୁଷ୍ପେନ୍ଦ୍ର ହେଉଛନ୍ତି ଧର୍ମଗଡ଼ ରାଜପରିବାରର ସଦସ୍ୟ। ତଥାକଥିତ ରାଜା ବି। ୨୦୨୪ରେ ପୁଣିଥରେ ଧର୍ମଗଡ଼ରୁ ନିର୍ବାଚନ ଲଢ଼ିବେ ପୁଷ୍ପେନ୍ଦ୍ର  । କୋକସରାରୁ ସେ ଥରେ ଓ ଧର୍ମଗଡ଼ରୁ ୨ ଥର ସେ ବିଧାୟକ ହେବା ସହ ନବୀନଙ୍କ ସରକାରରେ ମନ୍ତ୍ରୀ ହେବାର ସୌଭାଗ୍ୟ ପାଇଛନ୍ତି  ।
ଆଳି ରାଜ ପରିବାରର ଦାୟାଦ ହେଉଛନ୍ତି ପ୍ରତାପ କେଶରୀ ଦେବ। ଥାଟ ରାଜା ଭାବେ ସେ ପରିଚିତ। ସେ ଏବେ ପ୍ରାର୍ଥୀ ହୋଇଛନ୍ତି। ଓଡ଼ିଶା ରାଜନୀତିକ ଇତିହାସର କିମ୍ବଦନ୍ତୀ ପୁରୁଷ ଶରତ ଦେବଙ୍କ ଦାୟାଦ ପ୍ରତାପ ୪ ଥର ବିଧାୟକ ହେବା ସହ ଥରେ ରାଜ୍ୟସଭା ସାଂସଦ ହୋଇପାରିଛନ୍ତି  ।
ଚିକିଟି ରାଣୀ ଉଷା ଦେବୀ ରାଜ୍ୟ ରାଜନୀତିର ଜଣେ ଟାଣୁଆ ମହିଳା ନେତ୍ରୀ ଭାବେ କାୟା ବିସ୍ତାର କରିଥିଲେ । ତେବେ ବୟସାଧିକ୍ୟ କାରଣରୁ ସେ ନିଜେ ନିର୍ବାଚନ ନଲଢ଼ି ପୁଅ ଶ୍ରୀରୂପ ଦେବଙ୍କୁ ବାଟ ଛାଡ଼ିଛନ୍ତି  । ମା’ଙ୍କ ଭଳି ପୁଅଙ୍କ ଉପରେ ମଧ୍ୟ ବିଜେଡ଼ି ଆସ୍ଥା ପ୍ରକଟ କରିଛନ୍ତି ।
ଢେଙ୍କାନାଳରେ କାମାକ୍ଷା ପ୍ରସାଦ ସିଂହଦେଓଙ୍କ ପୁତୁରା ବୋହୂ ଏଥର କଂଗ୍ରେସ ଟିକେଟରେ ଢେଙ୍କାନାଳ ବିଧାନସଭା ଆସନରୁ ଲଢ଼ିବେ। କାମାକ୍ଷା ପୂର୍ବରୁ କଂଗ୍ରେସ ସରକାରରେ କେନ୍ଦ୍ରମନ୍ତ୍ରୀ ଥିଲେ।
ଏଥର କଳାହାଣ୍ଡିରୁ ସାଂସଦ ପ୍ରାର୍ଥୀ ହେବେ ମାଳବିକା କେଶରୀ ଦେଓ । ତାଙ୍କ ସ୍ୱାମୀ ଅର୍କ କେଶରୀ ଦେଓ ପୂର୍ବରୁ ବିଜେଡ଼ିରୁ ସାଂସଦ ହୋଇଥିଲେ  । ଏବେ ଅର୍କ ଓ ମାଳବିକା ଉଭୟ ବିଜେପିରେ। ଏହି ପରିବାର ଆଗରୁ ବିଜେପି ଟିକଟରେ ଅନେକଥର ସଂସଦକୁ ନିର୍ବାଚିତ ହୋଇଛନ୍ତି।   
ଗଞ୍ଜାମ ରାଜନୀତିରେ ବିଜେଡି ସାନ ଖେମୁଣ୍ଡିରୁ ନନ୍ଦିନୀ ଦେବୀଙ୍କୁ ପ୍ରାର୍ଥୀ କରି ସଫଳତା ପାଇଥିଲା।  ୨୦୨୪ ନିର୍ବାଚନରେ ପୁଣି ରାଜପରିବାର କାର୍ଡ ଖେଳି ବିଜେଡି ବିରୁଦ୍ଧରେ ଯେଉଁ ଆସ୍ଥା ବିରୋଧୀ ଭୋଟ ସୃଷ୍ଟି ହୋଇଛି ତାହାକୁ ନାକାମ କରିବାକୁ ଚାହିଁଛନ୍ତି ସୁପ୍ରିମୋ ନବୀନ । ଏଣୁ ତାଙ୍କ ଝିଅ ଗୀତାଞ୍ଜଳୀଙ୍କୁ ପ୍ରାର୍ଥୀ କରିଛନ୍ତି। 
