Boat Tragedy: ପାତାଳୀ ନଦୀରେ ଡଙ୍ଗା ବୁଡ଼ି ଘଟଣା: ଅନ୍ୟ ୪ ମୃତଦେହ ଉଦ୍ଧାର, ଅନୁକମ୍ପାମୂଳକ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
Advertisement
Article Detail0/zeeodisha/odisha2034824

Boat Tragedy: ପାତାଳୀ ନଦୀରେ ଡଙ୍ଗା ବୁଡ଼ି ଘଟଣା: ଅନ୍ୟ ୪ ମୃତଦେହ ଉଦ୍ଧାର, ଅନୁକମ୍ପାମୂଳକ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଏହି ଘଟଣା ସମ୍ପର୍କରେ ସୂଚନା ପାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ବ୍ୟକ୍ତ କରିଥିଲେ। ଏହା ସହିତ ଏହି ଘଟଣାରେ ମୃତକଙ୍କ ପରିବାରର ସଦସ୍ୟଙ୍କୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ରାଶି ଯୋଗାଇ ଦେବାକୁ ଘୋଷଣା କରିଥିଲେ। 

Boat Tragedy: ପାତାଳୀ ନଦୀରେ ଡଙ୍ଗା ବୁଡ଼ି ଘଟଣା: ଅନ୍ୟ ୪ ମୃତଦେହ ଉଦ୍ଧାର, ଅନୁକମ୍ପାମୂଳକ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Odisha News: ଭୁବନେଶ୍ୱର: କୋରାପୁଟର ନନ୍ଦପୁର ବ୍ଲକ ତାନସିଂ ନିକଟ ପାତାଳୀ ନଦୀରେ ଡଙ୍ଗା ବୁଡ଼ି ଘଟଣାରେ ସମସ୍ତ ୫ ଜଣଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। ଗତକାଲି ଜଣଙ୍କର ମୃତଦେହକୁ ଉଦ୍ଧାର କରାଯାଇଥିବା ବେଳେ ଆଜି ଅନ୍ୟ ୪ ଜଣଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା। ତେବେ ମୃତଦେହ ଉଦ୍ଧାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ବେଶ ଶୋକର ଛାୟା ଖେଳି ଯାଇଥିଲା। ତେବେ ମୃତକଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିବା ସହିତ ଶୋକବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା ସହିତ ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। 

ସୂଚନାଯୋଗ୍ୟ, କୋରାପୁଟ ଜିଲ୍ଲା କୁଲାରସିଂ ପଞ୍ଚାୟତ ତାନସିଂ ଗ୍ରାମର ୩ ମହିଳା ଓ ଦୁଇ ନାବାଳିକା ଡଙ୍ଗା ସାହାଯ୍ୟରେ ବାଡ଼େଲା ଗ୍ରାମକୁ ଏକ ବାହାଘରରେ ଯୋଗ ଦେବାକୁ ଯାଇଥିଲେ। ବିବାହ କାର୍ଯ୍ୟକ୍ରମରେ ଯୋଗଦେବା ଦିନ ସଂଧ୍ୟାରେ ନିଜ ଗାଁ ଫେରୁଥିଲେ। ଏତିକି ବେଳେ ଡଙ୍ଗାଟି ହଠାତ୍ ପାତାଳୀ ନଦୀ ମଝିରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଫଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ ଜଣ ନିଖୋଜ ହୋଇଥିଲେ। ନିଖୋଜଙ୍କ ମଧ୍ୟରେ ୨ ଜଣ ଶିଶୁ, ଜଣେ ନାବାଳିକା ଏବଂ ଆଉ ଜଣେ ମହିଳା ରହିଛନ୍ତି। ମୃତକ ଓ ନିଖୋଜ ସମସ୍ତେ ତାନସିଂ ଗାଁର ବୋଲି ଜଣାପଡିଛି। ପରଦିନ ସକାଳେ ଜଣେ ମହିଳାଙ୍କ ମୃତଦେହ ତାନସିଂ ନଦୀଘାଟରେ ଭାସୁଥିବାର ଗ୍ରାମବାସୀ ଦେଖିଥିଲେ। ଏନେଇ ପାଡୁଆ ଥାନାକୁ ଖବର ଦିଆଯିବା ପରେ ଦମକଳ ବାହିନୀ ଓ ଓଡ୍ରାଫ୍‌ ଟିମ୍‌ ନେଇ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ। ରାତି ଅନ୍ଧାରରେ ଡଙ୍ଗା ବୁଡ଼ି ଯାଇଥିବା ଅନୁମାନ କରାଯାଉଛି। ମୃତଦେହ ମିଳିଥିବା ମହିଳାଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଁଞ୍ଚି ଶବ ଚିହ୍ନଟ କରିଥିଲେ। ଉକ୍ତ ମହିଳାଙ୍କ ସହ ଡଙ୍ଗାରେ ଥିବା ଅନ୍ୟମାନଙ୍କ ପତ୍ତା ନମିଳିବାରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଆଜି ଶୁକ୍ରବାର ସକାଳୁ ପୁନର୍ବାର ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଏହା ସହିତ ୪ ଜଣଙ୍କ ମୃତଦେହକୁ ଉଦ୍ଧାର କରିଥିଲେ ଦମକଳ ବାହିନୀ ଓ ଓଡ୍ରାଫ ଟିମ। 

ସେପଟେ ଏହି ଘଟଣା ସମ୍ପର୍କରେ ସୂଚନା ପାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ବ୍ୟକ୍ତ କରିଥିଲେ। ଏହା ସହିତ ଏହି ଘଟଣାରେ ମୃତକଙ୍କ ପରିବାରର ସଦସ୍ୟଙ୍କୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ରାଶି ଯୋଗାଇ ଦେବାକୁ ଘୋଷଣା କରିଥିଲେ।