ଶେଷରେ ଭରତପୁର ଥାନାରେ ଲାଗିଲା ସିସିଟିଭି
Advertisement
Article Detail0/zeeodisha/odisha2444428

ଶେଷରେ ଭରତପୁର ଥାନାରେ ଲାଗିଲା ସିସିଟିଭି

Bharatapur police station: ଏହି ମାମଲାରେ ଆଇଆଇସି ସମେତ ୫ଜଣଙ୍କୁ ନିଲମ୍ବିତ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ମାମଲାରେ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ କ୍ରାଇମବ୍ରାଞ୍ଚ ଏହି ଘଟଣାର ତଦନ୍ତ କରୁଛି। 

ଶେଷରେ ଭରତପୁର ଥାନାରେ ଲାଗିଲା ସିସିଟିଭି

ଭୁବନେଶ୍ଵର: ବିବାଦରେ ରହି ଆସିଥିବା ଭରତପୁର ଥାନାରେ ଆଜି ଶେଷରେ ଲାଗିଛି ସିସିଟିଭି। ୨୫ ସିସିଟିଭି ଲାଗିବାର ବ୍ୟବସ୍ଥା ଥିବାବେଳେ ପ୍ରାରମ୍ଭିକ ଭାବେ ୧୬ଟି ଲଗାଯାଇଛି। ଥାନାରେ ଭିତରେ ଓ ବାହାରେ ଏହି ସିସିଟିଭି ଲାଗିଛି। ଖୁବ୍ ଶୀଘ୍ର ବାକି ସମସ୍ତ ସିସିଟିଭି ଲାଗିବ ବୋଲି ଜଣାପଡ଼ିଛି।

ଭରତପୁର ଥାନାରେ ସିସିଟିଭି ନ ଥିବାରୁ ଉଦ୍‌ବେଗ ପ୍ରକାଶ ପାଇଥିଲା। ତତ୍କାଳୀନ ଥାନାଧିକାରୀଙ୍କ କାର୍ଯ୍ୟକଳାପକୁ ନେଇ ମଧ୍ୟ ଚର୍ଚ୍ଚା ଲାଗି ରହିଥିଲା। ସବୁ ଥାନାରେ ସିସିଟିଭି ରହିବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି। ବହୁ କୋଟି ଟଙ୍କା ଖର୍ଚ୍ଚ କରାଯାଇ ଭରତପୁର ଥାନାର ନୂଆ କୋଠା ନିର୍ମାଣ କରାଯିବା ସହ ସିସିଟିଭି ଲଗାଯାଇଥିଲା ବୋଲି ସୂଚନା ଦିଆଯାଇଥିଲା। ହେଲେ ୧୪ ତାରିଖ ଶନିବାର ବିଳମ୍ବିତ ରାତିର ଏହି ଘଟଣା ପରେ ଥାନାରେ ସିସିଟିଭି କ୍ୟାମେରା ନ ଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଥିଲା।

ଏହିସବୁ ଘଟଣା ଭିତରେ ମେଜର ଓ ତାଙ୍କ ବାନ୍ଧବୀ ଏବଂ ବାନ୍ଧବୀଙ୍କ ବାପା ସୋମବାର ଲୋକସେବା ଭବନ ଯାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି। ଏହି ସମୟରେ ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂଦେଓ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ଉପସ୍ଥିତ ଥିଲେ। ଅବସରପ୍ରାପ୍ତ ସେନା ଅଧିକାରୀଙ୍କ ପ୍ରତିନିଧି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ପୀଡ଼ିତା ଖୁସି ବ୍ୟକ୍ତ କରିବା ସହିତ କହିଛନ୍ତି, ମୁଖ୍ୟମନ୍ତ୍ରୀ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଯାହା ଅନୁରୋଧ କରାଯାଇଥିଲା ତାକୁ ସରକାର ରଖିଛନ୍ତି। ତେଣୁ ମୋହନ ମାଝୀ ଲୋକଙ୍କ ମୁଖ୍ୟମନ୍ତ୍ରୀ ବୋଲି ପ୍ରମାଣିତ କରିଛନ୍ତି। ଏଥିଲାଗି ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ଅବସରରେ ପୀଡ଼ିତାଙ୍କ ବାପା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି, ଆମ ଅନୁରୋଧ ରକ୍ଷାକରି ସାକ୍ଷାତ କରିବାକୁ ସମୟ ଦେଇଥିବାରୁ ଧନ୍ୟବାଦ। ଦୁଇ ଦିନ ତଳେ ପୋଲିସ ଅଧିକାରୀମାନେ ୟୁନିଫର୍ମ ପିନ୍ଧି ପ୍ରତିବାଦ ଜଣାଇଥିବାରୁ ଏହି ତଦନ୍ତ ନିରପେକ୍ଷ ହେବ କି ନାହିଁ ମନରେ ସନ୍ଦେହ ଥିଲା। ତେଣୁ ବିଚାରବିଭାଗୀୟ ତଦନ୍ତ ଦାବି କରିଥିଲେ। ମୁଖ୍ୟମନ୍ତ୍ରୀ ଆମର ଏହି ଦାବିକୁ ମାନି ନେଇଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ତଦନ୍ତ ରିପୋର୍ଟରେ ସତ ଉନ୍ମୋଚନ ହେବ ବୋଲି ବିଶ୍ୱାସ ଥିବା ସେ କହିଛନ୍ତି। ଏହାସହ ଯେଉଁମାନେ ଝିଅର ଭିଡିଓ ସାମାଜିକ ଗଣମାଧ୍ୟମରେ ଛାଡୁଛନ୍ତି ସେମାନଙ୍କୁ ଚିହ୍ନଟ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।

ସୂଚନାଯୋଗ୍ୟ, ଗତ ୧୫ତାରିଖ ରାତିରେ ଭାରତୀୟ ସେନାର ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଭରତ ଥାନାରେ ପୁଲିସ ମାଡ଼ ମାରିବା ସହ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ଆଇଆଇସି ସମେତ ୫ଜଣଙ୍କୁ ନିଲମ୍ବିତ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ମାମଲାରେ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ କ୍ରାଇମବ୍ରାଞ୍ଚ ଏହି ଘଟଣାର ତଦନ୍ତ କରୁଛି।