ପୁଣି ଦେବଗଡ଼ ବିଧାନସଭା ଆସନକୁ ଅକ୍ତିଆର କରିବା ଲାଗି ରାଜପରିବାରର ଫାଟକୁ ସଗର୍ବେ ଗ୍ରହଣ କରିଛି ବିଜେଡି।  ସମ୍ବଲପୁର ସାଂସଦ ତଥା ଦେବଗଡ଼ ରାଜା ନିତେଶ ଗଙ୍ଗଦେବଙ୍କ ପତ୍ନୀଙ୍କୁ ଏଥର ବିଜେଡି ନିଜ ଦଳରେ ଗ୍ରହଣ କରିଛି। ଖାଲି ସେତିକି ନୁହେଁ ରାଜପରିବାର ଭୋଟକୁ ଅକ୍ତିଆର କରିବା ଲାଗି ଦଳ  ନିତେଶଙ୍କ ପତ୍ନୀ ଅରୁନ୍ଧତୀ କୁମାରୀ ଦେବୀଙ୍କୁ   ବିଧାୟକ ପ୍ରାର୍ଥୀ ଘୋଷଣା କରିଛି।
ଅନୁଗୁଳରେ ସେହିପରି ସାମନ୍ତ ପରିବାରକୁ ପ୍ରତିନିଧିତ୍ୱ କରନ୍ତି ରଜନୀକାନ୍ତ ସିଂହ। ଏଥର ତାଙ୍କ ପତ୍ନୀ ସଂଯୁକ୍ତାଙ୍କୁ ପ୍ରାର୍ଥୀ କରିଛି ବିଜେଡି। ସମାନ ଭାବେ ପୂର୍ବତନ ମନ୍ତ୍ରୀ  ବିଜୟ ରଞ୍ଜନ ସିଂହ ବରିହା  ବର୍ଷା ସିଂହ ବରିହା ମଧ୍ୟ ରାଜପରିବାରକୁ ପ୍ରତିନିଧିତ୍ୱ କରନ୍ତି। 
ଓଡ଼ିଶା ରାଜନୀତିକ ଇତିହାସରେ ରାଜପରିବାରର ପ୍ରତିନିଧି ବା ସଦସ୍ୟ ପ୍ରାର୍ଥୀ ହେବା କିଛି ନୂଆ କଥା ନୁହେଁ। ଇତିହାସର ପୃଷ୍ଠାରେ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓ, ରାଜେନ୍ଦ୍ର ନାରାୟଣ ସିଂହଦେଓ, ବୀରବର ନାରାୟଣ ଚନ୍ଦ୍ର ଧିର ନରେନ୍ଦ୍ର, ରାଜା କୃଷ୍ଣଚନ୍ଦ୍ର ମାନସିଂହ ହରିଶ୍ଚନ୍ଦ୍ର ମର୍ଦ୍ଦରାଜ ଭ୍ରମରବର ରାୟ, ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓ ବାହାଦୂର, ରାମଚନ୍ଦ୍ର ମର୍ଦ୍ଦରାଜ ଦେବ, ରାଜା ଶୈଳେନ୍ଦ୍ର ନାରାୟଣ ଭଞ୍ଜଦେଓ, ଥାଟ୍ଟରାଜା ରୁଦ୍ର ପ୍ରତାପ ସିଂହଦେଓ, ବୀର ବିକ୍ରମାଦିତ୍ୟ ସିଂ ବରିହା, ଲାଲ ରଞ୍ଜିତ ସିଂ ବରିହା, ପୀତାମ୍ବର ଭୂପତି ହରିଚନ୍ଦନ ମହାପାତ୍ର, ପ୍ରତାପ କେଶରୀ ଦେଓ, ରାଜା କିଶୋର ଚନ୍ଦ୍ର ଦେଓ, ରାଜା ସାହେବ ହରିହର ସିଂ ମର୍ଦ୍ଦରାଜ ଭ୍ରମରବର ରାୟ, ରାଜାସାହେବ କୃଷ୍ଣଚନ୍ଦ୍ର ସିଂ ମାନ୍ଧତା, ରାଜା ଶୈଳେନ୍ଦ୍ର ନାରାୟଣ ଭଞ୍ଜଦେଓ, ରାଜା ବାହାଦୂର କିଶୋର ଚନ୍ଦ୍ର ଦେଓ ଭଞ୍ଜ, କିଶୋର ଚନ୍ଦ୍ର ଭଞ୍ଜଦେଓ, ଲାଲ ସାହେବ ନଳିନୀ ଚନ୍ଦ୍ର ଭଞ୍ଜଦେଓ, ନରସିଂହ ନାରାୟଣ ଭଞ୍ଜଦେଓ, ରାଜା ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେଓ, ଶଙ୍କର ପ୍ରତାପ ସିଂହଦେଓ ମହେନ୍ଦ୍ର ବାହାଦୂର ରାଜା, ଉଦିତ ପ୍ରତାପ ଶେଖର ଦେଓଙ୍କ ଭଳି ଅନେକ ରାଜା ରାଜନୀତିକୁ ଆସି ସଫଳ ହୋଇଛନ୍ତି  । ଖାଲି ସଫଳତା ହାସଲ କରିଛନ୍ତି ତାହା ନୁହେଁ ରାଜ୍ୟ ରାଜନୀତିରେ ନିଜ ପରିବାର ପାଇଁ ପିଢ଼ିପରେ ପଢ଼ି ଲୋକଙ୍କୁ ନେତୃତ୍ୱ ଦେବାର ମାଧ୍ୟମ ସୃଷ୍ଟି କରିଛନ୍ତି।